'Women Beyond Boundaries' : ତିନି ମାସ ଡ୍ରାଇଭିଂ କରି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କଲେ ତିନି ବାନ୍ଧବୀ

'Women Beyond Boundaries' : ତିନି ମାସ ଡ୍ରାଇଭିଂ କରି ଦିଲ୍ଲୀରୁ ଲଣ୍ଡନ  ଯାତ୍ରା କଲେ ତିନି ବାନ୍ଧବୀ

Wednesday December 30, 2015,

6 min Read

ତିନି ମହିଳା, ୨୩,୮୦୦ କିଲୋମିଟର, ୧୭ ଦେଶ, ୯୭ ଦିନ | ସଡକପଥରେ ଏକ ଅଭିନବ ଯାତ୍ରା | ବେଙ୍ଗାଲୁରୁରେ ରହୁଥିବା ତିନି ମହିଳ ନିଧି ତିୱାରୀ, ରଶ୍ମୀ କୋପ୍ପର ଓ ଡ. ସୌମ୍ୟା ଗୋୟଲ୍ ଭାରତର ରାଜଧାନୀ ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ସ୍କୋର୍ପିଓ ଗାଡି ଚଲାଇ ଏକ ସଫଳ ଯାତ୍ରା କରିଛନ୍ତି | ୨୩ ଜୁଲାଇରୁ ଇଣ୍ଡିଆ ଗେଟ୍ ସ୍ଥିତ ମେଜର ଧ୍ୟାନଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ଏହି ଅଭିନବ ଯାତ୍ରା | ୯୫ ଦିନ ପରେ ୨୭ ଅକ୍ଟୋବରରେ ଲଣ୍ଡନରେ ଏହି ଯାତ୍ରା ସମାପ୍ତ ହୋଇଥିଲା | ଏହି ମହିଳାମାନେ ପ୍ରମାଣିତ କରିଦେଲେ ଯେ ସେମାନେ ବିବାହିତ ଓ ପିଲାସଂସାର କରିବା ପରେ କାହାଠାରୁ ପଛରେ ନାହାନ୍ତି |

image


ଏହି ଅଭିଯାନର ସବୁଠାରୁ ରୋଚକ କଥା ହେଉଛି ଏହି ଯାତ୍ରାରେ ଗୋଟିଏ ଗାଡି ବ୍ୟବହାର ହୋଇଥିଲା ଓ କେବଳ ନିଧି ହିଁ ପ୍ରାୟ ୨୪ ହଜାର କିଲୋମିଟର ଚଲାଇଥିଲେ | ଏହି ପରିକଳ୍ପନା ନିଧି ହିଁ କରିଥିଲେ | କାରଣ ଲମ୍ବା ଯାତ୍ରା କରିବା ତାଙ୍କର ପୁରୁଣା ଅଭ୍ୟାସ ରହିଆସିଛି | ଜଣେ ସେନା ଅଧିକାରୀଙ୍କ ପତ୍ନୀ ଓ ଦୁଅ ପିଲାର ମା’ ନିଧି ଜଣେ ଜଣାଶୁଣା ଆଉଟଡୋର୍ ଶିକ୍ଷକ ଓ ଅଫ୍-ରୋଡ୍ ଜିପର ମଧ୍ୟ | ଯିଏ କି ବହୁଦୂର ଯାତ୍ରା କରିବା ସହ ଉଚ୍ଚସ୍ଥାନରେ ଡ୍ରାଇଭିଂ କରିବାର ଅଭିଜ୍ଞତା ରଖନ୍ତି |

ୟୋର ଷ୍ଟୋରୀ ସହ ଆଲୋଚନା କରିବା ସମୟରେ ନିଧି କହନ୍ତି, ‘‘ଏହି ଯାତ୍ରା କରିବା ପୂର୍ବରୁ ମୁଁ ପଶ୍ଚିମ ଘାଟ ବ୍ୟତୀତ ଭାରତର ହିମାଳୟ ନିକଟବର୍ତ୍ତୀ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ ଓ ନେପାଳ, ଭୂଟାନ, ଆମେରିକା, ଦକ୍ଷିଣ କୋରିଆ ଓ କେନିଆରେ ଡ୍ରାଇଭିଂ କରିସାରିଛି | ମୁଁ ବିବାହ ପୂର୍ବରୁ ହିଁ ବାଙ୍ଗାଲୋରରେ ଜିପିଂ କରୁଥିଲି | ସେତେବେଳେ ମୋତେ ବାଙ୍ଗାଲୋରର ପ୍ରଥମ ଜିପର୍‌ ବୋଲି କୁହାଯାଉଥିଲା|’’
image


