ଲୋକକଳାକୁ ପ୍ରୋତ୍ସାହନ ଯୋଜନା, କଳାକାରଙ୍କୁ ମିଳିବ ସୁବିଧା

ଲୋକକଳାକୁ ପ୍ରୋତ୍ସାହନ ଯୋଜନା, କଳାକାରଙ୍କୁ ମିଳିବ ସୁବିଧା

Wednesday March 09, 2016,

2 min Read

ଲୋକକଳା ହେଉଛି ଗ୍ରାମାଂଚଳ ସାମାଜିକ ଜୀବନର ଏକ ଅଂଶ | ଏହା ସଂସ୍କୃତିର ବାର୍ତ୍ତା | ଜନଜୀବନର ପ୍ରତିଛବି ଏଥିରୁ ହିଁ ଜାଣିହୁଏ | ମନୋରଂଜନର ଏହା ଥିଲା ଏକ ବଳିଷ୍ଠ ମାଧ୍ୟମ | ଏବେ ମନୋରଂଜନର ବିଭିନ୍ନ ମାଧ୍ୟମ ଆସିଗଲା ପରେ ଲୋକ କଳା ପ୍ରତି ଆଗ୍ରହ କମିଯାଇଛି | ଅନେକ ଲୋକ କଳା ସମାଜରୁ ପୂରା ଲୋପ ମଧ୍ୟ ପାଇଗଲାଣି | ଧର୍ମୀୟ ଓ ଆଧ୍ୟାତ୍ମିକ ପରମ୍ପରା ସହ ଜଡିତ ଥିବା କିଛି ଲୋକକଳା ଏବେ ବି ଲୋକଙ୍କ ଆଗରେ ଦେଖିବାକୁ ମିଳୁଛି | ତେବେ ଲୁପ୍ତପ୍ରାୟ ଲୋକକଳାକୁ ପୁଣି ଥରେ ନୂଆ ଜୀବନ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ | ଏଥିପାଇଁ ଅନେକ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଛି |

image


ପ୍ରଥମ ପଦକ୍ଷେପ ସ୍ୱରୂପ ଲୋକକଳାର କଳାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ବୀକୃତି ପ୍ରଦାନ କରାଯିବ | ଯାହା ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ | ବର୍ତ୍ତମାନ ରାଜ୍ୟରେ ଲୋକକଳାକୁ ପ୍ରଚାର କରୁଥିବା ୮୩ ହଜାର ୫୪ ଜଣ କଳାକାର ଅଛନ୍ତି | ଏହି ସଂଖ୍ୟାକୁ ୩ ଲକ୍ଷରେ ପଂହଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି |

ପୁରୀର ଜଣେ ଲୋକ କଳାକାର ପ୍ରଫୁଲ ପ୍ରଧାନ କହନ୍ତି,

ଜିଲ୍ଲା କିମ୍ବା ବ୍ଲକ କଳା ସଂସ୍କୃତି ସଂଘ ବିଷୟରେ ଗାଁରେ ଥିବା କଳାକାରମାନେ ଜାଣିପାରୁନାହାନ୍ତି| ପଂଚାୟତସ୍ତରରେ ସେମାନଙ୍କ ନିକଟରେ ସୂଚନା ଦେବାର ବ୍ୟବସ୍ଥା ହେବା ଦରକାର | ଏହା ହୋଇପାରିଲେ ଅଧିକରୁ ଅଧିକ ଲୁପ୍ତ ଲୋକକଳା ଦଳମାନଙ୍କୁ ସଂସ୍କୃତି ସଂଘ ଜରିଆରେ ପ୍ରୋତ୍ସାହନ ଦିଆଯାଇପାରିବ |

ଲୋକକଳା ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ପ୍ରଚାର ପାଇଁ ୨୦୧୧ ମସିହା ଏପ୍ରିଲ୍ ୧ରେ କଳାକାର ସଂଘ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଜିଲ୍ଲାସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତି ସଂଘ ଗଠନ କରାଯାଇଛି | ଏହି ଦୁଇଟି ସଂଘ ଦ୍ୱାରା ଲୋକକଳା ଦଳଗୁଡିକ ପରିଚାଳିତ ହେଉଛନ୍ତି | ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକରେ ୪୭୧ଟି ଲୋକକଳା ରହିଥିବା ଚିହ୍ନଟ କରାଯାଇଛି | ସେହିଭଳି ଏହି ସଂଘଗୁଡିକ ସହ ୭୪୮୨ଟି ଲୋକକଳା ଦଳ ଓ ୮୩୦୫୪ ଜଣ କଳାକାର ପଂଜିକୃତ ହୋଇଛନ୍ତି | ସରକାରୀ ପ୍ରୋତ୍ସାହନ ମିଳିବା ଫଳରେ କଳାକାର ଓ ଅନୁଷ୍ଠାନଗୁଡିକର ସଂଖ୍ୟା ବଢି ଚାଲିଛି | ଏହାକୁ ନଜରରେ ରଖି ଆଉ ଦୁଇଟି କଳାକାର ସଂଘ ଗଠନ କରିବାକୁ ନିଷ୍ପତ୍ତି ହୋଇଛି | ବିଭିନ୍ନ ସହରରେ ନଗର କଳା ସଂସ୍କୃତି ସଂଘ ଏବଂ ରାଜ୍ୟସ୍ତରରେ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯିବ |

image


ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ କହିଛନ୍ତି,

କଳାକାରଙ୍କୁ ଚିହ୍ନଟ କରିବା ଆମର ପ୍ରଥମ ପ୍ରାଥମିକତା ରହି ଆସିଛି | ତେଣୁ ସେମାନଙ୍କ ତଥ୍ୟ ଯୋଗାଡ କରିବା ପାଇଁ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ରାଜ୍ୟର ପ୍ରତ୍ୟେକଟି ଲୋକ କଳାଦଳ ଯେପରି ସଂସ୍କୃତି ସଂଘଗୁଡିକ ସହ ଜଡିତ ହେବେ, ସେଥିପାଇଁ ଆମେ ପ୍ରୟାସ କରୁଛୁ |

କଳାକାରମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମାସରେ ଭିଡିଓ କନଫରେନସିଂ କରାଯାଉଛି | କଳା ପରିବେଷଣର ଶୈଳୀ ଉପରେ ଅବଗତ କରାଇବା ପାଇଁ ରାଜ୍ୟ ସମ୍ବଳ ବିକାଶ ଦଳ ଗଠନ କରାଯାଇ ବରିଷ୍ଠ ଗୁରୁଙ୍କ ଦ୍ୱାରା ତାଲିମ ଦିଆଯାଉଛି | କଳାର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ୟୁନିସେଫ୍ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେଉଛି | ଏହି ସଂସ୍କୃତି ସଂଘଗୁଡିକ ଠିକ୍ ରେ କାମ କଲେ ଅଧିକରୁ ଅଧିକ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରି ରୋଜଗାର କରିପାରିବେ |