ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନର ନୂଆ ମୁହଁ

ଇଣ୍ଟରନେଟରେ ଅନେକେ ଓଡ଼ିଆ ବହି ଖୋଜୁଥିବେ । ପୁରୁଣା ବହିରେ ପ୍ରକାଶନ ବା ଛାପା-ଜନିତ ଭୁଲ ଭଟକା ଆଖିରେ ପଡ଼ିଲେ ଯେମିତି ଆମେ ବହିରେ କଲମରେ ଗାର ମାରିଦେଉ ଇଣ୍ଟରନେଟରେ ସେମିତି ଭୁଲଟିଏ ଦେଖିଲେ ଭୁଲଟି ସୁଧାରିବାକୁ ହାତ ବଳିବ । ଏ ସବୁ ପ୍ରକାର ଦ୍ୱନ୍ଦର ସମାଧାନ ଏଣିକି ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର "ଉଇକିପାଠାଗାର" ଦ୍ୱାରା ସମ୍ଭବ ।

1

ଇଣ୍ଟରନେଟରେ ଅନେକେ ଓଡ଼ିଆ ବହି ଖୋଜୁଥିବେ । ପୁରୁଣା ବହିରେ ପ୍ରକାଶନ ବା ଛାପା-ଜନିତ ଭୁଲ ଭଟକା ଆଖିରେ ପଡ଼ିଲେ ଯେମିତି ଆମେ ବହିରେ କଲମରେ ଗାର ମାରିଦେଉ ଇଣ୍ଟରନେଟରେ ସେମିତି ଭୁଲଟିଏ ଦେଖିଲେ ଭୁଲଟି ସୁଧାରିବାକୁ ହାତ ବଳିବ । ଏ ସବୁ ପ୍ରକାର ଦ୍ୱନ୍ଦର ସମାଧାନ ଏଣିକି ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର "ଉଇକିପାଠାଗାର" ଦ୍ୱାରା ସମ୍ଭବ ।

ଭାଷାଟିଏ ବଢ଼ିଲେ ବଢ଼ନ୍ତି ବ୍ୟବହାରୀ । ବଢ଼େ ସେ ଭାଷାର ଅଭିଲେଖ । ଆଉ ଆମ ଭାଷାଟି କେଇ ଶହ-ହଜାର ବର୍ଷ ଭିତରେ ଶାଖା ପ୍ରଶାଖା ମେଲି ଯେ କେଡ଼େ ବିଶାଳ ହୋଇଛି ତାହା ଆମେ ଜାଣୁ । ଭାଷା ନଈଟି ବହୁ ଜାଗା ଦେଇ ବହୁ ବହୁ ଅନେକ ବହି ମଧ୍ୟ ଉତୁରିଉଠିଛି । ସେ ବହିମାନଙ୍କ ଭିତରୁ ଜଣାଶୁଣା ଲେଖକଙ୍କ ବହିଗୁଡ଼ିକ ଭଲ ଭାବେ ସଂରକ୍ଷିତ ହୋଇ ପୁନଃମୁଦ୍ରଣ ହେବା ସହିତ ପିଢ଼ି ପିଢ଼ି ଧରି ପଢ଼ାହେଉଛି । ହେଲେ ଗୁରୁତ୍ତ୍ୱପୂର୍ଣ ତଥ୍ୟ ଥାଇ ମଧ୍ୟ ଅନେକ ବଣମଲ୍ଲୀ ସମ ଉପାଦେୟ ବହି ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରିନାହିଁ । ତା ଛଡ଼ା ଅନେକ ବହି ପ୍ରକାଶକ ଓ ଲେଖକଙ୍କ ସମ୍ବଳ ଅଭାବ ହେତୁ ବା ପାଠକଙ୍କ ଅନାଗ୍ରହ ଯୋଗୁ ସାରା ଓଡ଼ିଶା ବା ଓଡ଼ିଶା ବାହାରକୁ ଯାଇପାରନ୍ତି ନାହିଁ । ଏମିତି ଅବସ୍ଥାରେ ଆମ ଭବିଷ୍ୟତ ପିଢ଼ି ସବୁଯାକ ବହି ନ ହେଲେ ମଧ୍ୟ କିଛି ବହି ପାଇବେ ତ?

