ଏଞ୍ଜେଲ ଇନଭେଷ୍ଟର ଓ ଭେଞ୍ଜର କ୍ୟାପିଟାଲିଷ୍ଟ - ଭାଗ ୧

0

ଦିନଥିଲା,ଯଦି ଆପଣ ବ୍ୟବସାୟିକ ପରିବାରରେ ଜନ୍ମ ହୋଇନଥିବେ, ଏକ ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ନିଜର ଅର୍ଥ ବା ପୁଞ୍ଜିଖଟାଇବା ଛଡା ଅନ୍ୟ କିଛି ବାଟ ନଥିଲା। ଯଦି ଜଣକ ପାଖରେ ପୁଞ୍ଜି ନଥିଲା, ସେ ବ୍ୟବସାୟ ଆରମ୍ଭ କରିପାରୁନଥିଲା। ଅନେକ ଲୋକଙ୍କ ପାଖରେ ଚମତ୍କାର ଆଇଡିଆ ଥିଲା ଓ ସେମାନେ କଠିନ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ଥିଲେ, ତା' ସତ୍ତ୍ୱେ ସେମାନେ ପଛଘୁଞ୍ଚା ଦେଉଥିଲେ, କାରଣ ସେମାନଙ୍କ ପାଖରେ ପ୍ରାରମ୍ଭିକ ପୁଞ୍ଜି ବା ସିଡ୍ ମନି ନ ଥିଲା। ଅବଶ୍ୟ କେତେକ ଲୋକ ନିଜସ୍ଵ ସଞ୍ଚୟ ଓ ବନ୍ଧୁବାନ୍ଧବଙ୍କଠାରୁ ଅର୍ଥ କରଜ ଆଣି ବ୍ୟବସାୟ ଆରମ୍ଭ କରନ୍ତି, କିନ୍ତୁ ଏସବୁ ବ୍ୟବସାୟ ଗୁଡିକ ପ୍ରାୟତଃ ଛୋଟ ହିଁ ରହିଯାଏ। ଏମାନଙ୍କ ମଧ୍ୟରୁ ମୁଷ୍ଟିମେୟ ହିଁ ବଡ଼ ହୋଇପାରିଛନ୍ତି। ବ୍ୟାଙ୍କମାନେ କେବଳ ପ୍ରତିଷ୍ଠିତ ବ୍ୟବସାୟୀମାନଙ୍କୁ ସେମାନଙ୍କ ସ୍ଵଳ୍ପ ବା ଦୀର୍ଘ ମିଆଦୀ ଅର୍ଥ ଆବଶ୍ୟକତା ମେଣ୍ଟାଇବା ପାଇଁ ଋଣ ଦେଇଥାନ୍ତି, କିନ୍ତୁ ବ୍ୟବସାୟ ଆରମ୍ଭ କରିବାକୁ କୌଣସି ବ୍ୟାଙ୍କ ଋଣ ଦେଇନଥାଏ। ପ୍ରାରମ୍ଭରେ, ବ୍ୟବସାୟିକ ଯୋଜନା ବା ଆଇଡିଆଟି ଯେତେ ଚମତ୍କାର ହୋଇଥାଉ ବା ଶିଳ୍ପଦ୍ୟୋଗୀଟି ଯେତେ ଭଲ ହୋଇଥାଉ,ତା ମୁଖ୍ୟତଃ ଏକ ଅଣପରୀକ୍ଷିତ ସାମଗ୍ରୀ ହୋଇଥାଏ। ଏଦୃଷ୍ଟିରୁ ଏକ ଷ୍ଟାର୍ଟ-ଅପକୁ ଋଣ ଦେବା ବିପଦ ବୋଲି ବିବେଚନା କରାଯାଏ। ଗୋଟିଏ କାରଣ ହେଉଛି-ଷ୍ଟାର୍ଟ ଅପ କମ୍ପାନୀମାନଙ୍କ ମଧ୍ୟରେ ଅଳ୍ପ କେତୋଟି ହିଁ ସଫଳ ହୋଇଥାଏ ଓ ବାକିସବୁ ବିଫଳ ହୋଇଥାନ୍ତି। ଏବଂ ଜଣେ ବିଫଳ ହେଲେ, ତାହାର ଋଣ ପରିଶୋଧ କରିବାର କ୍ଷମତା ରହେନାହିଁ। ଏହି ପରିସ୍ଥିତିରେ ଏଞ୍ଜେଲ ଇନଭେଷ୍ଟରମାନେ ହିଁ କାମରେ ଆସନ୍ତି।

