ଟ୍ରେନ୍ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଝିଅ ହେବେ ଡାକ୍ତରାଣୀ

ଟ୍ରେନ୍ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଝିଅ ହେବେ ଡାକ୍ତରାଣୀ

Friday February 26, 2016,

3 min Read

"ଯେତେଥର ମୋତେ ଲୋକେ କହୁଥିଲେ ଯେ ମୁଁ ଏହା କରିପାରିବି ନାହିଁ, ମୋ' ଭିତରେ କିଛି କରି ଦେଖାଇବାର ଜିଦ ଆହୁରି ବଳବତ୍ତର ହେଉଥିଲା," 

- କୁହନ୍ତି ୨୩ବର୍ଷର ଶେଖ ରୋଶନ ଜବାଦ ଅହମଦ। ରୋଶନ ୮ବର୍ଷ ପୂର୍ବେ ଏକ ଟ୍ରେନ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ହରାଇଥିଲେ।  କିନ୍ତୁ ଏତେ ବଡ଼ ବିପଦ ତାଙ୍କ ମନୋବଳକୁ ଭାଙ୍ଗି ପାରି ନାହିଁ । କିଛି ସମୟ ପାଇଁ ଏହି ଘଟଣା ଯଦିଓ ତାଙ୍କୁ ପ୍ରଭାବିତ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜକୁ ସଜାଡ଼ି ନେଇଥିଲେ । ଏବେ ସେହି ଝିଅଟି ଡାକ୍ତରାଣୀ ହେବାକୁ ଯାଉଛି ।

image


ମୁମ୍ବାଇର ଯୋଗେଶ୍ୱରୀ ଅଂଚଳର ବାସିନ୍ଦା ହେଉଛନ୍ତି ରୋଶନ । ୨୦୦୮ରେ ସେ ଟ୍ରେନ୍ ଦୁର୍ଘଟଣାରେ ନିଜ ଦୁଇ ଗୋଡ଼ ହରାଇଥିଲେ । ତାଙ୍କ ବାପା ନିକଟସ୍ଥ ବଜାରରେ ଠେଲାରେ ପନିପରିବା ବିକ୍ରି କରି ଚଳନ୍ତି । ରୋଶନ ଏମବିବିଏସ ଫାଇନାଲ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ରୋଶନ ଯାହାଙ୍କୁ ଲୋକେ ପଙ୍ଗୁ ବୋଲି ଭାବିଥିଲେ ଖୁବଶୀଘ୍ର ଡାକ୍ତରାଣୀ ହୋଇ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିବେ।

ରୋଶନଙ୍କ ଭିନ୍ନକ୍ଷମ ହୋଇଯିବା ପରେ ତାଙ୍କର ସମସ୍ୟା ଯେତିକି ଥିଲା ରାଜ୍ୟ ସରକାର ତାଙ୍କର ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିଲେ । ଟ୍ରେନ୍ ଦୁର୍ଘଟଣା ପୂର୍ବରୁ ସେ ଏମବିବିଏସ ପାଇଁ ପ୍ରବେଶିକା ପରୀକ୍ଷା ଦେଇ ପାସ୍ ହୋଇଥିଲେ । ସେଠାକାର ନିୟମ ଅନୁସାରେ ୭୦% ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କୁ ମେଡିକାଲ୍ ପଢ଼ିବାର ସୁଯୋଗ ଦିଆଯିବ । ଟ୍ରେନ୍ ଦୁର୍ଘଟଣାରେ ଦୁଇ ଗୋଡ଼ କଟିଯିବା ପରେ ରୌଶନ ୮୮% ଭିନ୍ନକ୍ଷମ ହୋଇଯାଇଥିଲେ । ମେଡିକାଲ୍ ପାଠ ପଢ଼ିବା ପାଇଁ ସରକାର ତାଙ୍କ ଉପରେ କଟକଣା ଲଗାଇ ଦେଲେ । କିନ୍ତୁ ହାର ମାନିଲେନି ରୋଶନ । ଏ ନେଇ ବମ୍ବେ ହାଇକୋର୍ଟରେ ସେ ଆବେଦନ କଲେ । ଅଦାଲତ ଲଢ଼େଇରେ ବିଜୟୀ ହେବା ସହ ସେ କେଇଏମ୍ ହସପିଟାଲ୍ ଆଣ୍ଡ କଲେଜରେ ନାମ ଲେଖାଇ ପାଠ ପଢ଼ିଲେ । ନିକଟରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି । ବଡ଼ ଧରଣର ସଫଳତା ପାଇଛନ୍ତି ।

ନିଜର କଲେଜ ଜୀବନର ସ୍ମୃତିଚାରଣା କରି ରୋଶନ କୁହନ୍ତି, "ଛାତ୍ର, ଶିକ୍ଷକ, ଅନ୍ୟାନ୍ୟ କର୍ମଚାରୀ, କେହିଜଣେ ମଧ୍ୟ ମୋତେ କେବେ କେବେ ଅନୁଭବ କରିବାକୁ ଦେଇନଥିଲେ ଯେ ମୁଁ ଭିନ୍ନକ୍ଷମ। ପ୍ରଥମେ ପ୍ରଥମେ ଲିଫ୍ଟ ବନ୍ଦ ହେଇଗଲେ ମୁଁ ଧୀରେ ଧୀରେ ପାହାଚ ଚଢି ଗଲାବେଳେ ସେମାନେ ମୋ ପାଇଁ ଅପେକ୍ଷା କରୁଥିଲେ। କ୍ଲାସରୁମରେ ମୁଁ ସର୍ବଶେଷରେ ପଶୁଥିଲି। କ୍ରମେ ସେମାନେ ମୋ ପାଇଁ ଅପେକ୍ଷା କରିବା ବନ୍ଦ କରିଦେଲେ। ମୋତେ ପ୍ରଥମେ ଖରାପ ଲାଗିଲା, କିନ୍ତୁ ପରେ ମୁଁ ବୁଝିପାରିଲି ଯେ ସେମାନେ ମୋତେ ନିଜ ଗହଣରେ ଜଣେ ଓ ମୁଁ ସହାନୁଭୁତିର ପାତ୍ର ନୁହେଁ ବୋଲି ଜଣାଇବା ପାଇଁ ଏସବୁ କରୁଥିଲେ।"

