ଆମେରିକାରେ ନେତୃତ୍ୱ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଥମ ବଣ୍ଡା ବିଧାୟକ

ଆମେରିକାରେ ନେତୃତ୍ୱ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଥମ ବଣ୍ଡା ବିଧାୟକ

Saturday February 06, 2016,

2 min Read

image


ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ପ୍ରଥମ ବଣ୍ଡା ଦମ୍ପତି ଭାବେ ଧବଲୁ ଶିଶା ଓ ସମାରି ଶିଶା ଦିଲ୍ଲୀ ଯାଇ ୩ ଦିନ ତଳେ ଫେରି ଆସିଥିବା ବେଳେ ଏବେ ଏହି ଆଦିବାସୀ ସଂପ୍ରଦାୟ ପାଇଁ ପୁଣି ଏକ ବିରଳ ସୁଯୋଗ ଆସିଛି । ପ୍ରଥମ ବଣ୍ଡା ବିଧାୟକ ଡମ୍ବରୁ ଶିଶା ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ସହରରେ ହେବାକୁ ଥିବା ଇଣ୍ଟରନାସନାଲ ଭିଜିଟରର୍ସ ଲିଡରସିପ ପ୍ରୋଗ୍ରାମ (IVLP)ରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି । ଆମେରିକାରେ ବିଦେଶୀ ନେତାଙ୍କ ଲାଗି ଏହି କାର୍ଯ୍ୟକ୍ରମ ଏକ ସମ୍ମାନଜନକ ବିନିମୟ କାର୍ଯ୍ୟକ୍ରମ ଭାବେ ଜଣାଶୁଣା ।

ଚଳିତ ୨୦୧୬ ମେ ୯ ତାରିଖରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ମେ ୨୮ ତାରିଖ ଯାଏ ଚାଲିବ । ଡମ୍ବରୁ ଏଥିରେ ଯୋଗଦେବା ସହ ଆମେରିକାର ଅନ୍ୟ ଦୁଇଟି ସହର ଭ୍ରମଣ କରିବେ ।

image


ଏ ଖବର ପାଇ ନିଜର ଖୁସି ବ୍ୟକ୍ତ କରିବା ସହ ଡମ୍ବରୁ ଶିଶା କହିଛନ୍ତି,

କେବଳ ମୋ ପାଇଁ ନୁହେଁ, ଏହା ସମଗ୍ର ବଣ୍ଡା ସଂପ୍ରଦାୟ ପାଇଁ ଏକ ଗୌରବ । ମୁଁ ଏ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ବେଶ୍ ଉତ୍ସାହିତ । ମୁଁ ଆମେରିକାର ରାଜନୈତିକ ବ୍ୟବସ୍ଥା ବିଷୟରେ ଜାଣିବା ସହ ଅନ୍ୟ ନେତୃବୃନ୍ଦଙ୍କ ସହ ଭାବ ବିନିମୟର ସୁଯୋଗ ପାଇବି ।

ଏହି କାର୍ଯ୍ୟକ୍ରମ ଅବସରରେ ଅଂଶଗ୍ରହଣକାରୀ ନେତାମାନେ ଆମେରିକାର ବିଦେଶ ନୀତି ପ୍ରସ୍ତୁତି ଓ ପ୍ରୟୋଗ ବାବଦରେ ଜ୍ଞାନ ଆହରଣ କରିବେ । ତାଙ୍କର ଯୋଗଦାନ ବଣ୍ଡା ସଂପ୍ରଦାୟ ପାଇଁ କିଛି ଲାଭଦାୟକ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ଡମ୍ବରୁ କହିଛନ୍ତି,

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଣ୍ଡାମାନଙ୍କ ଲାଗି ବହୁ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ହେଁ ଏବେ ବି ସେମାନେ ବିକାଶ ଠାରୁ ବହୁ ଦୂରରେ । ଏହି ନେତୃତ୍ୱ କାର୍ଯ୍ୟକ୍ରମ ମୋ କାମ କରିବାର ଶୈଳୀକୁ ଅଧିକ ସଂଶୋଧିତ କରିବ ନିଶ୍ଚୟ । ମୁଁ ମୋ ସଂପ୍ରଦାୟ ଲାଗି ଶିକ୍ଷା, ସ୍ବାସ୍ଥ୍ୟ ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବି ।

ଡମ୍ବରୁଙ୍କ ଏହି ସଫଳତାକୁ ଶାସକ ବିଜେଡି ଦଳ ପକ୍ଷରୁ ସ୍ବାଗତ କରାଯାଇଛି । ଦଳର ଟ୍ୱିଟର ହାଣ୍ଡଲରେ କୁହାଯାଇଛି,

ବଣ୍ଡା ସଂପ୍ରଦାୟର ପ୍ରଥମ ତଥା ଚିତ୍ରକୋଣ୍ଡାର ବିଜେଡି ବିଧାୟକଙ୍କୁ ଆମେରିକା ସରକାର ସମ୍ମାନଜନକ IVLPକୁ ମନୋନୀତ କରିଥିବାରୁ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ । ଏହା ଏକ ବିରଳ ସମ୍ମାନ ।
image


ବିଶ୍ୱର ଅନ୍ୟତମ କ୍ରମଶଃ ସଙ୍କୁଚିତ ହୋଇଆସୁଥିବା ଆଦିମ ଜନଜାତି ମଧ୍ୟରୁ ବଣ୍ଡା ଅନ୍ୟତମ । ଏମାନେ କେବଳ ଓଡ଼ିଶାର ମାଲକାନଗିରିରେ ଦେଖାଯାଆନ୍ତି । ପାହାଡ଼ ତଳେ ସମତଳରେ ୧୭୦୦୦ ବଣ୍ଡା ରହୁଥିବା ବେଳେ ପାହାଡ଼ ଉପରେ ଦୁର୍ଗମ ଘାଟିରେ ୬୫୦୦ ଜଣ ବଣ୍ଡା ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଏହି ଜନଜାତିର ପ୍ରଥମ ପ୍ରାର୍ଥୀ ଭାବେ ଡମ୍ବରୁ ଶିଶା(୩୪) ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମାଲକାନଗିରିର ମୁଦୁଲିପଡ଼ା ନିବାସୀ ଡମ୍ବରୁ ନିଜ ସଂପ୍ରଦାୟର ପ୍ରଥମ MA ଡିଗ୍ରିଧାରୀ । ସେ ଗଣିତ ଓ ଆଇନରେ ସ୍ନାତକୋତ୍ତର ସମାପ୍ତ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ ୫ ବର୍ଷ ଧରି CRPFରେ ଚାକିରି କରୁଥିଲେ । ବଣ୍ଡା ଜନଜାତିରେ ମାତ୍ର ୮ ପ୍ରତିଶତ ହେଉଛନ୍ତି ସାକ୍ଷର ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।