ଓଡିଶାରେ ଗୀତ, ଗପ ମାଧ୍ୟମରେ ଆଦିବାସୀ ପିଲାଙ୍କ ଜୀବନ ବଦଳେଇ ଦେଇଥିବା ଶିକ୍ଷକ

ଓଡିଶାରେ ଗୀତ, ଗପ ମାଧ୍ୟମରେ ଆଦିବାସୀ ପିଲାଙ୍କ ଜୀବନ ବଦଳେଇ ଦେଇଥିବା ଶିକ୍ଷକ

Thursday January 21, 2016,

3 min Read

ନାଚ ଗୀତ ମାଧ୍ୟମରେ ଏହି ଶିକ୍ଷକ ଜଣଙ୍କ ବଦଳେଇ ଦେଲେ ଆଦିବାସୀ ପିଲାଙ୍କ ଜୀବନ । ପରିବର୍ତ୍ତନର ସୁଅ ଆଣି ଥିଲେ ।

“ପାଠ ପଢ଼ାଇବା ଏମିତି ଏକ କାର୍ଯ୍ୟ, ଯାହାକୁ ମୁଁ ଜୀବନ ତମାମ କରି ପାରିବି । ଏଥିରେ କିଛି ଗୋଟେ ଯାଦୁ ରହିଛି, ଯେତେବେଳେ ମୁଁ ପିଲାମାନଙ୍କ ସହ ଏକାଠି ରହେ, ସେମାନଙ୍କ ସହ ସମୟ ଅତିବାହିତ କରେ ମୁଁ ଏହାକୁ ଅନୁଭବ କରିପାରେ ।” ଏହା ଥିଲା ପାଠ ପଢ଼ାକୁ ନିଶା କରିଥିବା ଜଣେ ଯୁବ ଶିକ୍ଷୟିତ୍ରୀ ନିନୋକ୍ସା ଡି’ସିଲିଭାଙ୍କ ମତ ।

୨୦୧୨ ମସିହାରେ ସ୍ନାତକ ହେବା ପରେ ସେ ସବୁବେଳେ ଶିକ୍ଷାକୁ ନିଶା ଓ ପେଶା କରିବାକୁ ଚାହୁଁଥିଲେ। ତେଣୁ ଝାଡଖଣ୍ଡର ଏକ ସ୍କୁଲରେ ସେ ପାର୍ଟ ଟାଇମ୍ ଇଣ୍ଟର୍ଣ୍ଣସିପ୍ କରିବା ସହ ସେଠି ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେଉଥିଲେ । କିନ୍ତୁ ଏହା ତାଙ୍କ ପାଇଁ ଯଥେଷ୍ଟ ନଥିଲା । ସେ ସେମାନଙ୍କୁ ପଢ଼ାଇବାକୁ ଚାହୁଁଥିଲେ, ଯିଏ ଶିକ୍ଷାଠୁ ବହୁ ଦୂରରେ ।

image


ଏହି ସମୟରେ ସେ ଏସ ବି ଆଇ ୟୁଥ୍ ଫର୍ ଇଣ୍ଡିଆ ଫେଲୋସିପ୍ ବିଷୟରେ ଜାଣିବାକୁ ପାଇଲେ । ଏହା ତାଙ୍କୁ ନିଜର ନିଶାକୁ ଏକ ବଡ ସ୍ତରକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲା । ପରେ ଗୋଆର ଏହି ଝିଅ ଜଣଙ୍କ ବାହାରି ପଡିଲେ ଓଡିଶାର ଏକ ନିପଟ ମଫସଲ ଆଦିବାସୀ ଗାଁ କୋଇପୁରକୁ । ଶିକ୍ଷା ପାଇଁ ସଚେତନତା ଓ ଭଲ ପାଇବା ବିସ୍ତାର କରିବା ପାଇଁ । ମାତ୍ର ୪ ମାସ ମଧ୍ୟରେ ସେ ଅତି ସହଜରେ ପ୍ରାଞ୍ଜଳ ଓଡିଆ କହିବାକୁ ଲାଗିଲେ ଓ କିଛି ମାତ୍ରାରେ ସ୍ଥାନୀୟ ଭାଷା ସଉରା ମଧ୍ୟ କହୁଥିଲେ । ଧିରେ ଧିରେ ସେ ସ୍ଥାନୀୟ ସଂସ୍କୃତି, ସେଠାକାର ଲୋକକଥା, ଗୀତ, ନାଚ ଆଦି ଦେଖି ଦେଖି ଶିଖିବାକୁ ଆରମ୍ଭ କଲେ ଏବଂ ସେସବୁ ପିଲାମାନଙ୍କ ଆଗରେ ପରିବେଷଣ କରି ସେମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କଲେ । କିଛି ଦିନର ପରିଶ୍ରମ ପରେ ତାଙ୍କୁ ସଫଳତା ମିଳିଲା । ଜଣେ ବାହାର ଲୋକ ତାଙ୍କର ଗୀତ ନାଚ କରୁ ଥିବାର ଦେଖି ପିଲାମାନେ ତାଙ୍କୁ ସାଦରେ ଗ୍ରହଣ କଲେ । ବାସ୍ ସେଇଠୁ ନିନୋକ୍ସା ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ସେଠାକାର ଏକ ସ୍ଥାନୀୟ ସ୍କୁଲରେ ନିନୋକ୍ସା ପିଲାମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ । ଗୀତ, ନାଚ, ସେମାନଙ୍କ ଲୋକକଥା ପରିବେଶଣ ମାଧ୍ୟମରେ ସେ ସହଜରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ପାରୁଥିଲେ । କେବେବି ତାଙ୍କ ଶ୍ରେଣୀ ଘର ଖାଲି ରହୁ ନଥିଲା । ନିନୋକ୍ସାଙ୍କୁ ଗାଁ ରାସ୍ତାରେ ଦେଖିଲେ ପିଲାମାନେ ତାଙ୍କ ପାଖକୁ ଧାଇଁ ଆସୁଥିଲେ । ଏମିତି ଥିଲା ତାଙ୍କ ସଫଳତା ।

