ଆଦିବାସୀ ବାଳିକାଙ୍କ ଜୀବନ ବଦଳାଉଛି ‘ଉଡ଼ାଣ’

ଆଦିବାସୀ ବାଳିକାଙ୍କ ଜୀବନ ବଦଳାଉଛି ‘ଉଡ଼ାଣ’

Sunday January 17, 2016,

3 min Read

image


ଘରେ ଝିଅର ଜନ୍ମ କାମ କରିବାକୁ, ଆଉ ବୟସ ଟିକେ ବଢ଼ିଗଲେ ବିବାହ କରିବାକୁ । ପାଠ ପଢ଼ିବା ଝିଅମାନଙ୍କର କାମ ନୁହେଁ । ଏମିତି ଧାରଣା ଥିବା ପରିବାରରେ ଜନ୍ମିତ ଝିଅଟିଏର ଜୀବନ କେମିତି ବିତୁଥିବ ଭାବନ୍ତୁ । ବାପା ମା’ଙ୍କୁ ଘରୋଇ କାମ ଓ ରୋଜଗାରରେ ସହଯୋଗ କରିବା ଏବଂ ବିବାହ ଯୋଗ୍ୟ ବୟସ ଛୁଇଁବା ଆଗରୁ ଘରସଂସାର କରି ମା’ ହେବା ଯେଉଁମାନଙ୍କ ଭାଗ୍ୟ ପାଲଟିଥିଲା, ସେମିତି କିଛି ଝିଅଙ୍କ ଜୀବନ ବଦଳେଇଦେଲା ମୟୁରଭଞ୍ଜର ସ୍ଵେଚ୍ଛାସେବୀ ଶିକ୍ଷାଅନୁଷ୍ଠାନ ଉଡ଼ାଣ । ଆଦିବାସୀ ବାଳିକାଙ୍କୁ ଶିକ୍ଷାର ଆଲୋକ ଦେଖାଇ ନୂଆଜୀବନ ଦେବାରେ ବ୍ରତୀ ହୋଇଛି ଏହି ଅନୁଷ୍ଠାନ ।

ବିଡ଼ିମୋଡ଼ାରୁ ପାଠପଢ଼ା

ମୟୁରଭଞ୍ଜ ଜିଲ୍ଲାରେ ୫୩ ପ୍ରକାରର ଆଦିବାସୀ ଗୋଷ୍ଠୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସାମାଜିକ ଓ ଅର୍ଥନୀତିକ ଭାବେ ପଛୁଆ । ତେଣୁ ଏଭଳି ପରିବାରରେ ଶିଶୁଙ୍କ ଲାଗି ଶିକ୍ଷା ସାତସପନ । ପାଠ ବଦଳରେ କଅଁଳ ବୟସରେ ପିଲାଙ୍କ ଉପରେ ଲଦି ଦିଆଯାଏ କାମର ବୋଝ । ଆଉ ଏହାର ପ୍ରଥମ ଶିକାର ପାଲଟନ୍ତି ଝିଅମାନେ । ସେମିତି ଜଣେ ଝିଅ ହେଲେ ସୁଗି ମାଙ୍କଡ଼ିଆ । ଗାଁର ଅନ୍ୟ ଝିଅଙ୍କ ଭଳି ହେତୁ ପାଇବା ଦିନୁ ସେ ବାପାମା’ଙ୍କ ବିଡ଼ିମୋଡ଼ାରେ ସହଯୋଗ କରି ଆସୁଥିଲେ । ଘର କାମ ସାଙ୍ଗକୁ ଦିନତମାମ ବିଡ଼ିମୋଡ଼ାରେ ବ୍ୟସ୍ତ ଥିଲେ ସୁଗି । ଦିନେ ସନ୍ତୋଷ ସାହୁ ନାମରେ ଜଣେ ସାମାଜିକ କର୍ମୀ ତାଙ୍କ ଘରକୁ ଆସିଲେ ଓ ସୁଗିଙ୍କ ପିତାମାତାଙ୍କୁ ଝିଅର ପାଠପଢ଼ା ବାବଦରେ ବୁଝାଇଲେ । ବହୁ ବୁଝାସୁଝା ପରେ ସୁଗିର ବାପାମା’ ଝିଅକୁ ପଢ଼ାଇବାକୁ ରାଜି ହେଲେ । ସୁଗି ଉଡ଼ାଣରେ ୫ମ ଶ୍ରେଣୀ ଉତ୍ତୀର୍ଣ ହେବ ପରେ ଏବେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । କେବଳ ସୁଗି ନୁହନ୍ତି, ତାଙ୍କ ଭଳି ୪୦୦ରୁ ଅଧିକ ବାଳିକା ଉଡ଼ାଣରେ ରହି ଶିକ୍ଷାଗ୍ରହଣ କରି ସାରିଛନ୍ତି ।

image


ଜନଜାତିର ଉଦାହରଣ

ଶିକ୍ଷାଠୁ ବହୁ ଦୂରରେ ଥିବା ମାଙ୍କଡ଼ିଆ ଜନଜାତି ଲାଗି ଉଦାହରଣ ପାଲଟିଛନ୍ତି ସୁଗି । ସେ ବଡ଼ହୋଇ ସରପଞ୍ଚ ହେବାର ସ୍ବପ୍ନ ଦେଖୁଛନ୍ତି । ସେହିଭଳି ସାନ୍ତାଳ ଜନଜାତି ଲାଗି ଉଦାହରଣ ସୃଷ୍ଟି କରିଛନ୍ତି ମାଳତୀ ମୁର୍ମୁ । ଉଡ଼ାଣକୁ ଆସିବା ପୂର୍ବରୁ ମାଳତୀ ଗାଁ ସ୍କୁଲରେ ମାତ୍ର ଦ୍ୱିତୀୟ ଯାଏଁ ପାଠ ପଢ଼ି ଆଉ ଆଗକୁ ଯାଇପାରିନଥିଲେ । ଘରେ ମା’ଙ୍କୁ ଶାଳପତ୍ର ଖଲି ତିଆରିରେ ସହଯୋଗ କରୁଥିଲେ । ଦିନକୁ ପ୍ରାୟ ୫୦ଟି ଖଲି ତିଆରି କରି ୫ ଟଙ୍କା ଆୟ କରୁଥିଲେ ମାଳତୀ । ଏବେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ପଢ଼ୁଥିବା ମାଳତୀ ଭବିଷ୍ୟତରେ ଶିକ୍ଷକ ହେବାର ଲକ୍ଷ୍ୟ ରଖିଛନ୍ତି ।

image


ଶିକ୍ଷାସନ୍ଧାନର ଉଡ଼ାଣ

ରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ଅଣଲାଭଦାୟକ ଶିକ୍ଷାସନ୍ଧାନ ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ଆଦିବାସୀ କିଶୋରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ଲକ୍ଷ୍ୟରେ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାସନ୍ଧାନ ପକ୍ଷରୁ ଉଡ଼ାଣ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି । ଏଠାରେ ଛାତ୍ରୀମାନଙ୍କୁ ମାଗଣା ରହିବା, ଖାଇବା, ପିନ୍ଧିବା ସାଙ୍ଗକୁ ଶିକ୍ଷାଦାନ ଦିଆଯାଉଛି । 

ଶିକ୍ଷାସନ୍ଧାନର ସଦସ୍ୟ-ସଚିବ ଅନୀଲ ପ୍ରଧାନ କହନ୍ତି,

ଆଦୌ ବିଦ୍ୟାଳୟ ମାଡ଼ିନଥିବା କିମ୍ବା ବିଦ୍ୟାଳୟ ଛାଡ଼ି ଦେଇଥିବା ୯ରୁ ୧୪ ବର୍ଷ ବୟସର ଆଦିବାସୀ କିଶୋରୀଙ୍କୁ ପୁଣି ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଉଡ଼ାଣ ଆରମ୍ଭ ହୋଇଛି । ଏଠାରେ ସେମାନେ ୫ମ ଶ୍ରେଣୀ ଉତ୍ତୀର୍ଣ ହେବା ପରେ ନିମ୍ନମାଧ୍ୟମିକ ବିଦ୍ୟାଳୟରେ ସେମାନଙ୍କୁ ପଢ଼ାଇବା ଲାଗି ମଧ୍ୟ ଶିକ୍ଷାସନ୍ଧାନ ସହଯୋଗ କରୁଛି ।

ନିଜ ଘର ଠାରୁ ଦୂରରେ ଏହି ଛାତ୍ରୀମାନଙ୍କୁ ସମ୍ପୂର୍ଣ ପାରିବାରିକ ପରିବେଶ ଯୋଗାଇ ଦେଉଛି ଉଡ଼ାଣ । ୨୦୦୯ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଏବେ ଆଦିବାସୀ କିଶୋରୀଙ୍କ ପାଇଁ ନୂଆ ଆଶା ସଂଚାର କରିଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।