ବିହାରର ବ୍ଲଗର ଚାଷୀ ଓ ପରିବେଶ କର୍ମୀ

ବିହାରର ବ୍ଲଗର ଚାଷୀ ଓ ପରିବେଶ କର୍ମୀ

Saturday November 28, 2015,

3 min Read

ବର୍ତ୍ତମାନ ସମୟରେ ଶିକ୍ଷିତ ଯୁବକମାନେ ଗାଁ ଛାଡ଼ି ବଡ଼ ସହରରେ କାମ କରିବାକୁ ପସନ୍ଦ କରୁଥିବା ବେଳେ ଗିରୀନ୍ଦ୍ର ନାଥ ଝା ଠିକ ଏହାର ବିପରୀତ ଦିଗକୁ ଚୟନ କରିଛନ୍ତି ।

image


ଦିଲ୍ଲୀ, କାନପୁର ଭଳି ସହରରେ ୧୨ ବର୍ଷ କାମ କରିବା ପରେ ସେ ବିହାରର ଏକ ଛୋଟ ଗାଁରେ ଚାଷୀ ଭାବେ ଜୀବନ ବିତାଇବାକୁ ଆସିଛନ୍ତି । ତାଙ୍କ ଅଞ୍ଚଳରେ ପୂର୍ବରୁ ଯେମିତି ଚାଷ ହେଉଥିଲା ଏବେ ସେ ତାହାର ରୂପ ବଦଳେଇ ଦେଇଛନ୍ତି । ପରିବେଶ, କୃଷି ଆଦି ପ୍ରସଙ୍ଗରେ ଦୀର୍ଘ ୯ ବର୍ଷ ଧରି ସେ ଏକ ବ୍ଲଗ୍ ଲେଖି ଆସୁଛନ୍ତି ଯାହା ଚାଷୀମାନଙ୍କୁ ଚାଷର ନୂଆ ନୂଆ ପାଠ ବତାଉଛି । ତାଙ୍କ ଲେଖା ନିଜ ଅଞ୍ଚଳରେ ଗ୍ରାମ୍ୟ ପର୍ଯ୍ୟଟନକୁ ଉତ୍ସାହିତ କରିବା ସହ ଅଧିକ ଅମଳ ପାଇଁ ଚାଷୀମାନଙ୍କୁ ନୂଆ ନୂଆ ପ୍ରଯୁକ୍ତିର ସୁଯୋଗ ଆଣିଛି ।

ବିହାରର ପୁର୍ଣ୍ଣିଆ ଜିଲ୍ଲାର ଏକ ଛୋଟ ଗାଁ ଚଙ୍କାରେ ଗିରୀନ୍ଦ୍ରଙ୍କ ଘର । ପୁର୍ଣ୍ଣିଆରେ ବିଦ୍ୟାଳୟ ପରେ ସେ ଉଚ୍ଚତର ଶିକ୍ଷା ପାଇଁ ଦିଲ୍ଲୀ ଚାଲିଗଲେ । ଇତିହାସ ଓ ଅର୍ଥନୀତିରେ ତାଙ୍କର ଆଗ୍ରହ ଥିଲା । ୨୦୦୬ରେ ଦିଲ୍ଲୀ ବିଶ୍ୱିବ୍ୟାଳୟର ସତ୍ୟବତୀ କଲେଜରୁ ଅର୍ଥନୀତିରେ ସ୍ନାତକ ପରେ ସେ Center for the Study of Developing Society (CSDS)ରୁ ଏକ ଫେଲୋସିପ୍ ପାଇଲେ । ତା ପରେ ସେ ତିନି ବର୍ଷ ସାମ୍ବାଦିକତା ଶିକ୍ଷା କଲେ । ବିବାହ ପରେ ସେ କାନପୁର ଚାଲିଆସିଲେ ଓ ଏଠାରେ ଏକ ଜାତୀୟ ଖବରକାଗଜରେ କାର୍ଯ୍ୟ କଲେ ।

ସବୁବେଳେ ସେ ଗାଁକୁ ଫେରି ତୃଣମୂଳ ସ୍ତରରୁ କାମ କରିବାକୁ ଚାହୁଁଥିଲେ । ଏ ଭିତରେ ତାଙ୍କ ବାପାଙ୍କର ଦେହ ଅସୁସ୍ଥ ହେଲା ଓ ସେ ତାଙ୍କର ସେବା ପାଇଁ ଗାଁକୁ ଫେରିଲେ । ଗାଁରେ ରହି ସେ ଅନୁଭବ କଲେ ଯେ ସେ ସହରରେ ଯାହା ଯାହା କରୁଛନ୍ତି, ତାହା ଗାଁରେ ରହି କରିବା ସମ୍ଭବ । ୨୦୧୨ ମସିହାରୁ ସେ ଗାଁରେ ସ୍ଥାୟୀ ଭାବେ ରହିବାକୁ ନିଷ୍ପତ୍ତି ନେଲେ ।

ପୁର୍ଣ୍ଣିଆ ଠାରୁ ୨୫ କିଲୋମିଟର ଦୂର ଚଙ୍କା ଗାଁରେ ଏବେ ଗିରୀନ୍ଦ୍ର ନିଜକୁ ଜଣେ ଚାଷୀ, ଶିକ୍ଷକ ଓ ବ୍ଲଗର ଭାବେ ପରିଚିତ କରି ପାରିଛନ୍ତି । ତାଙ୍କୁ ସୁବିଧା ହେଲା ଭଳି ସବୁ ଜିନିଷ ସେ ଗାଁରେ ହାସଲ କରିପାରୁଛନ୍ତି । ସେ ହସି ହସି କହନ୍ତି, ‘ଲୋକେ ବାହାରେ ଯାହା ଭାବନ୍ତି, ବିହାର ପ୍ରକୃତରେ ସେମିତି ନୁହେଁ ।’

ଗାଁକୁ ଫେରି ସେ ଦୋଫସଲି ଆରମ୍ଭ କଲେ; ଧାନ, ମକା ଏବଂ ଆଳୁକୁ କଦମ୍ବ ସହ ଏକତ୍ର ଚାଷ କଲେ । କଦମ୍ବ କାଠ ପ୍ଲାଏ ଉଡ୍ ପାଇଁ ଲାଗୁଥିବା ବେଳେ ଏହାର ପତ୍ର ଜମି ପାଇଁ ପ୍ରକୃତିକ ସାର ଭାବେ ଲାଗିଲା । ଏହା ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ସହ ଗିରୀନ୍ଦ୍ରଙ୍କ ପାଇଁ ବେଶ୍ ଲାଭଦାୟକ ବି ହେଲା ।

ଗିରୀନ୍ଦ୍ରଙ୍କ ସଫଳତାରେ ପ୍ରଭାବିତ ହୋଇ ପୁର୍ଣ୍ଣିଆ ଅଞ୍ଚଳରେ ବହୁ ଚାଷୀ ଦୋଫସଲି ଆରମ୍ଭ କଲେ । ଏବେ ଦୋଫସିଲି ସେ ଅଞ୍ଚଳରେ ସାଧାରଣ ପରମ୍ପରା ପାଲଟି ଯାଇଛି । ଜିଏମ୍ କୃଷି ଓ କୀଟନାଶକ ବ୍ରବହାର ନକରିବାକୁ ଯୁକ୍ତି ବାଢ଼ୁଛନ୍ତି ଗିରୀନ୍ଦ୍ର । ସେ ଚାଷୀଙ୍କୁ ବିଭିନ୍ନ ଜୈବିକ କୃଷି ପନ୍ଥା ଶିଖାଉଛନ୍ତି ।

୨୦୦୬ରୁ ସେ ନିଜର ବ୍ଲଗ୍ ‘ଅନୁଭବ’ ଆରମ୍ଭ କରିଛନ୍ତି । ତାଗ୍ୱ୍ଗ୍ ପ୍ରମୁଖ ସମ୍ବାଦ ଚ୍ୟାନେଲ ଓ ଦିଲ୍ଲୀ ସରକାରଙ୍କ ଠାରୁ ସମ୍ମାନ ବି ପାଇଛି । ପ୍ରମୁଖ ହିନ୍ଦୀ ଖବରକାଗଜରେ ନିୟମିତ ତାଙ୍କର ଲେଖା ବାହାରୁଛି । ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ବହି ପ୍ରକାଶ ପାଇବାକୁ ଯାଉଛି । ଗିରୀନ୍ଦ୍ର କହନ୍ତି-