ବିବାହ କରିବା ପରେ ନିଧି ଦିଲ୍ଲୀ ଚାଲିଆସିଥିଲେ | କିନ୍ତୁ ତାଙ୍କ ଯାତ୍ରା ଓ ଡ୍ରାଇଭିଂ ନିଶା କମ୍‌ ହୋଇନଥିଲା | ପୁଣି ତାଙ୍କ ସ୍ୱାମୀ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ | ନିଧି ତାଙ୍କ ସ୍ୱାମୀଙ୍କ ସହ ପୂରା ଦେଶ ବୁଲିଛନ୍ତି | ୨୦୦୭ରେ ପ୍ରଥମ ଥର ପାଇଁ ସେ ଲଦାଖକୁ ଡ୍ରାଇଭିଂ କରି ଯାଇଥିଲେ | ଏହା ପରେ ଉଚ୍ଚା ସ୍ଥାନମାନଙ୍କରେ ଡ୍ରାଇଭିଂ କରିବାକୁ ମଜା ଲାଗିଲା |

ସେ ଏହି କଥାକୁ ମନେପକାଇ କୁହନ୍ତି, “ଜିପ୍ ରେ ଲଦାଖ ଯାତ୍ରା କରିବା ସମୟରେ ବିଷମ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା ଓ ଅନ୍ୟ ସାଥିମାନେ ପଛକୁ ହଟିଥିଲେ ମଧ୍ୟ ମୁଁ ସୁରକ୍ଷିତ ଭାବେ ଜିପ୍ କୁ ଫେରାଇ ଆଣିବାରେ ସଫଳ ହୋଇଥିଲି | ସାରା ଦେଶ ବୁଲି ସାରିବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଡ୍ରାଇଭିଂକୁ ମୁଁ ଗୁରୁତ୍ୱ ଦେଉଛି |’’

ଲଦାଖରୁ ଫେରିବା ପରେ ତାଙ୍କର ପୁରୁଣା ବନ୍ଧୁ ସ୍ମିତା ରାଜାରାମଙ୍କ ସହ ଆଲୋଚନା କଲେ | ମହିଳାମାନଙ୍କ ମଧ୍ୟରେ ଡ୍ରାଇଭିଂ ପ୍ରତି ସଚେତନତା ବଢାଇବା ପାଇଁ ୱିମେନ୍ ବିଅଣ୍ଡ ବାଉଣ୍ଡ୍ରିଜ୍ (Women Beyond Boundaries) ଗଠନ କଲେ | ମହିଳାମାନେ ଯେ ଭଲ ଡ୍ରାଇଭିଂ କରିପାରିବେ ସେ ନେଇ ଭାରତରେ ଲୋକମାନଙ୍କ ମନରେ ସନ୍ଦେହ ରହିଛି ଓ ମହିଳାମାନେ ମଧ୍ୟ ଏ ଦିଗରେ ସଂଶୟ ମଧ୍ୟରେ ଅଛନ୍ତି |

image


ନିଧି କହନ୍ତି, ‘‘ଭାରତୀୟ ମହିଳାମାନଙ୍କ ମଧ୍ୟରେ ଡ୍ରାଇଭିଂ କୌଶଳ ବହୁତ କମ୍ ରହିଛି | ପୁଣି ପରିବାରରେ କୌଣସି ଗାଡି ଆସିଲେ, ସେମାନଙ୍କୁ ଚଲାଇବାର ସୁଯୋଗ ମିଳିନଥାଏ | ତେଣୁ ଗାଡି ଚଲାଇବାର ଆତ୍ମବିଶ୍ୱାସ ସେମାନଙ୍କର କମି ଯାଉଛି | ଆମ ସଂଗଠନ ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ଡ୍ରାଇଭିଂକୁ ନେଇ ଥିବା ଭୟ ଦୂର କରିବାକୁ ଆମେ ଚେଷ୍ଟା କରୁଛୁ | ଯେମିତି ସେମାନେ ପୁରୁଷଙ୍କ ଭଳି ଗାଡି ଚଲାଇ ପାରିବେ।’’
image


