ପାଞ୍ଚଟି ଷୋଳ ଅଣା ଖାଣ୍ଟି ଓଡିଆ ପର୍ବ

0

ବାର ମାସରେ ତେର ପର୍ବ। ସବୁ ପର୍ବ ପଛରେ ଅଲଗା କାହାଣୀ, ଅଲଗା ପରମ୍ପରା ଓ ଅଲଗା ପାଳନ ବିଧି। ପର୍ବପର୍ବାଣୀ ହେଉଛି ଓଡିଆ ସଂସ୍କୃତି ଓ ଜୀବନଯାତ୍ରାର ଅବିଛେଦ୍ୟ ତଥା ଅନବିଦ୍ୟ ଅଙ୍ଗ। ସର୍ବ ଭାରତୀୟ ସ୍ତରରେ ପାଳିତ ହେଉଥିବା ଅଧିକାଂଶ ପର୍ବ ଏଠି ପାଳିତ ହୁଏ। ଆଉ ତ ସହ ଏମିତି କିଛି ନିଆରା ପର୍ବ ବି ଅଛି ଯାହା କେବଳ ଓଡିଶାରେ ବା ଓଡିଶା ବାହାରେ ଓଡିଆ ବହୁଳ ଅଞ୍ଚଳ ମାନଙ୍କରେ ହିଁ ପାଳନ କରାଯାଏ। ଏହିପରି ପର୍ବପର୍ବାଣୀ ଭିତରୁ ପାଞ୍ଚୋଟି ନିଆରା ଓ ଖାଣ୍ଟି ଓଡିଆ ପର୍ବ ହେଲା ଶୀତଳଷଷ୍ଠୀ, ରଜ, କୁମାର ପୁର୍ଣିମା, ଧନୁ ଯାତ୍ରା ଓ କାର୍ତ୍ତିକ ପୁର୍ଣ୍ଣିମା ବା ଡଙ୍ଗାଭସା ପୁର୍ଣ୍ଣିମା।

ଶୀତଳଷଷ୍ଠୀ

ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳନ ହିଁ ହେଉଛି ଶୀତଳଷଷ୍ଠୀ ପର୍ବର ଉଦ୍ଦେଶ୍ୟ। ସମ୍ବଲପୁରର ଏହି ନିଆରା ଗଣ ପର୍ବରେ ଦେବ ଦମ୍ପତିଙ୍କ ବିବାହରେ ସାମିଲ ହୁଅନ୍ତି ଆବାଳ ବୃଦ୍ଧ ବନିତା। ଗୋଟିଏ ଦମ୍ପତିଙ୍କୁ ଦେବୀ ପାର୍ବତୀଙ୍କ ପିତା ମାତା ଭାବେ ଚୟନ କରାଯାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଶିବ ହେଉଛନ୍ତି ସ୍ଵୟଂଭୂ। ସେଥିପାଇଁ ତାଙ୍କ ପାଇଁ ପିତା ମାତା ଚୟନ କରାଯାଏ ନାହିଁ। ସମ୍ପୂର୍ଣ ବୈଦିକ ରୀତିରେ ପାଳିତ ହୁଏ ଏହି ବିବାହ। ଆଖପାଖର ସବୁ ଦେବା ଦେବୀଙ୍କୁ ଏହି ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରା ଯାଇ ଥାଏ। ଶୀତଳଷଷ୍ଠୀ ସମୟରେ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡିଶା ହୋଇ ଉଠେ ଉତ୍ସବମୁଖର। ଦେବ ଦେବ ମହାଦେବଙ୍କ ବରଯାତ୍ରୀ ଭାବେ ସାମିଲ ହୁଅନ୍ତି ହଜାର ହଜାର ଲୋକ। ପ୍ରଚଳିତ ବିଶ୍ଵାସ ଅନୁସାରେ ଏହି ଶୋଭାଯାତ୍ରାରେ ନୃତ୍ୟ କଲେ କିନ୍ନର ଜନ୍ମରୁ ମୁକ୍ତି ମିଳେ। ସେଥିପାଇଁ ଏହି ଶୋଭାଯାତ୍ରାରେ ସହସ୍ରାଧିକ କିନ୍ନରଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳେ। ୧୯୭୨ ମସିହା ପର୍ଯ୍ୟନ୍ତ ଏହି ପର୍ବ କେବଳ ନନ୍ଦପଡା ଓ ଝାଡୁଆପଡା ଅଞ୍ଚଳରେ ପାଳିତ ହେଉଥିଲା। ବର୍ତ୍ତମାନ ସମ୍ବଲପୁରର ସବୁ ଅଞ୍ଚଳ ସହ ବରଗଡ ଓ ଝାରସୁଗୁଡାରେ ମଧ୍ୟ ଆନନ୍ଦ ଓ ଉତ୍ସାହର ସହ ଶୀତଳଷଷ୍ଠୀ ପାଳିତ ହେଉଛି।

