ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ, ସେବାଶ୍ରମ ହଷ୍ଟେଲରେ ଜଳିବ ଆଲୋକ

ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ, ସେବାଶ୍ରମ ହଷ୍ଟେଲରେ ଜଳିବ ଆଲୋକ

Tuesday February 16, 2016,

3 min Read

ସୌରଶକ୍ତି ଉତ୍ପାଦନ ପାଇଁ ଓଡିଶା ସରକାର ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛନ୍ତି | ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଓ ଅଟ୍ଟାଳିକାର ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରିବାକୁ ସରକାର ନିଷ୍ପତି ନେଇଛନ୍ତି | ପ୍ରଥମେ ଏହା କଟକ-ଭୁବନେଶ୍ୱର ଦୈତ ନଗରୀରେ କାର୍ଯ୍ୟକାରୀ ହେବ | ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପରୁ ଅନ୍ୟୁନ ୫ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି | ଆଉ ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ |

image


ସରକାର ଏଥିପାଇଁ ବିଭିନ୍ନ କମ୍ପାନୀ ଠାରୁ ଟେଣ୍ଡର ମଗାଇଥିଲେ | ଆକ୍ୟୁରେ ପାୱାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ମୂଲ୍ୟସୂଚୀକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି | ସୌର ପ୍ରକଳ୍ପର ପରିଚାଳନା ଭାର ଏହି କମ୍ପାନୀକୁ ହିଁ ଦିଆଯିବ |

ପିପିପି ପରିଚାଳନା ଓ ତଦାରଖର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ କୁହନ୍ତି,

ସୌର ଶକ୍ତି ଉତ୍ପାଦନ ପାଇଁ ୟୁନିଟ୍ ପିଛା ମାତ୍ର ୫.୬୯ଟଙ୍କା ମୂଲ୍ୟସୂଚୀ ମିଳିଛି | ଏହା ପୂର୍ବରୁ ପ୍ରଚଳିତ ଦର ଠାରୁ ଯଥେଷ୍ଟ କମ୍ ଓ ସନ୍ତୋଷଜନକ | ସୌରଶକ୍ତି ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ ଟେଣ୍ଡର ଆହ୍ୱାନର ବ୍ୟାପକ ପ୍ରସାର ହେତୁ ଏହି ପ୍ରତିଯୋଗିତାମୂଳକ ମୂଲସୂଚୀ ଆସିପାରିଛି |

ପଢନ୍ତୁ - ୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ନିଜ ନିଜ ଅନୁଷ୍ଠାନକ ଛାତ ଉପରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରିବେ | ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି | ଏହି ପ୍ରକଳ୍ପ କାର୍ଯ୍ୟାକାରୀ କରିବା ପାଇଁ ସମ୍ପୃକ୍ତ କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନଙ୍କୁ କୌଣସି ବ୍ୟୟଭାର ବହନ କରିବାକୁ ପଡିବ ନାହିଁ | ଘରୋଇ-ସରକାରୀ ସହଭାଗିତାରେ ଏହି ପ୍ରକଳ୍ପ ସ୍ଥାପନ ହେବ | ଯେଉଁ ସଂସ୍ଥାର ଛାତ ଉପରେ ଏହି ପ୍ରକଳ୍ପ ବସାଯିବ, ସେହି ସଂସ୍ଥା ପକ୍ଷରୁ ଏକ ଅନୁମୋଦନ ଆବଶ୍ୟକ | ଏହା ପରେ ସେମାନେ ଭୂମିକା କିଛି ନାହିଁ | କାରଣ ପ୍ରକଳ୍ପ ଟିମ୍ ସେଠାରେ କାମ କରିବା ଆରମ୍ଭ କରିଦେବ |

image


ଆଶ୍ରମ ସ୍କୁଲରେ ସୌରଶକ୍ତି

କୋରାପୁଟର ଦୁର୍ଗମ ଅଂଚଳରେ ଥିବା କିଛି ଆଶ୍ରମ ସ୍କୁଲ ହଷ୍ଟେଲ୍ ରେ ସୌରଶକ୍ତି ଦ୍ୱାରା ବିଦ୍ୟୁତ୍ ଯୋଗାଇ ଦେବାଲାଗି ଜିଲ୍ଲା ପ୍ରଶାସନ ସ୍ଥିର କରିଛି | ଏସବୁ ହଷ୍ଟେଲର ଛାତ ଉପରେ ସୌର ପ୍ରକଳ୍ପ କାମ କରିବ | ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୧୪ ଟି ବ୍ଲକରୁ ୫୬ ଟି ସେବାଶ୍ରମକୁ ଏଥିପାଇଁ ବଛାଯିବ | ପ୍ରତି ବ୍ଲକର ୪ଟି ସେବାଶ୍ରମରେ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବ |

ଜିଲ୍ଲା ମଙ୍ଗଳ ଅଧିକାରୀ ତ୍ରିନାଥ ରାଓ କହନ୍ତି,

ଯେଉଁ ସବୁ ଆଶ୍ରମ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନାହିଁ, ସେଠାରେ ଏହି ପ୍ରକଳ୍ପ ଚାଲୁ ହେବ | ଏଥିରେ ଫ୍ୟାନ୍ ବୁଲିପାରିବ ଓ ବଲବ୍ ଜଳିପାରିବ | ତେବେ କମ୍ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ପାଇଁ ହଷ୍ଟେଲଗୁଡିକୁ ଏଲଇଡି ବଲବ୍ ଯୋଗଇ ଦିଆଯିବ |

ଜିଲ୍ଲାରେ ୧୫୪ଟି ସେବା ଆଶ୍ରମ ରହିଛି | ଏଗୁଡିକ ତଫସିଭୁକ୍ତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ | ବିଦ୍ୟୁତ ସଂଯୋଗ ନଥିବା ସବୁ ସ୍କୁଲ ହଷ୍ଟେଲଗୁଡିକରେ ପର୍ଯ୍ୟାୟକ୍ରମେ ସୌର ପ୍ରକଳ୍ପ ପ୍ରତିଷ୍ଠା ହେବ | ପ୍ରଥମେ ୨୫୦ରୁ ୬୦୦ ଛାତ୍ରଛାତ୍ରୀ ପଢୁଥିବା ଏଭଳି କିଛି ସେବାଶ୍ରମରୁ ପ୍ରତିବ୍ଲକରୁ ଆଠଟି ସେବାଶ୍ରମକୁ ଚିହ୍ନଟ କରାଯାଇଛି | ଏଥିମଧ୍ୟରୁ ପ୍ରକଳ୍ପ ହେବାକୁ ଥିବା ୫୬ଟି ସ୍କୁଲକୁ ଚୁଡାନ୍ତ କରାଯିବ |

ରାଜ୍ୟର ସୌର ଶକ୍ତି କ୍ଷମତା

ସାରା ଦେଶରେ ଏବେ ୫୦୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ହେଉଛି | ୨୦୨୧-୨୨ ସୁଦ୍ଧା ଦେଶରେ ୧୦୦ ଗିଗାୱାଟ୍ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି | ତେବେ ଓଡିଶାରେ ପ୍ରାୟ ୬୭ ମେଗାୱାଟ୍ ସୌରଶକ୍ତି ଉତ୍ପାଦିତ ହୋଇଛି | ଯାହା ଦେଶରେ ଏକଦଶ ସ୍ଥାନ | ପ୍ରଥମରେ ରହିଛି ରାଜସ୍ଥାନ | ସେଠାରୁ ସର୍ବାଧିକ ୧୨୬୪ ମେଗାୱାଟ୍ ଶକ୍ତି ଉତ୍ପାଦିତ ହେଉଛି | ରାଜ୍ୟଗୁଡିକରେ ସୌରଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇଦେବାକୁ ଯୋଜନା କରୁଛନ୍ତି |

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ଦୁଇ ପାଦ ଆଗରେ କର୍ଣାଟକ ଷ୍ଟାର୍ଟଅପ୍ ନୀତି

2। ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ : ‘ଇ-ଔଷଧୀ’ କରିବ ସହାୟତା

3। ପିଲାଙ୍କ ‘ବାନର ସେନା’ର ସ୍ୱଚ୍ଛ ଅଭିଯାନ, ହୁଇସିଲ୍ ମାରି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ଅଭ୍ୟାସ ବଦଳାଇଲେ