ରାଜ୍ୟରେ ଖୋଲିଲା ପ୍ରଥମ ଭାଷା ପାଠାଗାର

ରାଜ୍ୟରେ ଖୋଲିଲା ପ୍ରଥମ ଭାଷା ପାଠାଗାର

Wednesday February 24, 2016,

1 min Read

ଓଡ଼ିଶାର ପ୍ରଥମ ଭାଷାଭିତିକ ପାଠାଗାର ଉନ୍ମୋଚିତ ହୋଇଛି । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏହାକୁ ପ୍ରତିଷ୍ଠା କରାଯାଇଛି । ଶାସ୍ତ୍ରୀୟ ଓଡ଼ିଆ ଭାଷାର ଭିତି ଓ ଭବିଷ୍ୟତ ନିର୍ଣ୍ଣୟ କରିବା ପାଇଁ ଏକ ଉନ୍ନତ ଗବେଷଣାଭିତ୍ତିକ ପାଠାଗାରର ଆବଶ୍ୟକତା ରହିଛି । ସେଦିଗରେ ଏହି ପାଠାଗାର ଗୁରୁତ୍ୱ ବହନ କରିବ । ଶାସ୍ତ୍ରୀୟ ମାନ୍ୟତା ପାଇଁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହାଦ୍ୱାରା ଓଡିଆ ଭାଷା, ସାହିତ୍ୟ ଏବଂ ଓଡ଼ିଶାର ଇତିହାସ ସଂସ୍କୃତିର ବିକାଶ ହୋଇପାରିବ ।

image


ଏହି ପାଠାଗାରକୁ ମନ୍ତ୍ରୀ ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି ।

ସହିଦନଗରସ୍ଥିତ ଆଇ.ଏ.ଏସ୍. ପଥି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରଫେସର ନଟବର ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ଓଡିଆ ଭାଷାର ବୃହତ ଅଭିଧାନ ଶବ୍ଦସିନ୍ଧୁ ଅନାବରଣ କରି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷଣା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଆଇ.ଏ.ଏସ. ପଥି ଦ୍ୱାରା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେବା, ସେମାନଙ୍କ ପାଇଁ ଉଚ୍ଚକୋଟୀର ପାଠ୍ୟପୁସ୍ତକ ପ୍ରସ୍ତୁତ, ଓଡିଆ ଭାଷା ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସରକାର ଖୁବଶୀଘ୍ର ଗବେଷଣାଭିତ୍ତିକ ପୂର୍ଣ୍ଣାଙ୍ଗ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଶାସ୍ତ୍ରୀୟ ଓଡ଼ିଆ ସଂସ୍ଥା ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ।

ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି, କେନ୍ଦ୍ର ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଉପସ୍ଥିତ ଥିଲେ ।