ଭଂଜନଗରର ଭୂମିହୀନ ଶଙ୍କର: ନିଶା ଚାଷ, ଟାଙ୍ଗରା ଜମିରେ ଫଳାଇଲେ ଫସଲ

ଭଂଜନଗରର ଭୂମିହୀନ ଶଙ୍କର: ନିଶା ଚାଷ, ଟାଙ୍ଗରା ଜମିରେ ଫଳାଇଲେ ଫସଲ

Monday February 15, 2016,

2 min Read

ଶଙ୍କର ନାୟକ(୩୫) ହେଉଛନ୍ତି ଭଞ୍ଜନଗର ବ୍ଲକ ଦଦରାଲୁଣ୍ଡା ପଂଚାୟତର ବଞ୍ଜରଗାଁର ଜଣେ ଜମିହୀନ ଚାଷୀ । ଗାଁରେ ଅଛି ଏକ ଛୋଟ ଚାଳଛପର ଘର । ଜଣେ ଭଲ ଚାଷୀ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନିଜର ଖଣ୍ଡେ ଜମି ନାହିଁ। ତଥାପି ଅନ୍ୟର ଜମିକୁ ଲିଜରେ ନେଇ ସେଥିରେ ଚାଷ କରି ଏବେ ସେ ସେହି ଅଂଚଳରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । 

image


ବଞ୍ଜରଗାଁ ଏକ ଛୋଟ ଆଦିବାସୀ ଗାଁ । ଗାଁରେ ଜଳସେଚନର ସେପରି କିଛି ସୁବିଧା ନାହିଁ । ଗାଁ ନିକଟରେ ବହି ଯାଇଛି କଦମନାଳ । ଦୁଇବର୍ଷ ତଳେ ଜଳସେଚନର ସୁବିଧା ପାଇଁ ଏହି ନାଳରେ ନିର୍ମାଣ ହୋଇଥିଲା ଏକ ଚେକଡ୍ୟାମ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଚେକଡ୍ୟାମ ନିର୍ମାଣ କରାଯାଇଛି । ଚେକଡ୍ୟାମ୍ ଫଳରେ ଲୋକେ ଉପକୃତ ହୋଇଥିଲେ । ଜମିହୀନ ଶଙ୍କର ଚେକଡ୍ୟାମ ନିକଟରେ ପଡ଼ିଆ ପଡ଼ିଥିବା ଏକ ଟାଙ୍ଗରା ଜମିକୁ ଦଦରାଲୁଣ୍ଡାର ଜଣେ ଜମି ମାଲିକଙ୍କ ଠାରୁ ବର୍ଷକୁ ୧୫ ହଜାର ଟଙ୍କାରେ ଲିଜସୂତ୍ରରେ ନେଇଥିଲେ । ଚାଷ କରି ଏବେ ପ୍ରଚୁର କୃଷି ଉତ୍ପାଦ ସୃଷ୍ଟି କରି ନିଜକୁ ସ୍ୱାବଲମ୍ବୀ କରି ପାରିଛି । 

ପଢନ୍ତୁ - ଚାଷୀଙ୍କ ଲାଭ ପାଇଁ ମଧ୍ୟସ୍ଥି ହଟାଉଛି ‘ଓରିଗୋ କମୋଡିଟିଜ୍’

