ବାଟ ଦେଖାଉଛି ‘ଟୁର୍ ଭୁବନେଶ୍ୱର’

ବାଟ ଦେଖାଉଛି ‘ଟୁର୍ ଭୁବନେଶ୍ୱର’

Sunday November 08, 2015,

3 min Read

ରାଜଧାନୀ ଭୁବନେଶ୍ୱରର ଗଳି, କନ୍ଦିର ସୂଚନା ମିଳିବ କେବଳ ଗୋଟିଏ କ୍ଲିକରେ । ସହରର ପ୍ରମୁଖ ମନ୍ଦିର ଓ ପାର୍କଠୁ ନେଇ ଶପିଙ୍ଗ ମଲ୍, ସିନେମା ହଲ୍, ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବ୍ ଯାଏ । କେବଳ ଗୋଟିଏ ମାଧ୍ୟମରେ ଏସବୁ ତଥ୍ୟ ହାତପାହାନ୍ତାରେ ପାଇ ହେବ । ବାସ୍ ଖାଲି ଇଣ୍ଟରନେଟ୍ ଖୋଲି ୱେବସାଇଟ୍ ଖୋଲନ୍ତୁ ।

image


ଏବେ ରାଜଧାନୀ ଓ ଏହାର ଆଖପାଖରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଖୋଲିଲାଣି । ଭୁବନେଶ୍ୱର ଶିକ୍ଷା ହବ୍ ପାଲଟିଛି । ବହୁ ଆଇଟି ଓ କର୍ପୋରେଟ୍ କମ୍ପାନୀ ବି ସହରକୁ ଆସିଲେଣି । ଏଠାରେ ପଢିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ପିଲା ଭୁବନେଶ୍ୱର ଦୌଡୁଛନ୍ତି । ଏହାଛଡା ମନ୍ଦିରମାଳିନୀ ସହରକୁ ପର୍ଯଟକମାନେ ବହୁ ସଂଖ୍ୟାରେ ବୁଲିବାକୁ ଆସୁଛନ୍ତି । ହେଲେ ଏଠାକୁ ଆସୁଥିବା ଲୋକେ ସହର ବାବଦରେ ଆବଶ୍ୟକ ସୂଚନା ପାଇବାରେ ସମସ୍ୟା ଭୋଗୁଛନ୍ତି । ସହରରେ କେଉଁଠି ଉପଯୁକ୍ତ ଗାଇଡ୍ ମ୍ୟାପ୍ କି ସୂଚନା କେନ୍ଦ୍ର ନାହିଁ । ଏହି ସମସ୍ୟା ଏଡାଇବାକୁ ସିଇଟି କଲେଜର କିଛି ଛାତ୍ର ଚିନ୍ତା କଲେ । ସେମାନଙ୍କର ଏହି ଚିନ୍ତାରୁ ଆରମ୍ଭ ହେଲା ଆଣ୍ଡ୍ରଏଡ୍ ମୋବାଇଲ୍ ଆପସ୍ ଓ ୱେବସାଇଟ୍ www.tourbbsr.in। ଭୁବନେଶ୍ୱରକୁ ନେଇ ବହୁ ଆବଶ୍ୟକୀୟ ସୂଚନା ଏଥିରେ ରହିଛି । ଏହି ୱେବସାଇଟ୍ ଦିନକୁ ଦିନ ଲୋକପ୍ରିୟ ମଧ୍ୟ ହେଉଛି । ଏହାକୁ ପ୍ରତିଦିନ ହଜାର ହଜାର ଲୋକ ଦେଖୁଛନ୍ତି ।

image


ତେବେ ଏହି ମୋବାଇଲ୍ ଆପସ୍ ଓ ୱେବସାଇଟ୍ର ପ୍ରତିଷ୍ଠାତା ହେଉଛନ୍ତି ସିଇଟି କଲେଜର ତୃତୀୟ ବର୍ଷର ଛାତ୍ର ରୁଦ୍ରାକ୍ଷ ବଡୁ । ଗତ ଏପ୍ରିଲ ମାସରେ ସେ ପ୍ରଥମେ ଆରମ୍ଭ କରିଥିଲେ ଆଣ୍ଡ୍ରଏଡ୍ ମୋବାଇଲ୍ ଆପସ୍ । ପରେ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ନିଜସ୍ୱ ବୈଷୟିକ ଜ୍ଞାନ ସହାୟତାରେ ଜୁନ୍ ପ୍ରଥମ ସପ୍ତାହରେ ଆରମ୍ଭ କରିଥିଲେ ୱେବସାଇଟ୍ ‘ଟୁର୍ ଭୁବନେଶ୍ୱର’ । ସମସ୍ତେ ନିଜ ପକେଟ ମନିରୁ କିଛି ଅର୍ଥ ଦେଇ ଏହାକୁ ଆରମ୍ଭ କଲେ । ଆଣ୍ଡ୍ରଏଡ୍ ମୋବାଇଲ ଆପସ୍ ତିଆରି ପାଇଁ ସେମାନଙ୍କୁ ଗୁଗୁଲ୍ ଡେଭଲପର ଗ୍ରୁପ୍ ସହାୟତା କରିଥିଲା । ସେହିପରି ନିଓ ସି ସଲୁ୍ୟସନ୍ ନାମକ ଏକ ଆଇଟି ସଂସ୍ଥା ସେମାନଙ୍କୁ ୱେବସାଇଟ୍ ପ୍ରସ୍ତୁତିରେ ଆର୍ଥିକ ସହାୟତା କରିଥିଲେ ।

