କାଶୀପୁରର 'ସୁମନୀ ପ୍ରଭାବ' - ମଦବିରୋଧୀ ଆନ୍ଦୋଳନ କରି କରିଥିଲେ ବିଜୁ ବାବୁଙ୍କୁ ଅଭିଭୂତ

0

ପତଳା ଶରୀର । ଚମ ଧୁଡୁଧୁଡୁ । ଅନୁସୂଚିତ ଜନଜାତିର ହେଲେ ବି ମନରେ ଅସମ୍ଭବ ସାହସ । ଆଦିବାସୀଙ୍କ ବିକାଶ ପାଇଁ ସବୁବେଳେ ଆଗୁଆ। ଆଉ ମଦ ବିରୋଧୀ ଆନ୍ଦୋଳନରେ ଏକ ପରିଚିତ ନାଁ । ରାୟଗଡା କାଶୀପୁର ବ୍ଲକର ସୁମନୀ ଝୋଡିଆ । ଜଣେ ଆଦିବାସୀ ମହିଳା ହୋଇଥିଲେ ବି ତାଙ୍କ ନିର୍ଭୀକତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅଭିଭୂତ କରି ଦେଇଥିଲା । ଖାସ୍ ସେଇଥିପାଇଁ ବିଜୁ ବାବୁ ୧୯୯୩ ମସିହାରେ ତାଙ୍କୁ ନିଜ ପରାମର୍ଶଦାତା ଭାବେ ଦାୟିତ୍ୱ ଦେଇଥିଲେ । ମଦ ଭାଟି ବନ୍ଦ କରିବାକୁ ସୁମନୀଙ୍କୁ ପୁଲିସ କ୍ଷମତା ଦେଇ ଦେଇଥିଲେ । ସୁମନୀ ତାଙ୍କ ମହିଳା ସାଥୀଙ୍କ ସହାୟତାରେ ବହୁ ମଦ ଭାଟି ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ । ଘର ଘର ବୁଲି ମଦ ବିରୋଧରେ ସଚେତନତା ସୃଷ୍ଟି କରିଥିଲେ । ଯାହା ସେତେବେଳେ ଖାଲି ଓଡିଶା ନୁହେଁ ସାରା ଦେଶରେ ଚହଳ ପକାଇଥିଲା । ସେହି ନିର୍ଭୀକ ଆଦିବାସୀ ମହିଳା ସୁମନୀଙ୍କୁ ଭେଟିଥିଲା ଓଡିଆ ୟୋର୍ ଷ୍ଟୋରୀ ।

ସୁମନୀ କୁହନ୍ତି, ୧୯୯୩ ମସିହାର ଘଟଣା । ସେତେବେଳେ କଳାହାଣ୍ଡି, ରାୟଗଡା ଓ ଆଖପାଖ ଜିଲ୍ଲାରେ ବେଲଗାମ ଭାବେ ବିହାରୀ ଦେଶୀ ମଦ ଭାଟି ଖୋଲୁଥିଲା । ସରକାର ବି ବିହାରୀ ମଦ ଭାଟି ଖୋଲିବାକୁ ଅନୁମତି ଦେଇ ଦେଉଥିଲେ । ଫଳରେ ଏହି ଅଞ୍ଚଳରେ ମଦ ବିକ୍ରି ଜୋରସୋରରେ ଚାଲିଲା । ସ୍ଥାନୀୟ ଅଞ୍ଚଳର ଲୋକେ ମଦ ଫାଶରେ ପଡି ଯାଇଥିଲେ । ବହୁ ଘର ଉଜୁଡି ଗଲା । ଅନେକ ଲୋକ ମଦ ପଛରେ ଟଙ୍କା ଉଡାଇ ନିସ୍ଵ ପାଲଟିଗଲେ । ଘର ଭିତରେ ଅଶାନ୍ତିର ନିଆଁ ଜଳିଲା । ଛୋଟ ଛୋଟ କଥାରୁ ଗଣ୍ଡଗୋଳ ତୀବ୍ର ରୂପ ନେଉଥିଲା । ଖାଲି ମଦ ଏସବୁର କାରଣ ପାଲଟିଥିଲା । ମଦ ବିକ୍ରି ବନ୍ଦ କରିବାକୁ କିଛି ମହିଳା ପ୍ରଥମେ ଏକାଠି ହୋଇଥିଲେ । କାଶୀପୁରର ସୁମନୀ ଏହାର ନେତୃତ୍ୱ ନେଇଥିଲେ । କଳାହାଣ୍ଡି ବିଶ୍ୱନାଥପୁରରେ ଆଖପାଖ ଜିଲ୍ଲାର ପ୍ରାୟ ୪୦୦ ମହିଳା ମଦ ବିରୋଧରେ ଏକାଠି ହେଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଥାଆନ୍ତି ବିଜୁ ପଟ୍ଟନାୟକ । ମହିଳାମାନେ ବିଜୁଙ୍କ ପାଖକୁ ଏକ ୧୦ ଦାବି ଥିବା ଖୋଲା ପତ୍ର ପଠାଇଥିଲେ । ମଦ ଭାଟି ବନ୍ଦ କରିବାକୁ ଦାବି କଲେ।

