ରୋମନ୍ ସୈନି: ଆଇଏଏସ୍ ଚାକିରି ଛାଡ଼ିଦେଲେ, ମାଗଣାରେ ପିଲାଙ୍କୁ ପାଠ ପଢ଼ାଇବେ

ରୋମନ୍ ସୈନି: ଆଇଏଏସ୍ ଚାକିରି ଛାଡ଼ିଦେଲେ, ମାଗଣାରେ ପିଲାଙ୍କୁ ପାଠ ପଢ଼ାଇବେ

Friday January 15, 2016,

2 min Read

କିଛି ଅଲଗା କରିବାର ଅଦମ୍ୟ ଇଛା ଥିଲେ ପଦ ପଦବୀର ଆବଶ୍ୟକତା ଦରକାର ପଡ଼େ ନାହିଁ । ଏହାକୁ ସତ ପ୍ରମାଣିତ କରିବାକୁ ଯାଉଛନ୍ତି ଜଣେ ଯୁବକ । ତାଙ୍କର ପ୍ରେରଣାଦାୟୀ କାହାଣୀ ଦେଶର ଯେ କୌଣସି ଯୁବକର ମନକୁ ଦୋହଲାଇବାକୁ ସେକ୍ଷମ ।

image


ସେ ହେଉଛନ୍ତି ରୋମନ୍ ସୈନି । ଆଇଏଏସ୍ ଅଫିସର୍ ଭାବେ ଚାକିରି ପାଇଥିଲେ । ଏବେ ସେହି ସମ୍ମାନଜନକ ଚାକିରିକୁ ସେ ଛାଡ଼ି ଦେଇଛନ୍ତି । ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବା ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କର ଏହି ନିଷ୍ପତି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ପ୍ରେରଣାଦାୟକ ବୋଲି ମଧ୍ୟ ମନେ ହେଉଛି ।

ରୋମନଙ୍କ ବୟସ ହେଉଛି ମାତ୍ର ୨୪ ବର୍ଷ । ସେ ଆଇଏଏସ୍ ପରୀକ୍ଷାରେ ପାସ୍ କରିବା ପରେ ଜବଲପୁରରେ ଉପ ଜିଲ୍ଲାପାଳ ଭାବେ ତାଲିମ ନେଉଥିଲେ । ସେ ନିଜ ଚାକିରିରୁ ଇସ୍ତଫା ଦେଇଦେଇଛନ୍ତି । ଆଗକୁ ସେ ଗରିବ ପିଲାମାନଙ୍କୁ ମାଗଣାରେ ଆଇଏଏସ୍ ପରୀକ୍ଷା ପାଇଁ ଟ୍ୟୁସନ ପ୍ରଦାନ କରିବେ । ସେ ଅନଲାଇନରେ ଏହି ଟ୍ୟୁସନ ଦେବେ । AIIMSରୁ ସ୍ନାତକ ଶିକ୍ଷା ହାସଲ କରିଥିବା ରୋମନ୍ “Unacademy’ ନାମକ ଏକ ସଂସ୍ଥା ଗଠନ କରିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ଦେଶର ସେବା କରିବା ପାଇଁ ତାଙ୍କ ମନରେ ପ୍ରବଳ ଉତ୍ସାହ ଜାଗ୍ରତ ହେବାରୁ ଇସ୍ତଫା ଦେବାକୁ ମନ କରିଥିଲେ ବୋଲି ସେ କହିଛନ୍ତି ।

ରବିବାର ଏକ ଫେସବୁକ୍ ପେଜରେ ସେ ଲେଖିଛନ୍ତି ଯେ ୨୦୧୧ରେ ଆମେ Unacademy ନାମକ ଏକ Youtube ଚ୍ୟାନେଲ୍ ଖୋଲିଥିଲୁ । ବନ୍ଧୁ ଗୌରବ ମୁଞ୍ଜାଲ୍ ଓ ମୁଁ ମିଶି ଏହାକୁ ୨୦୧୧ରେ ଆରମ୍ଭ କରିଥିଲୁ । ଗୌରବଙ୍କର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ସେହି ଲକ୍ଷ୍ୟକୁ ପୂରଣ କରିବାକୁ ସେ ମୋତେ ସହଯୋଗ ମାଗିଥିଲେ । ତାଙ୍କ ସହ ଯୋଡ଼ି ହେବାକୁ ସେ ଅନୁରୋଧ କରିଥିଲେ । ସେଥିପାଇଁ ମୁଁ ଚାକିରିରୁ ଇସ୍ତଫା ଦେଇଦେଲି ବୋଲି ରୋମନ୍ କହିଛନ୍ତି ।

ଚାରି ବର୍ଷ ତଳେ ଆରମ୍ଭ ହୋଇଥିବା ଅନଏକାଡେମିରେ ଏବେ ୧.୧ କୋଟି ବିଷୟ ବସ୍ତୁ ରହିଛି । ଏହା ଦେଶର ସବୁଠୁ ବଡ଼ Youtube ଚ୍ୟାନେଲରେ ପରିଣତ ହୋଇପାରିଛି । Unacademy ଯୋଗୁଁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭବାନ ହୋଇସାରିଲେଣି । ରୋମନ୍ ଲେଖିଛନ୍ତି କିଛି ଦିନ ତଳେ ସେ ଓ ଗୌରବ ମିଶି Unacademy ପାଇଁ ସମ୍ପୂର୍ଣ୍ଣ ଭାବେ କାମ କରିବାକୁ ନିଷ୍ପତି ନେଇଥିଲେ । ରୋମନ୍ ଲେଖିଛନ୍ତି ଯେ ଇସ୍ତଫା ଦେବା ନିଷ୍ପତି ତାଙ୍କ ପାଇଁ ବହୁତ କଠିନ ଥିଲା । କିନ୍ତୁ ଅନଏକାଡେମି ପାଇଁ ସମ୍ପୂର୍ଣ୍ଣ ଭାବେ କାମ କରିବାକୁ ତାଙ୍କ ମନରେ ଅଦମ୍ୟ ଆଗ୍ରହ ଥିଲା । ଯାହାକୁ ସେ ଅଣଦେଖା କରିପାରି ନଥିଲେ । ସେଥିପାଇଁ ଆଇଏଏସ୍ ଭଳି ସମ୍ମାନଜନକ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।