ମାନବାଧିକାର ପ୍ରଚାରକ ମନୋଜ, ଶାନ୍ତି ଓ ସଦଭାବ ପାଇଁ କାମ

ମାନବାଧିକାର ପ୍ରଚାରକ ମନୋଜ, ଶାନ୍ତି ଓ ସଦଭାବ ପାଇଁ କାମ

Saturday February 27, 2016,

3 min Read

ପରିବାରର ଇଛା ଥିଲା ପୁଅ ପାରିବାରିକ ବ୍ୟବସାୟ ସମ୍ଭାଳିବ | କିନ୍ତୁ ଏହା ବିରୋଧରେ ଯାଇ ସେ ସମାଜସେବାକୁ ନିଜର ଜୀବନର ବ୍ରତ କରିଥିଲେ | ଛାତ୍ରଜୀବନରେ ରେଡକ୍ରସ୍ ଠାରୁ ଆରମ୍ଭ କରି ଏବେ ମାନବାଧିକାର ପାଇଁ କାମ ସବୁ କ୍ଷେତ୍ରରେ ସେ ସମାଜର ସେବା କରି ଆସୁଛନ୍ତି| ଆମେ କହୁଛୁ ମାନବାଧିକାର କର୍ମୀ ୪୪ ବର୍ଷୀୟ ମନୋଜ ଜେନାଙ୍କ କଥା |

ଯାଜପୁରରେ କଟିଥିଲା ପିଲାଦିନ | ପିଲାଟି ଦିନରୁ ସମାଜସେବା ପ୍ରତି ଆକର୍ଷିତ ହୋଇଥିଲେ ମନୋଜ | ଷଷ୍ଠ ଶ୍ରେଣୀରେ ପଢିବା ବେଳେ ଜୁନିୟର ରେଡକ୍ରସରେ ଯୋଗ ଦେଇଥିଲେ | ହାଇସ୍କୁଲ ପଢିବା ବେଳେ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ସ ଜରିଆରେ ବିଭିନ୍ନ କ୍ୟାମ୍ପରେ ଯୋଗ ଦେଇଥିଲେ |

କଲେଜ ପଢିବା ସମୟର ସ୍ମୃତିକୁ ମନେପକାଇ ୟୋରଷ୍ଟୋରୀକୁ ସେ କୁହନ୍ତି,

ସେତେବେଳେ ଗାଁ ପିଲାଙ୍କୁ ନେଇ ବିବେକାନନ୍ଦ ସେବା ସଂଘ ଗଠନ କରିଥିଲୁ | ମୁଁ ସେଥିରେ ସମ୍ପାଦକ ଭାବେ କାମ କରୁଥିଲି | ଗଛ ଲଗାଇବା, ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ଥିଲା ମୁଖ୍ୟ କାମ | ୧୯୯୧ରେ ହୋଇଥିବା ଲାଟୁର ଭୂମିକମ୍ପ କ୍ଷତିଗ୍ରସ୍ତ ପାଇଁ ଆମେ ରିଲିଫ୍ ପଠାଇଥିଲୁ |
image


ଗାନ୍ଧୀଙ୍କ ବିଚାରଧାରାରେ ସେ ଆଗକୁ ବଢିଥିଲେ | ମହାରାଷ୍ଟ୍ରର ୱାର୍ଧା ନିବେଦିତା ନିଲୟମ୍ ୟୁଥ୍ ସେଣ୍ଟରରେ ରହି ସେ ଗାନ୍ଧିଜୀଙ୍କ ବିଷୟରେ ଅଧିକ ଜ୍ଞାନ ହାସଲ କରିଥିଲେ | ଏହା ତାଙ୍କୁ ସମାଜସେବା କ୍ଷେତ୍ରରେ ବହୁତ ସାହାଯ୍ୟ କରିଥିଲା | ଆଚାର୍ଯ୍ୟ ବିନୋବା ଭାବେଙ୍କ ଘନିଷ୍ଠ ସହଯୋଗୀ ନିର୍ମଳା ଦେଶପାଣ୍ଡେଙ୍କ ଦ୍ୱାରା ପ୍ରତିଷ୍ଠିତ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ଓ ଅଖିଳ ଭାରତ ରଚନାତ୍ମକ ସମାଜ ସଂଗଠନରେ ଶ୍ରୀ ଜେନା ଏବେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାମ କରୁଛନ୍ତି |

୨୦୦୨ରେ ସେ ଗଢିଲେ ବିନୋବା ସେବା ପ୍ରତିଷ୍ଠାନ | ସ୍ୱାସ୍ଥ୍ୟ, ଶିଶୁ ଶିକ୍ଷା, ଜୀବିକା, ସାମ୍ପ୍ରଦାୟିକ ସଦଭାବ ଓ ଶାନ୍ତି ପ୍ରତିଷ୍ଠା ଆଦି କ୍ଷେତ୍ରରେ ଏହି ସଂସ୍ଥା କାମ କରୁଛି | ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ସେ ପୁଲିସ୍ ଦ୍ୱାରା ନିର୍ଯାତିତ ହେଉଥିବା ଲୋକଙ୍କ ପାଇଁ କାମ କରିଥିଲେ | ୨୦୦୯ରେ ସେ ନିଜସ୍ୱ ସଂଗଠନ ହ୍ୟୁମାନ ରାଇଟସ୍ ଫ୍ରଣ୍ଟ ଗଢିଲେ | ଏବେ ସେହି ସଂସ୍ଥା ଜରିଆରେ କାମ କରୁଛନ୍ତି | ମାନବାଧିକାର ଆଇନ ବିଷୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାମ କରି ଚାଲିଛନ୍ତି |

