ଭୁବନେଶ୍ୱରକୁ ସ୍ମାର୍ଟ କରିବ ଜର୍ମାନୀ

ଭୁବନେଶ୍ୱରକୁ ସ୍ମାର୍ଟ କରିବ ଜର୍ମାନୀ

Wednesday March 09, 2016,

3 min Read

ଭୁବନେଶ୍ୱରକୁ ସ୍ମାର୍ଟ କରିବାକୁ ଆଗେଇ ଆସିଛି ପଶ୍ଚିମ ୟୁରୋପୀୟ ରାଷ୍ଟ୍ର ଜର୍ମାନ । ଦେଶର ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ଏକ ନମ୍ବର ସ୍ଥାନରେ ରହିବା ପରେ ଜର୍ମାନ ସରକାର ନିଜ ଆଡୁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି । ଜର୍ମାନ ଢାଞ୍ଚାରେ ଭୁବନେଶ୍ୱରରେ ସ୍ମାର୍ଟ ମୋବିଲିଟି ବା ପରିବହନ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଏଥିପାଇଁ ଜର୍ମାନ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

image


ଆଗରୁ ସିଙ୍ଗାପୁର ସ୍ମାର୍ଟ ଭୁବନେଶ୍ୱର ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ ପାଇଁ ସହମତି ପ୍ରକାଶ କରିଥିଲା । ସ୍ମାର୍ଟ ସିଟି ତାଲିକାରେ ଶୀର୍ଷରେ ରହିବା ପରେ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଭୁବନେଶ୍ୱରକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏଥିପାଇଁ ଜର୍ମାନ ସରକାର ତାଙ୍କ ଆଡୁ ଭୁବନେଶ୍ୱରର ବିକାଶ ପାଇଁ ଆଗେଇ ଆସିଛନ୍ତି । ଆଗାମୀ ଦିନରେ ଜମାର୍ନୀ ଟେକ୍ନୋଲୋଜିରେ ଭୁବନେଶ୍ୱର ଚେହେରା ବଦଳିବ । ଅତ୍ୟାଧୁନିକ ଢାଞ୍ଚାରେ ସଡ଼କ ଓ ପରିବହନ ବ୍ୟବସ୍ଥାକୁ ସ୍ମାର୍ଟ କରାଯିବ । ଏଥିଲାଗି ଖୁବ୍ ଶୀଘ୍ର ଜର୍ମାନ ସରକାରଙ୍କ ସହ ନଗର ଉନ୍ନୟନ ବିଭାଗର ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଜଣାପଡିଛି।

image


ଜର୍ମାନ ଖାଲି ପରିବହନ ବ୍ୟବସ୍ଥା ନୁହେଁ, ଟ୍ରାନଜିଟ୍ ଓରିଏଣ୍ଟେଡ୍ ଡେଭଲପମେଣ୍ଟ, ଜଳ ଯୋଗାଣ, ଆବର୍ଜନା ଜଳ ପରିଚାଳନା, ପରିବହନ ବ୍ୟବସ୍ଥା, ଆବାସିକ ପ୍ରକଳ୍ପ, ଅକ୍ଷୟ ଶକ୍ତି କ୍ଷେତ୍ରକୁ ବ୍ୟାପକ କରିବା ଦିଗରେଁ ଜର୍ମାନ ସରକାର ସହଯୋଗ କରିବେ । ଏହି କ୍ଷେତ୍ରରେ ବିକାଶ ପାଇଁ ଜର୍ମାନ ପାଖରେ ବହୁ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି । ଜର୍ମାନର ସହରାଞ୍ଚଳରେ ଏହି ମଡେଲ ସବୁ ବେଶ୍ ସଫଳତା ପାଇଛି । ଏହାକୁ ଜର୍ମାନ ଏଠାରେ ପ୍ରୟୋଗ କରିବ । ଏଥିପାଇଁ ଗତ ୪ ଦିନ ତଳେ ଜର୍ମାନ ସରକାରଙ୍କ ଏକ ବିଶେଷଜ୍ଞ ଦଳ ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ । ଜର୍ମାନୀର ପ୍ରାକୃତିକ ସଂରକ୍ଷଣ, ଗୃହ ଓ ଆଣବିକ ନିରାପତ୍ତା ମନ୍ତ୍ରଣାଳୟର ଷ୍ଟେଟ୍ ସେକ୍ରେଟାରୀ ଗୁନ୍ଥର୍ ଆଡଲରଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଭୁବନେଶ୍ୱର ସହର ବୁଲି ଦେଖିଥିଲେ । ପରେ ସେମାନେ ରାଜ୍ୟ ସରକାର ଓ ବିଏମସି କମିଶନରଙ୍କ ସହ ଆଲୋଚନା କରିଥିଲେ । ଭାରତରେ ଅବସ୍ଥାପିତ ଜର୍ମାନ୍ ରାଷ୍ଟ୍ରଦୂତ ମାର୍ଟିନ୍ ନେ କହିଛନ୍ତି, ସ୍ମାର୍ଟ ସିଟି ବିକାଶ କରିବାକୁ ଭାରତକୁ ଜର୍ମାନ ସମସ୍ତ ସହଯୋଗ କରିବ । ଅର୍ବାନ୍ ସେଣ୍ଟର ନିର୍ମାଣ କରିବାରେ ଜର୍ମାନୀ ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ । ସହରରେ ଜୀବନକୁ ସରଳ ଓ ସହଜ କରିବାରେ ଜର୍ମାନୀ ଅନେକ ଅତ୍ୟାଧୁନିକ ଟେକ୍ନୋଲୋଜି ବିକାଶ କରିଛି ।

