କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ: ଓଡ଼ିଶାର ସବୁଠୁ ବଡ଼ ସାହିତ୍ୟ ମେଳା

କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ: ଓଡ଼ିଶାର ସବୁଠୁ ବଡ଼ ସାହିତ୍ୟ ମେଳା

Tuesday January 12, 2016,

4 min Read

image


ଆଜିକାଲି ସାହିତ୍ୟ ସଭାରେ ଦର୍ଶକ ବା ଶ୍ରୋତା ଯୋଗାଡ଼ କରିବା ଏକ କାଠିକର ପାଠ । ବିଶେଷ କରି ଯଦି କବିତା ପାଠ ଚାଲିଥାଏ, ତେବେ ୫୦ ଜଣ ଶ୍ରୋତା ବି ଅପୂର୍ବ । ରାଜ୍ୟରେ ବର୍ଷ ତମାମ ବିଭିନ୍ନ ସାହିତ୍ୟ ଉତ୍ସବ ଚାଲିଥିବା ବେଳେ ସବୁ ସ୍ଥାନରେ ଶ୍ରୋତା ମରୁଡ଼ି ଏକ ସାଧାରଣ ଘଟଣା । ଭୁବନେଶ୍ୱରର ବଡ଼ବଡ଼ ହୋଟେଲରେ ବହୁ ଆଡ଼ମ୍ବରରେ ସାହିତ୍ୟ ଉତ୍ସବମାନ ଆୟୋଜିତ ହେଉଥିଲେ ହେଁ ସେଠାରେ ୧୦୦ କି ୫୦୦ ଶ୍ରୋତା ସମାଗମ ବିରାଟ କଥା । ରାଜନୈତିକ ସଭା ବା ମନୋରଂଜନ କାର୍ଯ୍ୟକ୍ରମମାନଙ୍କରେ ସ୍ଵତଃସ୍ଫୂର୍ତ ଭାବେ ହେଉ ବା ପ୍ରୟୋଜନରେ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ସାଧାରଣତଃ ସାହିତ୍ୟ ସଭା ପାଇଁ ଏ ଦୃଶ୍ୟ ବିରଳ ।

ତେବେ କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ ଏ କ୍ଷେତ୍ରରେ ଏକମାତ୍ର ବ୍ୟତିକ୍ରମ । ଏ ଉତ୍ସବରେ କୌଣସି ବିଶିଷ୍ଟ ରାଜନୈତିକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେନା, ବା ଏହା ତଥାକଥିତ ମନୋରଂଜନଧର୍ମୀ ଉତ୍ସବ ପର୍ଯ୍ୟାୟର ନୁହେଁ । ତଥାପି ମଧ୍ୟ ଅସାମାନ୍ୟ ଜନସମାଗମ ସୃଷ୍ଟି କରିବାରେ ସମର୍ଥ ଏ ଉତ୍ସବ ୨୦୧୬ରେ ୧୩ ବର୍ଷରେ ପଦାର୍ପଣ କରିଛି । ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଜନସାଧାରଣଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଏହାକୁ ରାଜ୍ୟର ସବୁଠୁ ବଡ଼ ସାହିତ୍ୟ ମେଳା କହିଲେ ଅତ୍ୟୁକ୍ତି ହେବନାହିଁ ।