image


ନିନୋକ୍ସାଙ୍କ ମତରେ, “ପ୍ରଥମ ପାଦ ରଖିବା ସବୁବେଳେ କଷ୍ଟକର । କିନ୍ତୁ ତା’ ପରେ ସବୁକିଛି ସହଜ ହୋଇଯାଏ । ପ୍ରଥମେ ପ୍ରଥମେ ମୁଁ ଅଚିହ୍ନା ଅଜଣା ଜାଗାକୁ ଆସିଥିବାକୁ ଭୟଭୀତ ଥିଲି । କ’ଣ କରିବି କିଛି ଜାଣି ପାରୁ ନଥିଲି । କିନ୍ତୁ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଆଜି ମୁଁ ଏହି ଗାଁର ଗୋଟିଏ ଅଂଶବିଶେଷ । ମୁଁ ଭୟଭୀତ ନୁହେଁ । ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ ରହିଛି । ଏଣୁ ମୋତେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ । ହଁ ମୋବାଇଲ୍ ନେଟୱର୍କ, ଗମନାଗମନ ଓ ଅତ୍ୟାଧୁନିକ ସୁବିଧା ଏଠି ମିଳିବା ମୁସ୍କିଲ୍ । କିନ୍ତୁ ପିଲାମାନଙ୍କ ସହ ଖୁସିରେ ସମୟ କଟିଯାଉଛି । ଆଉ ମୁଁ ଏହାକୁ ଉପଭୋଗ କରୁଛି ।”

ନିନୋକ୍ସାଙ୍କ କଠିନ ପରିଶ୍ରମ ପିଲାମାନଙ୍କ ମନୋବୃତ୍ତି ପରିବର୍ତ୍ତନ ଦିଗରେ ମଧ୍ୟ ଫଳପ୍ରଦ ହୋଇଛି । ଗାଁର ଜଣେ ୧୦ମ ଶ୍ରେଣୀର ଛାତ୍ର ବିକୁ କେବି ବି ସ୍କୁଲ୍ ଆସୁ ନଥିଲା । ସବୁବେଳେ ସମୟ ନଷ୍ଟ କରୁଥିଲା ଓ ଗାଁ ଲୋକେ କହୁଥିଲେ ସେ କିଛି ଜାଣେ ନାହିଁ । ସେ ସ୍ପଷ୍ଟ ଭାବେ କୌଣସି ଶବ୍ଦ ଉଚ୍ଚାରଣ କରି ପାରୁ ନଥିଲା ଓ ଭାରି ଲାଜକୁଳା ଥିଲା । ଏହା ନିନୋକ୍ସାଙ୍କ ଦୃଷ୍ଟିକୁ ଆସିଲା । ସେ ତାକୁ ଏହି ଦୁର୍ବଳତାରୁ ମୁକ୍ତି ପାଇବା ପାଇଁ ପ୍ରୋତ୍ସାହିତ ଓ ସାହାଯ୍ୟ କଲେ । ତା’ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଥିଲେ । କିଛି ଦିନ ମଧ୍ୟରେ ବିକୁ ପୁରା ଶ୍ରେଣୀ ଗୃହ ମଧ୍ୟରେ ଠିଆ ହୋଇ ବଡ ପାଟିରେ ଓଡିଆ ଖବର କାଗଜ ପଢିବାକୁ ସକ୍ଷମ ହୋଇ ପାରିଥିଲା ।

ନାଚ ଗୀତ ମାଧ୍ୟମରେ ଏହି ଶିକ୍ଷକ ଜଣଙ୍କ ବଦଳେଇ ଦେଲେ ଆଦିବାସୀ ପିଲାଙ୍କ ଜୀବନ ।