ୱିମେନ୍ ବିଅଣ୍ଡ ବାଉଣ୍ଡ୍ରିଜ୍ ଗଠନ କରି ଭାରତରୁ ଲଣ୍ଡନ ଯିବା ପାଇଁ ନିଷ୍ପତି ନେବା ପରେ ସେମାନଙ୍କ ପାଖରେ ବଡ ଚ୍ୟାଲେଂଜ୍‌ ଥିଲା ଏହାକୁ ପ୍ରାୟୋଜକ କରିବ କିଏ ? ନିଧି ପ୍ରାୟୋଜକ ଖୋଜିବାକୁ ଲାଗିଲେ | କେହି ମିଳୁନଥିଲେ | ତାଙ୍କୁ ନାକେଦମ ହେବାକୁ ପଡିଲା | ନିଧି କହନ୍ତି, ଅନେକ ଦେଶ, ଲମ୍ବା ଯାତ୍ରା, ଦୁର୍ଗମ ରାସ୍ତା ଓ ଜଣେ ମହିଳା | ଅଧିକାଂଶ ପ୍ରାୟୋଜକଙ୍କ ମନରେ ଆଶଙ୍କା ରହିଥିଲା | ଅନେକ ମୋତେ ପ୍ରଶ୍ନ କରିଥିଲେ – ଆପଣ କଣ କରିବାକୁ ଯାଉଛନ୍ତି, ତାହା ଠିକ୍ ଭାବେ ଜାଣିଛନ୍ତି ନା ନାହିଁ | ଆଉ କେତେକ କହିଥିଲେ ଏହା ଅସମ୍ଭବ | ଏ ସବୁ ମୋତେ ମୋ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିଥିଲା |’’

image


ଏହା ପରେ ସେ ପୁରୁଣା ଗାଡି କିଣାବିକା କରୁଥିବା କାମରେ ସକ୍ରିୟ ଥିବା ମହିନ୍ଦ୍ରା ଫାଷ୍ଟ ଚୟସ୍‌ ହ୍ୱିଲ୍ସର ସଂଚାଳକଙ୍କ ସହ ହେଲା | ଯିଏ ଏହି ଅଭିଯାନ ପ୍ରସ୍ତାବରେ ଆଗ୍ରହ ପ୍ରକାଶ କଲେ | ଏହି ଯାତ୍ରା ଅତ୍ୟନ୍ତ ଲମ୍ବା ଓ ବିପଦପୂର୍ଣ ଥିବାରୁ ଅନ୍ୟ କିଛି ସାଥୀଙ୍କୁ ସାମିଲ କଲେ ହିଁ ପ୍ରାୟୋଜକ କରିବେ ବୋଲି ରାଜି ହେଲେ | ଲେନେଭୋ ମଧ୍ୟ ଯାତ୍ରା ଆରମ୍ଭ ମାତ୍ରେ ଟିମ୍ ଫୋନ୍, ଥିଂକପ୍ୟାଡ୍ ଓ ଅନ୍ୟ ନାଭିଗେସନ୍ ଉପକରଣ ଦେବାକୁ ପ୍ରତିଶ୍ରୁତି ଦେଲା | ଯାହା ଫଳରେ ଆମର ଯାତ୍ରା ବହୁତ ସହଜ ହୋଇଗଲା |

ଏହା ପରେ ନିଧି ନିଜ ସ୍କୁଲ ବେଳର ଦୁଇଜଣ ପୁରୁଣା ସାଙ୍କ ରଶ୍ମୀ କୋପର ଓ ଡ. ସୌମ୍ୟା ଗୋୟଲଙ୍କୁ ଯୋଗାଯୋଗ କଲେ | ସେମାନେ ଏହି ଲମ୍ବା ଯାତ୍ରାରେ ସାଥୀ ହେବାକୁ ରାଜି ହୋଇଗଲେ | ଗୋଟିଏ ପିଲାର ମା ରଶ୍ମୀ କୋପର୍ ବାଙ୍ଗାଲୋରର ଏମ୍‌ ଏସ୍ ରାମୈୟା ୟୁନିଭସିଟିର ହୋଟେଲ୍ ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର | ତାଙ୍କର ସାହସିକ ଖେଳରେ ରୁଚି ଓ ବହୁଦୂର ଡ୍ରାଇଭିଂ କରିବାର ଅଭି‌ଜ୍ଞତା ରହିଛି | ଏହି ଯାତ୍ରାର ତୃତୀୟ ସାଥୀ ସୌମ୍ୟା ଜଣେ ଫିଜିକାଲ୍ ଥେରାପିଷ୍ଟ ଓ ତାଙ୍କର ଦୁଇଟି ପିଲା ଅଛନ୍ତି | ସେ ମଧ୍ୟ ଲମ୍ବା ଯାତ୍ରା କରିବା ଲାଗି ବହୁତ ଆଗ୍ରହୀ ଥିଲେ |

