୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

Sunday January 31, 2016,

3 min Read

ଓଡିଶାରେ ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନଲୋଭା | ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏପରି ପରିବେଶ ଦେଖିବାକୁ ମିଳେ | ଆଉ ଏଠାକୁ ପର୍ଯ୍ୟଟକମାନେ ମଧ୍ୟ ଆସନ୍ତି | କିନ୍ତୁ ପର୍ଯ୍ୟଟକମାନଙ୍କ ସୁବିଧା ନଥିବାରୁ ଏସବୁ ସ୍ଥାନର ଗୁରୁତ୍ୱ କମିଯାଉଛି | ତେଣୁ ଏଭଳି ସ୍ଥଳଗୁଡିକୁ ଚିହ୍ନଟ କରାଯାଇ ସେଠାରେ ଭିତ୍ତିଭୂମି ନିର୍ମାଣ କରିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବା ଲାଗି ଓଡିଶା ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି | ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ତ ବଢିବ, ଅପରପକ୍ଷରେ କିଛି ସ୍ଥାନୀୟ ଲୋକ ମଧ୍ୟ କାମ ପାଇବେ |

ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍ କୁ ସରକାର ଗୁରୁତ୍ୱ ଦେବା ସହ ଏହି କ୍ଷେତ୍ରରେ ବିକାଶ କରିବା ଲାଗି ଆଗଭର ହୋଇଛନ୍ତି | ପର୍ଯ୍ୟଟନସ୍ଥଳଗୁଡିକରେ ପାନୀୟ ଜଳର ବ୍ୟବସ୍ଥା, ଆଶ୍ରୟ ସ୍ଥଳ ସହ ପରିବେଶ ପରିମଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବା ଆବଶ୍ୟକ | ଜଙ୍ଗଲ ଓ ପରିବେଶ ବିଭାଗ ଖୁବଶୀଘ୍ର ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବ |

ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି,

“ରାଜ୍ୟରେ ୨୦ଟି ଇକୋ ଟୁରିଜିମ୍ ସ୍ଥଳକୁ ଚିହ୍ନଟ କରାଯାଇଛି | ଆହୁରି ୪୦ଟି ସ୍ଥାନକୁ ଚିହ୍ନଟ କରାଯାଇ ଏହାର ବିକାଶ ଲାଗି ପଦକ୍ଷେପ ନିଆଯାଉଛି | ଆସନ୍ତା ପାଂଚ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ କରାଯାଇଛି | ଏଥିପାଇଁ ୧୦୦ କୋଟି ଟଙ୍କ ବ୍ୟୟ ହେବ |”

ଡାଙ୍ଗମାଳ, ହାବଲଖଟି, ଗୁପ୍ତି, ବରୁଣେଇ, କଳିଭଂଜଡିଆ, ବ୍ରହ୍ମପୁରା, ରାଜହଂସ, ବାଲୁଗାଁ, ମଙ୍ଗଳାଯୋଡି, ବରେହିପାଣି, ଯୋରନ୍ଦା, ସୀତାକୁଣ୍ଡ, ଲୁଲୁଙ୍ଗ, ଟିକରପଡା, ବିନିକେଇ, ସାତକୋଶିଆ, ବରଖଣ୍ଡିଆ, କୁଲଡିହା, ବିଚିତ୍ରପୁର, ମାରାଗୁଡା, ଡେରାସ, ଗୋଡିବାରି, ଝୁମୁକା, ବାଲିଚଣ୍ଡୀ, ରାମଚଣ୍ଡୀ, ନୂଆନଇ, ବଡମୂଳ, ଗଡଚଣ୍ଡୀ, ହଦଗଡ, ମହାବିନାୟକ, ଓଳାଶୁଣୀ, ଧଲତଙ୍ଗଗଡ, ମଂଚାବନ୍ଧା, ଦେବକୁଣ୍ଡ, ଶମିବୃକ୍ଷ, ଜୁମୁନଇ, ଶିମିଳିପାଳ, ଶପ୍ତଶଯ୍ୟା, ଗଡହାତୀ, ଖସଡା ସ୍ଥାନରେ ଇକୋ-ଟୁରିଜିମ୍ ର ବିକାଶ ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି |

image


ଇକୋ-ଟୁରିଜିମ୍ ହେଉଛି ପର୍ଯ୍ୟଟକମାନଙ୍କ ପ୍ରଥମ ପସନ୍ଦ | ଓଡିଶାରେ ଅଧିକାଂଶ ପର୍ଯ୍ୟଟନ କ୍ଷେତ୍ର ନିଶ୍ଚିତ ଭାବେ ଜଙ୍ଗଲ ସହ ସଂପୃକ୍ତ ଥିବା | ତେଣୁ ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଲକ୍ଷ ଛଅସ୍ତରୀ ହଜାର ପର୍ଯ୍ୟଟକ ଆସିଥିଲେ | ଏ ବର୍ଷ ଏହି ସଂଖ୍ୟା ପାଖାପାଖି ସାଢେ ତନି ଲକ୍ଷରେ ପହଁଚିଛି |

ରାଜ୍ୟର ପର୍ଯ୍ୟଟନସ୍ଥଳ ଗୁଡିକରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ସୁବିଧା ନାହିଁ | ତେଣୁ ସପରିବାର ଯାଉଥିବା ପରିବାର ବିଭିନ୍ନ ହଇରାଣ ହରକତ ହେଉଛନ୍ତି | ସେହି ସ୍ଥାନ ନିକଟରେ କିମ୍ବା ଦୂରରେ ଥିବା ସହରରେ କୌଣସି ହୋଟେଲରେ ରହୁଛନ୍ତି | ତେଣୁ ଇକୋ-ଟୁରିଜିମ୍ ର ବିକାଶ ପାଇଁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ପର୍ଯ୍ୟଟକମାନଙ୍କ ପାଇଁ ରହିବାର ବ୍ୟବସ୍ଥା ହେବା ଦରକାର ହୋଇପଡିଛି | ଏହି କଥାକୁ ହୃଦୟଙ୍ଗମ କରି ସରକାର ଏ ଦିଗରେ ମଧ୍ୟ ଯୋଜନା କରିଛନ୍ତି |

ପ୍ରତ୍ୟେକ ସ୍ଥାନରେ ଅନ୍ୟୁନ ୧୫ରୁ ୨୦ଟି ପରିବାର ରହିବାର ବ୍ୟବସ୍ଥା କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ସ୍ଥିର କରିଛି | ଏହା ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି |

ଏବେ ବି ଅନେକ ଇକୋ-ଟୁରିଷ୍ଟ ସ୍ଥାନରେ ରହିବାର ବ୍ୟବସ୍ଥା ଅଛି | କିନ୍ତୁ ଏହାକୁ ଆଗୁଆ ବୁକିଂ ନକଲେ ଏଠାରେ ସ୍ଥାନ ମିଳିବା କଷ୍ଟକର ହୋଇପଡୁଛି | ପୁଣି ଏସବୁ ସ୍ଥାନରେ ରହିବା ପାଇଁ ଯାଗା ଖାଲି ଅଛି କି ନାହିଁ ମଧ୍ୟ ଜାଣି ହେଉନାହିଁ | ତେଣୁ ଏଥିପାଇଁ ଅନଲାଇନ୍ ବ୍ୟବସ୍ଥା କରାଯିବ |

ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଗଗନ କୁମାର ଧଳ କହନ୍ତି,

“ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ରହିବା ଲାଗି ଅନଲାଇନ୍ ବୁକିଂ ବ୍ୟବସ୍ଥା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି | ଏହା ଦ୍ୱାରା ପର୍ଯ୍ୟଟକମାନେ ନିଜର ଯାତ୍ରା ଯୋଜନା କରିବା ସମୟରେ ହିଁ ରହିବା ପାଇଁ ଘର ବୁକିଂ କରିପାରିବେ | ଏଠାରେ ରହିବା ପାଇଁ କେଉଁ ଦିନ ଯାଗା ଖାଲି ଅଛି ତାହା ମଧ୍ୟ ଜାଣିପାରିବେ |”
image


ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ମଧ୍ୟ ସରକାର ବିଧିବଧ ଯୋଜନା ପ୍ରସ୍ତୁତ କରୁଛନ୍ତି | ଏହା ଦ୍ୱାରା ସେମାନଙ୍କ ଜୀବନ ଓ ଜୀବିକାର ବିକାଶ ହୋଇପାରିବ | ସେମାନଙ୍କୁ ରୋଜଗାର ମଧ୍ୟ ବୃଦ୍ଧି ପାଇବ | ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ କରାଗଲେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀମାନେ ମଧ୍ୟ କର୍ମସଂସ୍ଥାନ ପାଇ ପାରିବେ କିମ୍ବା ଆତ୍ମନିର୍ଭରଶୀଳ ହୋଇପାରିବେ |

ଅନେକ ରାଜ୍ୟରେ ଇକୋ-ଟୁରୁଜିମ୍ ହିଁ ପର୍ଯ୍ୟଟନ ମାନଚିତ୍ରରେ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି | ଛୋଟ ଛୋଟ ସ୍ଥାନଗୁଡିକୁ ବିକାଶ କରାଯାଇ ପର୍ଯ୍ୟଟକମାନଙ୍କ ପାଇଁ ମନଲୋଭା କରାଯାଇଛି | ଓଡିଶା ସରକାର ଏହା କରିପାରିଲେ, ନିଶ୍ଚୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ରାଜ୍ୟରେ ବିକାଶରେ ଏହା ସହାୟକ ହୋଇପାରିବ |