ପୁଲିସ ଇନିସପେକ୍ଟର ଯିଏ ନିଜ ସହରକୁ ସବୁଜ କରୁଛନ୍ତି, ଭଙ୍ଗା କ୍ୱାର୍ଟରରେ କରିଛନ୍ତି ପାର୍କ

ପୁଲିସ ଇନିସପେକ୍ଟର ଯିଏ ନିଜ ସହରକୁ ସବୁଜ କରୁଛନ୍ତି, ଭଙ୍ଗା କ୍ୱାର୍ଟରରେ କରିଛନ୍ତି ପାର୍କ

Tuesday July 19, 2016,

2 min Read

ଖାକି ବର୍ଦ୍ଦି ଦେଖିଲେ ଆମେ ଡରିଯାଉ । କାହିଁକି କେଜାଣି ଅଜଣା ଭୟ ଆମକୁ ଆବୋରି ବସେ ।

ହେଲେ ଆନ୍ଧ୍ର ପ୍ରଦେଶ କଡ଼ପ୍ପା ଜିଲ୍ଲାର ହରିକ୍ରିଷ୍ଣ କୁରାଗଲାୟା ସେ ପୁରୁଣା ଧାରଣାକୁ ବଦଳାଇବାରେ ସତେ ଯେମିତି ବ୍ରତୀ । ଗୋଟେ ଭଙ୍ଗା, ଦଦରା ପୁଲିସ କ୍ୱାର୍ଟରକୁ ସେ ପିଲାଙ୍କ ପାଇଁ ପାର୍କ ବନେଇ ଦେଇଛନ୍ତି । ସବୁ ସୁବିଧା ବି କରି ଦେଇଛନ୍ତି । କେବଳ ଏତିକି ନୁହେଁ- ହରିକ୍ରିଷ୍ଣ କଡ଼ପ୍ପାରେ ୨୫୦୦ରୁ ଅଧିକ ଗଛ ଲଗେଇ ଏହାକୁ ସବୁଜ ସହର କରିବାର ସଂକଳ୍ପ ସତେ ଯେମିତି ସେ ନେଇଛନ୍ତି ।

image


୨୦୦୭ ମସିହାର କଥା । ହରିକ୍ରିଷ୍ଣ ସେତେବେଳେ ଜିଲ୍ଲା ଟ୍ରେନିଂ ସ୍କୁଲରେ ଜଣେ ଟ୍ରେନର ଭାବେ କାମ କରୁ ଥାଆନ୍ତି । ପୁତଲାମପଲ୍ଲୀ ହ୍ରଦ ପାଖକୁ ଲାଗି ଟ୍ରେନିମାନଙ୍କ ତାଲିମ ଚାଲେ । ସେଇଠି ବହୁତ ଖରା । ଏମିତିକି ବସିବା ପାଇଁ ଜାଗା ବି ନ ଥାଏ । ତେଣୁ ଟ୍ରେନିମାନେ ଅନେକ ଅସୁବିଧାର ସାମ୍ନା କରୁ ଥାଆନ୍ତି । ଏହା ନିଜେ ହରିକ୍ରିଷ୍ଣ ବି ଅଙ୍ଗେ ନିଭେଉ ଥାଆନ୍ତି । ତେଣୁ, ଦିନେ ଏକ ସୁନ୍ଦର ସକାଳେ ସେ ନିଷ୍ପତି ନେଲେ ଟ୍ରେନିଂ ସ୍କୁଲରେ ଗଛ ଲଗାଇବେ । ଆଗ ନିଜେ ଏକା ସେ ଚାରି ପାଖ ପରିବେଶ ସଫା କଲେ । ସେଇଠି ଚାଲିବା ପାଇଁ ଟ୍ରାକ୍ ବନେଇଲେ । ତା’ପରେ କିଛି ଟ୍ରେନିଙ୍କ ସହ ମିଶି ଆରମ୍ଭ ହେଲା ଗଛ ଲଗା କାମ । ପ୍ରତିଦିନ ଟ୍ରେନିଂ ସରିବା ପରେ ସଫେଇ ଓ ଗଛ ଲଗା କାମ ଆରମ୍ଭ ହେଉଥିଲା ।