‘ଜଣେ ଯଦି ସୋସିଆଲ ମିଡିଆକୁ ଠି ଭାବେ ବ୍ୟବହାର କରିବ ଏହା ଚାଷୀଙ୍କ ପାଇଁ ବେଶ୍ ସହାୟକ ହେବ । ଏଠି କୌଣସି ବାଧାବନ୍ଧନ ନାହିଁ । ଏଥିପାଇଁ ଆପଣଙ୍କୁ ଦିଲ୍ଲୀରେ ରହିବା ବି ଜରୁରୀ ନୁହେଁ । ମୁଁ ବଡ଼ ସହରରୁ ଶହ ଶହ କିଲୋମିଟର ଦୂରରେ ଥାଇ ବି ଯାହା ଚାହୁଁଛି କରିପାରୁଛି ।’

ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଚାଷର ବିଭିନ୍ନ ଦିଗକୁ ନେଇ ଉପକାରୀ ଭିଡିଓ ବି ପ୍ରସ୍ତୁତ କରିଛନ୍ତି । କେବଳ ପୁର୍ଣ୍ଣିଆ ଅଞ୍ଚଳରେ ନୁହେଁ, ଦେଶବ୍ୟାପୀ ଚାଷୀ ମାନେ ଏସବୁ ଜ୍ଞାନ ତାଙ୍କ ଠାରୁ ଆହରଣ କରି ପାରୁଛନ୍ତି ।

ଗିରୀନ୍ଦ୍ର କହନ୍ତି, ‘ସୋସିଆଲ ମିଡିଆ ବର୍ତ୍ତମାନ ଏକ ଶକ୍ତିଶାଳୀ ମାଧ୍ୟମ । ଚାଷୀ ସଂପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ ।’ ଗତବର୍ଷ ଡିସେମ୍ବରରେ ବିଭିନ୍ନ ଗ୍ରାମର ଚାଷୀମାନଙ୍କୁ ନେଇ ସେ ସୋସିଆଲ ମିଡିଆ କର୍ମଶାଳା ଆୟୋଜନ କରିଥିଲେ । ଏଥିରେ ସେ ଚାଷୀମାନଙ୍କୁ ମୋବାଇଲ ଫୋନ୍କୁ ଉପଯୋଗ କରି ପରସ୍ପର ଜ୍ଞାନ ବିତରଣ କରିବାର ତରିକା ଶିଖାଇଥିଲେ । ଚଳିତ ଡିସେମ୍ବରରେ ସେ ପୁଣି ସେଭଳି ଏକ କର୍ମଶାଳାର ଯୋଜନା କରୁଛନ୍ତି ।

ଇଣ୍ଟରନେଟ୍ ବ୍ୟବହାର କରି ସେ ବିଶ୍ୱର ବଡ଼ ବଡ଼ କୃଷି ବିଦ୍ୱାନ ମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଠାରୁ ଶିକ୍ଷା କରୁଛନ୍ତି । ଭାରତ ଭିନ୍ନ ଆମେରିକା ଓ ଅଷ୍ଟ୍ରେଲିଆରୁ ଗବେଷକମାନେ ତାଙ୍କ ଗାଁ ପରିଦର୍ଶନରେ ଆସିଛନ୍ତି । ଗିରୀନ୍ଦ୍ର କହନ୍ତି, ବିଗତ ଦୁଇ ବର୍ଷରେ ଶହେରୁ ଅଧିକ ପରିଦର୍ଶକ ବିଶ୍ୱର ବିଭିନ୍ନ କୋଣରୁ ତାଙ୍କ ଗାଁ ଚଙ୍କାକୁ ଆସିଛନ୍ତି ।

ଗିରୀନ୍ଦ୍ର କହନ୍ତି, ‘ଆମେ ଏହି ପରିଦର୍ଶକମାନଙ୍କୁ ଆମ ଘର ଲୋକ ଭଳି ସ୍ବାଗତ କରିଥାଉ । ସେମାନେ ଆମ ସହ ରହି ଆମ ସ୍ଥାନୀୟ ଖାଦ୍ୟ ଖାଆନ୍ତି । ସେମାନେ ଆମ ଗାଁ ବୁଲନ୍ତି, କୃଷି ବୈଷୟିକ ଜ୍ଞାନ ସମେତ ଆମ ଜୀବନଧାରଣ କୌଶଳ ଓ ସଂସ୍କୃତି ଆହରଣ କରନ୍ତି । ସେମାନେ ଗ୍ରାମ୍ୟ ପରିବେଶ ଓ ଲୋକଙ୍କ ଫଟୋ ଉଠାଇବାକୁ ବି ପସନ୍ଦ କରନ୍ତି ।’

ମୂଳ ଲେଖା - ସୌରଭ ରାୟ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା