୬୨ ବର୍ଷ ବୟସରେ ବିଳାସୀଙ୍କ ହାତର କମାଲ୍, ବର୍ଯ୍ୟବସ୍ତୁକୁ ଦେଉଛନ୍ତି ସୁନ୍ଦର ରୂପ

୬୨ ବର୍ଷ ବୟସରେ ବିଳାସୀଙ୍କ ହାତର କମାଲ୍,
ବର୍ଯ୍ୟବସ୍ତୁକୁ ଦେଉଛନ୍ତି ସୁନ୍ଦର ରୂପ

Monday March 07, 2016,

3 min Read

image


ଗାଁଉଲି ମହିଳାମାନଙ୍କ ମଧ୍ୟରେ ଯେ ଅନେକ ଗୁଣ ଭରି ରହିଛି, ତାହାକୁ ସମସ୍ତେ ସ୍ୱୀକାର କରିବେ ନିଶ୍ଚୟ | ତେବେ ଗାଁ ଗହଳିରେ ଏମିତି ବି ପ୍ରତିଭା ଅଛନ୍ତି, ଯେଉଁମାନେ କିଛି ପାଠ ନ ପଢି, କିଛି ତାଲିମ ନ ନେଇ ଏଭଳି ଗୋଟିଏ ଗୋଟିଏ କ୍ଷେତ୍ରରେ ଏଭଳି ପାରଦର୍ଶିତା ହାସଲ କରିଛନ୍ତି, ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ | ସେମାନଙ୍କ ହାତରେ ସତେ ଥାଏ ଯାଦୁ | ହାତରେ ସେମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ ଯେ କୌଣସି ଗ୍ରାହକଙ୍କୁ ଆକୃଷ୍ଟ କରିବ | ଏହା ଠାରୁ ବି ଅଧିକ କଷ୍ଟକର ବ୍ୟାପାର ହେଉଛି ବର୍ଯ୍ୟବସ୍ତୁରୁ ଏଭଳି ସୁନ୍ଦର ସାମଗ୍ରୀ ତିଆରି କରିବା | ଯାହା ଲୋକଙ୍କ ପାଇଁ ବ୍ୟବହାର ଅଯୋଗ୍ୟ ହୋଇଯାଇଛି, ତାହାକୁ ସଂଗ୍ରହ କରି ସେଥିରୁ ମନଲୋଭା ଜିନିଷ ପ୍ରସ୍ତୁତ କରି ଆତ୍ମନିର୍ଭର ପାଲଟିବା ତ ବହୁତ ବଡ ଗୁଣ | ଆମେ ଆନ୍ତର୍ଜାତିକ ମହିଳା ଦିବସରେ ସେମିତି ଜଣେ ଗାଁଉଲି ମହିଳାଙ୍କୁ ପାଇଛୁ, ଯିଏ ପରିଣତ ବୟସରେ ମଧ୍ୟ ହାତର କମାଲ ଦେଖାଇ ନିଜର କାରୁକାର୍ଯ୍ୟ ପ୍ରତି ଲୋକଙ୍କୁ ଆକର୍ଷିତ କରିପାରିଛନ୍ତି |

image


କେନ୍ଦ୍ରାପଡା ଜିଲ୍ଲାର ବିଳାସୀ ନାଥ | ବୟସ ୬୨ରୁ ଅଧିକ ହେଲାଣି | ଏହି ବୟସରେ ଅଧିକାଂଶ ଲୋକ କାମରୁ ଅବସର ନେଇ ଅଧିକ ସମୟ ଅବସରରେ କଟାନ୍ତି | କିନ୍ତୁ ବିଳାସୀ ଏବେ ବି ଚଳଚଂଚଳ | ଘରକାମ ସହ ସେ ପ୍ରସ୍ତୁତ କରନ୍ତି ବିଭିନ୍ନ ରଂଗୀନ ସାମଗ୍ରୀ | ଆଉ ତାଙ୍କ ଏହି ସାମଗ୍ରୀର ଏତେ ଚାହିହା ଯେ ଘରକୁ ହିଁ ଲୋକମାନେ ଆସି ଏସବୁ ନେଇଯାନ୍ତି |