ଆଗରୁ ଆମର କୋଠକାଠିଆ ସମାଜ ଥିଲା । ଏକାଠି ବହୁଲୋକ ବସି ଆଳାପ ଆଲୋଚନା କରୁଥିଲେ । ବହି ପଢ଼ାଠୁ ଆରମ୍ଭ କରି ନ୍ୟାୟ ବିଚାର ଯାଏ ସବୁ ହେଉଥିଲା ସେଇଠି । ଆମ ବଡ଼ବଡ଼ୁଆମାନେ ସବୁ ଗୁରୁତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ସେଇଠି ନେଉଥିଲେ । ଅନେକ ସ୍ଥାନରେ ବୁଦ୍ଧଙ୍କ ଛବି ଖୋଜିଲେ ଏବେ ବି ଗଛ ତଳେ ଚଉକିପରେ ଏକାଠି ହୋଇ ଲୋକେ ବିଚାର କରୁଥିବା ଦେଖିବାକୁ ମିଳେ । ପରେ ଭାଗବତ ଟୁଙ୍ଗିରେ ଆମର ଭାଗବତ ପଢ଼ାହେଲା । ସେ ଥିଲା କେଇଘଣ୍ଟା ପାଇଁ ପାଠାଗାର ଆଉ ବାକି ବେଳ ପାଇଁ ଚଳଣି ଆଉ ନ୍ୟାୟଘର । ପରେ ବହିର ଆଲୋଚନାଠାରୁ ସଂଗ୍ରହ ଓ ସଂରକ୍ଷଣ ଲୋଡ଼ା ପଡ଼ିବାରୁ ପାଠାଗାର ଆରମ୍ଭ ହେଲା । ତେବେ ଧୀରେ ଧୀରେ ଲୋକେ ବହି ପଢ଼ାଠାରୁ ଦୂରେଇ ଯିବାରୁ ପାଠାଗାର ବଣମଲ୍ଲୀ ସମାନ ହୋଇପଡ଼ିଲାଣି ।

ଆଜିର ପିଢ଼ି ଯେବେ ପୂରାପୂରି ଡିଜିଟାଲ ମୁହାଁ ହୋଇସାରିଲେଣି ଆମକୁ ବିଚାରିବାକୁ ହେବ ଏ ରାଶି ରାଶି ପୋଥି କାହା ପାଇଁ । ସମାଜଟିଏ ତା'ର ଆଗାମୀ ଭବିଷ୍ୟତର ଆଖିରେ ସପନ ଦେଖେ । ତେଣୁ ଅଧୁନାତନ ପିଢ଼ିର ଆବଶ୍ୟକତାକୁ ଅଣଦେଖା କରି କେବଳ ବହି ଛାପିଲେ ପାଠାଗାର ଯେ ଅଳିଆଗଦାରେ ପରିଣତ ନ ହେବ କିଏ କହିବ? 

ଆଗାମୀ ପିଢ଼ି ପାଇଁ କଣ ଲେଖା ହେବ କଣ ଲେଖା ନ ହେବ ଆଉ କିପରି ଲେଖା ହେବ ତାହା ଏକ ଜଟିଳ ବିଷୟ । ଭାଷା କହିଲେ ଖାଲି ସାହିତ୍ୟକୁ ବୁଝାଏ ନାହିଁ ବରଂ ସାହିତ୍ୟ ଭାଷାର ଏକ ଅଂଶ ବୋଲି ଅନେକଙ୍କୁ ବୁଝିବାକୁ ପଡ଼ିବ । ବିଭିନ୍ନ ଧରଣର ରଚନା ଓ ସେସବୁ ସାଇତା ହେବାର ଆବଶ୍ୟକତା ବହୁ ଭାବେ ରହିଛି । ଆମେ ଆଗକୁ ବଢ଼ିବା ବେଳେ ଆଉ ନୂଆ ଭାବିବା ବେଳେ ଆଗରୁ ଘଟିଥିବା ଘଟଣା ଆମ ପାଦ ତଳର ନିଅଁ ଭଳି କାମ କରେ । ତେଣୁ ନୂଆ ପିଢ଼ି ବହିଠାରୁ ଦୂରେଇ ଯାଉଛନ୍ତି ବୋଲି ଚୋରକୁ ମାନ ମାରି ଖପରାରେ ଖାଇବା ବୋକାମି ହେବ । ବେଳେବେଳେ ତାଙ୍କୁ ଅଣଦେଖା କରି କେବଳ ଛପା ବହି ପଢ଼ୁଥିବା ଲୋକଙ୍କ ପାଇଁ ବହି ଛପାହେଉଛି ବୋଲି ବୋଧହୁଏ । କାଗଜ ପରେ ଛପା ବହି ଯେତେ ନିଜର ଲାଗିଲେ ମଧ୍ୟ ଦିନେ ନା ଦିନେ ଚିରିବ କି ଉଇଙ୍କ ଆହାର ହେବ । ଆଉ ଆଗତ ଦିନ ପାଇଁ ତାକୁ ସାଇତି ରଖିବାର ସଳଖ ବାଟଟିଏ ହେଲା ତା'ର ଡିଜିଟାଲ କପି ତିଆରିବା । ଇଂରାଜୀ, ଫ୍ରେଞ୍ଚ, ସ୍ପାନିସ, ଜର୍ମାନ, ଜାପାନୀ ଆଦି ଭାଷାରେ ଲେଖା ପୋଥିପତର ସବୁ ସେଠାର ପାଠକ ଆଜି ବି ଆମ ଭଳି ବହି ଧରି ପଢ଼ିବାକୁ ଭଲ ପାଆନ୍ତି । 

ଲଣ୍ଡନରେ କିଛି ଦିନର ରହଣି କାଳରେ ଦେଖି ଅଭିଭୂତ ହେଲି ସେଠା ଲୋକଙ୍କ ବହି ପଢ଼ାର ସଉକ । ଟ୍ରେନ ଷ୍ଟେସନ ବାଡ଼ାକୁ ଆଉଜି କିଏ ପଢ଼ୁଛି ତ କିଏ ଜନଗହଳି ଥାନରେ କଣଟିଏ ବାଛି ଫରଦ ପରେ ଫରଦ ଲେଉଟଉଛି । କିନ୍ତୁ ସେଠାର ପାଖାପାଖି ସବୁ ନୂଆ ବହି ଉଭୟ ଛପା ଓ ଇ-ବହି ବିକ୍ରୀ ହେଉଛି । 

ନୂଆ ଟେକନୋଲୋଜି ଆସିଗଲା ବୋଲି ପୁରୁଣା ପୂରା ଫୋପାଡ଼ିଦେବା କେବଳ ମଝିମଝିଆ ସମାଜର ଲକ୍ଷଣ । ହେଲେ ଉଚ୍ଚତର ସମାଜରେ ପୁରୁଣା ଓ ନୂଆର ବିଭା ସବୁଠି ଦେଖିବାକୁ ମିଳେ । ତେଣୁ ଆମ ବହିମାନଙ୍କ ବିକ୍ରି କମିଯିବ ବୋଲି ହାଉଳି ଖାଇ ଆମେ ଏକ ପିଢ଼ିକୁ ଆମ ବହିର ବାସନାପାଣିରୁ ବଞ୍ଚିତ କରୁନୁ ତ? ଯଦି ସତରେ ଆମ ପର ପିଢ଼ି ଅମା ବହିଯାକ ନ ପଢ଼ନ୍ତି ତାହେଲେ ଏ ଜାତିର ଇତିହାସରେ ଆମେ ଲାଙ୍ଗୁଡ଼ଜକା ଆଉ ଚିରକାଳ ଦୋଷୀ ହୋଇ ରହିହେବୁ ।

ଆଉ ବହି କିଣି ହାତରେ ଧରି ପଢ଼ୁଥିବା ଲୋକଟି କେବେ ହେଁ ମୋବାଇଲ-ଟ୍ୟାବଲେଟ-କିଣ୍ଡିଲ-କମ୍ପୁଟରରେ ପଢ଼ିବାକୁ ସୁଖ ମଣିବ ନାହିଁ । କିନ୍ତୁ ଫ୍ଲାଇଟରେ ଯିବା ବେଳେ ଲୋଡ଼ା ପଡ଼ିଲେ ଡିଜିଟାଲ ମାଧ୍ୟମରେ ପଢ଼ିବ । ଆଉ ବିଶାଳ ଗ୍ରନ୍ଥର କେଉଁ କୋଣରେ ଲେଖାଟିଏ ଖୋଜିବାକୁ ଚାହିଁଲେ ସବୁ ପୃଷ୍ଠା ନ ଖୋଜି ପାଠକଟିଏ ସଳଖେ ସଳଖେ ଇଣ୍ଟରନେଟରେ ଖୋଜିପାରିବ । 

ବହିର ଡିଜିଟାଲ ରୂପ ତିଆରିବାରେ ସୃଜନିକା ନାମକ ଅନୁଷ୍ଠାନର ଅବଦାନ କାହିଁରେ କେତେ । ପାଖାପାଖି ଦେଢ଼ ଲକ୍ଷ ପୃଷ୍ଠା ସ୍କାନ କରି ସେମାନେ ଅନେକ ଇ-ବହି ତିଆରି କରିସାରିଲେଣି । ୧୮୫୦-୧୯୫୦ ଭିତରେ ଛପା ଓଡ଼ିଆ ପତ୍ରପତ୍ରିକାସବୁ ପ୍ରାୟ ଏଥିରେ ସାମିଲ । odia.org ନାମକ ଆଉ ଏକ ୱେବସାଇଟ କିଛି ନିଜ ଉଦ୍ୟମରେ ଆଉ କିଛି ବାକିମାନଙ୍କ ସହଯୋଗରେ କିଛି ଓଡ଼ିଆ ବହି ଇଣ୍ଟରନେଟରେ ଉପଲବ୍ଧ କରାଇଛନ୍ତି । ଇଣ୍ଟରନେଟ ଆରକାଇଭ (archive.org) ସାଇଟରେ ବହିସବୁ ପିଡ଼ିଏଫ ଭାବେ ଅପଲୋଡ଼ କଲେ ତାହା ମୋବାଇଲ ଓ ଅନ୍ୟାନ୍ୟ ଆକାରରେ ଦେଖିବାକୁ ସୁବିଧା । ହେଲେ ଲୋଡ଼ାଥିଲା ଇଣ୍ଟରନେଟରେ ପାଠାଗାରଟିଏ । ହେଲେ ଇଣ୍ଟରନେଟ ଯେତେବେଳେ ଖାଲି ପାଠକ ରହିଲେ କି ମଉଜ? ଦିଆନିଆ ନଥାଇ ସେ କି ଇଣ୍ଟରନେଟ? ପାଠକ ଯଦି କେଉଁଠି ଭୁଲଟିଏ ଦେଖିଲେ ତାକୁ ବଦଳାଇ ପାରୁଥିବେ ତାହେଲେ ସିନା । ଅନେକେ ହୁଏତ ଜାଣିନଥିବେ ଏ ସମାଧାନର ବାଟଟିଏ ରହିଛି ।

ଓଡ଼ିଆ ଉଇକିପାଠାଗାରରେ ବହି ଡିଜିଟାଇଜ କରିବାର ସୁବିଧା ବାଟ ।
ଓଡ଼ିଆ ଉଇକିପାଠାଗାରରେ ବହି ଡିଜିଟାଇଜ କରିବାର ସୁବିଧା ବାଟ ।