Pic Credit : Incredible Orissa
Pic Credit : Incredible Orissa

ରଜ

ଓଡିଶା ମୁଖ୍ୟତଃ ଗୋଟିଏ କୃଷି ପ୍ରଧାନ ରାଜ୍ୟ ଓ ରଜ ହେଉଛି ଓଡିଶାର ସବୁଠାରୁ ବଡ କୃଷିଭିତ୍ତିକ ପର୍ବ। ଚାରିଦିନ ଧରି ପାଳିତ ହେଉଥିବା ଏହି ପର୍ବ ମୌସୁମୀ ଓ ବର୍ଷାଋତୁର ଆଗମନକୁ ସୁଚେଇ ଥାଏ। ପ୍ରଚଳିତ ବିଶ୍ଵାସ ଅନୁସାରେ ଏହି ସମୟରେ ଧରିତ୍ରୀ ରଜସ୍ଵଳା ହୁଏ। ଆଗକୁ ଥାଏ ବ୍ୟସ୍ତ ବହୁଳ ଚାଷ କାମ। ତା ପୂର୍ବରୁ ଆନନ୍ଦ ଉତ୍ସବରେ ହଜି ଯିବା ପାଇଁ ହିଁ ଏହି ଗଣପର୍ବର ଆୟୋଜନ। ସଜବାଜରୁ ଆରମ୍ଭ ଏହି ପର୍ବ ଶେଷ ହୁଏ ବସୁମାତା ସ୍ନାନରେ। ପୋଡପିଠା, ଦୋଳି ଖେଳ, ରଜପାନ, ରଜ ଗୀତ, ଖେଳକୁଦ, ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ଓ ପିଠାପଣାରେ ରଙ୍ଗୀନ ହୋଇ ଉଠେ ସାରା ଓଡିଶା। ଜଗନ୍ନାଥ ସଂସ୍କୃତି ସହ ମଧ୍ୟ ରଜପର୍ବ ଜଡିତ।

ଧନୁ ଯାତ୍ରା

ଧନୁ ସଙ୍କ୍ରାନ୍ତି ସମୟରେ ବରଗଡ ପାଲଟି ଯାଏ ବିଶ୍ଵର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ମଞ୍ଚାସୀନ ହୁଅନ୍ତି ପ୍ରବଳ ପ୍ରତାପୀ ମହାରାଜ କଂସ ଓ ହୁକୁମ ଦିଅନ୍ତି ନିଜ ଦରବାରରୁ। କିଛି ପୁରୁଖା ଲୋକଙ୍କ ମତରେ ସ୍ଵାଧୀନତା ପରେ ହିଁ ଏହି ଉତ୍ସବ ପାଳନ ପରମ୍ପରାର ଆରମ୍ଭ ହୋଇଥିଲା। ଏହି ଉତ୍ସବ ପାଳନ ସମୟରେ ବରଗଡ ନଗରପାଳିକା ଅଞ୍ଚଳ ପାଲଟି ଯାଏ କଂସ ରାଜାଙ୍କ ରାଜଧାନୀ ମଥୁରା ଓ ଜୀରା ନଇ ପାଲଟେ ଯମୁନା। ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ଘଟଣାରୁ ଆରମ୍ଭ ଏହି ଗୀତିନାଟ୍ୟର ଯବନିକା ପଡେ କୃଷ୍ଣଙ୍କ ହାତରେ କଂସର ନିଧନ ପରେ। ମାତ୍ର ଉତ୍ସବ ପାଳନ ସମୟରେ କଂସ ଚରିତ୍ର ସବୁବେଳେ ଅତ୍ୟାଚାରୀ ନଥାଏ। କଂସ ମହାରାଜ ନିଜ ପ୍ରଜା ମାନଙ୍କ ଦୁଃଖ ସୁଖ ବୁଝନ୍ତି ଓ ପ୍ରଜା ମାନଙ୍କ ଦୁଃଖ ନିରାକରଣ ପାଇଁ ଦରବାରରେ ଉପସ୍ଥିତ ରାଜନୈତିକ ନେତା ଓ ଅଫିସରମାନଙ୍କୁ ଆଦେଶ ମଧ୍ୟ ଦିଅନ୍ତି। ଅତୀତରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ମହାରାଜ କଂସଙ୍କ ଦରବାରରେ ଜୋରିମାନା ଦଣ୍ଡରେ ଦଣ୍ଡିତ ହେଇଥିଲେ।

କୁମାର ପୁର୍ଣ୍ଣିମା

ପୁରାଣରେ ଅଛି ମହାଦେବ ଶିବଙ୍କର ବଡ ପୁଅ କାର୍ତ୍ତିକ ହେଉଛନ୍ତି ରୂପ ଓ ରଣକୌଶଳରେ ଅଦ୍ଵିତୀୟ। ତାଙ୍କର ଜନ୍ମ କୁମାର ପୁର୍ଣିମା ଦିନ ହିଁ ହୋଇଥିଲା। କାର୍ତିକଙ୍କ ପରି ସ୍ଵାମୀ ପାଇବା ପାଇଁ ଅବିବାହିତା କୁମାରୀ ମାନେ ପାଳନ କରନ୍ତି କୁମାର ପୁର୍ଣିମା। ଏହି ପର୍ବ ପାଳନର କୌଣସି ନିର୍ଦ୍ଦିଷ୍ଟ ପୂଜା ବିଧି ବା ମନ୍ତ୍ର ନାହିଁ। ସୂର୍ଯ୍ୟ ଓ ଚନ୍ଦ୍ର ପୂଜା ମାଧ୍ୟମରେ ହିଁ ଏହି ପର୍ବ ପାଳନ କରାଯାଏ। କୁମାର ପୁର୍ଣିମା ଦିନ ସକାଳୁ କୁମାରୀ ମାନେ ଗାଧୋଇ ନୂଆ ପୋଷାକ ପିନ୍ଧି ସୂର୍ଯ୍ୟ ପୂଜା କରିଥାନ୍ତି। ସାରା ଦିନ ଉପବାସ ରହିଲା ପରେ ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଆଞ୍ଜୁଳି ଟେକି ବ୍ରତ ଉଦଯାପନ କରିଥାନ୍ତି। ପୁଚି ଖେଳ ଏହି ପର୍ବର ଆଉ ଏକ ବିଶେଷତ୍ଵ।

କାର୍ତ୍ତିକ ପୁର୍ଣ୍ଣିମା/ଡଙ୍ଗାଭସା ପୁର୍ଣ୍ଣିମା

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସହ ଏହି ପର୍ବ ଜଡିତ। ଅତୀତରେ ଉତ୍କଳର ସାଧବ ପୁଅ ମାନେ ବାଲି, ଶ୍ରୀଲଙ୍କା, ସୁମାତ୍ରା, ଜାଭା, ବୋର୍ନିଓ ଆଦି ଦ୍ଵୀପକୁ ବାଣିଜ୍ୟ ପାଇଁ ବୋଇତରେ ଯାଉଥିଲେ। ଏହି ଇତିହାସ ସହ ଜଡିତ ଓଡିଶାର ପୁରପଲ୍ଲୀରେ ପାଳିତ ହେଉଥିବା ବଡ ଓଷା, ଖୁଦୁରୁକୁଣୀ ଓଷା ଓ ତଅପୋଇ ଲୋକ କଥା। କଟକର ଗଡଗଡିଆ ଘାଟରେ ପାଳିତ ହେଉଥିବା ବାଲିଯାତ୍ରା କାର୍ତିକ ପୁର୍ଣିମା ଦିନ ଆରମ୍ଭ ହୁଏ ଓ ସାତ ଦିନ ଯାଏ ଚାଲିଥାଏ। ଏଥିରେ ଲକ୍ଷାଧିକ ଲୋକ ସାମିଲ ହୁଅନ୍ତି। କଟକ ବ୍ୟତୀତ କୁଜଙ୍ଗ, ପାରାଦୀପ ଓ ଉପକୂଳ ଓଡିଶାର ବିଭିନ୍ନ ସହରରେ ବାଲିଯାତ୍ରା ପାଳିତ ହୁଏ।