ଅକ୍ସଫୋର୍ଡରେ ଓଡ଼ିଶୀ : ବୈଶାଳୀ ମହାନ୍ତିଙ୍କ ଅଭିନବ ଉଦ୍ୟମ

ଅକ୍ସଫୋର୍ଡରେ ଓଡ଼ିଶୀ : ବୈଶାଳୀ ମହାନ୍ତିଙ୍କ ଅଭିନବ ଉଦ୍ୟମ

Wednesday January 13, 2016,

2 min Read

image


ବିଶ୍ୱପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀକୁ ବିଦେଶ ମାଟିରେ ଅଧିକ ପରିଚିତ କରାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଓଡ଼ିଆ ଝିଅ ବୈଶାଳୀ ମହାନ୍ତି । ଇଂଲଣ୍ଡର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରିସରରେ ଅକ୍ସଫୋର୍ଡ ଓଡ଼ିଶୀ ସେଣ୍ଟର ନାମରେ ଏକ ଓଡ଼ିଶୀ ନୃତ୍ୟ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ବୈଶାଳୀ । କେବଳ ସେତିକି ନୁହେଁ, ସେଠାରେ ଆଗାମୀ ମେ ମାସରେ କେନ୍ଦ୍ର ପକ୍ଷରୁ ଅକ୍ସଫୋର୍ଡ ଓଡ଼ିଶୀ ଫେଷ୍ଟିଭାଲ ଅନୁଷ୍ଠିତ ମଧ୍ୟ ହେବାର ଯୋଜନା ରହିଛି ।

ଅକ୍ସଫୋର୍ଡ ଓଡ଼ିଶୀ ସେଣ୍ଟର

image


ଅକ୍ସଫୋର୍ଡରେ ଇଣ୍ଟରନାସନାଲ ଷ୍ଟଡିଜରେ ସ୍ନାତକୋତ୍ତର କରୁଥିବା ଓଡ଼ିଆ ଝିଅ ବୈଶାଳୀ ଚଳିତ ଜାନୁଆରି ୧୬ ତାରିଖରେ ଏହି କେନ୍ଦ୍ର ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି । କେନ୍ଦ୍ର ପକ୍ଷରୁ ନିୟମିତ ଓଡ଼ିଶୀ ନୃତ୍ୟ ଶିକ୍ଷା ଦିଆଯିବ । ଏହା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପାଠ୍ୟ ବହିର୍ଭୂତ ବିଷୟ ଭାବେ ଶିକ୍ଷା ଦିଆଯିବ।

ବୈଶାଳୀ କହନ୍ତି, ‘ପ୍ରଥମେ ସପ୍ତାହାନ୍ତରେ ଦୁଇଟି ଶ୍ରେଣୀରେ ଓଡ଼ିଶୀ ଶିକ୍ଷା ଦିଆଯିବାକୁ ଯୋଜନା ରହିଛି । ମାତ୍ର ୩୦ ଜଣଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ହୋଇଥିବା ବେଳେ ଏଯାଏଁ ୬୦ରୁ ଅଧିକ ଛାତ୍ରଛାତ୍ରୀ ଓଡ଼ିଶୀ ଶିଖିବା ଲାଗି ଆବେଦନ କଲେଣି । ୧୬ ତାରିଖରେ କେନ୍ଦ୍ର ଉଦଘାଟନ ପରେ ଓଡ଼ିଶୀ ଶିକ୍ଷା ଲାଗି ଚୂଡ଼ାନ୍ତ ପ୍ରାର୍ଥୀ ଚୟନ କରିବୁ ।’

Performing Odissi at the historic Corpus Christi’s Hall, University of Oxford, for a charity event of OIS, on Nov 21, 2015, Saturday

Performing Odissi at the historic Corpus Christi’s Hall, University of Oxford, for a charity event of OIS, on Nov 21, 2015, Saturday


କେବଳ ଓଡ଼ିଶୀ ନୃତ୍ୟ ଶିକ୍ଷା ନୁହେଁ - କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ, ଲଣ୍ଡନ ସ୍କୁଲ ଅଫ୍ ଇକନୋମିକ୍ସ, ଲଣ୍ଡନ ୟୁନିଭର୍ସିଟି କଲେଜ, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଏଡିନବର୍ଗ ବିଶ୍ୱବିଦ୍ୟାଳୟ ଭଳି ଅନ୍ୟ ଶିକ୍ଷାୟତନରେ ମଧ୍ୟ କେନ୍ଦ୍ର ପକ୍ଷରୁ ଓଡ଼ିଶୀ ଉପରେ କର୍ମଶାଳା ମାନ ଆୟୋଜିତ ହେବ ବୋଲି ସେ କହିଛନ୍ତି ।

ଇଂଲଣ୍ଡରେ ଓଡ଼ିଶୀ ଶିକ୍ଷାଦାନ ଓ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ବୈଶାଳୀ ମତ ଦିଅନ୍ତି, ‘ଓଡ଼ିଶୀ ଶିଖିବା ପାଇଁ ଏଠାରେ ଯୁବପିଢ଼ି ମଧ୍ୟରେ ଆଗ୍ରହ ପ୍ରବଳ । ତେଣୁ ମୁଁ ଯେତେବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଦେଲି, ସେମାନେ ସଙ୍ଗେସଙ୍ଗେ ରାଜି ହୋଇଗଲେ ।’

image


ବୈଶାଳୀ ମହାନ୍ତି

ବୈଶାଳୀଙ୍କ ଘର ପୁରୀରେ । ସେ ସ୍ଵର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଠାରୁ ଓଡ଼ିଶୀ ଶିକ୍ଷା କରିଛନ୍ତି । ବର୍ତମାନ ଅକ୍ସଫୋର୍ଡରେ ପାଠ ପଢ଼ୁଥିବା ବୈଶାଳୀ ଦେଶ ଓ ଦେଶ ବାହାରେ ବିଭିନ୍ନ ଉତ୍ସବରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଓଡ଼ିଶୀ ନୃତ୍ୟ ବ୍ୟତୀତ ସେ ସାଂପ୍ରତିକ ପ୍ରସଙ୍ଗକୁ ନେଇ ସ୍ତମ୍ଭଲିଖନରେ ମଧ୍ୟ ରୁଚି ରଖନ୍ତି । ତାଙ୍କର ସ୍ତମ୍ଭ ସବୁ ସ୍କ୍ରଲ୍, ମେନଷ୍ଟ୍ରିମ୍ ଓ ଇକନୋମିଷ୍ଟ୍ ଭଳି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆସନ୍ତା ମେ ମାସରେ ଅକ୍ସଫୋର୍ଡରେ ଓଡ଼ିଶୀ କେନ୍ଦ୍ର ପକ୍ଷରୁ ଅକ୍ସଫୋର୍ଡ ଓଡ଼ିଶୀ ଫେଷ୍ଟିଭାଲ ଆୟୋଜନ ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି ।

ବୈଶାଳୀଙ୍କ ବିଷୟରେ ଅଧିକ ସୂଚନା ପାଇଁ ତାଙ୍କୁ ଫେସବୁକରେ ଅନୁସରଣ କରିପାରିବେ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।