ଭିକାରୀଙ୍କ ଦାନ ଅର୍ଥରେ ମନ୍ଦିରରେ ପକ୍ଷୀଙ୍କ ପାଇଁ ତିଆରି ହେବ ଘର

ଭିକାରୀଙ୍କ ଦାନ ଅର୍ଥରେ ମନ୍ଦିରରେ ପକ୍ଷୀଙ୍କ ପାଇଁ ତିଆରି ହେବ ଘର

Tuesday February 23, 2016,

2 min Read

ଭିକ ମାଗି ଗୁଜୁରାଣ ମେଂଟାଉଥିଲେ । କିନ୍ତୁ ମନରେ ଭିତରେ ଥିବା ପରୋପକାର ଭାବ ତାଙ୍କର ମରି ନ ଥିଲା । ମଣିଷ କଥା ଛାଡ଼ନ୍ତୁ ପଶୁପକ୍ଷୀଙ୍କ ପ୍ରତି ତାଙ୍କ ମନରେ ପ୍ରବଳ ଦୟା ଥିଲା । ସେଥିପାଇଁ ଭିକ ମାଗି ଯେତିକି ଅର୍ଥ ସଂଚୟ କରିଥିଲେ ତାହାକୁ ଦାନ କରିଦେଲେ ଏକ ମନ୍ଦିରକୁ । ଏକ ମହତ କାମ ପାଇଁ । ସେହି ଦାନ ଅର୍ଥ ମନ୍ଦିର ପକ୍ଷରୁ ପକ୍ଷୀମାନଙ୍କ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି ।

image


ପୋପଟ ଭାବେ ଲୋକେ ତାଙ୍କୁ ଜାଣନ୍ତି । ଜୀବନର ୪୦ ବର୍ଷ ସେ ଭିକ ମାଗି ଚଳିଛନ୍ତି । ରାଜା ରାଜପୁତଙ୍କ ଅଂଚଳ ଗୁଜୁରାଟର କଛରେ ସେ ଭିକ ମାଗୁଥିଲେ । ପ୍ରତିଦିନ ଯାହା ମିଳୁଥିଲା ମନ୍ଦିରକୁ ଦାନ କରିଦେଉଥିଲେ । ୧୯୭୩ ମସିହାରୁ ସେ ଭିକ ମାଗୁଥିବା ଜଣାପଡ଼ିଛି । ତାଙ୍କର ମାନସିକ ସନ୍ତୁଳନ ଠିକ ନ ଥିବା ଲୋକେ କହନ୍ତି ।

ଭୁଜଠାରେ ଥିବା ବିଖ୍ୟାତ ଶିବ ମନ୍ଦିରର ପୂଜକ ପୋପଟଙ୍କ ନାମ ଅର୍ଥରେ ଏକ ଟାୱାର ନିର୍ମାଣ କରିବେ । ମନ୍ଦିର ଚଉତରାରେ ସେହି କଂକ୍ରିଟ୍ ଟାୱାର ନିର୍ମାଣ ହେବ । ଏହାର ନାମ ରହିବ ପୋପଟ ଟାୱାର । କାରଣ ତାହାକୁ ପୋପଟଙ୍କ ଦାନ ଅର୍ଥରେ ନିର୍ମାଣ କରାଯାଉଛି । ଟାୱାରରେ ଦାନକର୍ତ୍ତା ପୋପଟ ବୋଲି ଲେଖାଯିବ । ପୋପଟ ପ୍ରତିଦିନ ଯେଉଁ ଅର୍ଥ ମନ୍ଦିରକୁ ଦାନ କରୁଥିଲେ ଏବେ ତାହା ୧.୧୫ ଲକ୍ଷ ଟଙ୍କା ହୋଇଯାଇଛି । ସେହି ଅର୍ଥକୁ ଟାୱାର ନିର୍ମାଣ ଖର୍ଚ କରାଯିବ ।

ଭୁଜରେ ରହିଛି ବିହାରିଲାଲ ମହାଦେବ ମନ୍ଦିର । ପ୍ରତିିଦିନ ଏହି ମନ୍ଦିରକୁ ପୋପଟ ଆସନ୍ତି । ସେ ଟଙ୍କା ପଇସା ଚିହ୍ନି ପାରନ୍ତି ନାହିଁ । କିନ୍ତୁ ଭିକ ଆକାରରେ ଯାହା ମିଳିଥାଏ ତାହାକୁ ଆଣି ମନ୍ଦିରରେ ଦାନ ଦିଅନ୍ତି । ମାନସିକ ସନ୍ତୁଳନ ଠିକ ନ ଥିବା ସତ୍ୱେ ସେ କେବେ ବି ଦାନ ଦେବାକୁ ଭୁଲି ନାହାନ୍ତି । ମନ୍ଦିରର ପୂଜକ ମୌନି ବାବା କହନ୍ତି, ପୋପଟ ଦାନ ଅର୍ଥ ଦେବା ପରେ ଆମେ ତାଙ୍କୁ ଚା' ପିଇବାକୁ ଦେଇଥାଉ । ମୌନି ବାବା କହିଛନ୍ତି ଯେ, ଆମେ ପୋପଟଙ୍କ ନାମକୁ ଅମର କରିବାକୁ ଚାହୁଁଛି । ସେଥିପାଇଁ ଏହି ପକ୍ଷୀ ଘର ନିର୍ମାଣ କରାଯିବ। ପୋପଟ ପ୍ରତିଦିନ ଯେଉଁ ଦାନ ଦେଉଥିଲେ ତାହାକୁ ରଖିବା ପାଇଁ ମୌନି ବାବା ଏକ ସ୍ୱତନ୍ତ୍ର ଖାତା ଖୋଲିଥିଲେ ।

ପୋପଟ ସାରା ସହର ବୁଲି ଭିକ ମାଗନ୍ତି । ନିକଟରେ କିଛି ସହୃଦୟ ବ୍ୟକ୍ତି ତାଙ୍କ ଆଖିର ଅପରେସନ୍ କରାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଗୁଜୁରାଟର ଗ୍ରାମୀଣ ଅଂଚଳରେ ଚବୁତରାର ବହୁତ ମହତ୍ୱ ରହିଛି। ଏହା ବାସ୍ତବରେ ଏକ କଂକ୍ରିଟ୍ ନିର୍ମିତ ଚାୱାର । ସେଥିରେ ବିଭିନ୍ନ ପ୍ରକାର ଖୋଲ କରାଯାଇଥାଏ ଯେଉଁଥିରେ ଚଢ଼େଇମାନେ ନିଜର ବସା କରିପାରିବେ। ସେମାନଙ୍କ ପାଇଁ ଖାଦ୍ୟ ରଖିବାର ବ୍ୟବସ୍ଥା ମଧ୍ୟ ଟାୱାରରେ ରହିଥାଏ । ପୋପଟଙ୍କୁ ଜାଣିଥିବା ଲୋକମାନେ କୁହନ୍ତି ଯେ, ଥରେ ଯିଏ ତାଙ୍କୁ ଭିକ ଦେଇଛି ସେ ତାଙ୍କୁ କେବେ ଭୁଲନ୍ତି ନାହିଁ । ଯେଉଁଠାରେ ଦେଖିଲେ ତାଙ୍କୁ ଜୋରରେ ଡାକ ଦିଅନ୍ତି । ସେ ତାଙ୍କ ଆଡକୁ ଦେଖିଲେ ଖୁସି ଜାହିର କରନ୍ତି।