ପିତାମାତାଙ୍କୁ ସେବା କରିବାର ଶପଥ, ଭାଲେଣ୍ଟାଇନ୍ ଡେ’ରେ ବାପା ବୋଉଙ୍କୁ ପୂଜା

ପିତାମାତାଙ୍କୁ ସେବା କରିବାର ଶପଥ, ଭାଲେଣ୍ଟାଇନ୍ ଡେ’ରେ ବାପା ବୋଉଙ୍କୁ ପୂଜା

Wednesday February 17, 2016,

3 min Read

ଫେବୃୟାରୀ ୧୪କୁ ସାରା ବିଶ୍ୱରେ ଭାଲେଣ୍ଟାଇନ୍ ଡେ ବା ପ୍ରେମ ଦିବସ ଭାବେ ପାଳନ କରାଯାଇଥାଏ | ଏହି ଦିନ ପ୍ରେମିକ ଓ ପ୍ରେମିକାମାନେ ମନ ଖୋଲି ବୁଲନ୍ତି ଓ ମଜାଗପ କରନ୍ତି | କିଏ କାହାକୁ ଉପହାର ଦିଏ ତ ଆଉ କିଏ କାହାକୁ ଜୀବନ ସାଥୀ କରିବାର ଶପଥ କରେ | ତେବେ ଓଡିଶାର କେତେକ ଅଂଚଳରେ ଏହି ପ୍ରେମ ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ପାଳନ କରାଯାଇଥାଏ | ବିଶେଷକରି କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ଏଭଳି ପାଳନ ଉତ୍ସବ ଆରମ୍ଭ ହୋଇଛି | ଏହି ଦିନ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବାପା ବୋଉଙ୍କୁ ଭଗବାନ ଭଳି ପୂଜାର୍ଚ୍ଚନା କରନ୍ତି | କାରଣ ସେମାନଙ୍କ ମତରେ ପ୍ରକୃତ ପ୍ରେମ ବାପା ବୋଉଙ୍କ ଠାରୁ ହିଁ ମିଳିଥାଏ | ପୁଣି ଆଜିକାଲି ଅନେକ ଆଧୁନିକ ବ୍ୟକ୍ତି ନିଜର ବାପା ବୋଉଙ୍କୁ ବୟସାଧିକ କାରଣରୁ ଜରାଶ୍ରମରେ ଛାଡି ଦେଉଛନ୍ତି | ତେଣୁ ଛାତ୍ରଜୀବନରୁ ସେମାନଙ୍କ ପ୍ରତି ସେବା ମନୋଭାବ ସୃଷ୍ଟି କରିବା ମଧ୍ୟ ଏଭିଳି ପୂଜାର ଲକ୍ଷ୍ୟ |

image


କେମିତି ପୂଜା ହୁଏ

ଏହି ଦିନ ଛାତ୍ରଛାତ୍ରୀମାନଙ୍କର ବାପା ବୋଉଙ୍କୁ ଶିକ୍ଷାନୁଷ୍ଠାନକୁ ଡକାଯାଏ | ସେଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ | ଛାତ୍ରଛାତ୍ରୀମାନେ ହାତରେ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର, ମିଷ୍ଟାନ୍ନ ଆଦି ପୂଜା ସାମଗ୍ରୀରେ ସୁସଜ୍ଜିତ ପୂଜା ଥାଳ ଧରି ମନରେ ଭକ୍ତି ଭାବ ସହ ପିତାମାତାଙ୍କ ସମ୍ମୁଖରେ ବସନ୍ତି | ପିତାମାତାଙ୍କୁ ଦେବତା ଭଳି ପୂଜା କରନ୍ତି | ଶ୍ରୀ ଗଣେଷଙ୍କ ପୃଥିବୀ ପରିକ୍ରମା ପରି ନିଜ ପିତାମାତାଙ୍କ ଚାରିପଟେ ସାତଥର ପରିକ୍ରମା କରନ୍ତି | ଏହାପରେ ପିତାମାତା ପିଲାଙ୍କୁ ଆର୍ଶିବାଦ ପ୍ରଦାନ କରିଥାନ୍ତି |