ଏଞ୍ଜେଲ ଇନଭେଷ୍ଟର ସେହିମାନଙ୍କୁ କୁହାଯାଏ, ଯେଉଁମାନଙ୍କର ଦିନେ ଏକ ପ୍ରତିଷ୍ଠିତ ବ୍ୟବସାୟ ଥିଲା, ସେଥିରୁ ବେଶ୍ କିଛି ଅର୍ଥ କମେଇଲେ ଓ ଏବେ ନିଜ ଧନର କିଛି ଅଂଶ ଏକ ନୂଆ ବ୍ୟବସାୟରେ ଲଗାଇବାକୁ ଚାହାନ୍ତି, ଯାହା ପାଖରେ ଏକ ଚମତ୍କାର ପରିକଳ୍ପନା ବା ଆଇଡିଆ ରହିଛି। ଏହି ଅର୍ଥ ଉକ୍ତ ବ୍ୟବସାୟର ଏକ କ୍ଷୁଦ୍ର ଅଂଶ ହୋଇଥାଏ। ଆଞ୍ଜେଲ ଇନଭେଷ୍ଟମେଣ୍ଟ ଗୋଟିଏ ବ୍ୟବସାୟର ଆରମ୍ଭରେ ଅଫିସ ଘର ଭଡା ନେବା, କିଛି କର୍ମଚାରୀଙ୍କୁ ନିଯୁକ୍ତ କରିବା,ନିଜ ବ୍ୟବସାୟିକ ପରିକଳ୍ପନାର ପ୍ରମାଣ ସ୍ଵରୂପ ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିବା ଓ ସଂସ୍ଥାର ପ୍ରଥମ ଗ୍ରାହକମାନଙ୍କୁ ପାଇବାରେ ଉଦ୍ୟୋଗୀକୁ ସାହାଯ୍ୟ କରିଥାଏ। ତେବେ ଏହାକୁ ଏଞ୍ଜେଲ କାହିଁକି କୁହାଯାଏ? କାରଣ ସେମାନେ ଅନେକ ପ୍ରଶ୍ନ ନ ପଚାରି ହିଁ ସାହାଯ୍ୟ କରିବାକୁ ଆଗଭର ହୋଇଥାନ୍ତି, କାରଣ ସେମାନେ ଅମୁକ ଗ୍ୟାରେଣ୍ଟି ବା ସମୁକ ଭରସା ମାଗନ୍ତି ନାହିଁ। ତେବେ ନୂଆ ଉଦ୍ୟୋଗୀଟି ଯେଉଁ କ୍ଷେତ୍ରରେ କାମ କରିବାକୁ ଯାଉଛି ତାହା ଉପରେ ସେମାନଙ୍କର ଯଥେଷ୍ଟ ଜ୍ଞାନ ଥାଏ। ଫଳରେ ସେମାନେ ନୂଆ ଉଦ୍ୟୋଗୀଟିକୁ ବ୍ୟବସାୟ ଜଗତ ସହ ଜଡିତ ଥିବା ନିଜର ଚିହ୍ନା ପରିଚିତ ଲୋକମାନଙ୍କ ମାଧ୍ୟମରେ ସାହାଯ୍ୟ କରନ୍ତି। କିନ୍ତୁ ମନେରଖ ସେମାନେ ତୁମକୁ ବ୍ୟବସାୟ ଆରମ୍ଭ କରିବା ପାଇଁ କୋଟି କୋଟି ଟଙ୍କା ଦେଇପାରିବେ ନାହିଁ। ତୁମେ କେଉଁ ଆଞ୍ଜେଲ ଇନଭେଷ୍ଟର ସହିତ କଥାବାର୍ତ୍ତା କରୁଛ କିମ୍ବା ତୁମର ଆଇଡିଆଟି କେତେ ଅଭିନବ ତାହା ଅନୁସାରେ ତୁମେ ସେମାନଙ୍କଠାରୁ କିଛି ଲକ୍ଷ ଟଙ୍କାମାତ୍ର ଯୋଗାଡ଼ କରିପାରିବ।