୨୦୦୮ରେ ସେ ଦଶମ ପରୀକ୍ଷାରେ ୯୨%ରୁ ଅଧିକ ମାର୍କ ରଖି ପାସ୍ କରିଥିଲେ । ୨୦୦୮ ଅକ୍ଟୋବର ୧୬ରେ ଏକ ଲୋକ ଭିଡ଼ ଥିବା ଟ୍ରେନରେ ଯାତ୍ରା କରୁଥିବା ବେଳେ ପାଖ ଲୋକଙ୍କ ଧକ୍କା ଯୋଗୁଁ ଟ୍ରେନ୍ ତଳେ ଖସି ପଡ଼ିଥିଲେ । ତାଙ୍କର ଦୁଇଟି ଯାକ ଗୋଡ଼ କଟିଗଲା ।

ମେଡିକାଲ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରୌଶନ ବହୁତ ଖୁସି । ତାଙ୍କର ଛୋଟ ଘରରେ ଚଟାଣ ଉପରେ ବସି ସେ ବେଶ ଆନନ୍ଦରେ ଥିବା ଭଳି ଲାଗୁଛନ୍ତି । ଗୋଡ଼ ନ ଥିବାର ଗ୍ଲାନି ତାଙ୍କ ମୁହଁରେ ଜଣାପଡୁ ନାହିଁ । ରୋଶନ କହିଛନ୍ତି ଯେ କେବଳ ଆର୍ଥିକ ବୋଝ ନୁହେଁ ତାଙ୍କୁ ଜୀବନରେ ଆଇନର ଯୁଦ୍ଧ ଲଢ଼ିବାକୁ ପଡ଼ିଥିଲା ଆଗକୁ ପଢ଼ିବାପାଇଁ । ସେ ଗୋଡ ହରାଇବା ସତ୍ୱେ ଅଦାଲତ ଡାକରାରେ ଅନେକ ଥର କୋର୍ଟ ଯାଇଛନ୍ତି । ଶେଷରେ ହାଇକୋର୍ଟ ମୁଖ୍ୟବିଚାରପତି ମୋହିତ ଶାହ ତାଙ୍କ ସପକ୍ଷରେ ରାୟ ଦେବା ପରେ ଆଇନ ସହ ଯୁଦ୍ଧ ଶେଷ ହୋଇଥିଲା ।

ତାଙ୍କ ଗୋଡ଼ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ସେ ବହୁତ ଧନ୍ୟବାଦ ଦେଇଛନ୍ତି । ସେ ନିଜ ଝିଅ ଭଳି ତାଙ୍କୁ ଦେଖାଣୁଣା କରୁଥିଲେ ବୋଲି ରୋଶନ କୁହନ୍ତି । ୨୦୦୮ରେ ଟ୍ରେନ୍ ଦୁର୍ଘଟଣା ପରେ ସେ ପଢ଼ା ଛାଡ଼ି ନ ଥିଲେ । ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଓ ପରୀକ୍ଷା ମଧ୍ୟ ଦେଇ ପାସ୍ କରିଥିଲେ । ତାଙ୍କର ଏହି ଅଦମ୍ୟ ଇଚ୍ଛାଶକ୍ତିକୁ ୟୋରଷ୍ଟୋରିର ପ୍ରଣାମ । ସେ ଭାରତୀୟ ନାରୀ ସମାଜ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି । 

ଏପରି ପ୍ରେରଣାଦାୟକ ଆହୁରି କାହାଣୀ ପଢିବାକୁ ହେଲେ ଆମର Facebook ପେଜ like କରନ୍ତୁ। 

ଆଉ କିଛି ସମ୍ବନ୍ଧିତ କାହାଣୀ ପଢନ୍ତୁ - 

ଭାରତରେ ପ୍ରଥମ ହିଞ୍ଜଡ଼ା ସଂଗୀତ ଗୋଷ୍ଠୀ 6 Pack Band

ଥାଲାସେମିଆରେ ପୀଡ଼ିତ ୮-ବର୍ଷୀୟ ବାଳକଙ୍କୁ ଭେଟନ୍ତୁ, ଯିଏ ଦିନକ ପାଇଁ ପୁଲିସ୍ କମିଶନର ହୋଇଥିଲେ

୨୮ବର୍ଷୀୟ ଆଦିତ୍ୟ ହେଲେ ଭାରତର ସର୍ବ କନିଷ୍ଠ ସିଙ୍ଗଲ ପ୍ୟାରେଣ୍ଟ: ପୋଷ୍ୟ ଭାବେ ଗ୍ରହଣ କଲେ ଭିନ୍ନକ୍ଷମ ପିଲାକୁ