ସାଧାରଣତଃ ଘରୋଇ ସ୍କୁଲଗୁଡିକରେ ଏଭଳି ପାଳନ ହୋଇଆସୁଛି | ତେବେ ଏହି ନିକଟରେ ଭାଲେଣ୍ଟାଇନ୍ ଡେ ରେ ଖୋର୍ଧାର କଲେଜ ଅଫ୍ ବିଜିନେସ୍ ମ୍ୟାନେଜମେଂଟ୍ ରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହୋଇଥିଲା | ଯେଉଁଠାରେ ବୈଷୟିକ ଓ ବିଜିନେସ୍ ମ୍ୟାନେଜମେଣ୍ଟ ପଢୁଥିବା ଛାତ୍ରଛାତ୍ରୀମାନେ ନିଜ ବାପା ବୋଉଙ୍କୁ ପୂଜା କରୁଥିବା ଦୃଶ୍ୟ ଥିଲା ନିଆରା | ସେମାନେ ଭାଲେଣ୍ଟାଇନ୍ ଡେ କୁ ଏଭଳି ମନାଇବାକୁ ଶ୍ରେୟ ମନେ କରିଥିଲେ | 

image


ସେହି ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଧୀରେନ୍ଦ୍ର ନନ୍ଦ କହନ୍ତି,

ଏଭଳି ଆୟୋଜନର ମୁଖ୍ୟ ଲକ୍ଷ୍ୟ ହେଉଛି ପିଲାମାନଙ୍କ ମନରେ ପିତାମାତାଙ୍କ ପ୍ରତି ସ୍ନେହ ପ୍ରେମ ସୃଷ୍ଟି କରାଇବା | କାରଣ ପିତାମାତାଙ୍କ ଠାରୁ ହିଁ ପ୍ରେମର ପ୍ରକୃତ ମୂଲ୍ୟ ମିଳିଥାଏ | ଏଭଳି ଆୟୋଜନ ସେମାନଙ୍କ ଚରିତ୍ର ଗଠନରେ ସହାୟକ ହେବ ବୋଲି ଆଶା କରୁଛୁ |

ଏ ସମ୍ପର୍କରେ ଶିକ୍ଷାବିତ୍ ବୃନ୍ଦାବନ ପଣ୍ଡା କହନ୍ତି,

ସମସ୍ତେ ଅଭିଯୋଗ କରନ୍ତି ଯେ ପିଲାମାନେ ବାପା ବୋଉଙ୍କୁ ଆଉ ମାନୁନାହାନ୍ତି | କିନ୍ତୁ ଏବେ ବି ପିଲାମାନଙ୍କ ମଧ୍ୟରେ ପିତାମାତାଙ୍କ ପ୍ରତି ସ୍ନେହ ରହିଛି | ମାତୃପିତୃ ପୂଜନ କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ହେଉଛି । ତେବେ ପୂଜା କରିବା ଭଳି ବୃଦ୍ଧ କାଳରେ ପିତାମାତାଙ୍କ ସେବା କରିବା ହେଉଛି ପିଲାମାନଙ୍କର ପ୍ରଥମ କର୍ତ୍ତବ୍ୟ |

ନିଜର ବାପା ବୋଉ ବୃଦ୍ଧାବସ୍ଥାରେ ପହଁଚିଲେ, ଅନେକ ଲୋକ ସେମାନଙ୍କୁ ଜରାଶ୍ରମରେ ଛାଡିଦେବାକୁ ଶ୍ରେୟ ମନେ କରୁଛନ୍ତି | ସେମାନେ ଭୁଲି ଯାଉଛନ୍ତି କିଭଳି ବାପା ବୋଉ ସେମାନଙ୍କୁ ମଣିଷ କରିଥିଲେ ! ପିଲାର ମନରେ ବାପା ବୋଉଙ୍କ ପ୍ରତି ସ୍ନେହ ଭାବକୁ ଆହୁରି ସଦୃଢ କରିବା ଲାଗି ମାତୃପିତୃ ଉତ୍ସବ ଆୟୋଜନ କରାଯାଉଛି |

image


ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ଅଭିଭାବକ ପିତା ନିରଂଜନ ସାହୁ କୁହନ୍ତି,

