ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ କୌଶଳ ତାଲିମ କେନ୍ଦ୍ର

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ କୌଶଳ ତାଲିମ କେନ୍ଦ୍ର

Monday February 01, 2016,

2 min Read

କେନ୍ଦ୍ର ସରକାର ପ୍ରତିବର୍ଷ ଏକ କୋଟି ଯୁବକଯୁବତୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବାର ଯୋଜନା ରଖିଛନ୍ତି । ଏତେ ବଡ଼ ଧରଣର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶରେ ତାଲିମଦାତାଙ୍କ ଅଭାବ ରହିଛି ବୋଲି କେନ୍ଦ୍ର କୌଶଳ ବିକାଶ ମନ୍ତ୍ରୀ ରାଜୀବ ପ୍ରତାପ ରୁଡୀ କହିଛନ୍ତି । କୌଶଳର ସ୍ତର ମାପିବା ପାଇଁ ଏକ ଜାତୀୟ କୌଶଳ ସାର୍ଟିଫିକେସନ୍ ବୋର୍ଡ ଗଠନ କରାଯିବାର ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି । କୌଶଳ ବିକାଶର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କାର ଉପରେ ସେ ୧୧ ଜଣ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ।

image


ଏଠାରେ ଏକ ସଂସଦୀୟ କମିଟି ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ତାଲିମଦାତାଙ୍କ ଅଭାବ ପୂରଣ କରିବାକୁ ଅବସରପ୍ରାପ୍ତ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି । ପ୍ରତିରକ୍ଷା ସେବାରୁ ପ୍ରତିବର୍ଷ ୬୦ ହଜାର କର୍ମଚାରୀ ଅବସର ଗ୍ରହଣ କରୁଛନ୍ତି । ସେମାନଙ୍କୁ କୌଶଳ ତାଲିମଦାତା ଭାବେ ନିଯୁକ୍ତ କରିବାକୁ ଯୋଜନା ରଖାଯାଇଛି ।

ସାରା ବିଶ୍ୱରେ ଏକ ଲାଭଜନକ ସ୍ଥିତିରେ ରହିବାକୁ ହେଲେ ଯୁବପିଢ଼ିଙ୍କୁ କୌଶଳ ତାଲିମ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ମନ୍ତ୍ରଣାଳୟ ବର୍ଷକୁ ୧ କୋଟି ଯୁବକଯୁବତୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବେ । କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବର୍ଷକୁ ୧୪ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଦେଶର ବିଭିନ୍ନ ଜିଲ୍ଲାରେ କୌଶଳ ତାଲିମ କେନ୍ଦ୍ରଗୁଡ଼ିକ ଖୋଲାଯାଉଛି । ଶ୍ରୀ ରୁଡୀ କହିଛନ୍ତି ଯେ ହାଇସ୍କୁଲ୍ ସ୍ତରରେ ବୃତିଗତ ପାଠ୍ୟକ୍ରମକୁ ସାମିଲ କରିବାକୁ ସରକାର ଯୋଜନା ରଖିଛନ୍ତି । ଦେଶରେ ବନ୍ଦ ହୋଇପଡ଼ି ରହିଥିବା କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ କୌଶଳ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ମଧ୍ୟ ସରକାର ଯୋଜନା ରଖିଥିବା ସେ କହିଛନ୍ତି ।

image


ଓଡ଼ିଶାର ସମସ୍ତ ଜିଲ୍ଲାରେ ମଡେଲ୍ କୌଶଳ ତାଲିମ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି । ଏହି କେନ୍ଦ୍ରଗୁଡ଼ିକ ଯେଭଳି ସହଜରେ ଓ ସୁବିଧାରେ ପ୍ରତିଷ୍ଠା ହୋଇ ପାରିବ ସେଥିପାଇଁ ସାଂସଦମାନେ ଜମି ଓ କୋଠାବାଡ଼ି ଯୋଗାଇ ଦେବାରେ ସହାୟତା ପ୍ରଦାନ କରିବାକୁ ଶ୍ରୀ ରୁଡୀ କହିଛନ୍ତି । ଏହି କେନ୍ଦ୍ରଗୁଡ଼ିକର ପରିଚାଳନା ଖର୍ଚ୍ଚ କୌଶଳ ବିକାଶ ମନ୍ତ୍ରଣାଳୟ ଓ ଉଦ୍ୟୋଗୀମାନେ ଭରଣା କରିବେ ।

ଏହି ବୈଠକରେ କମିଟି ପକ୍ଷରୁ କୌଶଳ ତାଲିମକୁ ନେଇ ବିଭିନ୍ନ ପ୍ରକାର ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ଉଦ୍ୟୋଗୀ ସୃଷ୍ଟି ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ସଂସଦୀୟ କମିଟିର ସଦସ୍ୟ ଦୁଶ୍ୟାନ୍ତ ଚୌଟାଲା, ହରିଶ ଚନ୍ଦ୍ର ମୀନା, ଜୟଶ୍ରୀବେନ୍ ପଟେଲ୍, ଡର କେ ହରିବାବୁ, କନୱର ଭାରତେନ୍ଦ୍ର ସିଂହ, ନଗେନ୍ଦ୍ର ପ୍ରଧାନ, ନାନାଭାଓ ଫାଲଗୁନ୍ ରାଓ ପଟେଲ, ଓମ୍ ବିର୍ଲା, ସୁଭାଷ ପଟେଲ୍, ସୁନୀଲ କୁମାର ସିଂହ ଓ ବାସୱରାଜ ପାଟିଲ୍ ଉପସ୍ଥିତ ଥିଲେ ।