ଚିଠି ପଠାଇବାର ପାଖାପାଖି ୨୦ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଲା । ସୁମନୀ ଓ ଅନ୍ୟ ସାଥୀମାନେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କଲେ । ସୁମନୀ ମୁଖ୍ୟମନ୍ତ୍ରୀ ଆଗରେ ନିଜ ଅଞ୍ଚଳର ପ୍ରକୃତ ଚିତ୍ର ବଖାଣିଥିଲେ । 

ସେ ବିଜୁଙ୍କୁ ସିଧାସଳଖ କହିଥିଲେ, 

ସାହାବ୍ ମଦ ଆମକୁ ମାରୁଛି । ମଦ ପିଇ ପୁଅ ବାପାକୁ ମାରୁଛି । ଜମି ଯାଉଛି, ଧାନ, ଚାଉଳ, ମାଣ୍ଡିଆ ସବୁ ଯାଉଛି । ମଦ ଲାଇସେନ୍ସକୁ କାହିଁକି ତୋ ସରକାର ବନ୍ଦ କରୁନି... । 

ସୁମନୀଙ୍କ ଏହି ନିର୍ଭୀକତା ବିଜୁ ବାବୁଙ୍କୁ ଚମକାଇ ଦେଇଥିଲା ।

ବିଜୁ ବାବୁ ସୁମନୀଙ୍କ କଥା ଶୁଣି ଆଦିବାସୀ ଅଞ୍ଚଳରେ ମଦର ଭୟାବହତାକୁ ଅନୁଭବ କରି ପାରିଥିଲେ । ସଙ୍ଗେ ସଙ୍ଗେ ନିର୍ଦ୍ଧେଶ ଦେଲେ ସୁମନୀ ଓ ତାଙ୍କ ସାଥୀମାନଙ୍କୁ ପୁଲିସ କ୍ଷମତା ଦିଆଗଲା । ସେମାନଙ୍କ ମଦ ବିରୋଧୀ ଆନ୍ଦୋଳନକୁ ପୁଲିସ ଓ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ବିଜୁ ବାବୁ ନିର୍ଦ୍ଧେଶ ଦେଲେ । ଖାଲି ସେତିକି ନୁହେଁ, ସୁମନୀ ଝୋଟିଆ, ସବାଇ ମାଝି ଓ ଅନ୍ଧାରୀ ମାଝିଙ୍କୁ ଆଦିବାସୀମାନଙ୍କ ବିକାଶ ଓ ମଦ ବିରୋଦୀ ଆନ୍ଦୋଳନ ପାଇଁ ନିଜ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ । ତା ପରେ ସୁମନୀ ଓ ତାଙ୍କ ସାଥୀମାନେ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଥିଲେ । ବୁଲି ବୁଲି ବିହାରୀ ମଦ ଭାଟି ଭାଙ୍ଗିଥିଲେ । ଚୋରା ମଦ ବିକ୍ରି ବନ୍ଦ କରି ଦେଇଥିଲେ । ଗାଁ ଗାଁ ବୁଲି ଲୋକଙ୍କୁ ମଦ ବିରୋଧରେ ସଚେତନ କରିଥିଲେ । ଏହି ପ୍ରୟାସ ଯୋଗୁ ସ୍ଥାନୀୟ ଅଞ୍ଚଳରେ ମଦର ଭୟାବହତା ବହୁ ମାତ୍ରାରେ କମି ଯାଇଥିଲା । ସୁମନୀଙ୍କ ଏହି ନିଆରା ପ୍ରୟାସ ଖାଲି ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ଯାଥାର୍ଥ ମାର୍ଗଦର୍ଶନ କରୁଥିବାରୁ ସୁମନୀଙ୍କୁ ବିଜୁ ବାବୁ ବହୁ ଶ୍ରଦ୍ଧା କରୁଥିଲେ । ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସୁମନୀଙ୍କ ପରି ମା’ମାନେ ଆଗେଇ ଆସିବେ ବୋଲି ବିଶ୍ୱାସ ରଖି ସେ ସୁମନୀଙ୍କ ପରାମର୍ଶ ଗ୍ରହଣ କରୁଥିଲେ ।

