କଳା ପଛର କାହାଣୀ ବଖାଣିବାରେ ପ୍ରୟାସରତ ଗାଥା

କଳା ପଛର କାହାଣୀ ବଖାଣିବାରେ ପ୍ରୟାସରତ ଗାଥା

Tuesday March 01, 2016,

3 min Read

ଏହା ଦୁଃଖଦ ହେଲେ ବି ସତ। ପ୍ରତି ବର୍ଷ ହଜାର ହଜାର ପାରମ୍ପରିକ କାରିଗର ନିଜ ପରିବାର ପ୍ରତିପୋଷଣ ପାଇଁ ସହର ଚାଲି ଆସନ୍ତି। ସହରରେ ସେମାନେ ଦିନ ମଜୁରିଆ ଭାବେ କାମ କରନ୍ତି। ହୁଏତ ଏହା ଦ୍ଵାରା ସେମାନଙ୍କ ପରିବାରର ପ୍ରତିପୋଷଣ ହୋଇଯାଏ। ମାତ୍ର ସେମାନଙ୍କ ନିପୁଣତା ଓ କଳାତ୍ମକତା ଯାହା ପିଢୀ ପରେ ପିଢୀ ଶତାବ୍ଦୀ ଶତାବ୍ଦୀ ଧରି ଉତ୍କର୍ଷତାର ଉତ୍ସ ଥିଲା ତାହା ସହର ତଳି ବସ୍ତିରେ କେଉଁଠି ହଜି ଯାଏ। କଥା ଏଇଠି ସରେନି। ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ଫଳରେ ଏହି ସବୁ କଳାତ୍ମକ ଜିନିଷର ନକଲ ବା ପ୍ରତି ବଦଳ ଆଜି ବହୁ ଶସ୍ତାରେ ମଧ୍ୟ ଉପଲବ୍ଧ ହେଉଛି। ଫଳରେ ବଜାରରେ ପାରମ୍ପରିକ କଳାତ୍ମକ ଜିନିଷ ମାନଙ୍କର ଚାହିଦା ଦିନକୁ ଦିନ କମି ଯାଉଛି। ଏହି ସମସ୍ୟାର ସମାଧାନ ଓ ମରି ଯାଉଥିବା କଳାତ୍ମକତାର ପୁନରୁତଥାନ ପାଇଁ ସୁମୀରଣ ପାଣ୍ଡେ, ଶିବାନୀ ଧର ଓ ହିମାଂଶୁ ଖର ମିଶି ଗାଥା ପ୍ରକଳ୍ପର ଆରମ୍ଭ କରିଥିଲେ।

image


ଏହି ତିନି ଜଣ ଅହମଦାବାଦ ସ୍ଥିତ National Institute of Design (NID)ର ଛାତ୍ର ଓ ପଢାବେଳେ ଗବେଷଣା ସମୟରେ ସେମାନଙ୍କ ଭିତରେ ହସ୍ତ ଶିଳ୍ପ ପାଇଁ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଲୋପ ପାଉଥିବା ଭାରତୀୟ କଳା ଓ ଐତିହ୍ୟ ବିଷୟରେ ଅଧିକ ଗବେଷଣା କରିବା ପାଇଁ ପ୍ରଚେଷ୍ଟାରୁ ହିଁ ୨୦୦୯ ମସିହା ନଭେମ୍ବର ମାସରେ ଗାଥା ପ୍ରକଳ୍ପର ଆରମ୍ଭ ହୋଇଥିଲା। କାମ ଆରମ୍ଭ କରିବାର ଅଳ୍ପ କିଛି ଦିନ ଭିତରେ କାରିଗର ମାନଙ୍କ ସହ କଥା ହେବା ଦ୍ଵାରା ତିନି ବନ୍ଧୁ ବୁଝି ପାରିଥିଲେ ଯେ କେବଳ ଗବେଷଣା ହିଁ ସମସ୍ୟାର ସମାଧାନ ନୁହେଁ। ଏହି କାରିଗର ମାନଙ୍କୁ ଅଧିକ ବ୍ୟବସାୟିକ ସୁଯୋଗ ସେମାନଙ୍କ ଆଖପାଖରେ ହିଁ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଏହା ସେମାନଙ୍କ ଆତ୍ମବିଶ୍ଵାସ ବଢାଇବା ସହ ସେମାନଙ୍କୁ ନିଜ କାମ ପାଇଁ ଗର୍ବିତ ମଧ୍ୟ କରିପାରିବ। ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ୨୦୧୩ ମସିହା ଅଗଷ୍ଟ ମାସରେ ସେମାନେ ଇ-କମର୍ସ ପୋର୍ଟାଲ Gaatha.com ଆରମ୍ଭ କରିଥିଲେ।

ପାରମ୍ପରିକ କଳା ଓ କାରିଗରମାନଙ୍କୁ ବିଶ୍ଵ ବଜାର ସହିତ ଯୋଡିବା ହିଁ ଗାଥାର ଲକ୍ଷ୍ୟ। ଏହା ପ୍ରଚେଷ୍ଟା ଉପରେ ନିଜର ମତ ରଖି ସୁମୀରଣ କୁହନ୍ତି-

