22Bikes : ମୁଁ ସାଇକେଲ କହେ

22Bikes : ମୁଁ ସାଇକେଲ କହେ

Sunday May 15, 2016,

4 min Read

ମୁଁ ସାଇକେଲ କହେ…!!!

ଶୁଣ ମୋ ଭାଇ ଭଉଣୀ ଶୁଣ ହେ ସଭିଏଁ

ସ୍ୱାସ୍ଥ୍ୟଧନର ଯତନେ ଧିଆନ ଦିଅହେ

ମୁଁ ସାଇକେଲ କହେ…!!!

ଲୋଡ଼ା ନାହିଁ ତେଲ ମୋର ନା ଲୋଡା ବିଜୁଳୀ

ପବନ ପେଟରେ ଗଲେ ଧାଏଁ ମୁଁ ଉଛୁଳି

ମୁଁ ସାଇକେଲ କହେ…!!!

(ରଚନା – ପ୍ରଶାନ୍ତ ଭୂୟାଁ, Source – 22Bikes.in)

ଛୋଟ ହେଇଥିବା ବେଳେ ବଡ ସାଇକେଲରେ ହାଫ/ଗୋଡ ଗଳା ଚଲେଇବା କାହାର ବା ମନେ ନ ଥିବ। ସାଇକେଲ ଖଣ୍ଡେ ଧରି ତାକୁ ରକେଟ ଗତିରେ ଚଲେଇବା, ଦୁଇ ହାତ ହ୍ୟାଣ୍ଡେଲରୁ ଛାଡି ଦେଇ ସାଙ୍ଗ ମାନଙ୍କୁ କରାମତି ଦେଖେଇବା, ଉଠାଣି ମାନଙ୍କରେ ପର୍ବତ ଆରୋହଣ କରିବା ଭଙ୍ଗୀରେ ସାଇକେଲକୁ ଟାଣି ନେଇଯିବା, ଆଉ ବେଳେବେଳେ ପାଖରେ ଯାଉଥିବା ଟ୍ରକ, ଟ୍ରେକର, ଅଟୋ ପଛପଟେ ହାତ ଦେଇ ଆମର ଦୁଇଚକିଆ ଦୂତଟିକୁ ଖୁବ ଷ୍ଟାଇଲ ଓ ବିନା ପରିଶ୍ରମରେ ସବାରୀ କରିବା, ଏସବୁ ଗୋଟେ ନଷ୍ଟାଲଜିଆ ନେଇଆସେ। ନୁହେଁ କି?

ଆଜିକାଲି ରାସ୍ତା ଘାଟରେ ସାଇକେଲ ଦେଖିବା ବହୁତ କମ। କିନ୍ତୁ ବିଦେଶରେ ସାଇକେଲ ଚଲେଇବା ଧୀରେ ଧୀରେ ଖୁବ ଲୋକପ୍ରିୟ ହେବାରେ ଲାଗିଛି। ସାଇକେଲ ଚାଳନା କେବଳ ଯାତାୟାତର ମାଧ୍ୟମ ନୁହେଁ,ବରଂ ଆଡଭେଞ୍ଚର ସ୍ପୋର୍ଟ୍ସ ଓ ଏକ ପ୍ରୋଫେସନାଲ ଖେଳ ଭାବେ ବିଶ୍ଵସ୍ତରୀୟ ପରିଚୟ ଲାଭ କରିଛି। ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କେତେକ ଇଭେଣ୍ଟ ଯେମିତି କି ‘ଟୂର ଡେ ଫ୍ରାନ୍ସ’ ଆୟୋଜନ କରାଯାଉଛି। ସାଇକେଲରେ ନା ପେଟ୍ରୋଲ ଡିଜେଲ ପୋଡିବା ଦରକାର ହୁଏ, ନା ଟ୍ରାଫିକର ସମସ୍ୟା ସୃଷ୍ଟି ହୁଏ ଆଉ ପରିବେଶ ମଧ୍ୟ ସୁରକ୍ଷିତ ରୁହେ। ସବୁଠାରୁ ଶସ୍ତା ଗମନାଗମନର ଜରିଆ ଓ ଫିଟ ରହିବାକୁ ମଧ୍ୟ ସାହାଯ୍ୟ କରେ।

image


ବଜାରରେ ବିଳାସପୂର୍ଣ୍ଣ ମୋଟର ବାଇକ କମ୍ପାନୀର ସଂଖ୍ୟା ଅନେକ। ତାହେଲେ ସାଇକେଲ ବା ପଛରେ ରହିବ କାହିଁକି। ପ୍ରିମିୟମ ସ୍ପୋର୍ଟ୍ସ ସାଇକେଲର ସଂଖ୍ୟା ପୁରା ସାଇକେଲ ମାର୍କେଟରେ ୫% ରୁ ୭%। ଏପରି ପ୍ରିମିୟମ ସାଇକେଲ ସବୁ ବଡ ସହରରେ ମିଳେ। କିନ୍ତୁ ଭୁବନେଶ୍ଵରର ବଜାରରେ ଯେ ଏଭଳି ପ୍ରିମିୟମ ସ୍ପୋର୍ଟ୍ସ ସାଇକେଲ କିଣି ହେବ ତା’ ଥିଲା କଳ୍ପନା ବାହାରେ। କିନ୍ତୁ 22Bikes ଭୁବନେଶ୍ଵର ତାକୁ ସତ କରିଛି।

ଭୁବନେଶ୍ଵରର ଶହିଦ ନଗରରେ ତାଙ୍କର ୫୦୦ ବର୍ଗଫୁଟର ଷ୍ଟୋର ଯେଉଁଠାରେ ସମସ୍ତ ପ୍ରକାର ଆଡଭେଞ୍ଚର ସ୍ପୋର୍ଟ୍ସ ସାଇକେଲ ଓ ପ୍ରୋଫେସନାଲ ସାଇକେଲ ଉପଲବ୍ଧ। ଅଧିକାଂଶ ବାଇକ ବିଦେଶରୁ ଆମଦାନୀ କରାଯାଇଛି।

ଅଜୟ କୁମାର ନନ୍ଦ, ପ୍ରତିଷ୍ଠାତା, 22Bikes ନିଜେ ଜଣେ ସାଇକେଲ ପ୍ରେମୀ। ରିଟେଲ ମ୍ୟାନେଜମେଣ୍ଟ ରେ ଡିଗ୍ରୀ ଓ ୬ ବର୍ଷର ରିଟେଲ କ୍ଷେତ୍ରର ଅଭିଜ୍ଞତା ନେଇ ଅଜୟ ଆରମ୍ଭ କରିଥିଲେ 22Bikes। ଯେପରି ଭକ୍ତ ମାନଙ୍କପାଇଁ ବାଇଶି ପାହାଚ ଡେଇଁଲେ କାଳିଆର ଦର୍ଶନ ମିଳେ, ଠିକ ସେହିପରି ସାଇକେଲ ଚାଳନାର ଭକ୍ତଙ୍କ ପାଇଁ ବାଇଶି ପାହାଚ ହେଲା 22Bikes। ଷ୍ଟୋରର ନାମ ପଛର କାହାଣୀ ହେଲା ତାଙ୍କର ଆବେଗ ଓ ସାଇକେଲ ଚାଳନା ପ୍ରତି ଥିବା ଅଗାଢ ଭଲ ପାଇବା।

image


ପିଲାବେଳେ ସାନ ଭାଇକୁ ଆଗରେ ଓ ଭଉଣୀକୁ ସାଇକେଲ ପଛ କ୍ୟାରିଅରରେ ବସେଇ ବୁଲେଇବା ଠାରୁ ଆରମ୍ଭ ହେଇଥିଲା ତାଙ୍କର ସାଇକେଲ ପ୍ରତି ଭଲ ପାଇବା। ସେ UAEରେ ଏକ ରିଟେଲ କମ୍ପାନୀରେ କାମ କରୁଥିବା ବେଳେ ଏକ UNI ସାଇକେଲ କିଣିଥିଲେ। ଏବେ ମଧ୍ୟ ସପ୍ତାହକୁ ଥରେ ସେ ଲମ୍ବା ସାଇକେଲ ରାଇଡରେ ବାହାରି ଯାଆନ୍ତି। କିଛି ମାସ ତଳେ ୬ ଜଣ ବନ୍ଧୁଙ୍କ ସହ ଅଜୟ ଭୁବନେଶ୍ଵର ରୁ ଭୁଟାନ ଯାଏଁ ଦୀର୍ଘ ୧୩୦୨ କିଲୋମିଟରର ଏକ ସାଇକେଲିଙ୍ଗ ଟ୍ରିପ ସେ ସଂପୂର୍ଣ୍ଣ କରିଛନ୍ତି।

“ଦୀର୍ଘ ୬ ବର୍ଷ ଧରି କର୍ପୋରେଟ କ୍ଷେତ୍ରରେ କାମ କଲା ପରେ ମଧ୍ୟ ସବୁବେଳେ ଖାଲି ଖାଲି ଲାଗୁଥିଲା। ସେତେବେଳେ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଚାକିରୀ ଛାଡି ନିଜେ କିଛି କରିବାକୁ ଚେଷ୍ଟା କରିବି। ଚାକିରୀ ଛାଡିବା ଓ ନିଜର ବ୍ୟବସାୟ ଆରମ୍ଭ କରିବା ମଝିରେ ଯେଉଁ ଖାଲି ସମୟ ଥିଲା ତାକୁ ମୁଁ ପ୍ରାୟ ମୋର ପ୍ରଥମ ସଉକ ଓ ଭଲପାଇବା, ସାଇକେଲ ଚଲେଇ ବିତାଉଥିଲି। ସେତେବେଳେ ମୋ ମନରେ ଖିଆଲ ଆସିଲା ଯେ ମୋର ସାଇକେଲ ପ୍ରତି ଭଲପାଇବା କୁ ବ୍ୟବସାୟରେ ରୂପାନ୍ତର କଲେ କେମିତି ହେବ। ସେହି ବିଚାରରୁ ଜନ୍ମ ନେଲା 22Bikes,” କହନ୍ତି ଅଜୟ।

ଏମବିଏ କରିବା ସମୟରେ ନିଜର ଉଦ୍ୟୋଗ ପାଇଁ ଏକ ସ୍ଵପ୍ନ ଥିଲା। କିନ୍ତୁ ପରେ ସେ ବି ସେଇ ତଥାକଥିତ ମୂଷା ଦୌଡରେ ସାମିଲ ହେଇଗଲେ ବୋଲି କହନ୍ତି ଅଜୟ। UAEରୁ ଫେରିବା ପରେ ସେ ଜାଣିବାକୁ ପାଇଲେ ଯେ ଭୁବନେଶ୍ଵରରୁ ୯ଜଣ ସାଇକେଲ ଚାଳକ ମନାଲିରୁ ଲେହ ପର୍ଯ୍ୟନ୍ତ ଏକ ସାଇକେଲିଙ୍ଗ ଟ୍ରିପରେ ଯାଇଥିଲେ। ସେହି ସମୟରେ ସେ ଓଡିଶାରେ ସାଇକେଲ ଓ ସାଇକେଲିଙ୍ଗ ର ଏକ ଭବିଷ୍ୟତ ଅଛି ବୋଲି କଳ୍ପନା କରିପାରିଲେ ବୋଲି କହନ୍ତି।

ବର୍ତ୍ତମାନ ଏହି ଷ୍ଟୋରରେ Scott, Raleigh, Sun Cross, Merida, Tata, Axis ଓ Pro ବାଇକ ଭଳି ବ୍ରାଣ୍ଡର ସାଇକେଲ ଓ ଆନୁଷଙ୍ଗିକ ସାମଗ୍ରୀ ଯେପରିକି ଗ୍ଳୋଭ , ଲକ, ହେଲମେଟ, ପାଣି ବୋତଲ ଇତ୍ୟାଦି ଉପଲବ୍ଧ। ସାଇକେଲ ଗୁଡିକର ଦାମ ୧୦,୦୦୦ ଟଙ୍କାରୁ ଆରମ୍ଭ ହେଇ ୨ ଲକ୍ଷ ଯାଏଁ ଅଛି। ଗ୍ରାହକ ମାନେ ଚାହିଁଲେ କାଟାଲଗ ଦେଖି ଅଳ୍ପ କିଛି ଟଙ୍କା ଦେଇ ଆଡଭାନ୍ସ ବୁକିଂ ମଧ୍ୟ କରିପାରିବେ। ବିକ୍ରି ସହ ସର୍ଭିସ ପାଇଁ ମଧ୍ୟ ଏକ ସ୍ଵତନ୍ତ୍ର ଜାଗା ରହିଛି ଷ୍ଟୋରରେ।

