ଭିନ୍ନକ୍ଷମଙ୍କ ଦକ୍ଷତା ଚିହ୍ନଟ କାର୍ଯ୍ୟକ୍ରମ : ଉତ୍ସବ ୨୦୧୬

ଭିନ୍ନକ୍ଷମଙ୍କ ଦକ୍ଷତା ଚିହ୍ନଟ କାର୍ଯ୍ୟକ୍ରମ : ଉତ୍ସବ ୨୦୧୬

Saturday January 09, 2016,

2 min Read

image


ହୁଏତ ସେମାନଙ୍କର ନିର୍ଦ୍ଦିଷ୍ଟ ଅଙ୍ଗ ଅକ୍ଷମ । ସେମାନେ କିନ୍ତୁ ଅକ୍ଷମ ନୁହନ୍ତି । ସେମାନେ ଭିନ୍ନ ଭାବେ ସକ୍ଷମ, ଏଣୁ ସେମାନଙ୍କୁ ଆମେ ଭିନ୍ନକ୍ଷମ ଭାବେ ଜାଣୁ । ଏମିତି କିଛି ଭିନ୍ନକ୍ଷମ ଶିଶୁକିଶୋରଙ୍କ ମଧ୍ୟରେ ଥିବା କ୍ରୀଡ଼ା ଓ ସାଂସ୍କୃତିକ ଦକ୍ଷତାକୁ ସାମନାକୁ ଆଣିବା ଲକ୍ଷ୍ୟରେ we4you ଅନୁଷ୍ଠାନ ପକ୍ଷରୁ ୩ ବର୍ଷ ଧରି ଭୁବନେଶ୍ୱରରେ ଆୟୋଜିତ ହୋଇଆସୁଛି ଏକ ନିଆରା କାର୍ଯ୍ୟକ୍ରମ, ‘ଉତ୍ସବ’ ।

image


ଉତ୍ସବ ୨୦୧୬

ଆସନ୍ତା ଫେବ୍ରୁଆରି ୬ ଓ ୭ ତାରିଖ ଦୁଇଦିନ ବ୍ୟାପୀ ଭୁବନେଶ୍ୱର ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେବ ଉତ୍ସବ ୨୦୧୬ । ଚଳିତ ସଂସ୍କରଣରେ ଓଡ଼ିଶାର ବିଭିନ୍ନ କୋଣରୁ ୧୦୦୦ରୁ ଅଧିକ ଭିନ୍ନକ୍ଷମ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ୱିଫରୟୁର ସଭାପତି ଅଭୟ ମହନ୍ତ ସୂଚନା ଦେଇଛନ୍ତି ।

ଏ ଅବସରରେ ଦୃଷ୍ଟିହୀନ କ୍ରିକେଟ ଟୁର୍ଣାମେଣ୍ଟ୍, ହ୍ୱିଲଚେୟାର ଦୌଡ଼ ସମେତ ଭିନ୍ନକ୍ଷମମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

image


ୟୋରଷ୍ଟୋରି ସହ କଥାହେବା ବେଳେ ଅଭୟ ମହାନ୍ତ କହିଛନ୍ତି,

ଚଳିତ ବର୍ଷର ଉତ୍ସବ ଅଧିକ ବ୍ୟାପକ ଧରଣର କରାଯାଉଛି । ଆମେ କେବଳ ପ୍ରତିଯୋଗିତା କରୁନା । ଭିନ୍ନକ୍ଷମମାନଙ୍କୁ ଜୀବନଜୀବିକା ଯୋଗାଇବା ଉଦ୍ଦେଶ୍ୟରେ ଚିତ୍ରୋତ୍ତଳନ, ବିଭିନ୍ନ ସେବା ଶିଳ୍ପ, ଚିତ୍ରକଳା ଆଦି ବିଭିନ୍ନ ପ୍ରଶିକ୍ଷଣ ଦେବୁ । ୧୦ ଜଣ ଛାତ୍ରଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ।

ଫେବ୍ରୁଆରି ୭ ତାରିଖ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

We4you

We4you ଏକ ଦାତବ୍ୟ ସେବାନୁଷ୍ଠାନ ଯାହା ୨୦୦୯ ମସିହାରୁ ଓଡ଼ିଶା, ଦିଲ୍ଲୀ, ବେଙ୍ଗାଲୁରୁରେ କାର୍ଯ୍ୟ କରିଆସୁଛି । ଭିନ୍ନକ୍ଷମ ଓ ସୁବିଧାରହିତ ଲୋକଙ୍କ ସେବାରେ ଏ ଅନୁଷ୍ଠାନ ଉତ୍ସର୍ଗୀକୃତ । ବିଭିନ୍ନ ଭାଷାରେ ଅଡିଓ ସିଲାବସ୍ ପ୍ରସ୍ତୁତି କରିବା ଏହି ଅନୁଷ୍ଠାନର ଅନ୍ୟତମ ବଡ଼ ସଫଳତା । ଏବେ ୮ମରୁ ସ୍ନାତକ ସ୍ତରର ଛାତ୍ରଛାତ୍ରୀଙ୍କ ଲାଗି ସେମାନେ ଅଡିଓ ସିଲାବସ ପ୍ରସ୍ତୁତ କରି ସାରିଛନ୍ତି ବୋଲି ଶ୍ରୀ ମହନ୍ତ କହିଛନ୍ତି ।

image


ଏତଦଭିନ୍ନ ଏହି ଅନୁଷ୍ଠାନ ଭିନ୍ନକ୍ଷମମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, ସ୍ପୋକନ ଇଂଲିଶ ଶିକ୍ଷା, ସୂଚନାପ୍ରଯୁକ୍ତି ଜ୍ଞାନ ପ୍ରଦାନ ଓ ବ୍ୟକ୍ତିଗତ ଉନ୍ନୟନ ପ୍ରଶିକ୍ଷଣ ଦେଉଛି । ‘ଉତ୍ସବ’ ହେଉଛି ଏହି ଅନୁଷ୍ଠାନର ସବୁଠୁ ବଡ଼ ବାର୍ଷିକ କାର୍ଯ୍ୟକ୍ରମ ।

We4you ବାବଦରେ ଅଧିକ ଜାଣିବା ଲାଗି ଆଗ୍ରହୀ ବ୍ୟକ୍ତି ଏହାର ୱେବସାଇଟ୍ ପରିଦର୍ଶନ କରିପାରିବେ ଓ ଅଭୟ ମହନ୍ତଙ୍କୁ ସିଧାସଳଖ ତାଙ୍କ ଫୋନ୍ ନମ୍ବର ୦୯୮୫୩୩୩୭୦୯୫ରେ ଯୋଗାଯୋଗ କରିପାରିବେ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।