ଯୁଗ୍ମ-ଅଯୁଗ୍ମ ଗାଡ଼ି ନମ୍ବର: ସାହସିକ ଓ ସୁନ୍ଦର ପଦକ୍ଷେପ

By ଆଶୁତୋଷ, AAP

ଯୁଗ୍ମ-ଅଯୁଗ୍ମ ଗାଡ଼ି ନମ୍ବର: ସାହସିକ ଓ ସୁନ୍ଦର ପଦକ୍ଷେପ

Wednesday December 09, 2015,

4 min Read

ମୁଁ ବିଶ୍ୱାସ କରେ, ଇଂରାଜୀ କହୁଥିବା ସମ୍ଭ୍ରାନ୍ତ ଗୋଷ୍ଠୀଙ୍କ ଲାଗି ପାଣିପାଗ ଓ ପରିବେଶ ପ୍ରସଙ୍ଗ ସବୁ ବୌଦ୍ଧିକ ବିଳାସ ମାତ୍ର । ମୁଁ ସବୁବେଳେ ଭାବିଆସିଥିଲି, ସାଧାରଣ ଜନତା ନିଜ ପାଇଁ ଅଧିକ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ସବୁକୁ ନେଇ ବ୍ୟସ୍ତ । କିନ୍ତୁ ଆଜି ମୋର ସ୍ଵୀକାର କରିବାରେ ଦ୍ୱିଧା ନାହିଁ ଯେ ମୁଁ ଭୁଲ ଥିଲି । ଜାତୀୟ ରାଜଧାନୀ ଗ୍ୟାସ୍ ଚାମ୍ବର ପାଲଟିଗଲାଣି ବୋଲି ଦିଲ୍ଲୀ ହାଇକୋର୍ଟ କହିବା ପରେ ଆପ୍ ସରକାରର ଯୁଗ୍ମ-ଅଯୁଗ୍ମ ଗାଡ଼ି ନମ୍ବର ସୂତ୍ର ଯେମିତି ସାଧାରଣରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି, ନିକଟ ଅତୀତରେ ଅନ୍ୟ କୌଣସି ବିଷୟରେ ଏତେ ଚର୍ଚ୍ଚା ନଥିଲା । ହଠାତ ସମସ୍ତେ ଏ ବିଷୟରେ ଆଲୋଚନା ଆରମ୍ଭ କରି ଦେଇଛନ୍ତି । ଏପରିକି ସାଂସଦମାନେ ବି ମୁଖା ପିନ୍ଧି ବୁଲୁଥିବାର ଦେଖାଯାଉଛି ।

image


ଦିଲ୍ଲୀରେ ପ୍ରଦୂଷଣ ବିପଦ ସୀମା ଉପରକୁ ଚାଲିଗଲାଣି ଓ ଏ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲୋଡ଼ା, ଏ କଥା କେହି ଅସ୍ଵୀକାର କରିବେନାହିଁ । ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୪ରେ ପ୍ରକାଶିତ ବିଶ୍ୱର ୧୬୦ଟି ସହର ତାଲିକା ମଧ୍ୟରେ ଦିଲ୍ଲୀକୁ ସର୍ବାଧିକ ପ୍ରଦୂଷିତ ଦର୍ଶାଯାଇଛି । ଜାତୀୟ ରାଜଧାନୀ ଆକାଶରେ ବିଷର ବଳୟ ସ୍ପଷ୍ଟ ଦିବାଲୋକରେ ଦିଶୁଛି ଓ ଶୀତର ପ୍ରବେଶ ସାଙ୍ଗକୁ ଏହା ଅଧିକ ବହଳ ହେବାରେ ଲାଗିଛି । ଏ ଅବସରରେ ଦିଲ୍ଲୀ ସରକାର ଯୁଗ୍ମ-ଅଯୁଗ୍ମ ଗାଡ଼ି ସୂତ୍ର ଘୋଷଣା କରିଛନ୍ତି; ଦିନେ ଯୁଗ୍ମ ନମ୍ବର ଥିବା ଗାଡ଼ି ରାସ୍ତାରେ ଚାଲିବା ଓ ଅନ୍ୟଦିନ ଅଯୁଗ୍ମ । ଅର୍ଥାତ ଗୋଟିଏ ଦିନରେ ଦିଲ୍ଲୀ ରାସ୍ତାରେ ଗାଡ଼ି ସଂଖ୍ୟା ଅଧାକୁ ଖସିଆସିବ । ଭାରତରେ ଏ ପରମ୍ପରା ନୂଆ, ତେଣୁ ଏହା ଅଯାଚିତ ଭାବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଲୋକଙ୍କ ଭିତରେ ଆସୁଥିବା ବିଭିନ୍ନ ଉତ୍ସୁକତାକୁ ଆମେ ୪ଟି ବିଭାଗ କରିପାରିବା ।

