ପ୍ରଥମ ଥର ପାଇଁ ଭାରତରେ ହେଉଛି ଅନ୍ତର୍ଜାତୀୟ କ୍ୟାମ୍ପସ୍ ସିନେମା ଉତ୍ସବ

ପ୍ରଥମ ଥର ପାଇଁ ଭାରତରେ ହେଉଛି ଅନ୍ତର୍ଜାତୀୟ କ୍ୟାମ୍ପସ୍ ସିନେମା ଉତ୍ସବ

Wednesday February 03, 2016,

3 min Read

image


ଆମ ଦେଶରେ ସିନେମା ଉତ୍ସବ ଏକ ସାଧାରଣ କଥା । ବର୍ଷ ତମାମ କେଉଁଠି ନା କେଉଁଠି ଚାଲିଛି ସିନେମା ଉତ୍ସବ । କେବଳ ଓଡ଼ିଶାରେ ଆୟୋଜିତ ହେଉଛି ୫ଟିରୁ ଅଧିକ ସିନେମା ଉତ୍ସବ । ଜେଡିସିଏ ପକ୍ଷରୁ ଦଶ ବର୍ଷ ହେଲା ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସିନେମା ଉତ୍ସବ ଆୟୋଜିତ ହୋଇ ଆସୁଥିବା ବେଳେ ପୁରୀରେ ଆୟୋଜିତ ହେଉଛି ଭିନ୍ନ ଧରଣର ସିନେମା ଉତ୍ସବ ବାୟଫ୍ । ତେବେ କେବଳ କଲେଜ ଓ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତ ସିନେମାକୁ ନେଇ ଏକ ଅନ୍ତର୍ଜାତୀୟ ଉତ୍ସବ ହେବା ସମ୍ପୂର୍ଣ ନୂଆ କଥା । ଆସନ୍ତା ମାସରେ ଭାରତରେ ଏଭଳି ଏକ ଅନ୍ତର୍ଜାତୀୟ କ୍ୟାମ୍ପସ୍ ସିନେମା ଉତ୍ସବ ଆୟୋଜିତ କରୁଛି ଦିଲ୍ଲୀର CMSR Foundation ଅନୁଷ୍ଠାନ ।

ପ୍ରଥମ ଥର ପାଇଁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି U-Special International Campus Film Festival 2016 ଯେଉଁଠି ଦେଶ ବିଦେଶରୁ ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୧୦୩ଟି ସିନେମା ପ୍ରଦର୍ଶିତ ହେବ ବୋଲି ସୂଚନା ଦେଇଛନ୍ତି ଉତ୍ସବର ପ୍ରତିଷ୍ଠାତା ନିର୍ଦେଶକ ନରେନ୍ଦର ଯାଦବ ।

ୟୋର ଷ୍ଟୋରିକୁ ନରେନ୍ଦର ଯାଦବ କହିଛନ୍ତି,

ଏଭଳି ଧରଣର ଅନ୍ତର୍ଜାତୀୟ ସିନେମା ଉତ୍ସବ ଭାରତରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଆଗାମୀ ପିଢ଼ିର ସିନେନିର୍ମାତାମାନଙ୍କ ପାଇଁ ଏହି ଉତ୍ସବ ଏକ ସୃଜନ ମଞ୍ଚ, ଯେଉଁଠି ସେମାନେ ନିଜର କାହାଣୀ କହିବାର ସୁଯୋଗ ପାଇବେ ଓ ସିନେମା ମାଧ୍ୟମରେ ଆଶା ସଂଚାର କରିବା ସହ ପରିବର୍ତନର ବାହକ ହୋଇପାରିବେ । ଏହି ଉତ୍ସବ ଭାରତରେ ସୃଜନଶୀଳ ଯୁବଗୋଷ୍ଠୀଙ୍କ ସବୁଠୁ ବଡ଼ ସମାବେଶ ପାଲଟିବାକୁ ଯାଉଛି । ଉଭୟ ଦେଶ ଓ ଦେଶ ବାହାରୁ ଯେତେ ସଂଖ୍ୟକ ସିନେମା ଆବେଦନ ଆସିଲାଣି ଓ ସେ ସବୁ ମଧ୍ୟରେ ଏତେ ଚମକ୍ରାର ସୃଜନଶୀଳତା ରହିଛି ଯେ, ମୁଁ କହିବି ଆଗାମୀ ଦିନରେ କ୍ୟାମ୍ପସ୍ ସିନେମା ବେଶ୍ ପ୍ରସିଦ୍ଧ ହେବା ସହ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବ ।

ଏହି ଅନ୍ତର୍ଜାତୀୟ ସିନେମା ଉତ୍ସବ ଆସନ୍ତ ମାର୍ଚ୍ଚ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ନୋଇଡା ଓ ଗୁରଗାଓଁର ବିଭିନ୍ନ କଲେଜ ପରିସରରେ ଅନୁଷ୍ଠିତ ହେବ ।

image


ଉତ୍ସବ ପାଇଁ ମୋଟ ୪ଟି ବିଭାଗରେ ସିନେମା ଆହ୍ୱାନ କରାଯାଇଛି, ଯଥା- କ୍ଷୁଦ୍ର ଚଳଚ୍ଚିତ୍ର (୩୦ ମିନିଟ ଅବଧି ଭିତରେ ସୀମିତ), ପ୍ରାମାଣିକ ଚଳଚ୍ଚିତ୍ର (୪୫ ମିନିଟ ଅବଧି ମଧ୍ୟରେ ସୀମିତ), ଏକ ମିନିଟ ଅବଧି ଚଳଚ୍ଚିତ୍ର ଅଥବା ଜନସେବା ଘୋଷଣା (PSA ) ଚଳଚ୍ଚିତ୍ର ଓ ସଂଗୀତ ଚିତ୍ର (Music Video) ।