ଏହି ତିନିଜଣ ଏହି ଯାତ୍ରାର ରୂପରେଖ ତିଆରି କରିବା ସହ ମାନସିକ ଓ ଶାରିରୀକ ଭାବେ ପ୍ରସ୍ତୁତ ହେବା ପରେ ପୁଣି ଥରେ ପ୍ରାୟୋଜକଙ୍କ ସହ ଆଲୋଚନା କଲେ | ନିଧି କହନ୍ତି – “ଆମେ ପ୍ରସ୍ତୁତ ହେବା ମାତ୍ରେ ମହିନ୍ଦ୍ରା କମ୍ପାନୀ ଆମକୁ ଏକ ପୁରୁଣା ସ୍କୋର୍ପିଓ ପ୍ରଦାନ କଲା | ଯାହା ୬୮୫୦୦ କିଲୋମିଟର ଚାଲିଥିଲା | ମୋ ଅଭିଜ୍ଞତାରୁ ଜାଣିଛି ଏଭଳି ଯାତ୍ରା ପାଇଁ ଏକ ଭଲ ଗାଡିର ଆବଶ୍ୟକତା ରହିଛି | ୨ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିଥିବା ଗାଡି ମଧ୍ୟ ଏହି ଯାତ୍ରା ପାଇଁ ଉପଯୁକ୍ତ ହୋଇପାରିବ | ଏହା ବ୍ୟତୀତ ଯେହେତୁ ଆମକୁ ଅନେକ ଦେଶ ଦେଇ ଯିବାକୁ ପଡିବ, ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ କାର୍ଯ୍ୟାଳୟରୁ ବି ଅନୁମତି ନେବାକୁ ପଡିଥିଲା | ଯେଉଁଥିରେ ସେମାନେ ଆମକୁ ସହଯୋଗ କରିଥିଲେ |’’
image


ଶେଷରେ ୨୪ ଜୁଲାଇରୁ ହିଁ ଯାତ୍ରା ଆରମ୍ଭର ଦିନ ଥିଲା | ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ଓ ସର୍ବାନନ୍ଦ ସୋନେବାଲ୍ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ | ସେମାନେ ପ୍ରଥମ ସପ୍ତାହରେ ୨୫ ଶହ କିଲୋମିଟର ପାର କରି ମିଆଁମାରରେ ପହଁଚିସାରିଥିଲେ | ଏହା ପରେ ଚୀନ୍, କିର୍ଗିସ୍ତାନ, କାଜାକିସ୍ତାନ, ଉଜବେକିସ୍ତାନ,ଋଷ୍, ୟୁକ୍ରେନ୍, ଚେକ୍ ଗଣରାଜ୍ୟ, ଜର୍ମନୀ ଓ ବେଲଜିୟମ୍ ଆଦି ଦେଶ ଦେଇ ୨୭ ଅକ୍ଟୋବରକୁ ସମୁଦାୟ ୨୩,୮୦୦ କିଲୋମିଟର ସଡକ ପଥରେ ଡ୍ରାଇଭିଂ କରି ଲଣ୍ଡନରେ ପଂହଚିଥିଲେ |

image


ନିଧି କହନ୍ତି, ପ୍ରଥମେ ନେପାଳ ଦେଇ ଆଗକୁ ଯିବାର ଥିଲା | କିନ୍ତୁ ସେଠାରେ ଭୂମିକମ୍ପ ଆସିବା ପରେ ମିଆଁମାର ବାଟ ଦେଇ ଯିବାକୁ ପଡିଲା | କିନ୍ତୁ ସେଠାରେ ମଧ୍ୟ ଯାତ୍ରା ଏତେ ସହଜ ନଥିଲା | କାରଣ ସେଠାରେ ବନ୍ୟା ଆସି ଯାଇଥିବାରୁ ମାସେ ପର୍ଯ୍ୟନ୍ତ ସେହିଠାରେ ଅପେକ୍ଷା କରିବାକୁ ପଡିଲା | ସେଠାରୁ ଭାରତ ଫେରିଆସିବାକୁ ଆମକୁ ଅନେକ ଲୋକ ରାୟ ଦେଇଥିଲେ | ପୁଣି ଥରେ ଆର ବର୍ଷକୁ ପ୍ରୟାସ କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ | ଦୁଇ ସାଥୀ କିଛି ଦିନ ପାଇଁ ଫେରି ଆସିଥିଲେ | କିନ୍ତୁ ମୁଁ ସେଠାରେ ହିଁ ରହିଥିଲି | ବନ୍ୟା ଛାଡିବା ପରେ ମୁଁ ଏକୁଟିଆ ଆଗକୁ ବଢିଲି | ମେଣ୍ଡଲିନ୍ ପଂହଚିବା ପେର ରଶ୍ମୀ ଓ ସୌମ୍ୟା ମୋ ସହ ପୁଣି ସାମିଲ ହୋଇଥିଲେ |”
image