୧. ଯେଉଁଦିନ କାର୍ ନମ୍ବର ନିଷିଦ୍ଧ ଥିବ, ସେଦିନ ସ୍ଵାସ୍ଥ୍ୟଗତ ଜରୁରୀ ପରିସ୍ଥିତି ଆସିଲେ କ’ଣ କରାଯିବ?

୨. ଯେଉଁ ଭିନ୍ନକ୍ଷମମାନଙ୍କର ନିଜର ଗାଡ଼ି ରହିଛି, ସେମାନେ କ’ଣ କରିବେ? ତାଙ୍କ ନମ୍ବରଟି ଯେଉଁଦିନ ନିଷିଦ୍ଧ ସେଦିନ ସେମାନେ କିଭଳି ଯାତ୍ରା କରିବେ? ଭିନ୍ନକ୍ଷମଙ୍କ ପାଇଁ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ସୁବିଧା ନଥିବାରୁ ସେମାନେ କ’ଣ କରିପାରିବେ?

୩. କର୍ମଜୀବୀ ମହିଳା ଯେଉଁମାନେ ବିଳମ୍ବିତ ରାତିରେ ଘରକୁ ଫେରନ୍ତି ଓ ନିଜେ ଗାଡ଼ି ଚଳାନ୍ତି ସେମାନେ କ’ଣ କରିବେ? ସେମାନଙ୍କ ସୁରକ୍ଷା ବିପନ୍ନ ନୁହେଁ ତ, ନା ସେମାନେ ରାତିରେ କାମ କରିବେନି?

୪. ଯେଉଁ ଅଭିଭାବକମାନେ ପିଲାଙ୍କୁ ସ୍କୁଲରେ ଛାଡ଼ିବାକୁ ସ୍କୁଲ ବସ୍ କିମ୍ବା ଅଟୋକୁ ପସନ୍ଦ କରନ୍ତିନାହିଁ, ସେମାନଙ୍କ ପାଇଁ ତ ଏବେ ଏହା ଚିନ୍ତାର ବିଷୟ ।

ଏସବୁ ଅତ୍ୟନ୍ତ ଉପାଦେୟ ପ୍ରଶ୍ନ ଓ ଏହାର ସମାଧାନ ନିହାତି ଜରୁରୀ । ଏଠି ସ୍ବୀକାର କରିବାରେ ଦ୍ୱିଧା ନାହିଁଯେ, ବିରୋଧୀ ଦଳର ମନ୍ତବ୍ୟ ଯୋଗୁଁ ବି ଅନେକ ଭ୍ରମ ସୃଷ୍ଟି ହୋଇଛି । ଏଠି ଗୋଟାଏ କଥା ମୁଁ ସ୍ପଷ୍ଟ କରିଦେଉଛି, ଆପ୍ ସରକାର କେବଳ ଏହାର ଘୋଷଣା କରିଛନ୍ତି ଓ ଲାଗୁ ତାରିଖ ମଧ୍ୟ ଜଣାଇଛନ୍ତି । କିନ୍ତୁ ଏହାର ସମ୍ପୂର୍ଣ ରୂପରେଖ ଏଯାଏଁ ପ୍ରସ୍ତୁତ ହୋଇନାହିଁ । ଏଥିପାଇଁ ଟ୍ରାଫିକ୍ ସଚିବ, ପରିବେଶ ସଚିବ ଓ ରାଜସ୍ଵ ସଚିବଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଲୋକଙ୍କ ଠାରୁ ମତାମତ ନେଇ ଗାଡ଼ି ଚଳାଚଳ ନିୟମର ଚୂଡ଼ାନ୍ତ ରୂପରେଖ ପ୍ରଣୟନ କରିବେ । ତେଣୁ ଅଯଥାରେ ଭୟଭୀତ ନହେବା ଲାଗି ମୋର ପରାମର୍ଶ । ଏପରିକି ନିୟମ ଲାଗୁ ହେବାର ଦୁଇ ସପ୍ତାହ ପରେ ଏହାକୁ ପର୍ଯ୍ୟବେକ୍ଷଣ କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯିବ ।