ଏଥର ଉତ୍ସବ ପାଇଁ ଦେଶ ଭିତରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୮୯ଟି ସିନେମା ଆସିଥିବା ବେଳେ ଦେଶ ବାହାରୁ ୧୪ଟି ସିନେମା ଆସିଛି ବୋଲି ସୂଚନା ଦେଇଛନ୍ତି ନରେନ୍ଦର । ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(FTII), ଟାଟାନ୍ନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ(TISS), ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ, ସୃଷ୍ଟି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ ଆଣ୍ଡ୍ ଟେକନଲୋଜି, ନୋଇଡା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଓ ଆରେନା ମଲ୍ଟିମିଡିଆ ଭଳି ବହୁ ପ୍ରତିଷ୍ଠିତ ଭାରତୀୟ ଶିକ୍ଷା ସଂସ୍ଥାନର ଛାତ୍ରଛାତ୍ରୀଙ୍କ ଠାରୁ ଏହି ୮୯ ସିନେମା ଆସିଛି ।

ବିଦେଶୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଅଛନ୍ତି ୟୁନିଭର୍ସିଟି ଅଫ୍ ଲିବରାଲ ଆର୍ଟସ (ବାଂଲାଦେଶ), ତାର୍ବିଆତ୍ ମଦାରେସ୍ ବିଶ୍ୱବିଦ୍ୟାଳୟ (ଇରାନ୍), ଗୋଥେନବର୍ଗ ବିଶ୍ୱବିଦ୍ୟାଳୟ (ସ୍ବିଡେନ୍), ବାଂଲାଦେଶ ଫିଲ୍ମ ଆଣ୍ଡ ଟେଳିଭିଜନ ଇନ୍ଷ୍ଟିଚ୍ୟୁଟ୍ (ବାଂଲାଦେଶ), ନାସନାଲ କଲେଜ ଅଫ୍ ଆର୍ଟ (ଲାହୋର, ପାକିସ୍ତାନ), ଏଡିନବର୍ଗ ନାପିଏର୍ ବିଶ୍ୱବିଦ୍ୟାଳୟ (ୟୁକେ), ଏକ୍ସ ମାର୍ସେଲ ବିଶ୍ୱବିଦ୍ୟାଳୟ (ଫ୍ରାନ୍ସ) ଓ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ (ସଂଯୁକ୍ତ ରାଷ୍ଟ୍ର ଆମେରିକା) ପ୍ରମୁଖ ।

ଏଥର ସିନେମା ଉତ୍ସବରେ ମୋଟ ୫ଟି ବିଭାଗରେ ଶ୍ରେଷ୍ଠ ସିନେମାଗୁଡ଼ିକୁ ପୁରସ୍କୃତ କରାଯିବ ବୋଲି ନରେନ୍ଦର କହିଛନ୍ତି । ସମସ୍ତ ୪ଟି ବିଭାଗ ସିନେମାରେ ମୋଟ ୪ଟି ସିନେମାକୁ ଶ୍ରେଷ୍ଟ ସିନେମା ପୁରସ୍କାର ଦିଆଯିବ । ଏହା ଭିନ୍ନ ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ଶବ୍ଦ ସଂପାଦନା, ଶ୍ରେଷ୍ଠ ଚିତ୍ରତ୍ତୋଳନ ଓ ସାମାଜିକ ପ୍ରସଙ୍ଗକୁ ନେଇ ଶ୍ରେଷ୍ଠ ସିନେମାକୁ ମଧ୍ୟ ଉତ୍ସବ ଶେଷ ଦିନରେ ପୁରସ୍କୃତ କରାଯିବ । ପୁରସ୍କାର ସ୍ବରୂପ ଉପଢୌକନ, ମାନପତ୍ର ଓ ଅର୍ଥ ରାଶି ଦିଆଯିବ ।

ନୂଆଦିଲ୍ଲୀ ସ୍ଥିତ ଅଣବ୍ୟାବସାୟିକ ଅନୁଷ୍ଠାନ ସିଏମଏସଆର ଫାଉଣ୍ଡେସନ୍ ପକ୍ଷରୁ ସିନେମା ଫର ଚେଞ୍ଜ୍ କାର୍ଯ୍ୟକ୍ରମ ମାଧ୍ୟମରେ U-Special International Campus Film Festival ଆୟୋଜନ କରାଯାଉଛି । ଏହି ଅନୁଷ୍ଠାନ ୨୦୧୪ ମସିହାରୁ ଉଡପେକର୍ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ କରିଆସୁଥିବା ବେଳେ ଚଳିତ ବର୍ଷ ଠାରୁ କ୍ୟାମ୍ପସ ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରିବାକୁ ଯାଉଛି । ଏହି U-Special International Campus Film Festival ବାବଦରେ ନିୟମିତ ତଥ୍ୟ ଜାଣିବା ପାଇଁ ଏହାର ଫେସବୁକ ପୃଷ୍ଠା ସହ ଜଡିତ ହୁଅନ୍ତୁ, ଅଥବା ବ୍ଲଗ୍ ଅନୁସରଣ କରନ୍ତୁ କିମ୍ବା ୱେବସାଇଟ୍ www.cmsrfoundation.org ଭ୍ରମଣ କରନ୍ତୁ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।