image


କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ

୨୦୦୦ ମସିହାରୁ ନିୟମିତ ପ୍ରକାଶ ପାଇ ଆସୁଥିବା ରାଜ୍ୟର ସର୍ବାଧିକ ପ୍ରସାରିତ ପାରିବାରିକ ପତ୍ରିକା କାଦମ୍ବିନୀ ୧୩ ବର୍ଷ ଧରି ଜାତୀୟ ଲେଖକ ସମ୍ମିଳନୀ ଆୟୋଜିତ କରିଆସୁଛି । ତ୍ରୟୋଦଶ ଜାତୀୟ ଲେଖକ ସମ୍ମିଳନୀ ଚଳିତ ଜାନୁଆରି ୧୦ ତାରିଖରେ ଭୁବନେଶ୍ୱର କିଟ୍ ବିଶ୍ୱିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖ୍ୟାତିସମ୍ପନ୍ନ ରାଜସ୍ଥାନୀ ଲେଖକ ପଦ୍ମଶ୍ରୀ ଚନ୍ଦ୍ରପ୍ରକାଶ ଦେବଲ, ଅନ୍ୟତମ ରାଜସ୍ଥାନୀ ନାଟ୍ୟକାର ଓ ନିର୍ଦ୍ଦେଶକ ଅର୍ଜୁନ ଦେଓ ଚାରଣ, ଅହମିୟା ସାହିତ୍ୟିକ ହରେକୃଷ୍ଣ ଡେକା, କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଟ୍ଟାଭିରାମେୟା ଶେଷାଦ୍ରୀ, କନ୍ନଡ଼ ସାମ୍ବାଦିକ ଓ ସଂପାଦକ ହରିପ୍ରକାଶ କୋନେମନେ, ଓଡ଼ିଆ ଅଭିନେତ୍ରୀ, ପ୍ରଯୋଜିକା ଓ ନିର୍ଦ୍ଦେଶିକା ପାର୍ବତୀ ଘୋଷ, ବଙ୍ଗଳା ଲେଖିକା ପଦ୍ମଶ୍ରୀ ସାଓଲି ମିତ୍ର, କବି ଓ ଚିନ୍ତକ ହରପ୍ରସାଦ ଦାସ, ଲେଖିକା ଗାୟତ୍ରୀ ସରାଫ, କଥାଶିଳ୍ପୀ ଗୌରହରି ଦାସ ଓ ଗାଳ୍ପିକା ପାରମିତା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କିଟ୍ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ଏହି ଦିବସବ୍ୟାପୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟ ।

ଏ ଅବସରରେ ବରିଷ୍ଠ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ କାଦମ୍ବିନୀ ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ରମାକାନ୍ତ ଜେନା, ଭଗବାନ ନାୟକ ବର୍ମା, ପ୍ରଫୁଲ୍ଲତା ମହାପାତ୍ର, ଭାଗିରଥୀ ଦାସ ଓ କୁମୁଦଲତା ମହାନ୍ତି ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏ ଅବସରେର କାଦମ୍ବିନୀ ଗଳ୍ପ ଉନ୍ମେଷ କାର୍ଯ୍ୟକ୍ରମରେ ଶେଷ୍ଠ ବିବେଚିତ ୩୦ ବର୍ଷରୁ କମ ବୟସର ୫ ଜଣ ଯୁବ ଗାଳ୍ପିକ ସୋନାଲି ମାଦେଳି, ଯୋଗେଶ୍ଵର ପଣ୍ଡା, ଶ୍ରୀକାନ୍ତ କୁମାର ବାରିକ, ଅସିତ କୁମାର ଷଡ଼ଙ୍ଗୀ ଓ କୈଳାଶ ବେହେରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

image


ଏହି ଜାତୀୟ ଲେଖକ ସମ୍ମିଳନୀ ସାଙ୍ଗକୁ ୨୦୦୯ ମସିହା ଠାରୁ ଆୟୋଜିତ ହୋଇଆସୁଛି କାଦମ୍ବିନୀ ପତ୍ରିକା ହାଟ । ଏହା ସମ୍ଭବତଃ ଏକମାତ୍ର ଦିନିକିଆ ହାଟ, ଯେଉଁଠି ରାଜ୍ୟର ସମସ୍ତ ପତ୍ରିକା ଗୋଟିଏ ସ୍ଥାନରେ ପ୍ରଦର୍ଶିତ ହୋଇଥାଏ ।

