କାମିନୀଙ୍କ ସଫଳତା : ପିଲାଦିନେ ପାନଦୋକାନୀ, ଏବେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା

0

ଯିଏ କଠିନ ପରିଶ୍ରମ କରେ ଓ ନିଜ ଲକ୍ଷ୍ୟ ଦିଗରେ ପଂହଚିବାକୁ ନିରନ୍ତର ପ୍ରଚେଷ୍ଟା କରେ, ସେ ଜୀବନରେ ନିଶ୍ଚିତ ସଫଳ ହୁଏ । ଅନେକ ବାଧାବିଘ୍ନ ମଧ୍ୟ ସଫଳତାକୁ ରୋକିପାରେ ନାହିଁ । ଏମିତି ଜଣେ ସଂଘର୍ଷ କରି ସମାଜରେ ଛିଡା ହୋଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ସୁଶ୍ରୀ କାମିନୀ ନାୟକ। ପିଲାବେଳେ ସେ ଯେଉଁ ପ୍ରକାରର ପରିସ୍ଥିତି ଦେଇ ସାମ୍ନା କରିଥିଲେ, କେହି ଭାବିନଥିଲେ ଯେ ସେ ଆଜିର ସମାଜର ଜଣେ ସମ୍ମାନନୀୟ ନାରୀ ହୋଇ ଉଭାହେବେ । ତଥାପି ସେ କରି ଦେଖାଇଛନ୍ତି । ଆଉ ଆଜି ଗୋଟିଏ ସ୍ମୁଲର ଅଧ୍ୟକ୍ଷା ହୋଇ ପିଲାମାନଙ୍କୁ ଶିକ୍ଷିତ କରାଇବାର ବ୍ରତ ନେଇ ଆଗେଇ ଚାଲିଛନ୍ତି ।

ନିଜ ଛାତ୍ର ଛାତ୍ରୀଙ୍କ ଗହଣରେ କାମିନୀ
ନିଜ ଛାତ୍ର ଛାତ୍ରୀଙ୍କ ଗହଣରେ କାମିନୀ

କାମିନୀଙ୍କ ଘର ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗାଁରେ । ପିଲାଦିନ କଟିଛି ଅତ୍ୟନ୍ତ ଦୁଖ ଦୁର୍ଦ୍ଦଶା ଭିତରେ । ବାପା ସ୍ୱର୍ଗତ ବଟକୃଷ୍ଣ ନାୟକ ଥିଲେ ଅତ୍ୟନ୍ତ ଗରିବ । ଘରେ ଥିଲେ ପାଂଚ ଭଉଣୀ, ଜଣେ ଭାଇ, ବାପା ଓ ମା । ବାପା ସ୍ଥାନୀୟ ତହସିଲ୍ ଅଫିସ୍ ନିକଟରେ ଗୋଟିଏ ପାନ ଦୋକାନ କରିଥିଲେ । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳାଇବା ଥିଲା ଅତ୍ୟନ୍ତ କଷ୍ଟକର । ବଡ ଝିଅ ଭାବେ କାମିନୀଙ୍କ ଉପରେ ଥିଲା ଅନେକ ଚାପ । ବାପାଙ୍କ ଦେହ ଖରାପ ସମୟରେ ସ୍କୁଲରୁ ଫେରି ପାନ ଦୋକାନରେ ବସୁଥିଲେ ସେ । କାରଣ ପାନ ଦୋକାନ ବନ୍ଦ ହୋଇଗଲେ, ପରିବାରର ରୋଜଗାର ବନ୍ଦ ହୋଇଯିବ । ବାପା ଥିବା ସମୟରେ ମଧ୍ୟ ସେ ପ୍ରତିଦିନ ଦୁଇ ତିନି ଘଂଟା ସମୟ ପାନ ଦୋକାନରେ ଦେଉଥିଲେ । 

ସେ ଦିନର କଥାକୁ ମନେ ପକାଇ ସେ କହନ୍ତି,

ଅତ୍ୟନ୍ତ କଠିନ ଦିନଥିଲା ସେଗୁଡିକ । ପଂଚମ ଶ୍ରେଣୀରେ ପଢିବା ଠାରୁ ମୁଁ ବାପାଙ୍କୁ କାମରେ ସାହାଯ୍ୟ କରିବା ଆରମ୍ଭ କରିଥିଲି । ପରିବାରର ପରିସ୍ଥିତି ହିଁ ସେମିତି ଥିଲା । ମୋତେ ସେ ପାନ ଦୋକାନକୁ ଯିବା ଲାଗି ଗୋଟିଏ ନାଳ ପାର ହେବାକୁ ପଡୁଥିଲା । ପୁଣି ଦୁଇ କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିଲା । କିନ୍ତୁ ପାଠ ପଢାରେ ମୁଁ ହେଳା କରୁନଥିଲି ।