ନବେ ଦଶକର କଥା ଆମେରିକାର ଷ୍ଟାନଫୋର୍ଡ ବିଶ୍ଵବିଦ୍ୟାଳୟରେ ଲେରୀ ପେଜ୍ ଓ ସର୍ଗେ ବ୍ରିନ ନାମକ ଦୁଇ ଜଣ ତରୁଣଙ୍କ ମଧ୍ୟରେ ଦେଖାସାକ୍ଷାତ ହୁଏ। ସେତେବେଳେ ଉଭୟଙ୍କ ବୟସ ଏଇ ମାତ୍ର କୋଡିଏ ବାଇଶି ବର୍ଷ ହେବ, କିନ୍ତୁ ଆଖରେ ଆଖିଏ ସ୍ଵପ୍ନ ଓ ଏହି ସ୍ଵପ୍ନ ହିଁ ଦୁହିଁଙ୍କୁ ଏକାଠି କଲା। ଇଣ୍ଟରନେଟ୍ ସର୍ଚ୍ଚ ଇଂଜିନ ଉପରେ ଉଭୟଙ୍କର ଆଗ୍ରହ ଥିଲା ଓ ଏଦିଗରେ କିଛି କରିବାକୁ ଉଭୟେ ସ୍ଵପ୍ନ ଦେଖୁଥିଲେ। ଦୁଇଜଣଯାକ ମିଶି ବାକ୍ରବ୍ ନାମକ ଏକ ସର୍ଚ୍ଚ ଇଂଜିନ ପ୍ରସ୍ତୁତ କଲେ। ଦିନେ ତାଙ୍କ ପ୍ରଫେସର ସେମାନଙ୍କୁ ଭାରତୀୟ ବଂଶୋଦ୍ଭବ ନିବେଶକ ରାମ୍ ଶ୍ରୀରାମଙ୍କ ସହ ପରିଚୟ କରାଇଦେଲେ। ରାମ ଶ୍ରୀରାମ ନେଟସ୍କେପ୍ ଓ ଆମାଜନ ଆଦି କମ୍ପାନୀ ମାଧ୍ୟମରେ ବିପୁଳ ଅର୍ଥ ଉପାର୍ଜନ କରିଥିଲେ। ସେ ଏସବୁ କମ୍ପାନୀରେ ନିଜ କ୍ୟାରିୟରର ପ୍ରାରମ୍ଭରେ କାର୍ଯ୍ୟ କରିଥିଲେ। ବିପୁଳ ଅର୍ଥର ଅଧିକାରୀ ହେବା ସହ ସେ ଟେକ୍ନୋଲୋଜୀ କମ୍ପାନି ଗୁଡିକରେ ଏକ ଏଞ୍ଜେଲ ଇନଭେଷ୍ଟର ହୋଇଗଲେ। ଯେତେବେଳେ ସର୍ଗେ ଓ ଲେରୀ ନିଜର ଆଇଡିଆ ସମ୍ପର୍କରେ ବୁଝାଇଲେ,ତାହାକୁ ରାମ ଶ୍ରୀରାମ ଭଲଭାବେ ବୁଝିପାରିଲେ ନାହିଁ। ତାହା ସତ୍ତ୍ୱେ ସେ ସେ ଦୁହିଁଙ୍କର ଉତ୍ସାହ,ଆତ୍ମବିଶ୍ଵାସ ଦ୍ଵାରା ପ୍ରଭାବିତ ହୋଇଗଲେ। ଏହା ସହିତ ପ୍ରଫେସରଙ୍କ ସୁପାରିଶ ଯୋଗେ ସଫଳ ହୋଇଯିବ, ରିସ୍କ ନିଆଯାଉ ଭାବନାର ବଶବର୍ତ୍ତୀ ହୋଇ ସେ 5 ଲକ୍ଷ ଟଙ୍କାର ଏକ ଚେକ୍ ଲେଖିଦେଲେ। ତୁମେ ବିଶ୍ଵାସ କର ବା ନକର ସେତେବେଳେ ସେହି ଚେକଟିକୁ ଜମା କରିବା ପାଇଁ ଉଭୟଙ୍କର ବ୍ୟାଙ୍କ ଖାତା ମଧ୍ୟ ନଥିଲା? ତେବେ ତା'ପରେ ଯାହା ଘଟିଲା ତାହା ଆଜି ଇତିହାସ ପାଲଟିଯାଇଛି।

ଯେତେବେଳେ ଗୁଗୁଲ୍ ସ୍ଥାପନ ହେଲା, ରାମ ଶ୍ରୀରାମ ତାହାର ବୋର୍ଡରେ ସଦସ୍ୟ ଥିଲେ। ଆଜି ଗୋଟିଏ ଦଶନ୍ଧି ପରେ ମଧ୍ୟ ସେ ସେଠାରେ ରହିଛନ୍ତି। ସମୟକ୍ରମେ ଗୁଗୁଲ୍ ପବ୍ଲିକ ଅଫର ଇସୁ କଲା ଓ ଏହାର ଷ୍ଟକ ତାଲିକାଭୁକ୍ତ ହେଲା ଓ ରାମ ଶ୍ରୀରାମ ବିଶ୍ଵର ଜଣେ ଧନୀ ବ୍ୟକ୍ତିରେ ପରିଣତ ହେଲେ। ଆର୍ଥିକ ଜଗତର ଲୋକମାନଙ୍କ ଭାଷାରେ ଆଞ୍ଜେଲ ଇନଭେଷ୍ଟର ବା ପ୍ରାରମ୍ଭିକ ପର୍ଯ୍ୟାୟର ନିବେଶକ, ଗ୍ରାଉଣ୍ଡ ଫ୍ଲୋର ସ୍ତରରୁ ଆସିଥାନ୍ତି। ସେମାନେ ପ୍ରତିଭା ଖୋଜୁଥାଆନ୍ତି। ଏପରି ଲୋକମାନଙ୍କ ଉପରେ ତାଙ୍କର ନଜର ଥାଏ ଯେଉଁମାନଙ୍କ ପାଖରେ ସର୍ବୋତ୍ତମ ପରିକଳ୍ପନା (ଆଇଡିଆ) ଥାଏ ଓ କଠିନ ପରିଶ୍ରମ ମାଧ୍ୟମରେ ସେହି ପରିକଳ୍ପନାକୁ ସାକାର ରୂପ ଦେବାପାଇଁ ସେମାନଙ୍କ ପାଖରେ କ୍ଷମତା ଥାଏ।

ରାମ ଶ୍ରୀରାମ
ରାମ ଶ୍ରୀରାମ

ରାମ ଶ୍ରୀରାମ ଓ ଅନ୍ୟ ଜଣେ ଏଞ୍ଜେଲ ଇନଭେଷ୍ଟର , ସନ ମାଇକ୍ରୋସିଷ୍ଟମ୍ସର ପ୍ରତିଷ୍ଠାତା ଆଣ୍ଡି ବେସଟୋଲସେମଙ୍କ ପ୍ରଦତ୍ତ ପୁଞ୍ଜି ମାଧ୍ୟମରେ ସର୍ଗେ ଓ ଲେରୀ ନିଜର ପ୍ରଥମ ଅଫିସ୍ ଖୋଲିଲେ,ପ୍ରଥମ କେତେଜଣ କର୍ମଚାରୀ ନିଯୁକ୍ତ କଲେ ଓ ଦ୍ରୁତ ଗତିରେ କମ୍ପାନୀ ଆଗେଇଚାଲିଲା। ଯେତେବେଳେ ଗୁଗୁଲ୍ ପରି ଏକ କମ୍ପାନୀ ନିଜର ଗତି ଧରିବା ଆରମ୍ଭ କରେ ତାହାର ପ୍ରଡକ୍ଟକୁ ଅଧିକ ଉନ୍ନତ ଓ ବୈଶିଷ୍ଟ୍ୟସଂପନ୍ନ ବା ଫିଚରରିଚ୍ କରିବାକୁ ହେଲେ ଆହୁରି ଅଧିକ ପୁଞ୍ଜି ଆବଶ୍ୟକ ପଡିଥାଏ। ବୃହତ ସଫଳତା ପାଇଁ ଏହାକୁ ସେଲ୍ସ ଅଫିସ ଖୋଲିବା ତଥା ବ୍ରାଣ୍ଡ ବିଲଡିଂରେ ନିବେଶ କରିବାର ଆବଶ୍ୟକତା ଥିଲା। ଏହି ସମୟ ଅର୍ଥାତ ଯେତେବେଳେ ଛିଡା ହୋଇଥିବା ଗୋଟିଏ କମ୍ପାନୀକୁ ଆହୁରି ଉପରକୁ ଉଠାଇବାକୁ ହୁଏ, ଭେଞ୍ଚର କ୍ୟାପିଟାଲିଷ୍ଟ ବା ଭିସିଙ୍କୁ ଖୋଜା ପଡେ। 

ଦ୍ଵିତୀୟ ଭାଗ ପଢନ୍ତୁ