ଉଇକିପିଡ଼ିଆ (Wikipedia)ର ଓଡ଼ିଆ ସଂସ୍କରଣ (or.wikipedia.org) ରେ ୨୦୦୨ରୁ ସକ୍ରିୟ ଆଉ ଏଥିରେ ୧୦,୦୦୦ ପ୍ରସଙ୍ଗ ରହିଛି । ଏହାର ଆଉ ଏକ ସହ-ପ୍ରକଳ୍ପ ହେଲା ଓଡ଼ିଆ ଉଇକିପାଠାଗାର । ଇଣ୍ଟରନେଟରେ or.wikisource.org ରେ ଖୋଲାରେ ଉପଲବ୍ଧ ଏହି ଅନଲାଇନ ଓଡ଼ିଆ ପାଠାଗାରଟି କେବଳ ପଠନ ପାଇଁ ନୁହେଁ ବରଂ ସମ୍ପାଦନା ଓ ବହିର ଡିଜିଟାଲ ରୂପ ତିଆରି ପାଇଁ । ପ୍ରତିଟି ପାଠକର ବହି ପାଇଁ ଟିକେ ହେଉ ପଛେ କିଛି ଅବଦାନ ରହିବା ଉଚିତ । ଆଉ ସେ ଅବଦାନ ଯଦି ପୁରୁଣା ବିରଳ ବହିର ଲେଖାତକ ଆଉଥରେ ଟାଇପ କରି ହୁଏ କି ଆଉ କାହା ଦେଇ ଟାଇପ ହୋଇଥିବା ବହିରେ ଭୁଲ ଭଟକା ସୁଧାରିବା ହୁଏ, ତାହେଲେ ପ୍ରତିଟି ପାଠକ ଜଣେ ଜଣେ ସମ୍ପାଦକ ହେବ । ଆଜିଯାଏ ଭାଷା କ୍ଷେତ୍ରରେ ହେଉ କିମ୍ବା ଆଉ କେଉଁ କ୍ଷେତ୍ରରେ ହେଉ ବିଶାଳତମ କୃତି ସବୁ କେବେ ଜଣଙ୍କ ଦେଇ ନୁହେଁ ବରଂ ଗଣଙ୍କ ଦେଇ ହୋଇଛି । ଏଇ ଆଗରୁ ଯେଉଁ ଉଇକିପିଡ଼ିଆ କଥା କୁହାଗଲା ସେ ବି ୨୦-୨୫ ପାଖାପାଖି ସକ୍ରିୟ ଉଇକିଆଳିଙ୍କ ଦେଇ ଲିଖିତ ଓ ସମ୍ପାଦିତ । ସେଇଭଳି ଏ ଉଇକିପାଠାଗାର ପାଇଁ ପାଖାପାଖି ୮-୯ ଜଣ ସକ୍ରିୟ ସଭ୍ୟ । ଆଉ ଆନନ୍ଦର କଥା ହେଲା ଏଥିରେ ନାରୀ-ପୁରୁଷଙ୍କ ଯୋଗଦାନ ପାଖାପାଖି ଏକା । ବହୁଲୋକ ଏକାଠି ମିଳିମିଶି କାମ କଲେ ଆଉ ବିଭିନ୍ନ ବର୍ଗର, ଲିଙ୍ଗର ସମାନତା ରହିଲେ ଯାଇ କାମଟି ଯେ ପରିପୁଷ୍ଟ ହୁଏ ଏ ବିଚାର ଥାଇ ମଧ୍ୟ ଅନେକ ସ୍ଥାନରେ ପାଳନ ହୋଇପାରେନା । 

ଉଇକିପାଠାଗାରରେ ଏଯାବତ ଓଡ଼ିଆ ଭାଗବତ ଭଳି ବିଶାଳ କୃତିକୁ ଛାଡ଼ି ପୁରାତନ ଓ ଆଧୁନିକ ପଞ୍ଚସଖା, ସାଲବେଗ, ଭୀମଭୋଇ, ଭଞ୍ଜଙ୍କଠାରୁ ଆରମ୍ଭ ଏ ଯୁଗର କେତେକ ଲେଖକଙ୍କ କୃତି ରହିଛି । ୨୦୧୨ରେ ଆରମ୍ଭ ହୋଇ ପ୍ରକଳ୍ପଟି ଦୁଇବର୍ଷ ଧରି ସଜବାଜ ହୋଇ ଶେଷରେ ୨୦୧୪ରେ ଜନ୍ମନେଲା । ଆଉ ଗତ ବର୍ଷ ଅକ୍ଟୋବର ୨୦ ତାରିଖରେ ପଢୁଆଁ ଜନ୍ମତିଥି ପାଳିଥିବା ଏ ପାଠାଗାରରେ ଏବେ ମାତ୍ର ୩୪୦ ଗୋଟି ପୃଷ୍ଠା (ବହି ସଂଖ୍ୟା ୧୦୦ ସରିକି ହେବ) । ଆମ ବିଶାଳ ଭାଷାର ବହି-ଦରିଆକୁ ସେ ଶଙ୍ଖେ । ଏବେ ଗୁଗୁଲ ତିଆରି ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ ବଳରେ ଅନେକ ବହିର ଛବିରୁ ଲେଖା ବାହାର କରିହେଉଛି । ତାକୁ ସଂଶୋଧନ କରିପାରିଲେ ଅନେକ ବହିକୁ ପୂରା ଟାଇପ କରିବାକୁ ପଡ଼ିବ ନାହିଁ । ଏ କଥା ଅନେକେ ହେଜିଲେ ଆମ ଆଗାମୀ ପିଢ଼ିରେ ଓଡ଼ିଆହୀନତା ପାଇଁ ଆମକୁ ବେଶି ଭାବିବାକୁ ପଡ଼ିବ ନାହିଁ । ପିଲେ ତାଙ୍କ ମୋବାଇଲ-ଟ୍ୟାବଲେଟ-କିଣ୍ଡିଲ ଖୋଲି ବଳେ ପଢ଼ିବା ଆରମ୍ଭ କରିବେ ।

ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି । ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

Related Stories

Stories by Subhashish Panigrahi