ସ୍କୁଲ ପରେ ସେ କଲେଜରେ ପଢିଲେ । ସେତେବେଳକୁ ସେ ପିଲାଙ୍କୁ ଟିଉସନ୍ କରି କିଛି ରୋଜଗାର କରିବା ଆରମ୍ଭ କରିଦେଇଥିଲେ । ଶିକ୍ଷା ପ୍ରତି ଆଗ୍ରହ ଥିବାରୁ ସେ ବି.ଏ.ରେ ଶିକ୍ଷା ସମ୍ମାନ ରଖି ସଫଳତାର ସହ ପାସ୍ କରିଥିଲେ । 1994ରେ ଧାନମଣ୍ଡଳରେ ଖୋଲିଥିବା କନଭେଣ୍ଟ ବିଦ୍ୟଳୟର ଦାୟିତ୍ୱ ନେଲେ । ସେତେବେଳେ ମାତ୍ର ଦଶ ଜଣ ନର୍ସରୀ ପିଲା ସେଠାରେ ପଢୁଥିଲେ । ଗୋଟିଏ ଚାଳ ଘରେ 300 ଟଙ୍କା ଭଡାରେ ଏହା ଚାଲୁଥିଲା । କାମିନୀ ସେହିଠାରେ ହିଁ ନିଜର ସମସ୍ତ ସମୟ ଓ ଶକ୍ତି ଲଗାଇଥିଲେ । ଏହି ଶିକ୍ଷାର ମନ୍ଦିରକୁ ନିଖୁଣ ଭାବେ ଗଢି ତୋଳିବାରେ ସେ ନିଜର ସବୁ ସମୟ ଦେଇଛନ୍ତି । ଏବେ ପରିସ୍ଥିତି ବଦଳି ଯାଇଛି । ସେ ଶିକ୍ଷାରେ ତାଲିମ ଡିଗ୍ରୀ(ବିଏଡ୍) ହାସଲ କରିଛନ୍ତି । ନିଜେ ଅଧ୍ୟକ୍ଷା ଭାବେ କାମ କରୁଥିବା ଏହି ସ୍କୁଲରେ ଏବେ ନର୍ସରୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସେଠାରେ 500ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅଢେଇ ଏକର ବିଶିଷ୍ଟ ଏକ ଯାଗାରେ ସ୍କୁଲ ପାଇଁ ଘର ତିଆରି ହୋଇଛି ।

ଏ ସମ୍ପର୍କରେ ସେ କୁହନ୍ତି,

ବହୁତ ବାଧା ବିଘ୍ନ ଆସିଛି । ସେ ସବୁକୁ ମୁଁ ଓ ମୋର ଶୁଭେଚ୍ଛୁ ଓ ସହଯୋଗୀମାନେ ସାହସର ସହ ସାମ୍ନା କରିଛୁ । ଆମର ଏହି ଛୋଟିଆ ପ୍ରୟାସ ଆଗକୁ ଆହୁରି ଅନେକ ପିଲାଙ୍କୁ ଶିକ୍ଷିତ କରାଇବ । ସାରା ଜୀବନ ପିଲାମାନଙ୍କ ଶିକ୍ଷା ଓ ସମାଜ ସେବାରେ କଟାଇବାର ଲକ୍ଷ୍ୟ ରଖିଛି।

ଶିକ୍ଷା ସହିତ ସମାଜ ସେବାରେ ସେ ସବୁବେଳେ ସମୟ ଦେଇ ଆସୁଛନ୍ତି । ନିଶା ନିବାରଣ, ସଡକ ସୁରକ୍ଷା ସଚେତନତା, ପରିବେଶ ସୁରକ୍ଷା ଅଭିଯାନରେ ସେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ବିଭିନ୍ନ ସାହିତ୍ୟ ସଂଗଠନ ମଧ୍ୟ ସେ ଜଡିତ । ଏସବୁ କାମ ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା ମିଳିଛି ।

ପ୍ରକୃତରେ କାମିନୀଙ୍କ ପରି ମହିଳାମାନେ ଆଜି ଆଉ ଘର କୋଣରେ ବସି ଭାଗ୍ୟକୁ ଭରସା କରି ରହୁନାହାନ୍ତି । ସେମାନେ ବି କିଛି କରିଦେଖାଇବାର ସଂକଳ୍ପ ନେଇ ସେଥିରେ ସଫଳ ହେଉଛନ୍ତି । କାମିନୀ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ।

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories