ଯାତ୍ରୀର ଚିକିତ୍ସା ପାଇଁ ଅଟୋ ବନ୍ଧକ ରଖିଲେ ଚେନ୍ନାଇ ଅଟୋ ଚାଳକ

ଯାତ୍ରୀର ଚିକିତ୍ସା ପାଇଁ ଅଟୋ ବନ୍ଧକ ରଖିଲେ ଚେନ୍ନାଇ ଅଟୋ ଚାଳକ

Friday February 19, 2016,

2 min Read

ଚେନ୍ନାଇର ୪୮ ବର୍ଷୀୟ କେ. ରବିଚନ୍ଦ୍ରନ୍ ବୃତ୍ତିରେ ଜଣେ ଅଟୋରିକ୍ସା ଚାଳକ । କିନ୍ତୁ ସେ ଏବେ ପାଲଟିଛନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ଅଟୋରେ ଯାତ୍ରା କରୁଥିବା ଜଣେ ଯାତ୍ରୀର ଚିକିତ୍ସା ପାଇଁ ସେ ନିଜ ଅଟୋକୁ ବନ୍ଧକ ରଖିବା ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।

କିଛି ମାସ ତଳେ ରବିଚନ୍ଦ୍ରନଙ୍କ ଅଟୋରେ ଜଣେ ଯାତ୍ରୀ ରାମାପୁରମଠାରୁ ତ୍ରିପଲିକେନ ପର୍ଯ୍ୟନ୍ତ ଯିବା ପାଇଁ ବସିଥିଲେ । ସେମାନେ ମାଉଣ୍ଟ ରୋଡ୍ ଛୁଇଁବା କ୍ଷଣି ୫୭ ବର୍ଷୀୟ ଯାତ୍ରୀ ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ରବିଚନ୍ଦ୍ରନ୍ ତାଙ୍କୁ ନିକଟରେ ଥିବା ଏକ ଘରୋଇ କ୍ଲିନିକକୁ ନେଇ ଯାଇଥିଲେ । ପରେ ତାଙ୍କୁ ରାଜୀବ ଗାନ୍ଧୀ ସାଧାରଣ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

image


ପଢନ୍ତୁ - କ୍ୟାନସର ପୀଡିତଙ୍କ ପାଇଁ ଭିକ୍ଷା : ମୁମ୍ବଇ ଲୋକାଲ୍ ଟ୍ରେନରେ ଗିଟାର ବଜାଇ ମାଗନ୍ତି ସୌରଭ

ଯାତ୍ରୀ ଜଣଙ୍କର ହୃଦୟକୁ ସଂଯୋଗ କରୁଥିବା ରକ୍ତନଳୀର ତିନିଟି ସ୍ଥାନରେ ବ୍ଲକ୍ ହୋଇଥିଲା । ତାଙ୍କ ହୃଦୟରେ ତୁରନ୍ତ ଏକ ପେସ୍ ମେକର୍ ଲଗାଇବାକୁ ପଡିବ ବୋଲି ଡାକ୍ତରମାନେ ରବିଚନ୍ଦ୍ରନଙ୍କୁ କହିଥିଲେ । ରବିଚନ୍ଦ୍ରନ୍ ସମ୍ପୃକ୍ତ ଯାତ୍ରୀଙ୍କ ପରିବାର ଲୋକଙ୍କ ଏ ବିଷୟରେ ଅବଗତ କରାଇଥିଲେ । ସେଦିନ ରାତିରେ ସେହି ଅସୁସ୍ଥ ଯାତ୍ରୀ ଜଣଙ୍କ ପୁଅ କୋଲକାତାରୁ ବିମାନ ଯୋଗେ ଚେନ୍ନାଇରେ ପହଞ୍ଚିଥିଲେ । ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ଲାଗିବ ବୋଲି ଡାକ୍ତରମାନେ କହିଥିଲେ । ତେବେ ରବିଚନ୍ଦ୍ରନ୍ ଓ ସମ୍ପୃକ୍ତ ଯାତ୍ରୀଙ୍କ ପୁଅ ଡାକ୍ତରଖାନାର ମୁଖ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ଖର୍ଚ୍ଚ ୪୭,୦୦୦ଟଙ୍କା ସ୍ଥିର କରିଥିଲେ । କିନ୍ତୁ ଅସୁସ୍ଥ ଯାତ୍ରୀଙ୍କ ପୁଅ ନିକଟରେ ମାତ୍ର ୧୫,୦୦୦ ଟଙ୍କା ଥିଲା । ଏଣୁ କ’ଣ କରାଯିବ କିଛି ବୁଦ୍ଧିବାଟ ଦିଶିଲାନି । ଏହି ସମୟରେ ରବିଚନ୍ଦ୍ରନ୍ ନିଜର ଏକ ମାତ୍ର ସମ୍ପତ୍ତି, ତାଙ୍କ ଅଟୋରିକ୍ସାକୁ ବନ୍ଧକ ରଖି ବାକି ଟଙ୍କାର ଯୋଗାଡ କରିଥିଲେ ।

ନିକଟରେ ଚେନ୍ନାଇର ଆନ୍ନା ଅଟୋ ୱେଲଫେୟାର୍ ଟ୍ରଷ୍ଟ ପକ୍ଷରୁ ରବିଚନ୍ଦ୍ରନଙ୍କୁ ସମ୍ମାନିତ କରାଯାଇଛି । ତାଙ୍କ ସହ ଆଉ ୧୬ଜଣ ଅଟୋ ରିକ୍ସା ଚାଳକ(୩ଟି ମହିଳା ସମେତ)ଙ୍କୁ ମଧ୍ୟ ଏହିଭଳି ଉଦାହରଣ ସୃଷ୍ଟି କରିଥିବାରୁ ସମ୍ମାନୀତ କରାଯାଇଛି । ଆନ୍ନା ଅଟୋ ୱେଲଫେୟାର୍ ଟ୍ରଷ୍ଟ, ଚେନ୍ନାଇରେ ଅଟୋ ରିକ୍ସା ଚାଳକମାନଙ୍କୁ ଏହିଭଳି ଉଦାହରଣ ସୃଷ୍ଟି କରୁଥିବା କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଛନ୍ତି ।

ଟ୍ରଷ୍ଟର ମୁଖ୍ୟ ଅନୀଲ ଖିଚାଙ୍କ ଅନୁଯାୟୀ, “ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ତଥା ବ୍ୟକ୍ତିମାନେ ପ୍ରଥମେ ଅଟୋରିକ୍ସା ଚାଳକଙ୍କ ସଂସ୍ପର୍ଶରେ ଆସିଥାଆନ୍ତି । ଏଣୁ ସେମାନଙ୍କ ନିକଟରୁ ସେମାନେ ଯେଉଁ ବ୍ୟବହାର ପାଇଥାଆନ୍ତି, ତାହା ସହର ବିଷୟରେ ତାଙ୍କର ଧାରଣାକୁ ସେହିଭଳି କରି ଦେଇଥାଏ । ଏଣୁ ଭଲ କାମ କରୁଥିବା ଚାଳକମାନଙ୍କୁ ସମ୍ମାନୀତ କରିବା ଦ୍ୱାରା ସେମାନେ ଆଗକୁ ଆହୁରି ଭଲ କାମ କରିବାକୁ ପ୍ରୋତ୍ସାହିତ ହେବେ ।”

ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ଅଟୋରେ ଏକ ଫୋନ୍ ନମ୍ବର-୯୨୪୩୦୦୦୧୧୧ ଲେଖାଥିବା ଷ୍ଟିକର୍ ସବୁ ଲଗାଯାଇଛି । ଏହି ନମ୍ବରରେ ଫୋନ୍ କରି ଜଣେ ଯାତ୍ରୀ ଅଟୋ ଚାଳକଙ୍କ ଆଚରଣ ଓ ବ୍ୟବହାର ବିଷୟରେ ମତାମତ ଦେଇ ପାରିବେ । ଏହି ମତାମତକୁ ଭିତ୍ତି କରି ପ୍ରତ୍ୟେକ ମାସରେ ଟ୍ରଷ୍ଟ ପକ୍ଷରୁ ଅଟୋ ଚାଳକମାନଙ୍କୁ ସମ୍ମାନୀତ କରାଯାଉଛି ।

ପଢନ୍ତୁ ଆଉ କିଛି ସମାନ ଧାରାର କାହାଣୀ - 

1। ମତଦାତାଙ୍କ ପାପୁଲିରେ ଲାଗିବ ‘ବେଟି ବଚାଓ-ବେଟି ପଢାଓ’ ଅଭିଯାନର ମୋହର

2। ଆମ ଦେଶର ଅଜବ ବ୍ୟାଙ୍କ

3। ବାଲ୍ୟବିବାହକୁ ବିରୋଧ କଲେ ଓଡ଼ିଆ ବାଳିକା