image


ଆଳି ବ୍ଲକ ଦଶିପୁରର ଏହି ମହିଳା ଅନେକ ବର୍ଷ ଧରି ଏହି କାମ କରୁଛନ୍ତି | ତାଙ୍କୁ ଏଥିପାଇଁ କଂଚାମାଲ୍ ହିସାବରେ ଅଳ୍ପ କିଛି ଖର୍ଚ୍ଚ କରିବାକୁ ପଡେ | କାରଣ ସେ ଅଧିକାଂଶ ବସ୍ତୁ ବାହାରୁ ହିଁ ସଂଗ୍ରହ କରିଥାନ୍ତି | ଗାଁରେ ଲୋକମାନେ ବ୍ୟବହାର କରୁନଥିବା ପ୍ଲାଷ୍ଟିକ, ଦିଆସିଲି ଖୋଳ, ଧୂପକାଠି ଖୋଳ, କାର୍ଟୁନରେ ଥିବା ମୋଟା କାଗଜ ଆଦିକୁ ସେ ଗୋଟାଇ ଆଣନ୍ତି | ତାଙ୍କ ହାତର ଯାଦୁରେ ସେ ସବୁ ଏଭଳି ରୂପ ନିଏ ଯେ ଆପଣ ଜାଣିବା ବି କଷ୍ଟକର ହୋଇପଡିବ ଯେ ଏହା କେଉଁଠୁ ଗୋଟାଇ ଅଣାଯାଇଛି | ସେ ସେଥିରେ ବିଭିନ୍ନ ସାମଗ୍ରୀ କରନ୍ତି | ଭୋଗେଇ, ଫୁଲ ଚାଙ୍ଗୁଡି, ଛୋଟ ଟୋକେଇ, ବିଂଚଣା, ଟେବୁଲ୍ ମ୍ୟାଟ୍, ମୋବାଇଲ୍ ଫୋନ୍ ଷ୍ଟାଣ୍ଡ ଆଦି ସହିତ ଅନେକ ସାଜସଜା ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରନ୍ତି | ଏହାକୁ ବିକି ସେ କିଛି ରୋଜଗାର କରିବା ସହିତ ଅଜାଣତରେ ପରିବେଶ ସୁରକ୍ଷା ମଧ୍ୟ କରୁଛନ୍ତି | କାରଣ ବର୍ଯ୍ୟବସ୍ତୁକୁ ସେ କାମରେ ଲଗାଇପାରୁଛନ୍ତି |

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଳାସୀ ଏସବୁ ସାମଗ୍ରୀ ତିଆରି କରିବା ଲାଗି କୌଣସି ଠାରୁ ତାଲିମ ନେଇନାହାନ୍ତି | ଏ ବିଷୟରେ ସେ କୁହନ୍ତି,

ଅନେକ ବର୍ଷ ଧରି ମୁଁ ଏହି କାମ କରିଆସୁଛି | ଘରେ କାମ ସରିବା ପରେ ମୁଁ ଖାଲିରେ ବସୁଥିଲି ନ ହେଲେ ଅନ୍ୟ ମହିଳାଙ୍କ ସହ ଗୁଲିଗପ କରି ସମୟ କଟୁଥିଲା | କିନ୍ତୁ ଏହି ସମୟରେ କିଛି କରିବା ପାଇଁ ଚିନ୍ତା କଲି | ଆଖପାଖରେ ପଡିଥିବା ଜିନିଷକୁ ସଂଗ୍ରହ କରି ଘର ବ୍ୟବହାର ପାଇଁ ବିଭିନ୍ନ ଜିନିଷ ତିଆରି କଲି | ଏହାକୁ ଦେଖି ସାହି ପଡିଶା ଲୋକେ ମଧ୍ୟ ଏଭଳି ଜିନିଷ ନେବାକୁ ଚାହିଁଲେ | ତେଣୁ ମୁଁ ଏହାକୁ ବିକ୍ରି କରିବା ଆରମ୍ଭ କଲି | ଏବେ ଆଖପାଖ ଗାଁର ଅନେକ ଲୋକ ମୁଁ ତିଆରି କରୁଥିବା ଜିନିଷ କଣିବାକୁ ଘରକୁ ଆସୁଛନ୍ତି |
image


ପ୍ରତିଦିନ ଘର କାମ ସରିବା ପରେ ଏହି କାମରେ ଲାଗିଯାନ୍ତି | ତାଙ୍କ ପାଖରେ ମିଳୁଥିବା ସାମଗ୍ରୀର ଦାମ ୪୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି | ଏ ସବୁ ବିକ୍ରି କରି ପ୍ରତି ମାସରେ ସେ ୫୦୦୦ ଟଙ୍କା ରୋଜଗାର କରୁଛନ୍ତି | ୬୨ ବର୍ଷ ବୟସରେ ମଧ୍ୟ ସେ ଥକି ପଡିନାହାନ୍ତି କି କାହା ପାଖରେ ହାତ ପାଆନ୍ତି ନାହାନ୍ତି | ହାତ ଚାଲୁଥିବା ଯାଏଁ ଏହି କାମ ଚାଲୁରଖିବେ ବୋଲି କହନ୍ତି ବିଳାସୀ |

ଦଶିପୁର ଗାଁର ଜଣେ ବାସିନ୍ଦା ଅଜୟ କୁମାର କହନ୍ତି,

ବିଳାସୀ ମାଉସୀ ଅତ୍ୟନ୍ତ ପରିଶ୍ରମୀ ଓ ତାଙ୍କ ହାତ ତିଆରି କାମ ଅତି ଉଚ୍ଚକୋଟୀର | ମୁଁ ଅନେକ ହସ୍ତଶିଳ୍ପ ଦୋକାନ ଦେଖିଛି, କିନ୍ତୁ ତାଙ୍କ ଭଳି ପ୍ରସ୍ତୁତ ସାମଗ୍ରୀ ପାଉନାହିଁ | କେବଳ ସେତିକି ନୁହେଁ, ଘରେ ବିଭିନ୍ନ ଅବ୍ୟବହୃତ ବସ୍ତୁରେ ପ୍ରସ୍ତୁତ ହେଉଥିବାରୁ ତାଙ୍କ ଜିନିଷ ଶସ୍ତା ମଧ୍ୟ | ତେଣୁ ଆଖପାଖ ଗାଁର ଲୋକେ ତାଙ୍କ ଠାରୁ ଜିନିଷ କିଣିବାକୁ ଆସୁଛନ୍ତି |

ବିଳାସୀ କେବଳ ନିଜର ଜ୍ଞାନକୁ ନିଜ ପାଖରେ ରଖିବାକୁ ଚାହାନ୍ତି ନାହିଁ | ସେ ଗାଁର ଝିଅମାନଙ୍କୁ ବିଧିବଦ୍ଧ ଭାବରେ ଏସବୁ ସାମଗ୍ରୀ ପ୍ରସ୍ତୁତ କରିବାର ପ୍ରଣାଳୀ ଶିଖାଇବାକୁ ଚାହୁଁଛନ୍ତି | ସେମାନେ ବି ତାଙ୍କ ପରି ରୋଜଗାର କରିପାରିବେ ବୋଲି ବିଳାସୀ କହିଛନ୍ତି | ବିଳାସୀଙ୍କ ଜୀବନ ସଂଘର୍ଷ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବା ନିଶ୍ଚୟ | ଆନ୍ତର୍ଜାତିକ ମହିଳା ଦିବସରେ ଏହି ପରିଶ୍ରମୀ ଓ ଦୃଢ ଇଛାଶକ୍ତି ଧାରୀ ମହିଳା ସଂଘର୍ଷକୁ ୟୋର ଷ୍ଟୋରୀର ପ୍ରଣାମ |