ଯଦିଓ ଭାରତରେ ଏ ଭଳି ନିୟମ ନୂଆ ଲାଗୁଛି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଫଳତାର ସହ ଏହାର ପ୍ରୟୋଗ ସରିଛଇ । ନିକଟରେ ପ୍ୟାରିସ୍ ଓ ବେଜିଂରେ ଏହି ନିୟମ ଲାଗୁ ହୋଇଛି । ମେକ୍ସିକୋ ସିଟି, ବୋଗୋଟା, ସାଣ୍ଟିିଆଗୋ, ସାଓ ପାଓଲୋ, ଲଣ୍ଡନ୍, ଏଥେନ୍ସ, ସିଙ୍ଗାପୋର, ତେହରାନ୍, ସାନ୍ ଜୋସ୍, ହୋଣ୍ଡୁରାସ୍ ଓ ଲା ପାଜ୍ ଭଳି ସହରରେ ଏ ସୂତ୍ର ବହୁ ଆଗରୁ କାର୍ଯ୍ୟକାରୀ ହୋଇଆସୁଛି । ବଡ଼ କଥା ହେଲା, ଭାବିବା ଅନୁଚିତ ଯେ ଏହା ୩୬୫ ଦିନ ଲାଗୁ ହେବ । ଏହାକୁ ଜରୁରୀ ଭାବେ ଲାଗୁ କରାଯାଉଛି । ଯେମିତି କି ବୋଗୋଟାରେ ଏବେ ଏହା ସପ୍ତାହକୁ ଦୁଇଦିନ ଲାଗୁ ହେଉଛି । ସାଓ ପାଓଲୋରେ ୧୯୯୭ରେ ନିୟମିତ ଲାଗୁହୋଇ ଚାଲିଥିବା ବେଳେ ବେଜିଂରେ ସପ୍ତାହକୁ ଗୋଟିଏ ଦିନ ।

ସବୁ ସହରର ସଂରଚନା ଭିନ୍ନ । ଯେମିତିକି ଏଥେନ୍ସର ଭୂଗୋଳ ଦୁଇଭାଗରେ ବିଭକ୍ତ; ଇନର୍ ଜୋନ୍, ଆଉଟର୍ ଜୋନ୍ । ଇନର ଜୋନ୍ରେ ଟାକ୍ସି ଚାଳନା କଡ଼ାକଡ଼ି କରାଯାଇଥିବା ବେଳେ ଆଉଟର ଜୋନରେ ଟାକ୍ସି ଚାଳନା ସ୍ଵାଭାବିକ । ତେବେ ଘରୋଇ ଗାଡ଼ି ଉପରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ । କିଛି ସହରରେ ଏହା ସାରା ଦିନ ଲାଗୁ ହେଉଥିବା ବେଳେ ଆଉ କେତେକ ସହରରେ କେବଳ ଭିଡ଼ ସମୟରେ । ଯେମିତି କି ପ୍ୟାରିସରେ ସକାଳ ୫ଟା ୩୦ରୁ ରାତି ୧୧ଟା ୩୦ ଯାଏଁ ଏହି ନିୟମ ଲାଗୁ । ଅନ୍ୟ କେତେକ ସହରରେ ବି ସମାନ ନିୟମ ।