ଏହି ଚେକ୍ ଡ୍ୟାମର ଗୋଟିଏ ପଟେ ଜଳ ସ୍ୱପ୍ରବାହିତ ହୋଇ ସେଥିରେ ଧାନ,କଦଳି ପ୍ରଭୃତି ଚାଷ ହେଉଥିବା ବେଳେ ଅନ୍ୟପଟେ ପମ୍ପ ସାହାଯ୍ୟରେ ଜଳ ଉତ୍ତୋଳନ କରାଯାଇ ଚାଷ କରାଯାଇପାରୁଛି । ଆଉ ଏହାର ସୁଯୋଗ ନେଇଛନ୍ତି ଶଙ୍କର । ଶଙ୍କର ଏକ ଡ଼ିଜେଲ ପମ୍ପ ସାହାଯ୍ୟରେ ଜଳସେଚନ କରି ସେହି ଶୁଖିଲା ଟାଙ୍ଗରା ଜମିକୁ ଶସ୍ୟସାମଳା କରି ପାରିଛି । ଲିଜରେ ନେଇ ଥିବା ୨୦ ଭରଣ ଜମିରେ ସେ କନ୍ଦମୂଳ, ବାଇଗଣ, ଲଙ୍କା, ଦେଶୀଆଳୁ, ମକା, ବୋଇତାଳୁ, ମୂଳା, ବିଲାତି ବାଇଗଣ, କଲରା, ବିନ୍ ,ଶାଗ, ଝୁଲଣ ପ୍ରଭୃତି ପନିପରିବା ସାଙ୍ଗକୁ କୋଳଥ,ରାଶି ଭଳି ଫସଲ ଉତ୍ପାଦନ କରି ପାରିଛନ୍ତି । ଏହି କୃଷି ଉତ୍ପାଦକୁ ଭଞ୍ଜନଗର ତଥା ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟବସାୟୀ ଜମିରୁ ହିଁ କ୍ରୟ କରି ନେଇଥାନ୍ତି । 

ଶଙ୍କର କହିଛନ୍ତି ଯେ ଜଣେ ଗରୀବ ଜମିହୀନ ଚାଷୀ । ନିଜର ଚାଷଜମି ନଥିବାରୁ ଅନ୍ୟର ଜମିରେ ମୂଲ ଲାଗିବା ଥିଲା ତାଙ୍କର କାମ । ତେବେ ଚେକଡ୍ୟାମ ନିର୍ମାଣ ହେବା ପରେ ସେ ଏଠାରେ ନିଜେ ବିଭିନ୍ନ ଚାଷ କରିବା ପାଇଁ ମନ ବଳାଇଥିଲେ । ଚେକଡ୍ୟାମ୍ ନିକଟରେ ଜମି ଖଣ୍ଡେ ଲିଜରେ ମିଳିଯିବାପରେ ସେ ଜାରି ରଖିଲେ ତାଙ୍କର ପରିଶ୍ରମ । ପ୍ରଥମ ବର୍ଷ ସେ ଏହି ଚାଷ ଆରମ୍ଭ କରିଛନ୍ତି । ପ୍ରଥମ ଥର ସେ ପ୍ରାୟ ୪୦ ହଜାର ଟଙ୍କା ବିନିଯୋଗ କରି ପ୍ରାୟ ୧୨ ଭରଣ ଜମିରେ କନ୍ଦମୂଳ ଚାଷ କରିଥିଲେ । ଭଲ ଅମଳ ହୋଇଥିବାରୁ ସେଥିରୁ ଖର୍ଚ୍ଚ ଯାଇ ଆହୁରି ୫୦ ହଜାର ଟଙ୍କା ଲାଭ କରିଥିବା କହିଛନ୍ତି । ବଳକା ଜମିରେ ଅନ୍ୟାନ୍ୟ ପନିପରିବା କରିଛନ୍ତି । ଏଥିସହିତ କିଛି ଗୋରୁଗାଈ ଓ ବନରାଜ କୁକୁଡ଼ା ମଧ୍ୟ ପାଳନ କରି ତାଙ୍କ ପରିବାର ଖୁସିରେ ଚଳୁଛନ୍ତି । ତେବେ ଜମିରେ ବାଡ଼ ନଥିବାରୁ ଗ୍ରାମର ଗୋରୁଗାଈ ପଶି ବହୁ ଚାଷ ନଷ୍ଟ କରୁଥିବା ସେ କୁହନ୍ତି । ଦିନ ରାତି ଜମିକୁ ଜଗି ରହିବାକୁ ପଡ଼େ । ଗୋରୁଗାଈ, ମାଙ୍କଡ଼ ଉପଦ୍ରବ ସାଙ୍ଗକୁ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହୋଇଛନ୍ତି ଶଙ୍କର ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ୱାଲମାର୍ଟରୁ ଜୟପୁର- ପ୍ରତୀକଙ୍କ ଦି ଲିଭିଂ ଗ୍ରୀନ୍ ଯାତ୍ରା

2। ଅଜିତ ସିଂହଙ୍କ ଜୟ ଜବାନ୍ ଜୟ କିଶାନର କବିତା

3। ମହାରାଷ୍ଟ୍ରର ମହୁମାଛି ମଣିଷ