ଏହା ଭିନ୍ନ ଚଳିତ ବର୍ଷ ଠାରୁ କୁନି ଲେଖକ ଓ କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା କୁନାକୁନି ମେଳା । ଜାତୀୟ ସ୍ତରରେ ନାଁ କରିଥିବା କିଶୋରୀ ଗାୟିକା ଅନନ୍ୟା ଶ୍ରୀତମ ନନ୍ଦ, ଜାତୀୟ ସ୍ତରରେ ପ୍ରସିଦ୍ଧ କିଶୋରୀ ନୃତ୍ୟାଙ୍ଗନା ପଦ୍ମିନୀ ପଟ୍ଟନାୟକ, ଗାୟକ ଆର୍ଯ୍ୟନ ଦାସ, ଶିଶୁ କଳାକାର ଜିନୀତ ରଥ ଓ ଅନିମେଶ ଘୋଷଙ୍କ ସମେତ ବହୁ କୁନି ପ୍ରତିଭା ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ମାସିକ ଶିଶୁ-କିଶୋର ପତ୍ରିକା କୁନିକଥାର ସଂପାଦକ ଶ୍ରୀଜିତ ଅଭିଷେକ ଏହି ଉତ୍ସବ ପରିଚାଳନା କରିଥିଲେ ।

image


୫ ହଜାର ଲେଖକ, ୪୦୦ ପତ୍ରିକା

ଚଳିତ ବର୍ଷ ଜାତୀୟ ଲେଖକ ସମ୍ମିଳନୀରେ ୫ ହଜାରରୁ ଅଧିକ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିବା ବେଳେ ପତ୍ରିକା ହାଟରେ ଓଡ଼ିଶାର ବିଭିନ୍ନ କୋଣରୁ ୪୦୦ ପତ୍ରିକା ଅଂଶଗ୍ରହଣ କରିଥିଲେ । ସକାଳ ୯ଟାରୁ ଆମମ୍ଭ ହୋଇ ହାଟ ସଂଧ୍ୟା ୫ଟାରେ ଶେଷ ହୋଇଥିଲା । କନଭେନସନ୍ ସେଣ୍ଟର ଭିତରେ ପ୍ରଥମାର୍ଧ ସାହିତ୍ୟ ସଭା ହୋଇଥିବା ବେଳେ ଦ୍ୱିତୀୟାର୍ଧ କୁନାକୁନି ମେଳା ଅନୁଷ୍ଠିତ ହୋଇଥିଲା ।

ଉତ୍ସବର ଆୟୋଜକ ତଥା କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ମତ ଦିଅନ୍ତି,

ରାଜ୍ୟର ସବୁ ଲେଖକଙ୍କୁ ଏକାଠି କରିବା ସହ ରାଜ୍ୟ ବାହାରର ନାମୀ ସାହିତ୍ୟିକଙ୍କ ସହ ପରିଚିତ କରିବା ଲକ୍ଷ୍ୟରେ ଏ ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି । ସୁଦୂର ମାଲକାନଗିରି, ମୟୁରଭଞ୍ଜ ଠାରୁ ଅ‍ାରମ୍ଭ କରି ରାଜ୍ୟର ସବୁ ଅଞ୍ଚଳରୁ ଲେଖକମାନେ ଏଠାକୁ ଆସୁଛନ୍ତି । ଆନନ୍ଦର ବିଷୟ ରାଜ୍ୟ ବାହାରେ ଥିବା ଓଡ଼ିଆ ଲେଖକମାନେ ବି ଆମ ନିମନ୍ତ୍ରଣ ରକ୍ଷଶ କରି ଏ ଉତ୍ସବରେ ଯୋଗ ଦେଉଛନ୍ତି । ଓଡ଼ିଶାର ଏ ଏକ ସାରସ୍ବତ କୁମ୍ଭମେଳା ସଦୃଶ । ବର୍ଷ ପରେ ବର୍ଷ ଲେଖକ ଓ ସାହିତ୍ୟପ୍ରେମୀଙ୍କ ସଂଖ୍ୟା ବଢ଼ୁଛି । କାଦମ୍ବିନୀ ଗୋଟିଏ ପରିବାର ପାଲଟିଛି, ପ୍ରତିଟି ଓଡ଼ିଆ ଲେଖକ ଓ ସାହିତ୍ୟପ୍ରେମୀ ଏହାର ଜଣେଜଣେ ସଦସ୍ୟ । ଚଳିତ ବର୍ଷ ସମ୍ମିଳନୀରେ ୫୦୦୦ରୁ ଅଧିକ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