ଲଣ୍ଡନ୍ ଓ ଷ୍ଟକ୍ହୋମ୍ ଭଳି ସହରରେ ସେମାନେ ସର୍ବସାଧାରଣ ପରିବହନକୁ ଶକ୍ତିଶାଳୀ କରୁଛନ୍ତି । ସେଠାରେ ସହରର ମଧ୍ୟାଞ୍ଚଳରେ ପ୍ରଦୂଷଣକାରୀ ଗାଡ଼ି ସମ୍ପୂର୍ଣ ଭାବେ ନିଷିଦ୍ଧ ଓ ଏହାର ପରିଣାମ ବଡ଼ ଧରଣର ଜୋରିମାନା। ପାର୍କିଂ ମଧ୍ୟ ଭାରି ବ୍ୟୟସାପେକ୍ଷ । ପାର୍କିଂରୁ ଲଣ୍ଡନ୍ ୨ ବିଲିୟନ୍ ପାଉଣ୍ଡରୁ ଅଧିକ ଆୟ କରି ସାରିଲାଣି ଓ ଏହା ପରିବହନ ସୁଯୋଗ ସୃଷ୍ଟିରେ ବ୍ୟୟ ହେଉଛି ।

ସମାନ ଭାବରେ ସିଙ୍ଗାପୁରରେ କାର୍ ପଞ୍ଜୀକରଣ ଓ ଏହା ରଖିବା ପାଇଁ ସ୍ଥାନ ପଞ୍ଜୀକରଣ ବେଶ୍ ବ୍ୟୟବହୁଳ । ଜଣେ ସେଠାରେ କାର୍ କିଣିବାକୁ ହେଲେ ପ୍ରଥମେ ରଖିବା ପାଇଁ ସ୍ଥାନ ଦେଖାଇବାକୁ ହେବ, ଯାହା କି କାର ଠାରୁ ଅଧିକ ବ୍ୟୟବହୁଳ । ସେହିପରି ନିର୍ଦ୍ଧିଷ୍ଟ ଅଞ୍ଚଳ ଭିତରେ ଗାଡ଼ି ଚଳାଇବା ପାଇଁ ମୋଟା ଅଙ୍କର ମାହାସୁଲ ଆଦାୟ ହୁଏ । ବେଜିଂରେ କାର୍ କିଣିବା ପାଇଁ ଲଟେରି ଲଗାଇବାକୁ ହୋଇଥାଏ ।

ଅତ୍ୟଧିକ ଗାଡ଼ି ବ୍ୟବହାରକୁ ହତୋତ୍ସାହିତ କରିବା ଲାଗି ବିଭିନ୍ନ ସହରରେ ଏମିତି ନାନାଦି ପନ୍ଥା ଅନୁସରଣ କରାଯାଉଛି । ଯୁଗ୍ମ-ଅଯୁଗ୍ମ ସୂତ୍ର ସେମିତି ଏକ ସୂତ୍ର ଯାହା ଏବେ ଅତ୍ୟନ୍ତଜରୁରୀ । ଦିଲ୍ଲୀ ଏବେ ଏହାକୁ ଆପଣେଉଛି ଓ ସଫଳତା ପାଇଥିବା ସହରମାନଙ୍କ ଠାରୁ ଦିଲ୍ଲୀକୁ ବୁତ କଥା ଶିଖିବାର ଅଛି । ମୁଁ ଆଶା କରୁଛି ଏକ ନୂଆ ଧାରା ଆରମ୍ଭ ହେବାକୁ ଯାଉଛି ଯାହା ଉଭୟ ସାହସିକ ଓ ସୁନ୍ଦର । ଆସନ୍ତୁ ଏ ସାହସିକ ଓ ସୁନ୍ଦର ପଦକ୍ଷେପକୁ ସଫଳ କରିବା; ଏହା ସମ୍ଭବ ହେବ ଯଦି ଆମେ ଦିଲ୍ଲୀବାସୀ ଆମ ଜୀବନଚର୍ଯ୍ୟାରେ ସାମାନ୍ୟ ଅସୁବିଧା ସହିବାର ଆଗ୍ରହ ରଖିବା । ଆସନ୍ତୁ, କରି ଦେଖାଇବା ।

ମୂଳ ଲେଖା - ଆଶୁତୋଷ, ଆପ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା