ଦୁଇ ଦୃଷ୍ଟିହୀନଙ୍କ ଅଭିନବ ପ୍ରୟାସ, ଭିନ୍ନକ୍ଷମଙ୍କ ପାଇଁ କଲେ ବିବାହ ପୋର୍ଟାଲ୍

ଦୁଇ ଦୃଷ୍ଟିହୀନଙ୍କ ଅଭିନବ ପ୍ରୟାସ, ଭିନ୍ନକ୍ଷମଙ୍କ ପାଇଁ କଲେ ବିବାହ ପୋର୍ଟାଲ୍

Saturday January 09, 2016,

3 min Read

  • ଅଙ୍କିତ ଓ ସନ୍ଦୀପଙ୍କ କମାଲ୍
  • ଭିନ୍ନକ୍ଷମଙ୍କ ପାଇଁ କଲେ ମାଟ୍ରିମୋନିଆଲ ୱେବସାଇଟ୍
  • ୮୦୦ରୁ ଅଧିକ ପ୍ରୋଫାଇଲ୍ ଅପଲୋଡ୍

ଯେତେ କଷ୍ଟସାଧ୍ୟ ହେଉ ନା କାହିଁକି, ସାହସ ଥିଲେ ଲକ୍ଷ୍ୟ ହାସଲ ନିଶ୍ଚିତ | କିଛି ସମୟ ଲାଗିପାରେ | ଆଉ ଏହି ସମୟରେ ନିଜକୁ ଦୋଷ ଦେବା ପରିବର୍ତ୍ତେ ଆଗାମୀ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପଯୋଗ କରିବା ଦରକାର | ଏଥିରେ ସବୁଠୁ ଜରୁରୀ ହୋଇଥିବା ଭଲ ପାଇବା | ନିଜ ଲୋକଙ୍କ ଭଲ ପାଇବା ବା ପ୍ରେମ | କିନ୍ତୁ ଜଣେ କେହି ଅଛନ୍ତି, ଯିଏ ଆପଣଙ୍କ ସହ ଭିନ୍ନ ପ୍ରକାର କଥା ହେବାକୁ ଚାହାନ୍ତି |

ଗୋଟିଏ ପଟେ ସମସ୍ତେ କହନ୍ତି ପ୍ରେମ ହେଉଛି ଅନ୍ଧ | ସେ କିଛି ଦେଖେନି | କିନ୍ତୁ ଅନ୍ୟପଟେ କୌଣସି ସାଧାରଣ ବ୍ୟକ୍ତି ଦୃଷ୍ଟିହୀନ ସହିତ ବିବାହ କରିବାକୁ ରାଜି ହୁଏ ନାହିଁ |

ଏକଥା କହନ୍ତି ଲୁଧିଆନାରେ ରହୁଥିବା ଅଙ୍କିତ କାପୁର | ଅଙ୍କିତ୍ ଜନ୍ମରୁ ଦୃଷ୍ଟିହୀନ | ନିଜର ସାଙ୍ଗ ସନ୍ଦୀପ ଅରୋରା ଓ ଜ୍ୟୋତିଷବିଦ୍ ବିନୟ ଖୁରାନାଙ୍କ ସହ ମିଶି ଏକ ବିବାହ ୱେବସାଇଟ୍ ଚଳାଉଛନ୍ତି | ଏହି ମାଟ୍ରିମୋନିଆଲ ୱେବସାଇଟର ବିଶେଷତ୍ୱ ହେଉଛି ଏଥିରେ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜର ଜୀବନ ସାଥୀ ସହଜରେ ବାଛି ପାରିବେ |

