ଓଡିଶାରେ ଚାଲିଲା ବୁକ୍ ଅନ୍ ହ୍ୱିଲ : ଗାଁ ପିଲାଙ୍କ ପାଖକୁ ଯିବ ବହି ଗାଡି

ଓଡିଶାରେ ଚାଲିଲା ବୁକ୍ ଅନ୍ ହ୍ୱିଲ : ଗାଁ ପିଲାଙ୍କ ପାଖକୁ ଯିବ ବହି ଗାଡି

Saturday January 30, 2016,

3 min Read

  • ୨ ମାସରେ ବୁଲିବ ୧୦ଟି ଜିଲ୍ଲା
  • ସବୁ ବର୍ଗର ଲୋକଙ୍କ ପାଇଁ ବହି ଉପଲବ୍ଧ
  • ସ୍କୁଲ ପାଣ୍ଠିରୁ ସ୍କୁଲମାନେ କିଣିବେ ପୁସ୍ତକ
  • ପିଲାମାନେ ବହିଗାଡିରୁ କିଣିବେ ମନପନ୍ଦର ବହି

କେବଳ ସହରରେ ମିଳୁଥିବା ବହି ଏବେ ଗାଁରେ ମିଳିବ | ତାହା ପୁଣି ଶସ୍ତା ଓ ରିହାତି ଦରରେ | କାରଣ ଓଡିଶାରେ ଆରମ୍ଭ ହୋଇଯାଇଛି ବୁକ୍ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ | ଏହା ଠିକ୍ ଭ୍ରାମ୍ୟମାଣ ବହି ପ୍ରଦର୍ଶନ ଭଳି | ଏକ ବହି ଭ୍ୟାନ୍ ଭିତରେ ବହି ଦୋକାନ ଭଳି ଖଂଜା ଯାଇଛି ବହି | ସେଠାରୁ ଆପଣ ପାଇପାରିବେ ଆପଣଙ୍କ ମନପସନ୍ଦର ବହି | ପିଲାମାନେ ସେମାନଙ୍କର ପଢା ବହି ଏଠାରୁ ପାଇପାରିବେ |

ନ୍ୟାସନାଲ ବୁକ୍ ଟ୍ରଷ୍ଟ (ଏନବିଟି)ଏବଂ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ(ଓପେପା)ର ମିଳିତ ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଛି | ଭୁବନେଶ୍ୱରରୁ ଗଡିବା ଆରମ୍ଭ କରିଛି ବୁକ୍ ଅନ୍ ହ୍ୱିଲ୍ | ଦୁଇମାସ ଧରି ଏହା ୧୦ଟି ଜିଲ୍ଲାର ବିଭିନ୍ନ ଗାଁ ବୁଲିବ |

image


ପ୍ରଥମ ପର୍ଯ୍ୟାୟରେ ଏହି ଭ୍ରାମ୍ୟମାଣ ବହି ପ୍ରଦର୍ଶନୀ ରାଜ୍ୟର ମୋଟ ୧୦ ଟି ଜିଲ୍ଲା ବୁଲିବ | ଏହି ଜିଲ୍ଲାଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ, ଗଂଜାମ, କଟକ,ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର |

ଏନବିଟି ପକ୍ଷରୁ ଗତବର୍ଷ ଠାରୁ ଏଭଳି ଅଭିଯାନ ଆରମ୍ଭ ହୋଇଥିଲା | ଗତଥର ବୁକ୍ ଅନ୍ ହ୍ୱିଲ ରାଜ୍ୟର ବହୁ ଜିଲ୍ଲାରେ ପ୍ରାୟ ମାସେ ଧରି ବୁଲିଥିଲା | ଗତଥରର ସଫଳତା ଓ ଲୋକଙ୍କ ଚାହିଦା ପରେ ଏନବିଟି ଏବର୍ଷ ଅଧିକ ସମୟ ପାଇଁ ବୁକ୍ ଅନ୍ ହ୍ୱିଲ୍ ଚଲାଇବାକୁ ନିଷ୍ପତି ନେଇଛି |

ଏ ସମ୍ପର୍କରେ ଏନବିଟିର ଆଂଚଳିକ ପରିଚାଳକ ବ୍ରତିନ ଦେ କୁହନ୍ତି,

“ଏ ବର୍ଷ ଆମେ ଆମ କାର୍ଯ୍ୟକ୍ରମକୁ ଟିକିଏ ସଂପ୍ରସାରିତ କରିଛୁ | ପର୍ଯ୍ୟାୟକ୍ରମେ ଏଥର ଓଡିଶାର ସବୁ ଜିଲ୍ଲା ଓ ବ୍ଲକ ବୁଲିବା ଲାଗି ସ୍ଥିର ହୋଇଛି | ପ୍ରତି ଜିଲ୍ଲାରେ ପାଂଚଦିନ ଏହି ବସ୍ ବୁଲିବ | ବିଶେଷକରି ଦୁର୍ଗମ ଅଂଚଳକୁ ବେଶୀ ଗୁରୁତ୍ୱ ଦିଆଯିବ |”

