ପ୍ରେମ ପାଇଁ ସାଇକେଲରେ ସ୍ଵିଡେନ ଗଲେ ପ୍ରଦ୍ୟୁମ୍ନ

ପ୍ରେମ ପାଇଁ ସାଇକେଲରେ ସ୍ଵିଡେନ ଗଲେ ପ୍ରଦ୍ୟୁମ୍ନ

Thursday January 28, 2016,

4 min Read

image


ଜଣେ ଗରିବ ଯୁବକ ଜଣେ ଧନୀ ଯୁବତୀଙ୍କୁ ଭେଟେ । ସେମାନେ ପ୍ରେମରେ ପଡ଼ନ୍ତି । ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ଝିଅଟି ନିଜ ଦେଶକୁ ଫେରିଯାଏ । ପୁଅ ଜଣକ ସେଠାକୁ ଯିବା ପାଇଁ ଆପ୍ରାଣ ଉଦ୍ୟମ କରି ବିଫଳ ହୁଏ । ଶେଷରେ ସାଇକେଲକୁ ସାହାରା କରି ୮ଟି ଦେଶ ଡେଇଁ ସେ ପହେଞ୍ଚ ନିଜ ପ୍ରେମିକା ପାଖରେ । ଜଣେ ଓଡ଼ିଶାର ଦଳିତ ପରିବାରର ସନ୍ତାନ, ଅନ୍ୟ ଜଣେ ସୁଦୂର ୟୁରୋପର ସ୍ଵିଡେନରେ ରାଜ ପରିବାରର କନ୍ୟା । 

ତେବେ ଏ ବିଭେଦ ସେମାନଙ୍କ ପ୍ରେମରେ ବାଧା ଦେଇ ନଥିଲା । ୭୦ ଦଶକର ପ୍ରଥମାର୍ଦ୍ଧରେ ସେମାନେ ପରସ୍ପର ପ୍ରେମରେ ପଡ଼ିଲେ ଓ ବିବାହ ବି କଲେ । ପ୍ରେମିକାରୁ ପତ୍ନୀ ପାଲଟିଥିବା ସ୍ଵୀଡେନ ରାଜକୁମାରୀଙ୍କୁ ଭେଟିବାକୁ ପ୍ରେମିକ-ସ୍ଵାମୀଙ୍କ ପାଖରେ ଅର୍ଥ ନଥିଲା । ଏଣୁ ଦୀର୍ଘ ୫ ମାସ କାଳ ସାଇକେଲରେ ଦିଲ୍ଲୀରୁ ଯାତ୍ରା କରି ସେ ପହଞ୍ଚିଥିଲେ ସ୍ଵୀଡେନରେ । ଏ ହେଉଛି ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କ ପ୍ରେମ କାହାଣୀ । ଆଉ ଏ ପ୍ରେମ କାହାଣୀ ଖୁବ ଶୀଘ୍ର ଏକ ବଲିଉଡ ସିନେମାର ରୂପ ନେବାକୁ ଯାଉଛି ।

image


ଆଠମଲ୍ଲିକରୁ ସ୍ଵିଡେନ

୧୯୪୯ ମସିହାରେ ବର୍ତମାନର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କନ୍ଧପଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ ପ୍ରଦ୍ୟୁମ୍ନ । ଚିତ୍ରକଳା ପ୍ରତି ପିଲାଟି ବେଳୁ ଆଗ୍ରହ ରଖିଥିବା ପ୍ରଦ୍ୟୁମ୍ନ ସ୍କୁଲ ଶିକ୍ଷା ସମାପ୍ତ ପରେ ବିଶ୍ୱଭାରତୀରେ ଚିତ୍ରକଳା ଅଧ୍ୟୟନ ପାଇଁ ଯୋଗଦେଲେ । କିନ୍ତୁ ଅର୍ଥ ଅଭାବରୁ ଗାଁକୁ ଲେଉଟି ଆସିଥିଲେ । ପରେ ସେ ଖଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ୧୯୭୧ ମସିହାରେ ଫାଇନ୍ ଆର୍ଟ ଅଧ୍ୟୟନ ପାଇଁ ସେ ଦିଲ୍ଲୀର କଲେଜ ଅଫ୍ ଆର୍ଟରେ ଯୋଗଦେଲେ ।

ସେଠାରେ ସେ ଇନ୍ଦିରା ଗାନ୍ଧୀଙ୍କ ଚିତ୍ର ଆଙ୍କି ବେଶ୍ ପ୍ରସିଦ୍ଧ ହୋଇଥିଲେ । ନିଜର ପଢ଼ା ଓ ରହଣୀ ଖର୍ଚ ଉଠାଇବା ପାଇଁ ସେ କନ୍ନଟ୍ ପ୍ଲେସରେ ବସି ପୋଟ୍ରେଟ୍ ଆଙ୍କିବାର ଅନୁମତି ପାଇଥିଲେ । ଭାରତ ବୁଲି ଆସିଥିବା ଚାର୍ଲଟ୍ ଭନ୍ ସେଦଭିନ୍ ନାମକ ସ୍ଵିଡିସ୍ ତରୁଣୀଙ୍କ ସହ ଏଇ କନ୍ନଟ୍ ପ୍ଲେସରେ ତାଙ୍କର ଭେଟ ହୁଏ । ଚାର୍ଲଟଙ୍କ ପାଇଁ ପୋଟ୍ରେଟ୍ ଆଙ୍କନ୍ତି ପ୍ରଦ୍ୟୁମ୍ନ । ପରେ ସେମାନଙ୍କର ବାରମ୍ବାର ଭେଟହୁଏ ଓ ଉଭୟେ ପ୍ରେମରେ ପଡ଼ନ୍ତି । ଏ ପ୍ରେମ ପରେ ବିବାହର ରୂପନିଏ ।

୧୯୭୫ରେ ସ୍ଵିଡେନ ଲେଉଟି ଯାଆନ୍ତି ଚାର୍ଲଟ୍ । କିନ୍ତୁ ଅର୍ଥାଭାବରୁ ତାଙ୍କ ସହ ଯାଇ ପାରନ୍ତିନି ପ୍ରଦ୍ୟୁମ୍ନ । ଟଙ୍କା ଯୋଗାଡ଼ ହେଲେ ସେ ପରେ ସ୍ଵିଡେନରେ ପହଞ୍ଚିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ନିରନ୍ତର ପତ୍ରାଳାପ ଚାଲିଥାଏ । ଏପଟେ ଅର୍ଥ ଯୋଗାଡ଼ରେ ବିଫଳ ହୁଅନ୍ତି ପ୍ରଦ୍ୟୁମ୍ନ । କିନ୍ତୁ ମନୋବଳ ହରାନ୍ତି ନାହିଁ । ୧୯୭୭ ମସିହାରେ ଭାରତରୁ ସ୍ଵିଡେନ ସାଇକେଲ ଯାତ୍ରା କରି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରନ୍ତି । ନିଜ ପ୍ରେମକୁ ପାଇବା ଲାଗି ଦିଲ୍ଲୀରୁ ପ୍ରାୟ ୫ ମାସର ଯାତ୍ର୍ରା କରି ପ୍ରଦ୍ୟୁମ୍ନ ଗୋଥେନବର୍ଗରେ ପହଞ୍ଚିଥିଲେ ।

image


ପୁରୁଣା ସାଇକେଲ, ୫ ମାସ, ୪୦୦୦ ମାଇଲ

ସ୍ଵିଡେନ ଯିବା ଲାଗି ଅର୍ଥ ଯୋଗାଡ଼ରେ ବିଫଳ ହେବା ପରେ ୬୦ ଟଙ୍କା ବିନିମୟରେ ପୁରୁଣା ସାଇକଲ ଟିଏ ଯୋଗାଡ଼ କରନ୍ତି ଯୁବକ ପ୍ରଦ୍ୟୁମ୍ନ । ୧୯୭୭ ମସିହା ଜାନୁଆରି ୨୨ ତାରିଖରେ ଦିଲ୍ଲୀରୁ ଆରମ୍ଭ ହୁଏ ତାଙ୍କର ସାଇକେଲ ଯାତ୍ରା । ଏବେ ଭଳି ସେତେବେଳେ ରାସ୍ତା ଯୋଗାଯୋଗ ବି ଏତେଟା ସହଜ ନଥିଲା । ତଥାପି ପାକିସ୍ତାନ, ଆଫଗାନିସ୍ତାନ, ତୁର୍କି ଡେଇଁ ସେ ୟୁରୋପରେ ପହଞ୍ଚିଥିଲେ । ୪ ମାସ ୩ ସପ୍ତାହ ଯାତ୍ରା କରି ସେ ସ୍ଵିଡେନର ଗୋଥେନବର୍ଗରେ ପହଞ୍ଚିଥିଲେ । ମୋଟ ୪୦୦୦ ମାଇଲ ବା ପ୍ରାୟ ୬୫୦୦ କିଲୋମିଟର ସାଇକେଲରେ ଅତିକ୍ରମ କରି ଗୋଥେନବର୍ଗରେ ପହଞ୍ଚିଥିଲେ । ଜଣେ ଭାରତୀୟ ସାଇକେଲ ଆରୋହୀଙ୍କୁ ଦେଖି ସ୍ଵିଡେନ ଇମିଗ୍ରେସନ୍ ଅଧିକାରୀମାନେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ସନ୍ଦେହ ପ୍ରକଟ କରିଥିଲେ । ସେମାନେ ତାଙ୍କୁ ଦେଶ ଭିତରକୁ ଯିବାକୁ ଦେଇନଥିଲେ, ଏପରିକି ତାଙ୍କ ପ୍ରେମ କାହାଣୀକୁ ବି ବିଶ୍ୱାସ କରିନଥିଲେ । ଚାର୍ଲଟ ଏ ଖବର ପାଇବା ପରେ ନିଜେ ଘରୁ ୭୦ କିଲୋମିଟର ଗାଡ଼ି ଚଳାଇ ଯାଇ ଗୋଥେନବର୍ଗରେ ପହଞ୍ଚିଥିଲେ ଓ ପ୍ରଦ୍ୟୁମ୍ନଙ୍କୁ ପାଛୋଟି ନେଇଥିଲେ ।

image


ପିକେ ଓ ଚାରୁଲତା

ବିବାହ ପରେ ପ୍ରଦ୍ୟୁମ୍ନଙ୍କୁ ସ୍ନେହରେ ପିକେ ବୋଲି ଡାକୁଥିଲେ ଚାର୍ଲଟ୍ । ଅନ୍ୟପଟେ ଚାର୍ଲଟଙ୍କୁ ଏକ ଭାରତୀୟ ନାମ ଦେଇଥିଲେ ପିକେ; ଚାରୁଲତା । ପିକେ ସ୍ଵିଡେନରେ ପହଞ୍ଚିବା ପରେ ଉଭୟେ ପରସ୍ପରକୁ ପୁନର୍ବାର ବିବାହ କରନ୍ତି । ପିକେ ସେଠାକାର ସ୍ଥାୟୀ ବାସିନ୍ଦା ପାଲଟିଗଲେ । ଉଭୟଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛି । ଉଭୟେ ଚାରୁଲତାଙ୍କ ସହର ବୋରାସରେ ରହୁଛନ୍ତି । ପତ୍ନୀଙ୍କ ସମେତ ପୁଅ ଓ ଝିଅଙ୍କୁ ଓଡ଼ିଆ ଚାଳିଚଳଣ ଓ ପରମ୍ପରା ସହ ପରିଚିତ କରାଇଛନ୍ତି ପିକେ । ଉଭୟେ ବାରମ୍ବାର ଓଡ଼ିଶା ମଧ୍ୟ ଆସିଥାନ୍ତି । ଦୀର୍ଘ ୪୦ ବର୍ଷ ପରେ ବି ଉଭୟଙ୍କର ପ୍ରେମ ଓ ୭୦ ଦଶକର ସେ ଯୁବସୁଲ୍ଲଭ ଉଦ୍ଦାମତା ଏବେ ବି ବଳବତ୍ତର ରହିଛି ।

image


ସ୍ବିଡିସ୍ ସେଲିବ୍ରିଟି

ଏବେ ପିକେ ସ୍ଵିଡେନରେ ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଭାବେ ବେଶ୍ ପ୍ରସିଦ୍ଧ । ସେଠାକାର ସରକାରରେ ସେ କଳା ଓ ସଂସ୍କୃତି ଉପଦେଷ୍ଠା ଅଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ସ୍ଵିଡେନକୁ ସେ ପ୍ରତିନିଧିତ୍ୱ କରିଥାନ୍ତି । ବିଶ୍ୱର ବଡ଼ବଡ଼ ସହରରେ ତାଙ୍କର ଚିତ୍ରକଳା ପ୍ରଦର୍ଶନୀ ହୋଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ୨୦୧୨ରେ ଡକ୍ଟରେଟ୍ ଉପାଧୀ ପ୍ରଦାନ କରିଛି । ତାଙ୍କୁ ଓଡ଼ିଶା ସରକାର ସ୍ଵିଡେନରେ ଓଡ଼ିଆ ସାଂସ୍କୃତିକ ଦୂତ ଭାବେ ପରିଚୟ ଦେଇଛନ୍ତି । ତାଙ୍କ ଉପରେ ଏକାଧିକ ପୁସ୍ତକ ଓ ପ୍ରାମାଣିକ ଚିତ୍ର ହୋଇଥିବା ବେଳେ ଏବେ ଖ୍ୟାତନାମା ବଲିଉଡ ଚଳଚ୍ଚିତ୍ର ନିର୍ମାତା ସଂଜୟ ଲୀଲା ବଂଶାଲୀ ତାଙ୍କ ପ୍ରେମ କାହାଣୀକୁ ନେଇ ଏକ ସିନେମା ନିର୍ମାଣ କରୁଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।