ମିଆଁମାରରେ ପ୍ରାୟ ୪ ସପ୍ତାହ ରହିଯିବା ପରେ ଭିସା ସମ୍ପର୍କିତ ସମସ୍ୟା ଦେଖାଦେଇଥିଲା | କେତେକ ଦେଶର ଭିସା ଅବଧି ମଧ୍ୟ ଶେଷ ହୋଇ ଯାଇଥିଲା | ତେବେ ସେଠାକାର ଦୂତାବାସ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଫଳରେ ଏହି ସବୁ ସମସ୍ୟା ଦୂର ହୋଇଯାଇଥିଲା |

ନିଧି କହନ୍ତି, ଏହି ଯାତ୍ରା ସମୟରେ ଆମକୁ ଅଧିକାଂଶ ନିର୍ଜନ କ୍ଷେତ୍ର, ଖରାପ ରାସ୍ତା, ଜଙ୍ଗଲ, ନଦୀ ଓ ନାଳ ମଧ୍ୟରେ ଯିବାକୁ ପଡିଥିଲା | ଏହା ରୋଚକ ଅନୁଭବ ହୋଇଥିଲେ ବି କେତେକ କ୍ଷେତ୍ରରେ ଏହା ବିପଦ ମଧ୍ୟ ଆଣିପାରେ | ତେବେ ଏସବୁ ମୋତେ ଅନେକ ପ୍ରେରଣା ଦେଇଛି | ପୁଣି ଜଣେ ଫୌଜିର ପତ୍ନୀ ହିସାବରେ ମୋତେ ଅଧିକ ସାହସ ମିଳୁଛି ’’

ଏହି ଯାତ୍ରା ସମୟରେ ଜଣପିଛା ୮ ଲକ୍ଷ ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚ ହୋଇଥିଲା | ଯାହା ପ୍ରାୟୋଜକ ଦେଉଥିବା ଖର୍ଚ ମଧ୍ୟରେ ନଥିଲା | ୱିମେନ୍ ବିଅଣ୍ଡ ବାଉଣ୍ଡ୍ରିଜ୍ ରେ ଅଧିକ ମହିଳାଙ୍କୁ ସାମିଲ କରି ଡ୍ରାଇଭିଂ ପାଇଁ ପ୍ରେରିତ କରିବା ତାଙ୍କର ଲକ୍ଷ୍ୟ ବୋଲି ନିଧି କୁହନ୍ତି | ପୁଣି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିବା ପରେ ଏମିତି ଅନ୍ୟ କେତେକ ଅଭିଯାନ ପାଇଁ ମଧ୍ୟ ସେ ଯୋଜନା କରୁଛନ୍ତି |

ଶେଷରେ ନିଧି କହନ୍ତି, ଦୂରତା ଅତିକ୍ରମ କରିବା ଯାତ୍ରାର ଲକ୍ଷ୍ୟ ନୁହେଁ | ନିଜ ଶକ୍ତିକୁ ଚିହ୍ନିବା ସହିତ ସେହି ଅନୁସାରେ ଲକ୍ଷ୍ୟ ନିର୍ଧାରଣ କରିବା ଓ ଏହାକୁ ହାସଲ କରିବା ଲାଗି ନିଜକୁ ପ୍ରୋତ୍ସାହିତ କରିବା | ଏହା ଫଳକ ହୋଇପାରେ, ନୂଆ ଲୋକ ହୋଇପାରେ କିମ୍ବା ହୋଇପାରେ ନିଜ ଭିତରେ ବଦଳୁଥିବା ନୂତନ ବ୍ୟକ୍ତିତ୍ୱ |”

ୱେବସାଇଟ/ଫେସବୁକ

ମୂଳ ଲେଖା - ନିଶାନ୍ତ ଗୋୟେଲ

ଭାଷାନ୍ତର - ଅଖଣ୍ଡ