image


ଏହି ୱେବସାଇଟ୍ ସହାୟତାରେ ସବୁ ପ୍ରମୁଖ ସ୍ଥାନର ସୂଚନା ସାଙ୍ଗକୁ ବୁ୍ୟଟିପାର୍ଲର, ଫଟୋଗ୍ରାଫର, ଟ୍ରାଭେଲ୍ ଏଜେଣ୍ଟ, ଜୁଏଲାରୀ ଦୋକାନ, ଇଣ୍ଟେରିଅର ଡିଜାଇନର ଓ ଅନ୍ୟ ଦୋକାନୀଙ୍କ ନମ୍ବର ଆଉ ଠିକଣା ଦେଖି ହେଉଛି । ଖାଲି ସେତିକି ନୁହେଁ ବହୁ ପ୍ରମୁଖ ଛକରେ ଠିଆ ହେଉଥିବା ଅଟୋବାଲାଙ୍କ ନାଁ ଓ ମୋବାଇଲ୍ ନମ୍ବର, ଅନ୍ୟ ସହରକୁ ଯାଉଥିବା ବସ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା, ଭୁବନେଶ୍ୱର ମହାନଗର ନିଗମର ସବୁ କର୍ପୋରେଟର, ଅଫିସରଙ୍କ ନମ୍ବର ରହିଛି ।

ୱେବସାଇଟର ପ୍ରତିଷ୍ଠାତା ରୁଦ୍ରାକ୍ଷ କୁହନ୍ତି, ରାଜଧାନୀ ଭୁବନେଶ୍ୱର ଏବେ ଶିକ୍ଷା, ଆଇଟି ଓ କର୍ପୋରେଟ୍ ହବ୍ ପାଲଟିଲାଣି । ରାଜ୍ୟର ଅନ୍ୟ ସ୍ଥାନ ଓ ରାଜ୍ୟ ବାହାରୁ ଆସୁଥିବା ଛାତ୍ରଛାତ୍ରୀ ଓ ଲୋକେ ସହରର କେଉଁଠି କଣ ଅଛି ଓ ସବୁ ସେବା ପାଇବା କଷ୍ଟକର ହୋଇପଡିଛି । ସମସ୍ତଙ୍କୁ ଇଣ୍ଟରନେଟରେ ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସୂଚନା ଦେବାକୁ ଆମେ ଏହି ପ୍ରୟାସ କରିଛୁ । ସବୁ ବର୍ଗର ଲୋକଙ୍କ ଆବଶ୍ୟକ ସୂଚନା ଏଥିରେ ଦିଆଯାଇଛି । ଆଗକୁ ଆହୁରି ୱେବ୍ସାଇଟରେ ଖୁବଶୀଘ୍ର ଆଉ ଦୁଇଟି ଟ୍ୟାବ୍ ଷ୍ଟଡି ଓ କର୍ପୋରେଟ୍ ଅଫିସ ଯୋଡାଯିବ ।

image


ଏହି ୱେବ୍ସାଇଟରେ ଟୁରିଜିମ୍, ଟ୍ରାନ୍ସପୋର୍ଟ, ଟେଲିଫୋନ୍, ଲିଜର୍, ଫୁଡ୍(ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟସ୍) ଓ ଏମରଜେନ୍ସୀ ଭଳି ୭ଟି ଟ୍ୟାବ୍ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମରଜେନ୍ସୀ ଟ୍ୟାବରେ ବହୁ ଜରୁରୀକାଳୀନ ସୂଚନା ଅଛି । ତତ୍କାଳ ଆମ୍ବୁଲାନ୍ସ ନମ୍ବର, ବିଭିନ୍ନ ହସ୍ପିଟାଲର ବ୍ଲଡବ୍ୟାଙ୍କ ନମ୍ବର, ଫାୟାର ବ୍ରିଗେଡ ଅଫିସ୍, ଫୁ୍ୟଜ୍ କଲ୍ ସେଣ୍ଟର, ସହରର ସବୁ ପ୍ରମୁଖ ହସ୍ପିଟାଲର ନମ୍ବର ଓ ଠିକଣା, ଜନସ୍ୱାସ୍ଥ୍ୟ ବିଭାଗର ନମ୍ବର ଓ କମିଶନରେଟ ପୁଲିସର ଡିସିପିଙ୍କଠୁ ସବୁ ଥାନାର ଅଧିକାରୀଙ୍କ ନମ୍ବର ରହିଛି ।

ରୁଦ୍ରାକ୍ଷ କୁହନ୍ତି, ଆଗାମୀ ଦିନରେ କଟକ ଓ ପୁରୀ ସହର ବାବଦରେ ସୂଚନା ଏଥିରେ ଯୋଡିବାକୁ ଯୋଜନା ଅଛି। ଏବେ ୱେବସାଇଟକୁ ଆହୁରି ଅଧିକ ଡେଭଲପ୍ କରିବାକୁ କାମ ଚାଲିଛି । ଅଧିକ ଟେକନୋଲୋଜି ଓ ଫିଚର ସପୋର୍ଟ କରୁଥିବା ଆଣ୍ଡ୍ରଏଡ୍ ମୋବାଇଲ ଆପସ୍ ମଧ୍ୟ ଡିଜାଇନ୍ ହେଉଛି । ଭୁବନେଶ୍ୱର ବାବଦରେ ଥିବା ଆହୁରି ବହୁ ତଥ୍ୟ ଏଥିରେ ଯୋଡାଯିବ ଓ ଏହାକୁ ୟୁଜର ଫ୍ରେଣ୍ଡଲି କରିବୁ ।