ଗୃହହୀନଙ୍କୁ ଆଶ୍ରୟ ଦେବା ସହ ଶିକ୍ଷାଦାନ କରୁଛନ୍ତି ମାଲାୟଲମ କବୟିତ୍ରୀ ସୁଗଥାକୁମାରୀ

ଗୃହହୀନଙ୍କୁ ଆଶ୍ରୟ ଦେବା ସହ ଶିକ୍ଷାଦାନ କରୁଛନ୍ତି ମାଲାୟଲମ କବୟିତ୍ରୀ ସୁଗଥାକୁମାରୀ

Tuesday February 16, 2016,

3 min Read

ଏହା କୌଣସି ପତିତଉଦ୍ଧାର କେନ୍ଦ୍ର ନୁହେଁ । ତେବେ ଥିରୁଅନନ୍ତପୁରମର ଏହି ଘରେ ଧର୍ଷିତା, ଘରୋଇ ହିଂସାର ଶିକାର ହୋଇଥିବା ବ୍ୟକ୍ତି, ଡ୍ରଗ୍ ଯୋଗୁଁ ମାନସିକ ସନ୍ତୁଳନ ହରାଇଥିବା ବ୍ୟକ୍ତିଙ୍କୁ ଶିକ୍ଷା ମିଳିବା ସହ ନିଯୁକ୍ତି ମଧ୍ୟ ମିଳୁଛି । ସେମାନେ ଏଠାରେ ପୁଣି ନିଜର ଆତ୍ମବିଶ୍ୱାସ ଫେରି ପାଉଛନ୍ତି ।

image


୮୦ ଦଶକରେ ଏଭଳି ଚିନ୍ତାଧାରା ନେଇ ମାଲାୟଲମ କବୟିତ୍ରୀ-ସମାଜକର୍ମୀ ସୁଗଥାକୁମାରୀ ‘ଅଭୟ’ ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଏବେ ୩୦ ବର୍ଷ ପୂର୍ତି ପାଳନ କରୁଛି । ଏହା ବହୁ ପତିତାଙ୍କ ମୁହଁରେ ହସ ଫୁଟାଇ ପାରିଛି, ସେମାନଙ୍କ ମଧ୍ୟରେ ଚର୍ଚ୍ଚିତ ଯୌନ ଅପରାଧର ଶିକାର ହୋଇଥିବା ମହିଳା/ତରୁଣୀ ମଧ୍ୟ ଅଛନ୍ତି ।

ପଢନ୍ତୁ - ନାରୀବାଦର ଅନ୍ୟ ନାମ ସମାନତା: ମଲାଲା ୟୁସୁଫଜଇ

ଅର୍ଥ ଓ ଆବଶ୍ୟକ ସୁବିଧାସୁଯୋଗ ନଥିବା ସତ୍ତ୍ୱେ ଅଭୟାର ପ୍ରତିଷ୍ଠାତା ସଂପାଦିକା ସୁଗଥାକୁମାରୀ କହନ୍ତି, ଅନ୍ତେବାସିଙ୍କ ମୁହଁରେ ଆଶା ଆଉ ଆତ୍ମବିଶ୍ୱାସ ହିଁ ଏହି ଅନୁଷ୍ଠାନର ସଫଳତାର ବଡ଼ ପୁଞ୍ଜି । ସମ୍ମାନଜନକ ସରସ୍ଵତୀ ସମ୍ମାନ ପ୍ରାପ୍ତା ଭବିଷ୍ୟତରେ କେରଳର ସମସ୍ତ ୧୪ଟି ଜିଲ୍ଲାରେ ମାନସିକ ଅନଗ୍ରସରଙ୍କ ପାଇଁ ସୁଧାର ଗୃହ ଖୋଲିବାକୁ ଯୋଜନା ରଖିଛନ୍ତି ।

‘୩୦ ବର୍ଷ ଅତିକ୍ରାନ୍ତ ହେଲାଣି, ତଥାପି ଆମେ ଶହଶହ ପତିତ, ଅବହେଳିତ ଓ ବିତାଡ଼ିତଙ୍କୁ ଅଭୟ ପ୍ରଦାନ କରିବାରେ ସଫଳ ହୋଇନାହୁଁ ।’ ବୋଲି ସେ ପିଟିଆଇକୁ କହିଛନ୍ତି । ସେ ପୁଣି କହିଛନ୍ତି, ‘ସବୁ ପ୍ରତିବନ୍ଧକ ସତ୍ତ୍ୱେ ଆମେ ସେମାନଙ୍କୁ ସବୁ କଠିନତାର ସାମନା କରି ଆତ୍ମବିଶ୍ୱାସ ଫେରାଇ ଆଣିବା ସହ ସାଧାରଣ ଜୀବନକୁ ଫେରିବାରେ ସହାୟତା କରି ଚାଲିବୁ ।’