ହେଲେ ବିଜୁ ବାବୁ କ୍ଷମତାରୁ ଯିବା ପରେ ସୁମନୀଙ୍କ ଅଭିଯାନ ଅଧାରେ ଅଟକି ଯାଇଥିଲା । ସୁମନୀ ଓ ତାଙ୍କ ସାଥୀ ମଦ ଭାଟି ଭାଙ୍ଗିବାକରୁ ତାଙ୍କ ନାଁରେ କେସ୍ ରୁଜୁ ହେଲା । ଏ ନେଇ କ୍ଷୋଭ ପ୍ରକାଶ କରି ସେ କୁହନ୍ତି, ବିଜୁ ପଟ୍ଟନାୟକ ଚାଲିଗଲା । ତା ଶାସନ ସରିଗଲା । ଏବେ ଆଉ ଆମ କଥା କିଏ ଶୁଣିବ? ତେବେ ୨୦୦୯ରେ ବହୁ ସଂଖ୍ୟାରେ ମହିଳାଙ୍କୁ ଏକାଠି କରି ସୁମନୀ ପୁଣି ଥରେ ମଦ ବିରୋଧୀ ଆନ୍ଦୋଳନ ଜୋର୍ କଲେ । ପେଶା ଆଇନ ଅନୁସାରେ ଆଦିବାସୀ ଅଞ୍ଚଳରେ ମଦ ଭାଟି ଖୋଲିବାକୁ ହେଲେ ଗ୍ରାମସଭାର ଅନୁମତି ନେବା ଜରୁରୀ । ହେଲେ ପ୍ରଶାସନ ସରପଞ୍ଚଙ୍କଠାରୁ ସମ୍ମତି ନେଇ ମଦଭାଟି ଖୋଲିବାକୁ ଅନୁମତି ଦେଇ ଦେଉଥିଲା । ଏହାକୁ ସୁମନୀ ବିରୋଧ କରିଥିଲେ । ୨୦୧୦ ଜୁନ୍ ରେ ମଦ ବିରୋଧୀ ଆନ୍ଦୋଳନ ବ୍ୟାପକ ହେଲା । ମହିଳାମାନେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଥିଲେ । ଶେଷରେ ପ୍ରଶାସନ ସେମାନଙ୍କ ଦାବି ମାନିଲା । ଗ୍ରାମସଭା ନିଷ୍ପତ୍ତି ଅନୁସାରେ କାଶୀପୁରର ବହୁ ପଞ୍ଚାୟତରେ ମଦ ଭାଟି ଅନୁମତି ବାତିଲ କରାଗଲା । 

କେବଳ ସୁମନୀଙ୍କ ଭଳି ଜଣେ ସାହସୀ ଓ ନିର୍ଭୀକ ମହିଳାଙ୍କ ପାଇଁ ଖାଲି କାଶୀପୁର ନୁହେଁ କଳାହାଣ୍ଡି ଓ ଅନ୍ୟ ଆଦିବାସୀ ଅଞ୍ଚଳରେ ମଦ ଭାଟି ବନ୍ଦ ହୋଇ ପାରିଛି । ତେବେ ସୁମନୀ କୁହନ୍ତି ଏବେ ବି ଅନ୍ୟ ଆଦିବାସୀ ଅଞ୍ଚଳରେ ମଦ ଭାଟି ବନ୍ଦ କରିବାକୁ ସେ ଆନ୍ଦୋଳନ ଜାରି ରଖିଛନ୍ତି । ଆଦିବାସୀଙ୍କ ବିକାଶ, ସବୁ ଝୋଟିଆଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ସବୁବେଳେ ଦାବି କରୁଛନ୍ତି । ସରକାର ସେମାନଙ୍କୁ ସହଯୋଗର ହାତ ବଢାଇଲେ ଆଦିବାସୀ ଅଞ୍ଚଳର ଚିତ୍ର ବଦଳିବ ବୋଲି ସୁମନୀ ରୋକଠୋକ୍ ଭାବେ କୁହନ୍ତି ।