image


ଡିସେବଲଡ୍ ମେଟ୍ରୋମୋନିଆଲ୍ ଡଟ୍ କମ୍ ନାମରେ ଏହି ୱେବସାଇଟ୍ ଆରମ୍ଭ କରିଥିବା ଅଂକିତଙ୍କ ବନ୍ଧୁ ସଂନ୍ଦିପ ମଧ୍ୟ ଦୃଷ୍ଟିହୀନ | ଏକ ଦୁର୍ଘଟଣାରେ ସେ ଆଖି ହରାଇଥିଲେ | ଦୁଇ ବନ୍ଧୁ ଲୁଧିଆନାର ଦୃଷ୍ଟିହୀନ ସ୍କୁଲରେ ପାଠ ପଢିଥିଲେ | ପାଠ ପଢାବେଳୁ ସେମାନେ ସାଙ୍ଗ ହୋଇଥିଲେ | ଦୁଇଜଣ ଯାକ ସରକାରୀ ଚାକିରି ମଧ୍ୟ କଲେ | ଚାକିରି କରିବା ସମୟରେ ସେମାନଙ୍କ ସାକ୍ଷାତ ଜ୍ୟୋତିଷବିଦ୍ ବିନୟ ଖୁରାନାଙ୍କ ସହ ହେଲା | ଏଇ ତିନି ଜଣ ସମାଜ ପାଇଁ କିଛ କରିବାକୁ ସ୍ଥିର କଲେ | ଏହି ତିନି ଜଣ ମିଶି ଆହୁତି ଚାରିଟେବଲ୍ ଟ୍ରଷ୍ଟ ଗଢିଲେ | ଭିନ୍ନକ୍ଷମଙ୍କ ବିବାହ ଓ ସେମାନଙ୍କ ଶିକ୍ଷା ଏବଂ ଅନ୍ୟାନ୍ୟ ସାହାଯ୍ୟ କରିବାକୁ ଲାଗିଲେ | ଅଙ୍କିତ କହନ୍ତି,

କଲେଜରେ ପଢିବା ଦିନରୁ ଆମର ସୋସିଆଲ ନେଟୱାର୍କିଂ ସାଇଟଗୁଡିକ ମାଧ୍ୟମରେ ପରିଚୟ ସୃଷ୍ଟି ହେବା ଆରମ୍ଭ ହୋଇଯାଇଥିଲା | ଲୁଧିଆନା ବ୍ୟତୀତ ଦେଶର ବିଭିନ୍ନ ଭାଗରୁ ଲୋକେ ଆମକୁ ଜାଣିବାକୁ ଲାଗିଲେ | ମୋର ଅନୁଭବ ହୋଇଥିଲା ବର୍ତ୍ତମାନ ଭିନ୍ନକ୍ଷମମାନେ ଆଇଏଏସ୍,ପିସିଏ, ଓକିଲ ହୋଇଥିଲେ ମଧ୍ୟ ବିବାହକୁ ନେଇ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ପରିବାର ଲୋକେ ବି ଏହି କଥାକୁ ନେଇ ଚିନ୍ତିତ ରହୁଛନ୍ତି|
image


ୱେବସାଇଟ୍ କାହିଁକି ?

ଅଙ୍କିତ କୁହନ୍ତି, ଆଜି ବି ଲୋକଙ୍କ ମାନସିକତା ବଦଳି ନାହିଁ | ଭିନ୍ନକ୍ଷମଙ୍କୁ ବିବାହ କରିବାକୁ ସାଧାରଣ ଲୋକଟିଏ ରାଜି ହୁଏନାହିଁ | ତେଣୁ ଭିନ୍ନକ୍ଷମମାନେ ସେମାନଙ୍କ ଜୀବନ ସାଥୀ କିପରି ବାଛି ପାରିବେ, ସେ ଦିଗରେ କାମ କରିବା ପାଇଁ ଆମେ ତିନି ଜଣ ବନ୍ଧୁ ସାଥୀ ହେଲୁ | ଏହା ପରେ ମୁଁ ଦେଖିଲି, ବିବାହ ପାଇଁ ଅନେକ ୱେବସାଇଟ୍ ଅଛି, କିନ୍ତୁ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ନାହିଁ | ତେଣୁ ସେମାନେ ୬-୭ ମାସ ପରିଶ୍ରମ କରି ଡିସେବଲଡ୍ ମେଟ୍ରିମୋନିଆଲ୍ ଡଟ୍ କମ୍ ତିଆରି କଲେ | ୨୦୧୪ ମଇ ମାସରେ ଏହା ଲଂଚ୍ ହେଲା | ସେହିଦିନ ଠାରୁ ଏହା ଚାଲିଛି |

ୱେବସାଇଟର ବିଶେଷତା

ବର୍ତ୍ତମାନ ସୁଦ୍ଧା ଏହି ୱେବସାଇଟରେ ୮୦୦ରୁ ଅଧିକ ଭିନ୍ନକ୍ଷମ ପୁଅଝିଅ ସେମାନଙ୍କ ପ୍ରୋଫାଇଲ୍ ଅପଲୋଡ୍ କରିସାରିଛନ୍ତି | ଏହି ୱେବସାଇଟର ସ୍ୱତନ୍ତ୍ରତା ହେଉଛି ମାଗଣାରେ ଯେ କେହି ସେଥିରେ ନିଜର ପ୍ରୋଫାଇଲ୍ ଦେଇପାରିବ ଓ ଅନ୍ୟର ପ୍ରୋଫାଇଲ୍ ପଢିପାରିବ | ଜରୁରୀ ସମୟରେ ଏହି ୱେବସାଇଟ୍ ଅନଲାଇନ୍ କଥାବାର୍ତ୍ତା ମଧ୍ୟ କରାଇଦେଉଛି | ଯେଉଁମାନଙ୍କର ବୈଷୟିକ ଜ୍ଞାନର ଅଭାବ ରହିଛି, ସେମାନଙ୍କ ପାଇଁ ୱେବସାଇଟରେ ଏକ ଫର୍ମ ଦିଆଯାଇଛି | ଏହି ଫର୍ମକୁ ଡାଉନ୍‌ ଲୋଡ୍ କରି ଡାକରେ ପଠାଇଦେଲେ, ତାହା ବିଚାର ପାଇଁ ଗ୍ରହଣ କରିପାରିବ | ଅଙ୍କିତଙ୍କ କହିବା କଥା,ମହାରାଷ୍ଟ୍ର ଓ ଛତିଶଗଡରେ ଦୁଇଜଣ ଦମ୍ପତି ଏହି ୱେବସାଇଟ୍ କୁ ବ୍ୟବହାର କରି ବିବାହ କରିଛନ୍ତି |

image


ନିବେଶ ହିଁ ବଡ ସମସ୍ୟା

ଅଙ୍କିତ କହନ୍ତି, ୱେବସାଇଟ୍ ତିଆରି କରିବା ପାଇଁ ଅର୍ଥ ଯୋଗାଡ କରିବା ବଡ ଚ୍ୟାଲେଂଜ୍ | ବୈଷୟିକ ମାମଲାରେ ଲୋକଙ୍କ ଭାବନା ଏବେ ମଧ୍ୟ ପୁରାପୁରି ବଦଳି ନାହିଁ | ସେ କହନ୍ତି,

ଭିନ୍ନକ୍ଷମମାନେ ପିଲାଙ୍କ ପାଇଁ ସ୍କୁଲ, ସେମାନଙ୍କ ପାଇଁ ବିବାହ ଆଦି କାମ କରିବାକୁ ଆଗ୍ରହୀ | କିନ୍ତୁ ଏମାନଙ୍କ ପାଇଁ ମାଟ୍ରିମୋନିଆଲ ହେଉଛି ବୋଲି କହିଲେ କେହି ସହଯୋଗ କରିବେ ନାହିଁ | 

ସେମାନେ ସଂଚୟ କରିଥିବା ଅର୍ଥରେ ୱେବସାଇଟ୍ କରିଥିଲେ | ସେମାନେ ଏଥିରୁ କୌଣସି ଲାଭ ନ ରଖିବା ଭଳି ବ୍ୟବସ୍ଥା କରିଛନ୍ତି | ପ୍ରତିଦିନ ଏହି ୱେବସାଇଟରେ ୧୫ରୁ ୨୦ ଲୋକ ଦେଖୁଛନ୍ତି| ଆଗକୁ ଆପସ୍ ବନାଇବାକୁ ସେମାନେ ଯୋଜନା କରୁଛନ୍ତି|

ଅଙ୍କିତ ଓ ସନ୍ଦୀପ ଦୁଇଜଣ ଯାକ ସରକାରୀ ଚାକିରି କରିଥିଲେ ମଧ୍ୟ ଏହି କାମ ପାଇଁ ସେମାନେ ସମୟ ବାହାର କରୁଛନ୍ତି | ଏହି ୱେବସାଇଟରେ କାମ କରିବା ଅବସରରେ ସେମାନଙ୍କୁ କିଛି ଶିଖିବାକୁ ମିଳିଛି | କେତେକ ଲୋକ ନିରକ୍ଷର ଲୋକଙ୍କୁ ଭିନ୍ନକ୍ଷମ ବୋଲି ଦର୍ଶାଇ ପ୍ରୋଫାଇଲ୍ ଅପଲୋଡ୍ କରୁଛନ୍ତି | କିଛି ବ୍ୟକ୍ତି ନିରକ୍ଷର ଲୋକଙ୍କ ପାଇଁ ଭିନ୍ନକ୍ଷମ ଜୀବନସାଥୀଟିଏ ବାଛିବା ଲାଗି ଅନୁରୋଧ କରୁଛନ୍ତି | ଭିନ୍ନକ୍ଷମଙ୍କ ପାଇଁ କିଛି କରିପାରିଥିବାରୁ ସେମାନେ ବେଶ୍ ଖୁସୀ ଅଛନ୍ତି |

ୱେବସାଇଟ :- http://disabledmatrimonial.com

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