ଏହି ବସରେ ସବୁ ବର୍ଗର ଲୋକଙ୍କ ପାଇଁ ବହି ରହିଛି | ପିଲାଙ୍କ ପାଇଁ ପଢାବହି ଠାରୁ ଆରମ୍ଭ କରି ଗପ ବହି, ବିଭିନ୍ନ ସଚେତନାମୂଳକ ବହି ଓ ଚିତ୍ର ବହି ଆଦି ରହିଛି | ସେହିପରି ବଡମାନଙ୍କ ପଢିବା ଲାଗି ଅନେକ ଉପାଦେୟ ପୁସ୍ତକ ଏଥିରେ ଉପଲବ୍ଧ ହେଉଛି | ଯାହା ହୁଏତ ଆପଣଙ୍କୁ ଆଉ କେଉଁଠି ମିଳି ନପାରେ | ୪୫୦ ପ୍ରକାରର ବହିରୁ ଆପଣ ଖୋଜିବେ ଆପଣଙ୍କର ପସନ୍ଦ ବହି କେଉଁଟି ? ଏହା ପୁଣି ଶସ୍ତା ଓ ରିହାତି ଦରରେ ଯୋଗାଉ ଦେଉଛି ଏନବିଟି |

ଏଥରର ମଧ୍ୟ ବୁକ୍ ଅନ୍ ହ୍ୱିଲ୍ କୁ ସଫଳତା ଆରମ୍ଭ ହୋଇଛି | ଏହା ଯେଉଁଠି ଠିଆ ହେଉଛି, ସେଠାରେ ପିଲାଙ୍କ ଭିଡ ଜମୁଛି | ପିଲାମାନେ ବିଭିନ୍ନ ପ୍ରକାରର ବହି ଦେଖିବା ସହିତ ଏହାକୁ କିଣୁଛନ୍ତି | ଏହା ସେମାନଙ୍କ ପାଇଁ ଏକ ଉତ୍ସବ ପାଲଟିଯାଇଛି | ବରିଷ୍ଠ ନାଗରିକ, ସରକାରୀ କର୍ମଚାରୀ ଓ ଗୃହିଣୀମାନେ ମଧ୍ୟ ବହି କିଣିବାକୁ ପସନ୍ଦ କରୁଛନ୍ତି ବୋଲି ଓପେପା ଅତିରିକ୍ତ ନିର୍ଦ୍ଦେଶକ ଡ. ଅଭୟ କୁମାର ନାୟକ କହିଛନ୍ତି |

image


ଏହି ବସ୍ ରେ ୬୦ ପ୍ରତିଶତ ବହି ହେଉଛି ପିଲାଙ୍କ ପାଇଁ ଉଦ୍ଦିଷ୍ଟ | ବାକି ସବୁ ବହି ଅନ୍ୟ ବର୍ଗର ପାଠକମାନେ ପଢିପାରିବେ | ଗପବହି, ଉଦ୍ୟାନ ସମ୍ପର୍କିତ ପୁସ୍ତକ, ବିଜ୍ଞାନ, ଜୀବନୀ, ଲୋକକଥା ଓ ସୂଚନାତ୍ମକ ପୁସ୍ତକଗୁଡିକ ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେଉଛି | ରାଜ୍ୟରେ ଅନେକ କେନ୍ଦ୍ରୀୟ ବିଦ୍ୟାଳୟ ଅଛି | ତେଣୁ ଏହି ବହି ଗାଡିରେ ହିନ୍ଦୀ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ବହି ମିଳୁଛି |

ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକ କହନ୍ତି,

“ ଗ୍ରାମାଂଚଳ ଓ ଛୋଟ ସହରରେ ପିଲାଙ୍କ ମଧ୍ୟରେ ପଢା ଅଭ୍ୟାସ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ | ଏହି ବୁକ୍ ଅନ୍ ହ୍ୱିଲ୍ ସମ୍ପର୍କରେ ପ୍ରତ୍ୟେକ ସ୍କୁଲକୁ ଅବଗତ କରାଯାଇଛି | ସେହି ଅନୁସାରେ ପିଲାମାନେ ଏହି ବହି ଗାଡି ପାଖକୁ ଆସି ସେମାନଙ୍କ ପସନ୍ଦର ବହି କିଣିପାରିବେ | ସେହିପରି ସ୍କୁଲ ପାଣ୍ଠିରୁ ମଧ୍ୟ ସ୍କୁଲମାନେ ସେମାନଙ୍କ ପାଠାଗାର ପାଇଁ ବହି କିଣିବାକୁ କୁହାଯାଇଛି |”

ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ | ଏଥିରୁ କେବଳ ସ୍କୁଲ ପିଲାମାନେ ନୁହନ୍ତି, ବଂର ବହି କିଣି ପଢିବାକୁ ଭଲ ପାଉଥିବା ସମସ୍ତେ ଲାଭବାନ ହେବେ ବୋଲି ଆଶା |