ଏକାମ୍ର ହାଟରେ ଆୟୋଜିତ ହେଲା ରାସ୍ତାକଡ଼ ପିଲାଙ୍କ ପାଇଁ “ଆଶାଏଁ’

ଏକାମ୍ର ହାଟରେ ଆୟୋଜିତ ହେଲା ରାସ୍ତାକଡ଼ ପିଲାଙ୍କ ପାଇଁ  “ଆଶାଏଁ’

Saturday February 06, 2016,

2 min Read

ଜୀବନ କଣ ଜାଣିବା ପାଇଁ ତାଙ୍କ ପାଖରେ କୌଣସି ସୁଯୋଗ ନାହିଁ । ନିଦରୁ ଉଠିଲେ ଜରି ଖଣ୍ଡେ ଧରି ବାହାରି ପଡ଼ନ୍ତି ଜରି, ଭଙ୍ଗା ବୋତଲ ଓ ପ୍ଲାଷ୍ଟିକ ସାମଗ୍ରୀ ଗୋଟାଇବାରେ । ରେଳ ଷ୍ଟେସନଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ରାସ୍ତାରେ ଏଭଳି ବେସାହାରା ଶହ ଶହ ପିଲାଙ୍କୁ ଦେଖିବାକୁ ମିଳେ । ସେମାନେ ଜୀବନର କଣ କରୁଛନ୍ତି ତାହା ଜାଣିବାକୁ କାହା ପାଖରେ ସମୟ ନାହିଁ । ସମସ୍ତେ ନିଜର କର୍ମକୁ ନେଇ ବ୍ୟସ୍ତ । କିନ୍ତୁ ଏଭଳି କିଛି ଯୁବକ ରହିଛନ୍ତି ଯେଉଁମାନେ ରାସ୍ତାକଡ଼ର ପିଲାମାନଙ୍କ ଜୀବନକୁ ଦେଖି ସହଜରେ ଶୋଇ ପାରୁ ନାହାନ୍ତି । ସେମାନଙ୍କୁ ଜୀବନର କଳା ଶିଖାଇବା ପାଇଁ ମନସ୍ଥ କରିଥିବା କିଛି ଯୁବକ ଏକାମ୍ର ହାଟରେ ଆୟୋଜନ କରିଥିଲେ କାର୍ଯ୍ୟକ୍ରମ ଆଶାଏଁ । ଏଥିରେ ଭାଗ ନେଇଥିବା ପିଲାମାନେ ବହୁତ ମଉଜ ମସ୍ତି କରିଥିଲେ । ସେମାନେ ନାଚ ଶିଖି ନାହାନ୍ତି । କିନ୍ତୁ ଆଜି ସେମାନେ ମନ ଖୋଲି ନାଚିଥିଲେ । ପେଟର କ୍ଷୁଧା ଯୋଗୁଁ କେବେ ହୃଦୟ ଖୋଲି ଖେଳିବାକୁ ସୁଯୋଗ ପାଇନଥିଲେ ହେଁ ଆଜି ଖୁବ୍ ଖେଳିଥିଲେ । ଆଉ ସେମାନଙ୍କ ପାଇଁ ଏମିତି ଏକ ସୁଯୋଗ ଆଣିଥିଲା ଏକାମ୍ର ହାଟରେ ଆୟୋଜିତ କାଯର୍ୟକ୍ରମ ଆଶାଏଁ.. । ଆଜି ଷ୍ଟ୍ରିଟ୍ ଚିଲ୍ଡ୍ରେେନ୍ସ ଡେ ପାଳନ ପରିପ୍ରେକ୍ଷୀରେ ଏମିତି ଏକ ଅବକାଶ ଆଣି ଦେଇଥିଲେ ୨୦ ଜଣ ଯୁବ ସାଥୀ । ରେଳ ଷ୍ଟେସନ୍ ଓ ବସଷ୍ଟାଣ୍ଡରେ ହାତ ପତେଇ ବୁଲୁଥିବା ଏହିଭଳି କିଛି ପିଲାଙ୍କୁ ସାଉଁଟି ସେମାନଙ୍କୁ ଜୀବନ ଜୀଇଁବାର କୌଶଳ ଶିଖାଇଥିଲେ ।

image


ନାଚ ଗୀତ ସାଙ୍ଗକୁ କିଛି ପିଲା ନିଜର ସ୍ୱପ୍ନର ଦୁନିଆ ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ । ଖେଳକୁଦ ସହିତ ଖୋର୍ଦ୍ଧାରୁ ଆସିଥିବା କୁନିକୁନି ପିଲାଙ୍କ ଦ୍ୱାରା ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ଅତିଥିମାନେ ପିଲାମାନଙ୍କୁ ପାଠ ପଢ଼ା ସାମଗ୍ରୀ ଯୋଗାଇ ଦେଇଥିଲେ । ପିଲାମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ ବୋଲି ଆୟୋଜକମାନେ କହିଥିଲେ । ଶେଷରେ ରାସ୍ତାକଡ଼ର ପିଲାମାନଙ୍କୁ ଭୋଜିକରି ଆପ୍ପାୟିତ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରତ୍ନାକର, ଚିନୁ, ଲିଜା, ମିଲି, ପୂଜା, ସାଗରିକା, ସଂଗ୍ରାମ, ପିଙ୍କି, ଅର୍ମାନ, ସୌମ୍ୟ, କଳ୍ପନା, ସୁନୟନୀ ଓ ଭାଗ୍ୟଶ୍ରୀ ପ୍ରମୁଖ ପରିଚାଳନା କରିଥିଲେ । ଡ.ପ୍ରତାପ ରଥ, ସଂଗ୍ରାମ ପାଇକରାୟ, ଶ୍ୱେତା ମିଶ୍ର ଓ ମଧୁ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। ପିଲାମାନଙ୍କ ଉଦ୍ଦେଶ୍ୟରେ ଉତ୍ସାହପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ରାସ୍ତାକଡ଼ ପିଲାଙ୍କ ପାଇଁ ଆୟୋଜନ କରାଯିବ ବୋଲି ସେମାନେ କହିଛନ୍ତି । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସେମାନେ କହିଛନ୍ତି ।