image


ଭୁବନେଶ୍ୱରକୁ ସ୍ମାର୍ଟ କରିବାକୁ ଜର୍ମାନ କରିଥିବା ଯୋଜନାରେ ସେଠାକାର ଅନେକ କମ୍ପାନୀ ମଧ୍ୟ ସାମିଲ ହେବେ । ସେହି କମ୍ପାନୀମାନଙ୍କୁ ଜର୍ମାନ ସରକାର ସବୁ ସହାୟତା ଯୋଗାଇ ଦେବେ । ତେବେ ଖାଲି ଭୁବନେଶ୍ୱର ନୁହେଁ, ଭୁବନେଶ୍ୱର ସହ କେରଳର କୋଚି ଓ ତାମିଲନାଡୁର କୋଏମ୍ବାଟୁର ସହରକୁ ସ୍ମାର୍ଟ କରିବାକୁ ଜର୍ମାନ ଆଗ୍ରହ ପ୍ରକାଶ କରିଛି । ଏ ବିଷୟରେ ଜର୍ମାନ ସରକାର କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହ ଆଲୋଚନା ମଧ୍ୟ କରିଛନ୍ତି ।

image


ବିଏମସି କମିଶନର ଡା.କ୍ରିଷନ କୁମାର କହିଛନ୍ତି, ଜର୍ମାନୀର ପ୍ରତିନିଧି ଦଳଙ୍କ ସହ ଆମେ ଆଲୋଚନା କରିଛୁୁ । ଭୁବନେଶ୍ୱରକୁ ସ୍ମାର୍ଟ ରୂପ ଦେବା ପାଇଁ ଜର୍ମାନୀ ବୈଷୟିକ ସହାୟତା ଯୋଗାଇ ଦେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସହରର ବିକାଶ ପାଇଁ ବିଦେଶୀ ପୁଞ୍ଜି ନିବେଶ ହେବ । ଭୁବନେଶ୍ୱରର ସଡ଼କ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାକୁ ଉନ୍ନତ କରିବାକୁ ଜର୍ମାନ ବେଶି ଆଗ୍ରହୀ ।

ପୂର୍ବରୁ ଜର୍ମାନୀ ପକ୍ଷରୁ ଏକ ୬ ଜଣିଆ କମିଟି ଗଠନ କରା ଯାଇଥିଲା । ଭାରତର କେଉଁ ସହର ପାଖରେ ସ୍ମାର୍ଟ ସିଟି ହେବାକୁ ବେଶି ସୁଯୋଗ ରହିଛି , ସେ ନେଇ କମିଟି ରିପୋର୍ଟ ଦେଇଥିଲା । ୨୦୧୫ ସେପ୍ଟେମ୍ବର ମାସରେ ଜର୍ମାନ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ସହ ସ୍ମାର୍ଟ ସିଟି ଉପରେ ଆଲୋଚନା କରିଥିଲେ ।