image


ଏ ସମ୍ପର୍କରେ ସେ ୟୋରଷ୍ଟୋରୀକୁ କୁହନ୍ତି,

ପୁଲିସ୍ ଦ୍ୱାରା ନିର୍ଯାତିତ ଲୋକମାନଙ୍କ ପାଇଁ କାମ କରିବା ପରେ ଏହି କ୍ଷେତ୍ରରେ ଅଧିକ କାମ କରିବାକୁ ଆଗ୍ରହୀ ହେଲି | ବିଭିନ୍ନ ମାନବାଧିକାର ସଂଗଠନ ସହ ମିଶି ଅନେକ କାମ କରାଯାଇଛି | ପରେ ନିଜ ସଂସ୍ଥା ଗଢି ସ୍ୱାଧୀନ ଭାବେ ବିଭିନ୍ନ ମାନବାଧିକାର କାମ କରୁଛି |

ଏହା ବ୍ୟତୀତ ସେ ଓଡିଶା ନାଗରିକ ସମାଜ, ଓଡିଶା ଶାନ୍ତି ଓ ସଦଭାବନା ଅଭିଯାନ, ତରୁଣ ଶାନ୍ତି ସେନା, ଓଡିଶା ସର୍ବୋଦୟ ସମାଜ, ଇଣ୍ଡିଆ ଏଗେନଷ୍ଟ କରପସନ, ସୋସାଇଟି ଫର ଫାଷ୍ଟ ଜଷ୍ଟିସ୍ ଆଦି ବହୁ ସଂଗଠନ ସହ ଜଡିତ ଅଛନ୍ତି |

image


ଏବେ ଭୁବନେଶ୍ୱରରେ ରହି ବିଭିନ୍ନ ସମାଜସେବା କାମରେ ନିଜକୁ ନିୟୋଜିତ କରିଛନ୍ତି | ତାଙ୍କର ପ୍ରଚେଷ୍ଟା ଯୋଗୁଁ ୧୩୦ ଏକର ଭୂଦାନ ଜମି ଗରିବମାନଙ୍କ ମଧ୍ୟରେ ବଂଟା ଯାଇପାରିଛି ବୋଲି ସେ କୁହନ୍ତି | ସେ ବିଭିନ୍ନ ସ୍ଥାନରେ ୭୦୦ ଯୁବକଙ୍କୁ ମାନବାଧିକାର ସମ୍ପର୍କରେ ତାଲିମ ଦେବା ସହ ୫୦୦ ଜଣଙ୍କୁ ତରୁଣ ଶାନ୍ତି ସେନାରେ ସାମିଲ କରିପାରିଥିବା ପ୍ରକାଶ କରିଛନ୍ତି | ମାନବାଧିକାର କମିଶନରେ ବିଭିନ୍ନ ମାମଲାରେ ଅନେକ ପିଡୀତଙ୍କୁ କ୍ଷତିପୂରଣ ମଧ୍ୟ ମିଳିଛି |

ତାଙ୍କର ସମାଜସେବା କାମ ପାଇଁ ଅନେକ ସଂଗଠନ ଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି | ଯୁବ ସର୍ବୋଦୟ କର୍ମୀ, ନ୍ୟାୟ ଜ୍ୟୋତି, ଶ୍ରେଷ୍ଠ ମାନବାଧିକାର କର୍ମୀ, ଜାତୀୟ ସଦଭାବ ପୁରସ୍କାର ଏବଂ ଲୋକନାୟକ ସମ୍ମାନ ହେଉଛି ସେ ପାଇଥିବା ଅନେକ ପୁରସ୍କାର ମଧ୍ୟରୁ ପ୍ରମୁଖ | ସମାଜସେବା କ୍ଷେତ୍ରରେ ସେ ଆହୁରି ଆଗକୁ ବଢନ୍ତୁ, ୟୋର ଷ୍ଟୋରୀ ପକ୍ଷରୁ ଏତିକି କାମନା |

ଏହିପରି ପ୍ରେରଣାଦାୟକ କାହାଣୀ ପଢିବା ପାଇଁ ଆମର Facebook ପେଜ like କରନ୍ତୁ। 

ଆଉ କିଛି ସମ୍ବନ୍ଧିତ କାହାଣୀ ପଢନ୍ତୁ - 

ସ୍ମୃତିକୁ ବଞ୍ଚାଇ ରଖିବାକୁ ଅଭିନବ ପ୍ରଚେଷ୍ଟା: ଅରୁନ୍ଧତୀ ଫାଉଣ୍ଡେସନ

ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ, ସେବାଶ୍ରମ ହଷ୍ଟେଲରେ ଜଳିବ ଆଲୋକ

ଗୃହହୀନଙ୍କୁ ଆଶ୍ରୟ ଦେବା ସହ ଶିକ୍ଷାଦାନ କରୁଛନ୍ତି ମାଲାୟଲମ କବୟିତ୍ରୀ ସୁଗଥାକୁମାରୀ