ଏହି ଷ୍ଟୋରରେ ଖାଲି ସାଇକେଲ ବିକ୍ରି ନୁହେଁ ବରଂ ସାଇକେଲ ପ୍ରେମୀଙ୍କ ପାଇଁ ଏକ ଛୋଟ ଲାଇବ୍ରେରୀ ମଧ୍ୟ ରହିଛି। ଏହି ଲାଇବ୍ରେରୀରେ ସାଇକେଲିଙ୍ଗ ସମ୍ପର୍କିତ ଅନେକ ବହି, ମାଗାଜିନ ରହିଛି ଯାହାକୁ ପଢି ସାଇକେଲ ଚାଳନାର ଦୁନିଆ ସମ୍ପର୍କରେ ଅନେକ କିଛି ଜ୍ଞାନ ଓ ସୂଚନା ମିଳିପାରିବ। ଆଚ୍ଛା ଏତିକିରେ ସରିନାହିଁ। ହଁ, ଆହୁରି ମଧ୍ୟ ଅଛି। ଏଠାରେ ଆପଣ କପେ ଗରମାଗରମ କଫି ପିଇ ବାଇକ ପ୍ରେମୀ ମାନଙ୍କ ଗହଣରେ ସମୟ ମଧ୍ୟ କାଟିପାରିବେ। ହଁ, ଏହା ଏକ ସାଇକେଲ ପ୍ରେମୀ ମାନଙ୍କ ପାଇଁ ଏକ ସାମାଜିକ ଆସରର ସ୍ଥାନ ମଧ୍ୟ।

image


ସାଇକେଲ ରେଣ୍ଟାଲ ବା ଭଡାରେ ପାଇବାର ପରିକଳ୍ପନା ଓଡିଶାରେ ଏକଦମ ନୂଆଁ। 22Bikesରେ ଆପଣ ସ୍ପୋର୍ଟ୍ସ ସାଇକେଲ ଭଡାରେ ମଧ୍ୟ ପାଇପାରିବେ। ଟୁରିଷ୍ଟ, ସହର ବାସିନ୍ଦା ଯେଉଁମାନେ କେବେ କେମିତି ଆଡଭେଞ୍ଚରର ଖୋରାକ ଖୋଜନ୍ତି ସେମାନଙ୍କ ମଧ୍ୟରେ ଏହା ଢେର ଲୋକପ୍ରିୟ ହେବାରେ ଲାଗିଛି।

ବର୍ତ୍ତମାନ ତାଙ୍କର ଷ୍ଟୋର ପ୍ରତି ସପ୍ତାହର ଶନିବାର ସକାଳୁ ୧୫-୨୦ କିଲୋମିଟର ଯାଏଁ ସାଇକେଲ ରାଇଡ ଆୟୋଜିତ କରୁଛି। ଇଛୁକ ସାଇକେଲ ପ୍ରେମୀ ମାନେ ନିଜ ସାଇକେଲ, ଓ ସାଇକେଲ ନଥିଲେ ଭଡାରେ ମଧ୍ୟ ସାଇକେଲ ନେଇ ଶହିଦ ନଗର ଠାରୁ ଶିଖରଚଣ୍ଡୀ, ଧଉଳି ଇତ୍ୟାଦି ରାଇଡରେ ଭାଗ ନେଇପାରିବେ।

ଆଗକୁ ଯାଇ ଯୋଜନା ସମ୍ପର୍କରେ ଅଜୟ କୁହନ୍ତି,

ଆଗାମୀ ପାଞ୍ଚ ବର୍ଷ ଭିତରେ ଦେଶରେ ବିଭିନ୍ନ ସ୍ଥାନରେ ପାଞ୍ଚଟି ଷ୍ଟୋର ଖୋଲିବାର ଯୋଜନା ରହିଛି। ଏହି ସ୍ଵପଙ୍କୁ ସତ କରିବା ପାଇଁ ଆମେ କାମ କରିବା ଆରମ୍ଭ କରିଦେଇଛୁ।

୧୦ ମଇ, ୨୦୧୬ରେ 22Bikesର ପ୍ରଥମ ବର୍ଷ ପୂର୍ଣ୍ଣ ହେଇଛି। ଏହି ଅବସରରେ ଶ୍ରୀ ଶ୍ରୀ ମା ଆନନ୍ଦ ଆଶ୍ରମକୁ ଏହା ପାଞ୍ଚଟି ସାଇକେଲ ଉପହାର ଦେଇଛନ୍ତି। ଏହା ଛଡା ରକ୍ତଦାନ ଶିବିର ଆୟୋଜନ, ପୁସ୍ତକ ଦାନ ଇତ୍ୟାଦି ନିଆରା ଢଙ୍ଗରେ 22Bikes ତାର ପ୍ରଥମ ବାର୍ଷିକୀ ପାଳନ କରିଛି।