ପତ୍ରିକା ହାଟ ଆୟୋଜନ ଓ ଏହାର ସଫଳତା ସମ୍ପର୍କରେ ମତ ଦେଇ ଇତି ସାମନ୍ତ କହନ୍ତି,

୧୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ମାସିକ କାଦମ୍ବିନୀ ପତ୍ରିକା ପ୍ରକାଶ କରିବାର ପୀଡ଼ା ଆଉ ଆନନ୍ଦ ସବୁକୁ ମୁଁ ଉପଲବ୍ଧି କରିଛି । ଓଡ଼ିଶାରେ ପତ୍ରିକାଟିଏ, ବିଶେଷ କରି ସାହିତ୍ୟ ପତ୍ରିକାଟିଏ, ପ୍ରକାଶ କରିବା ସହଜ କଥା ନୁହେଁ । ତେଣୁ ଅର୍ଥ, ସମୟ ଓ ପରିଶ୍ରମର ପ୍ରତିଦାନରେ ଓଡ଼ିଆ ପାଠକଙ୍କୁ ପତ୍ରିକାଟିଏ ଦେବାର ଆଗ୍ରହ ରଖୁଥିବା ସଂପାଦକ/ପ୍ରକାଶକମାନଙ୍କୁ ଲେଖକ/ପାଠକଙ୍କ ସହ ଯୋଡ଼ିବା ଉଦ୍ଦେଶ୍ୟରେ ୮ ବର୍ଷ ଧରି କାଦମ୍ବିନୀ ଏଭଳି ହାଟ ଆୟୋଜନ କରୁଛି । ପ୍ରତିବର୍ଷ ଏଠାରେ ନୂଆନୂଆ ପତ୍ରିକା ଦେଖିବାକୁ ମିଳୁଛି । ଆମେ ପତ୍ରିକାମାନଙ୍କୁ ବିନାମୂଲ୍ୟରେ ଏଥିରେ ଭାଗ ନେବାଲାଗି ନିମନ୍ତ୍ରଣ କରୁଛୁ । ଅଂଶଗ୍ରହଣକାରୀ ପତ୍ରିକା ସଂଖ୍ୟା ବଢ଼ିବଢ଼ି ଚଳିତ ବର୍ଷ ୪୦୦ ଛୁଇଁଛି ।
image


କାଦମ୍ବିନୀ ମିଡିଆ

ଇତି ସାମନ୍ତଙ୍କ ଦ୍ୱାରା ପରିଚାଳିତ କାଦମ୍ବିନୀ ମିଡିଆ କାଦମ୍ବିନୀ ଓ କୁନିକଥା ଭଳି ଦୁଇଟି ମାସିକ ସାହିତ୍ୟ ପତ୍ରିକା ପ୍ରକାଶ କରିବା ସହ ପୁସ୍ତକ ପ୍ରକାଶନ, ସାହିତ୍ୟ ଉତ୍ସବ ଆୟୋଜନ ଓ ସିନେମା ନିର୍ମାଣ ଆଦି କାର୍ଯ୍ୟକ୍ରମ କରୁଛି । କିଟ୍-କିସ୍ ପ୍ରତିଷ୍ଠାତା ତଥା ଶିକ୍ଷାବିତ ଅଚ୍ୟୁତ ସାମନ୍ତ କାଦମ୍ବିନୀ ମିଡିଆର ଉପଦେଷ୍ଟା ଅଛନ୍ତି ।

କାଦମ୍ବିନୀ ମିଡିଆ ପକ୍ଷରୁ ପ୍ରସ୍ତୁତ କଥାନ୍ତରକ୍ରାନ୍ତିଧାରା ଓଡ଼ିଆ ଚଳଚ୍ଚିତ୍ର ଦ୍ୱୟ ଦେଶ ଓ ଦେଶ ବାହାରେ ବହୁ ପୁରସ୍କାର ହାସଲ କରିଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।