ଏହା ଏକ ଭଲ ପ୍ରୟାସ | ପିଲାମାନଙ୍କୁ ସବୁ ବାପା ବୋଉ ଭଲ ପାଆନ୍ତି | ବାପାବୋଉଙ୍କୁ ବି ପିଲାମାନେ ଭଲ ପାଆନ୍ତି | କିନ୍ତୁ କେତେବେଳେ କେମିତି ସେମାନେ ପିତାମାତଙ୍କୁ ହେୟ ମନେ କରିବା ଆରମ୍ଭ କରନ୍ତି | ତେବେ ଏଭଳି ଆୟୋଜନ ଉଭୟ ପିତାମାତା ଓ ଛାତ୍ରଛାତ୍ରୀଙ୍କ ପାଇଁ ଲାଭପ୍ରଦ ହେବ |

ଏଭଳି କାର୍ଯ୍ୟକ୍ରମକୁ ନେଇ ପିଲାମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ | ସେମାନେ ଭାଲେଣ୍ଟାଇନ୍ ଡେ ରେ ଅନ୍ୟମାନଙ୍କ ପରି ସମୟ ନ କଟାଇ ବାପା ବୋଉଙ୍କୁ ପୂଜା କରନ୍ତି | ସାଙ୍ଗସାଥୀଙ୍କ ମେଳରେ ସମୟ କଟାନ୍ତି | ସାଙ୍ଗସାଥୀଙ୍କର ମଧ୍ୟ ବାପା ବୋଉ ମାନେ ଆସିଥାନ୍ତି | ସେମାନଙ୍କ ସହ ମଧ୍ୟ ପରିଚୟ ହୁଏ | ସାମାଜିକ ଚଳଣୀରେ ଏହା ସେମାନଙ୍କ ପାଇଁ ବେଶ୍ ସହାୟକ ହୋଇଥାଏ |

ଏ ସମ୍ପର୍କରେ ଛାତ୍ରୀ ସୁଶ୍ରୀସ୍ନା ପ୍ରଧାନ କୁହନ୍ତି,

ଆମେ ଯେତେ ପାଠ ପଢୁ ନା କାହିଁକି ? ଯେତେ ଯାହା ସଫଳତା ହାସଲ କରୁନା କାହିଁକି ବାପା ମାଙ୍କ ସ୍ନେହପ୍ରେମ ଯୋଗୁଁ ଏହା ସମ୍ଭବ ହୋଇଛି | ତେଣୁ ତାଙ୍କୁ ପୂଜା କରିବା ଉତ୍ସବ ବହୁତ ଭଲ ଲାଗୁଛି |

ବାପା ବୋଉଙ୍କୁ ପୂଜା କରିବାର ପରମ୍ପରା ଆମ ସଂସ୍କୃତିରେ ବହୁ ପୁରୁଣା | ତେବେ ଆଧୁନିକ ଶିକ୍ଷାନୁଷ୍ଠାନଗୁଡିକରେ ଏଭଳି ଅଭିନବ ପୂଜା ଉତ୍ସବ ଧୀରେ ଧୀରେ ପ୍ରଚାରିତ ଓ ପ୍ରସାରିତ ହେଉଛି । ଯାହା ପିଲାଙ୍କ ମନରେ କେବଳ ନିଜ ବାପା ମାଙ୍କ ପାଇଁ ସମ୍ମାନ ଓ ସେବା ନୁହେଁ, ସମାଜରେ ଥିବା ବରିଷ୍ଠ ନାଗରିକଙ୍କ ପ୍ରତି ମଧ୍ୟ ସେମାନଙ୍କ ମନରେ ସହାନୁଭୂତି ସୃଷ୍ଟି ହେବ |