ଓଡ଼ିଶାର ପ୍ରଥମ ସୌର ଗ୍ରାମ

ଓଡ଼ିଶାର ପ୍ରଥମ ସୌର ଗ୍ରାମ

Thursday January 14, 2016,

3 min Read

image


ଶକ୍ତି ଅଭାବର ବଡ଼ ବିକଳ୍ପ ଭାବେ ଏବେ ଉଭା ହୋଇଛି ସୌର ଶକ୍ତି । କେରଳର କୋଚି ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସମ୍ପୂର୍ଣ ସୌରଶକ୍ତି ପରିଚାଳିତ ବିମାନବନ୍ଦରର ମାନ୍ୟତା ମିଳିଥିବା ବେଳେ ଆମ ଭୁବନେଶ୍ୱର ବିମାନ ବନ୍ଦର ବି ଖୁବ ଶୀଘ୍ର ଏ ତାଲିକାରେ ସାମିଲ ହେବାକୁ ପ୍ରୟାସ କରୁଛି । ବଡ଼ ବଡ଼ ଅନୁଷ୍ଠାନ, ବ୍ୟକ୍ତିଗତ କୋଠା ଆଦିରେ ପରୀକ୍ଷାମୂଳକ ଭାବେ ସୌରଶକ୍ତିର ବ୍ୟବହାର ବେଶ୍‍ ସଫଳ ହୋଇଛି । ସୌରଶକ୍ତି ଭବିଷ୍ୟତର ମୁଖ୍ୟ ଶକ୍ତି ଉତ୍ସ ବେହାକୁ ଯାଉଥିବା ବେଳେ ଏହାର ବ୍ୟବହାର ଲାଗି ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାରପ୍ରସାର ବହୁତ ହେଉଛି । ତେବେ ଓଡ଼ିଶା ଏ କ୍ଷେତ୍ରରେ ଆଉ ପାଦେ ଯାଇଛି । ରାଜ୍ୟର ଗୋଟିଏ ଗ୍ରାମ ସମ୍ପୂର୍ଣ ସୌର ପରିଚାଳିତ ଗ୍ରାମ ଭାବେ ବିରଳ ଉଦାହରଣ ସୃଷ୍ଟି କରିଛି ।

image


ବରିପଠା: ୧୦୦% ସୌର ଗ୍ରାମ

ବରିପଠା ଏକ ଆଦିବାସୀ ଗାଁ ହେଲେ ହେଁ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୨୫ କିଲୋମିଟର ଦୂରତାରେ ରହିଛି । ତେବେ ବି ଏ ଗାଁ ପାଇଁ ବିଦ୍ୟୁତ ସଂଯୋଗ ଥିଲା ସାତସପନ । ଉଭୟ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ହେତୁ ଏ ଗ୍ରାମଟି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ବି ବିଦ୍ୟୁତ ଆଲୋକ ଦେଖିପାରିନଥିଲା । ବରିଷ୍ଠ ଆଇପିଏସ୍‍ ଅଧିକାରୀ ଜୟଦୀପ ନାୟକ ଏ ଗାଁକୁ ଆଲୋକିତ କରିବାକୁ ଉଦ୍ୟମ ଆରମ୍ଭ କଲେ ଆଉ ସଫଳ ବି ହେଲେ । ୨୦୧୫ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଜାତିର ପିତାଙ୍କ ଗ୍ରାମ ଉନ୍ନୟନ ସ୍ଵପ୍ନ ସାକାର ହେଲା ବରିପଠା ଗାଁରେ । ରାଜ୍ୟର ପ୍ରଥମ ସୌର ଗ୍ରାମର ମାନ୍ୟତା ପାଇବା ସହ ଏହାର ଗ୍ରାମବାସୀ ଅନ୍ଧାର ରାତିରେ ଉଜ୍ଜ୍ୱଳ ଆଲୋକର ସୁବିଧା ପାଇଲେ ।

ଜୟଦୀପ ନାୟକ କହନ୍ତି,

ଦେଶର ବିଭିନ୍ନ ପ୍ରାନ୍ତରେ ସୌର ଶକ୍ତି ବ୍ୟବହାର ଉଦ୍ୟମ ବିଫଳ ହୋଇଛି । କିନ୍ତୁ ବରିପଠାର ପ୍ରକଳ୍ପଟି ଭିନ୍ନ ଧରଣର । ଏହା କମ-ଖର୍ଚ, କମ୍‍ ସେବା ଯତ୍ନ ଆବଶ୍ୟକ କରୁଥିବା ଓ ଗୋଷ୍ଠୀ ପରିଚାଳିତ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପକୁ ଓଡ଼ିଶାର ପ୍ରାୟ ୩୯୦୦ ଗାଁରେ ପ୍ରୟୋଗ କରାଯାଇପାରିବ ।
image


ମିଳିଲା ହାତ, ବଢ଼ିଲା ସହଯୋଗ

ବରିପଠା ପ୍ରକଳ୍ପରେ ମାତ୍ର ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଇସିସିଓ ଇଲେକଟ୍ରୋନିକ୍ସ(ସୌର ଚାଳିତ ଯନ୍ତ୍ର ଉତ୍ପାଦନକାରୀ) ଓ ଜାକସନ୍‍ ଗ୍ରୁପ(ଶକ୍ତି ସମାଧାନ ଦାତା)ର ମିଳିତ ଉଦ୍ୟମରେ ବରିପଠା ଗ୍ରାମର ମୋଟ ୬୧ଟି ପରିବାରକୁ ଗୋଟିଏ ଲେଖାଏଁ ସୌରଶକ୍ତି ସଂଗ୍ରହ ଯନ୍ତ୍ର ସାଙ୍ଗକୁ ଦୁଇଟି ବିଦ୍ୟୁତ ବତୀ ଯୋଗାଇ ଦିଆଯାଇଛି । ଏହା ଭିନ୍ନ ଗାଁରେ ଏକ କିଲୋୱାଟର ଗୋଟିଏ ସୋଲାର ୟୁନିଟ ସ୍ଥାପିତ ହୋଇଛି । ଏହା ଦ୍ୱାରା ୮ଟି ଷ୍ଟ୍ରିଟ୍‍ ଲାଇଟ୍‍ ସାଙ୍ଗକୁ କୋଠଘରେ ଗୋଟିଏ ଏଲ୍‍ଇଡି ଟିଭି ଓ ସେଟଟପ ବକ୍ସ ଯୋଗାଇ ଦିଆଯାଇଛି । ନାଲକୋ ଏବଂ ଅନ୍ୟ କେତେକ ସଂସ୍ଥା ଦ୍ୱାରା ସବୁ ପରିବାରକୁ ଦୁଇଟି ଲେଖାଏଁ ଏଲ୍‍ଇଡଇି ଲାଇଟ୍‍ ଦିଆଯାଇଛି ।

ଜାକସନ ଗ୍ରୁପ ଉପସଭାପତି ସନ୍ଦୀପ ଘୋଷ କହନ୍ତି,

ଏଯାଏଁ ଯେତେ ଯେଉଁଠି ଗ୍ରାମ୍ୟ ସୌର ବିଦ୍ୟୁତିକରଣ କରାଯାଇଛି, ସବୁଠି ସେଣ୍ଟ୍ରାଲ ୟୁନିଟରୁ ଘର ଘରକୁ ବିଦ୍ୟୁତ ସଂଯୋଗ ଯାଇଥାଏ । ଏଥିରେ ୟୁନିଟ ସେବାଯତ୍ନରେ ଅସୁବିଧା ଉପୁଜିବା ସାଙ୍ଗକୁ କେବୁଲ ଚୋରିର ମୟ ମଧ୍ୟ ରହୁଥିଲା । ପୁଣି କିଏ ଆବଶ୍ୟକତା ଠାରୁ ଅଧିକ ବିଜୁଳି ବ୍ୟବହାର କରି ଦେଉଥିଲା । ଫଳରେ ସେଣ୍ଟ୍ରାଲ ୟୁନିଟ ଉପରେ ଚାପ ପଡ଼ୁଥିଲା ଏବଂ ବେଳେ ବେଳେ ତାହା ଖରାପ ହୋଇଯାଉଥିଲା । ପ୍ରତିଘରକୁ ସୋଲାର ୟୁନିଟ ଦେବା ଦ୍ୱାରା ଏସବୁ ସମସ୍ୟାର ସମାଧାନ ହୋଇପାରିଛି ।

ଇସିସିଓର ସିଓଇ ବିବେକ ବିହାନି କହନ୍ତି,

ଏ କାମରେ ପୂରା ବରିପଠା ଗାଁ ସଂପୃକ୍ତ ହୋଇଛି । ଗାଁ ମୁଖିଆ ନାରାୟଣ ହିସା ଓ ଜଣେ ସ୍ଥାନୀୟ ଆଇଟିଆି ଡିପ୍ଲୋମାଧାରୀ ମେଣ୍ଟେନାନ୍ସ ଦାୟିତ୍ୱ ନେଇଛନ୍ତି । ମେଣ୍ଟେନାନ୍ସ କହିଲେ ନିୟମିତ ସୋଲାର ପ୍ୟାନେଲରୁ ଧୂଳି ଝାଡ଼ିବା ଓ ମଝିରେ ମଝିରେ ବ୍ୟାଟେରୀର ପାଣି ସ୍ତର ଯାଞ୍ଚ କରିବା । ପ୍ରକୃତରେ ଏ ପ୍ରକଳ୍ପରେ ମେଣ୍ଟେନାନ୍ସ ନାହିଁ କହିଲେ ଚଳେ ।

ସେଣ୍ଟ୍ରାଲ ସୋଲାର ୟୁନିଟରେ ୮ଟି ସୌର ପ୍ୟାନେଲ ରହିଛି । ବାତ୍ୟା ବା ଯୋର ପବନ ବେଳେ ଏହାକୁ ସହଜରେ ଓହ୍ଲାଇ ଭାଙ୍ଗିହେବ । ଏହି ପ୍ରକଳ୍ପ ମାଧ୍ୟମରେ ଏକ ହର୍ସପାୱାର ବିଶିଷ୍ଟ ଜଳସେଚନ ପମ୍ପ ମଧ୍ୟ ପରିଚାଳିତ କରାଯାଇପାରିବ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।