ସରକାରୀ ଚିକିତ୍ସାଳୟରେ ମାନସିକ ରୋଗୀଙ୍କ ଅସହାୟତାକୁ ଦୃଷ୍ଟିରେ ରଖି ୧୯୮୫ରେ ଜନ୍ମ ନେଇଥିବା ‘ଅଭୟ’ ପ୍ରଥମେ କେବଳ ସେମାନଙ୍କ ପାଇଁ କାମ କରୁଥିଲା । ପରେ ପରେ ଏହା ମାନସିକ ରୋଗୀଙ୍କ ସଗ୍ନିଶାଖୋର, ସୁବିଧାରହିତ ବାଳିକାଙ୍କ ସେବା କରିବା ସହ ପତିତା ମହିଳାଙ୍କ ପାଇଁ ସ୍ଵଳ୍ପକାଳୀନ ରହଣିସ୍ଥଳ ପାଲଟିଲା ।

ସମସ୍ତଙ୍କ ପାଇଁ ଟିଚର ଭାବେ ଜଣାଶୁଣା ସୁଗଥାକୁମାରୀ ଥରେ ଥିରୁଅନନ୍ତପୁର ସରକାରୀ ଡାକ୍ତରଖାନା ବୁଲି ଯାଇଥିବା ବେଳେ ଅଭୟ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ ।

ସୁଗଥାକୁମାରୀ କହନ୍ତି,

“ଆମେ ଆସିବା ପୂର୍ବରୁ କେରଳରେ ମାନସିକ ଚିକିତ୍ସାଳୟ ଗୁଡ଼ିକ ବନ୍ଦୀଶାଳା ସଦ୍ୟଶ ପାଗଳ ଗାରଦ ଥିଲା । ମୁଁ ଯାହା ସେଠି ଦେଖିଲି ତାହା ମୁଁ ବର୍ଣନା କରିପାରିବିନି । କାହା ଦେହରେ ଲୁଗା ନାହିଁ ତ କିଏ ଖଣ୍ଡିଆଖାବରା ହୋଇ ପଡ଼ିଛି । ସମସ୍ତେ ଭୋକ ଆଉ ଯନ୍ତ୍ରଣାରେ ଚିକ୍ରାର କରୁଛନ୍ତି । ସେମାନଙ୍କୁ ଗୋଟେ ଅପରିଷ୍କାର କୋଠରୀରେ ତାଲା ପକାଇ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକେ ମୋ ଗୋଡ଼ ଧରିଲେ ଓ ଖାଦ୍ୟ ପାଇଁ ନେହୁରା ହେଲେ ।”

୮୧ ବର୍ଷୀୟ ଏହି କବୟିତ୍ରୀ ଜଣକ କହନ୍ତି ବହୁ ସଂଘର୍ଷ ପରେ ଏବେ ରାଜ୍ୟରେ ମାନସିକ ଚିକିତ୍ସାଳୟ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିଛି ।୧୯୯୨ ମସିହାରୁ ଅଭୟ ପକ୍ଷରୁ ଥିରୁଅନନ୍ତପୁର ବାହାରେ ୧୦ ଏକର ପରିମିତ ଜମି ଉପରେ ଅଭୟଗ୍ରାମ ପ୍ରତିଷ୍ଠା କରାଯାଇଛି ।

ସେତେବେଳେ ତିବତର ଧର୍ମଗୁରୁ ଦଲାଇ ଲାମା ଏହି ଅଭୟଗ୍ରାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସୁଗଥାକୁମାରୀ କହନ୍ତି,

‘ସେତେବେଳେ ଦଲାଇଲାମା କହିଥିଲେ ଏହି ସ୍ଥାନ ଗୃହହୀନ ଓ ସବୁଠୁ ଅଭାଗାମାନଙ୍କର ଆଶ୍ରୟ କେନ୍ଦ୍ର ପାଲଟୁ । ମୁଁ ତାଙ୍କ କଥାକୁ ପୂରଣ କରିବାକୁ ହିଁ ସେବେ ଠାରୁ ଲାଗିଛି ।’

ଅଭୟ ପକ୍ଷରୁ ବର୍ତ୍ତମାନ ୮ଟି କେନ୍ଦ୍ର କାର୍ଯ୍ୟ କରୁଛି ଯେମିତିକି ଚିକିତ୍ସିତ ହୋଇ ସାରିଥିବା ମାନସିକ ରୋଗୀଙ୍କ ପାଇଁ ‘କର୍ମ’, ମାନସିକ ରୋଗୀଙ୍କ ସେବା କେନ୍ଦ୍ର ‘ଶ୍ରଦ୍ଧା ଭବନମ୍’ ଓ ମାନସିକ ସ୍ଵାସ୍ଥ୍ୟ ଓ ନିଶାଗ୍ରସ୍ତଙ୍କ ପାଇଁ ‘ମିତ୍ର’ କେନ୍ଦ୍ର ଆଦି । ପୁଣି ସୁବିଧା ରହିତ ବାଳିକାଙ୍କ ପାଇଁ ‘ଅଭୟବାଳା’ କାମ କରୁଥିବା ବେଳେ ମହିଳା ଓ କିଶୋରୀଙ୍କ ସ୍ଵଳ୍ପ ରହଣୀ ପାଇଁ ‘ଅଥାନି’, ନିଶାଗ୍ରସ୍ତଙ୍କ ଚିକିତ୍ସା କେନ୍ଦ୍ର ‘ବୋଧି’ ଓ ମାନସିକ ରୋଗୀଙ୍କ ପାଇଁ କେବଳ ଦିନରେ ଯତ୍ନଗୃହ ‘ପକାଳଭିଡ଼ୁ’ । ଏସବୁ ଭିନ୍ନ ଏକ ୨୪ ଘଣ୍ଟିଆ ମହିଳା ହେଲ୍ପଲାଇନ୍ ନମ୍ବର ଓ ଆଇନ ସହାୟତା କେନ୍ଦ୍ର ମଧ୍ୟ ରହିଛି ।

ବର୍ତ୍ତମାନ ଅଭୟରେ ୨୦୦ ଅନ୍ତେବାସୀ ଓ ୮୦ କର୍ମଚାରୀ ଥିବା ବେଳେ ଅର୍ଥ ବଡ଼ ବାଧକ ସାଜିଛି । “ଆମେ କେବଳ ସରକାରୀ ଅନୁଦାନ ଓ ବ୍ୟକ୍ତିଗତ ଦାନ ଉପରେ ନିର୍ଭର କରୁଛୁ । ଆମେ ଏଠାରେ ଏବେ ଆଉ ଅଧିକ ଅନ୍ତେବାସୀ ରଖିପାରୁନୁ । କର୍ମଚାରୀମାନେ ବି ଉଚିତ ଦରମା ପାଇ ପାରୁନାହାନ୍ତି ।”

ସେ ପୁଣି କହନ୍ତି, “ଅଭୟ କୌଣସି ଧର୍ମାନୁଷ୍ଠାନ କି ଗୋଷ୍ଠୀଗତ ଅନୁଷ୍ଠାନ ନୁହେଁ । ଏହା ହିଁ ଏ ଅନୁଷ୍ଠାନର ଉଭୟ ଶକ୍ତି ଓ ଦୁର୍ବଳତା । ଯଦି କୋଉ ନିର୍ଦିଷ୍ଟ ଧର୍ମର ଏହା ହୋଇଥାନ୍ତା ଆମେ ଲକ୍ଷଲକ୍ଷ ଟଙ୍କା ଦାନ ପାଇଥାନ୍ତୁ ।” ୩ ଦଶନ୍ଧି ତଳେ ସୁଗଥାକୁମାରୀ କେରଳରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ବିରୋଧରେ ଲଢ଼ିଥିଲେ । ନିକଟରେ ଆରାନମୁଲାରେ ବିମାନବନ୍ଦର ନିର୍ମାଣ ବିରୋଧୀ ଆନ୍ଦୋଳନର ବି ସେ ନେତୃତ୍ୱ ନେଇଥିଲେ । ସେ କହନ୍ତି, ତାଙ୍କ ପିଲାମାନଙ୍କ ସ୍ଵପ୍ନ ସତ୍ୟ କରିବାକୁ ସେ ନିରନ୍ତର ପ୍ରଚେଷ୍ଟା ଜାରି ରଖିବେ ।

ଆଉ କିଛି ସମାନ ଧାରାର କାହାଣୀ -

1। ଅନୀତା ଡୋଙ୍ଗରେ, ସାମାଜିକ ପ୍ରତିବନ୍ଧକୁ ଏଡାଇ ଉଦ୍ୟୋଗୀ ହୋଇପାରିଥିବା ଜଣେ ଡିଜାଇନର୍

2। କୁନି ଡେଣା ଓ ଛୋଟିଆ ପ୍ରାର୍ଥନା: ମାଳତୀ ଭୋଜୱାନୀଙ୍କ ସଫଳତା ଯାତ୍ରାର ମନ୍ତ୍ର

3। ପରିବର୍ତ୍ତନ ହିଁ ମତେ ଆଗକୁ ନିଏ : ଅନୁ ବୈଦ୍ୟନାଥନ