“ଆମ ପାଇଁ କଳାତ୍ମକ ହସ୍ତଶିଳ୍ପ କେବଳ ଗୋଟିଏ ବ୍ୟବସାୟିକ ଦ୍ରବ୍ୟ ନୁହେଁ। ସେଥିପାଇଁ ଆମେ ଏହାକୁ ଜିନିଷ ନୁହେଁ ବରଂ କାହାଣୀ ଓ ପରମ୍ପରା ହିସାବରେ ବଜାରରେ ଉପସ୍ଥାପିତ କରୁ। କାରିଗର ଓ ଏହି ସବୁ ପାରମ୍ପରିକ କଳାର ଅନୁରାଗୀଙ୍କ ଭିତରେ ଭାବର ଅଧିକ ଆଦାନ ପ୍ରଦାନକୁ ଆମେ ପ୍ରୋତ୍ସାହିତ କରୁ। ସାମୂହିକ ବିକାଶ ଓ ନୂଆ ସୁଯୋଗର ଆବିଷ୍କାର ଆମର ଲକ୍ଷ୍ୟ।“
From L to R: Sumiran Pandey, Shivani Dhar and Hima

From L to R: Sumiran Pandey, Shivani Dhar and Hima


Gaatha: ଅନଲାଇନ ଯାତ୍ରା

Gaatha.com ପ୍ରତି ମାସରେ ହାରାହାରି ୪୫୦ ରୁ ୬୦୦ ଟି ଅର୍ଡର ପାଏ। ଏହି ଅର୍ଡର ଭିତରେ କେବେ କାଠ ପାନିଆ ଥାଏ ତ କେବେ ସିଲ୍କ ପୋଷାକ। କେବେ ମଧୁବଣୀ ଚିତ୍ର ତ କେବେ ଘର ସଜେଇବା ସାମଗ୍ରୀ। ଗୁଜୁରାଟ ରାଜସ୍ଥାନ ମଧ୍ୟପ୍ରଦେଶ ଓ କାଶ୍ମୀରର ପାରମ୍ପରିକ କଳାତ୍ମକ ହସ୍ତଶିଳ୍ପକୁ ବିଶ୍ଵ ବଜାର ରେ ପହଞ୍ଚାଉଛି ଏହି ଅନଲାଇନ ପ୍ରୟାସ। କାଠ ଚମଡା ଘାସ ପରି ଜିନିଷରୁ ତିଆରି ଏହି ସବୁ ହସ୍ତଶିଳ୍ପ ପାଇଁ ଏବେ ମିଳିଛି ଗୋଟେ ନୂଆ ବଜାର।

ଅନଲାଇନ ବଜାରରେ .com ଡୋମେନର ଚାହିଦା ସବୁଠୁ ଅଧିକ କାରଣ ଏହା ଗ୍ରାହକ ମାନେ ଶୀଘ୍ର ମନେ ରଖି ପାରନ୍ତି। ସେଥିପାଇଁ ହିଁ ଏହି ତିନି ବନ୍ଧୁ Gaatha.com କୁ ହିଁ ନିଜ ଅନଲାଇନ ବ୍ୟବସାୟ ପାଇଁ ପସନ୍ଦ କରିଥିଲେ। ଡୋମେନ ପଞ୍ଜୀକରଣ ପରେ ଆରମ୍ଭ ହୋଇଥିଲା ୱେବସାଇଟ ତିଆରି। କଳା ଶିଳ୍ପ ଓ କାରିଗର ମାନଙ୍କ ବିଷୟରେ ସୂଚନା ଏହି ୱେବସାଇଟରେ ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରଯାଇଥିଲା। ଏହା ଉପରେ ଅଧିକ ମତ ରଖି ସୁମୀରଣ କୁହନ୍ତି “ ଆମ ୱେବସାଇଟ ଭଳି ଅନେକ ୱେବସାଇଟ ରହିଛି। ମାତ୍ର ଆମର ଭିନ୍ନତା ହେଉଛି ଆମେ ଦେଉଥିବା ସୂଚନା। ଏହି ସୂଚନା ହେଉଛି ଅନେକ ବର୍ଷ ଗବେଷଣାର ଫଳଶ୍ରୁତି।“

କଳାକାରମାନଙ୍କ ସହ ସହଭାଗିତା

ଏହି ଯୁବ ଉଦ୍ୟୋକ୍ତାମାନେ ଅଧିକରୁ ଅଧିକ କାରିଗରଙ୍କୁ ନିଜ ୱେବସାଇଟ ସହ ଯୋଡିବା ପାଇଁ ଅହରହ ପ୍ରୟାସ କରୁଛନ୍ତି। ବର୍ତମାନ ୧୫୦ ରୁ ଅଧିକ କାରିଗର ୫୦ରୁ ଅଧିକ ପ୍ରକାରର ହସ୍ତଶିଳ୍ପ ଏହି ୱେବସାଇଟ ମାଧ୍ୟମରେ ବିକ୍ରି କରୁଛନ୍ତି। ହସ୍ତଶିଳ୍ପ ବଜାରକୁ ନିଜ ସୂଚନା ଓ ପ୍ରୟାସ ମାଧ୍ୟମରେ ଏକ ନୂତନ ଦିଗନ୍ତ ଦେବାକୁ Gaatha.com କାମ କରିଚାଲିଛି। 

ମୂଳ ଲେଖା - ଶାରିକା ନାୟାର

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