ପରିବେଶ ଚିନ୍ତା: ନଦୀର ଜନ୍ମଦିନ ପାଳିଲେ ଗ୍ରାମବାସୀ

ପରିବେଶ ଚିନ୍ତା: ନଦୀର ଜନ୍ମଦିନ ପାଳିଲେ ଗ୍ରାମବାସୀ

Tuesday February 09, 2016,

2 min Read

image


ମଣିଷ ନିଜର ଜନ୍ମଦିନ ପାଳନ କରେ । ଏପରିକି ଗଛ ଓ ପାଳିତ ପଶୁପକ୍ଷୀଙ୍କର ଜନ୍ମଦିନ ପାଳନ କଥା ଆପଣ ଶୁଣିଥିବେ । ବିଭିନ୍ନ ଅନୁଷ୍ଠାନ ଓ ଉଦ୍ୟୋଗର ମଧ୍ୟ ଜନ୍ମଦିନ ପାଳନ କରାଯାଏ । ତେବେ ନଦୀର ଜନ୍ମଦିନ ପାଳନ କଥା ସମ୍ଭବତଃ ଆପଣ କେବେ ଶୁଣିନଥିବେ । ଓଡ଼ିଶାରେ ପରିବେଶ ସୁରକ୍ଷା ବାବଦ ସଚେତନତା ସୃଷ୍ଟି ଲାଗି ଗ୍ରାମବାସୀମାନେ ନଦୀର ଜନ୍ମଦିନ ପାଳନ କରିବା ଖବର ଯେତିକି ରୋଚକ ସେତିକି ଉତ୍ସାହପ୍ରଦ । ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଡ଼ପୁଟ ଗାଁରେ ।

ଦୟାନଦୀର ଏକ ଶାଖାନଦୀ ରାଜୁଆ ନଦୀ । ପ୍ରତିବର୍ଷ ଏହି ନଦୀରେ ବନ୍ୟା ଆସୁଥିବାରୁ ଉଭୟ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏହି ନଦୀକୂଳିଆ ଗ୍ରାମଗୁଡ଼ିକ ବେଶ୍ ପ୍ରଭାବିତ ହୋଇଥାନ୍ତି । ପରିବେଶ ପ୍ରଦୂଷଣ ଯୋଗୁଁ ନଦୀ ଶଯ୍ୟା ପୋତି ହୋଇଯିବା ଓ ଜଳ ନିଷ୍କାସିତ ନହେବାରୁ ବନ୍ୟା ଭୟଙ୍କର ରୂପ ନେଉଛି । ଏଣୁ ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଚଳିତ ବର୍ଷ ଠାରୁ ନଦୀର ଜନ୍ମଦିନ ପାଳନ ନିଷ୍ପତ୍ତି ନିଆଯାଇଛି ବୋଲି କହନ୍ତି ଏଭଳି ଅଭିନବ ଉଦ୍ୟମର ଉଦ୍ୟୋକ୍ତା ତଥା ଡେଲାଙ୍ଗ +୨ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟ ।

ପରିବେଶ ସଚେତନତା ଲାଗି ଗତ ପାଞ୍ଚବର୍ଷ ହେଲା ଭାସ୍କର ସ୍ଥାନୀୟ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଚଳିତ ବର୍ଷ ଠାରୁ ରାଜୁଆର ଜନ୍ମଦିନ ପାଳନ କରିଛନ୍ତି । ଚଳିତ ଫେବୃଆରି ୮ ତାରିଖରେ ରାଜୁଆ ନଦୀର ପ୍ରଥମ ଜନ୍ମଦିନ ପାଳିତ ହୋଇଯାଇଛି । ଏ ଅବସରରେ ନଦୀକୂଳିଆ ୧୫ଟି ଗ୍ରାମର ପ୍ରାୟ ୨୦୦୦ ପୁରୁଷ ମହିଳା ଗଡ଼ବଡ଼ପୁଟ ଘାଟ ଠାରେ ଏକତ୍ରିତ ହୋଇଥିଲେ । ସେମାନେ ଏକ ଶୋଭାଯାତ୍ରାରେ ବାହାରି ନଦୀ ପାଖରେ ପହଞ୍ଚିବା ପରେ ନଦୀରେ ସ୍ନାନ କରିଥିଲେ ଓ ପରେ ନଦୀକୁ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ନଦୀ କୂଳରେ ଯଜ୍ଞ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ନଦୀର ଜନ୍ମଜାତକ ଅଜଣା ଥିବା ବେଳେ ତାରିଖ କିପରି ସ୍ଥିର କଲେ ବୋଲି ପ୍ରଶ୍ନର ଉତ୍ତରରେ ଭାସ୍କର କହନ୍ତି,

ଲୋକେ ନାରଦଙ୍କର ଜନ୍ମଦିନ ପାଳୁଛନ୍ତି । ହନୁମାନଙ୍କର ଜନ୍ମଦିନ ପାଳୁଛନ୍ତି । ଆମକୁ ଅଜଣାଥିଲେ ବି ପ୍ରତିଟି ଜୀବିତ ଓ ଜଡ଼ବସ୍ତୁର କେବେ ନା କେବେ ଉତ୍ପତ୍ତି ହୋଇଛି । ଅନାଥାଶ୍ରମରେ ଶିଶୁମାନଙ୍କୁ ନୂଆ ଜନ୍ମ ତାରିଖ ଦିଆଯିବା ଭଳି ଆମେ ବି ରାଜୁଆ ନଦୀକୁ ଏକ ଜନ୍ମତାରିଖ ଦେଇଛୁ । ଏଣିକି ପ୍ରତିବର୍ଷ ଆମେ ଏହାର ଜନ୍ମଦିନ ପାଳିବୁ । ଲୋକେ ନଦୀକୁ ସମ୍ମାନ ଦେଲେ, ଏହାର ପରିବେଶ ପ୍ରତି ସଚେତନ ହେବେ ।

ଭାସ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ଅଧ୍ୟାପକ ଘନଶ୍ୟାମ ସ୍ଵାଇଁ, ସୁଶୀଳ କୁମାର ପଟ୍ଟନାୟକ, ୧୪ ମୌଜା ବିଧ୍ୟୁତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ସାମନ୍ତରାୟ ଓ ପ୍ରଧାନଶିକ୍ଷକ ସୁରେଶ କୁମାର ଶ୍ରୀଚନ୍ଦନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସଚେତନତା କାହାଣୀ ଆଧାରିତ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।