ହରିକ୍ରିଷ୍ଣାଙ୍କ ମତରେ- ଏବେ ସେଇ କାମର ଫଳ ଆମେ ଦେଖୁଛୁ । ଏବେ ତ ବାହାରେ ବି କ୍ଲାସ୍ ହୋଇ ପାରୁଛି । ଗଛ ଛାଇରେ ଆଉ କିଛି ଅସୁବିଧା ନାହିଁ ।
image


ତା’ପରେ ସେ ଯେଉଁଠି ରହୁଥିଲେ- ସେଇ ପାଖରେ କ୍ୱାର୍ଟରଟେ ଭଙ୍ଗା, ଦଦରା ଅବସ୍ଥାରେ ପଡ଼ି ରହିଥିଲା । ତା’କୁ ସଜାଡ଼ିବା ପାଇଁ ସେ ଭାବିଲେ । ନିଜ ସହକର୍ମୀଙ୍କ ସହ ମିଶି ଅଳିଆ ସଫା କଲେ । ଆଉ ଭଙ୍ଗା ଇଟା ଓ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀ ବିକି, ସେଇଠି ପିଲାଙ୍କ ପାଇଁ ପାର୍କଟେ ତିଆରି କଲେ । ଏବେ ସେଠିକୁ ଦିନକୁ ୪୦୦ ପାଖାାପଖି ଲୋକ ବୁଲିବାକୁ ଆସୁଛନ୍ତି ।

image


ସେତିକି ହିଁ ମନରେ ଶାନ୍ତି ଆଣିଦିଏ ବୋଲି କହନ୍ତି ହରିକ୍ରିଷ୍ଣା ।

ପୁଣି ସେ ପାର୍କ ଚାରି ପାଖରେ ଗଛ ଲଗେଇ ତାକୁ ସବୁଜ କରିଦେଲେ ସେ ।

ଗଛ ଲଗାଇବା ପାଇଁ ଅର୍ଥ କେଉଁଠୁ ଆଣନ୍ତି ଓ ସମୟ କେମିତି ବାହାର କରନ୍ତି ବୋଲି ପ୍ରଶ୍ନର ଉତ୍ତରରେ ହରିକ୍ରିଷ୍ଣା କହନ୍ତି- 

ଅଧିକାଂଶ ସମୟରେ ଏବେ ରାତିରେ ମୁଁ ଗଛ ଲଗାଉଛି । ରାତି ୧୧ଟା ପରେ ଏ କାମ ଆରମ୍ଭ ହୁଏ । ପୁଣି ଅଳ୍ପ ଖର୍ଚ୍ଚରେ ଘଚ ଡାଳରୁ ନୂଆ ଗଛ ତିଆରି କରିବାର ପ୍ରକ୍ରିୟା ମୁଁ ଜାଣି ସାରିଛି । ସାଥୀ କନେଷ୍ଟବଳମାନଙ୍କୁ ମଧ୍ୟ ଜଣାଇଛି । ଆଉ ଯାହା ଦରକାର ହୁଏ, ମୋ ପକେଟରୁ ଖର୍ଚ୍ଚ କରେ । ଟ୍ରେନିଂ ସ୍କୁଲ କ୍ୟାମ୍ପସରୁ ପତ୍ର ଗୋଟାଇ କମ୍ପୋଷ୍ଟ ତିଆରି କରେ । ମୋ ଘର ତ ଏବେ ଗୋଟେ ନର୍ସରୀ ଆଉ କମ୍ପୋଷ୍ଟଖାନା ହୋଇଗଲାଣି ।

ଅବଶ୍ୟ ନିଜ କାମ ପାଇଁ ହରିକ୍ରିଷ୍ଣ ବହୁତ ସମାଲୋଚନାର ଶିକାର ବି ହୋଇଛନ୍ତି । ଲୋକେ କହନ୍ତି- ତାଙ୍କୁ ରାତିରେ ନିଦ ହୁଏନି। ସେଥିପାଇଁ ସେ ଆଡ଼େସାଡେ ବୁଲନ୍ତି ।

ବଦଳରେ ହରିକ୍ରିଷ୍ଣା ହସି ଦିଅନ୍ତି । ଗଛ ଛାଇ ତ ତାଙ୍କୁ ମିଳୁଛି । ସେତିକି ମୋ ପାଇଁ ଶାନ୍ତି ବୋଲି ମୁରୁକି ହସା ମାରି କୁହନ୍ତି ।

ଫେସବୁକ୍ ପେଜ୍