ଶାଳିନୀଙ୍କ ସ୍ୱପ୍ନ : ସିଢି ଚଢିବା ଭଳି ‘ୱାକର’ କଲେ ଉଦ୍ଭାବନ

ଶାଳିନୀଙ୍କ ସ୍ୱପ୍ନ : ସିଢି ଚଢିବା ଭଳି ‘ୱାକର’ କଲେ ଉଦ୍ଭାବନ

Thursday December 31, 2015,

3 min Read

ସିଢି ଚଢିବା ପାଇଁ ସହାୟକ ୱାକର

• ପ୍ରାୟ ଅଢେଇ ହଜାର ଟଙ୍କାରେ ମିଳୁଛି ୱାକର

• ହାଲକା ଓ ବ୍ୟବହାର ପାଇଁ ସୁବିଧା

ଗୋଟିଏ ଝିଅ ମନରେ ଆସିଥିଲା ଏକ ଅଭିନବ ପରିକଳ୍ପନା(ଆଇଡିଆ) ଓ ଏବେ ସେହି ଆଇଡିଆ ଯୋଗୁଁ ଖୁବଶୀଘ୍ର ଲକ୍ଷଲକ୍ଷ ଲୋକଙ୍କୁ ମିଳିବ ଫାଇଦା, ଯେଉଁମାନେ ପ୍ରତିଦିନ ଚାଲିବା ପାଇଁ ୱାକର୍ ବ୍ୟବହାର କରିଥାନ୍ତି| ବିହାର ରାଜଧାନୀ ପାଟନାରେ ରହୁଥିବା ଶାଳିନୀ କୁମାରୀ ଏମିତି ଏକ ୱାକର ଡିଜାଇନ୍ କରିଛନ୍ତି, ଯାହାର ଆଗରେ ଥିବା ଦୁଇ ଗୋଡକୁ ଛୋଟ ବଡ କରାଯାଇପାରିବ | ଆଡଜଷ୍ଟ କରିହେଉଥିବା ଏହି ୱାକର ଯୋଗୁଁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ସହଜରେ ଏପଟ ସେପଟ ଯିବା ଆସିବା କରିପାରନ୍ତି | ଏଭଳିକି ଏହା ସାହାଯ୍ୟରେ ସିଢି ମଧ୍ୟ ଚଢିହୁଏ | ଏହି ଆଇଡିଆ ପାଇଁ ଶାଳିନୀଙ୍କୁ ଅନେକ ପୁରସ୍କାର ମିଳିସାରିଲାଣି | ଆଶା କରାଯାଉଛି ୨୦୧୬ ପ୍ରଥମ ଭାଗରେ ଏହି ୱାକର ସହଜରେ ବଜାରରେ ଉପଲବ୍ଧ ହେବ |

image


ଶାଳିନୀ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମ ହୋଇଥିଲେ | ତେବେ ଏବେ ସେ ଡାକ୍ତରୀ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି | ୟୌର ଷ୍ଟୋରୀକୁ ସେ କହନ୍ତି,

“ମୋତେ ୱାକର ତିଆରି କରିବାର ଆଇଡିଆ ମୋର ଜେଜେ ବାପାଙ୍କୁ ଦେଖିବା ପରେ ଆସିଲା | ମୁଁ ଦେଖିଲି ସେ ତାଙ୍କ ୱାକର ଧରି ଚାଲିବା ବେଳେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି | ୱାକର ସାହାଯ୍ୟରେ ସେ ସିଡି ଚଢି ପାରନ୍ତି ନାହିଁ | ଯଦି ପଛକୁ ବୁଲିବାକୁ ଥିବ ତ ତାଙ୍କୁ କଷ୍ଟ ହେଉଥିଲା | ଏମିତି ଏହି ୱାକରରେ ମୁଁ ଅନେକ ସମସ୍ୟା ଦେଖିଥିଲି ଓ ବୁଝିଥିଲି |”
image


ଏହା ପରେ ସେ ଭାବିଲେ ଏହି ୱାକରରେ କିଛି ସାମାନ୍ୟ ପରିବର୍ତ୍ତନ କରାଗଲେ ଏଥିରେ ଥିବା ସମସ୍ୟା ସମାଧାନ ହୋଇପାରିବ | ସେ ଏହାର ଡିଜାଇନ୍ ଉପରେ କାମ ଆରମ୍ଭ କରିଦେଲେ |

ଶାଳିନୀ ଗୋଟିଏ ପରେ ଗୋଟିଏ ଡିଜାଇନ୍ ତିଆରି କଲେ | କିନ୍ତୁ ଅଧିକାଂଶରେ କିଛି ନା କିଛି ଅଭାବ ରହିଯାଉଥିଲା | ଅଷ୍ଟମ କ୍ଲାସରେ ପଢିବା ବେଳଠାରୁ ସେ ଏହି ୱାକର ଡିଜାଇନ୍ କାମ ଆରମ୍ଭ କରିଥିଲେ | ଶେଷରେ ବହୁ ଉଦ୍ୟମ ପରେ ତାଙ୍କ ମୁଣ୍ଡରେ କ୍ୟାମେରା ଟ୍ରାଇପଡ୍ ଡିଜାଇନ୍ କଥା ମନକୁ ଆସିଲା | ଯାହାକୁ ଧ୍ୟାନରେ ରଖି ସେ ନୂଆ ଡିଜାଇନ୍ ତିଆରି କଲେ | ଯେଉଁଥିରେ ତାର ଗୋଡକୁ ଛୋଟ ବଡ କରାଯାଇପାରିବ | ଏହା ବ୍ୟତୀତ ସେ ୱାକରରେ ଅନ୍ୟ କିଛି ସୁବିଧା ମଧ୍ୟ ରଖିଲେ | ଯେମିତିକି ଘଣ୍ଟାର ବ୍ୟବସ୍ଥା, ପାଣି ବୋତଲ ରଖିବା ବ୍ୟବସ୍ଥା ଆଦି |

image


ଏହି ପ୍ରକଳ୍ପକୁ ସେ ଗୁଜରାଟର ଅହମ୍ମଦାବାଦରେ ଥିବା ନେସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ସମ୍ମୁଖରେ ରଖିଲେ | ସେ ତିଆରି କରିଥିବା ଡିଜାଇନ୍ ଉପରେ ଆହୁରି କାମ ହେଲା | ୱାକରରେ କିଛି ପରିବର୍ତ୍ତନ କରାଯାଇ ଏକ ନୂଆ ୱାକର ତିଆରି ହେଲାପରେ ଶାଳିନୀକୁ ସେଠାକୁ ଡକାଗଲା | ଏହି ଡିଜାଇନ୍‌କୁ ନେଇ କାମ ଶେଷ ହୋଇଛି | କେବଳ ସେତିକି ନୁହେଁ ନାଗପୁରର ଏକ କମ୍ପାନୀ ଏହି ପ୍ରୋଜେକ୍ଟକୁ କିଣି ନେଇଛି | ବହୁ ସଂଖ୍ୟାରେ ୱାକର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଗଲାଣି | ଶାଳିନୀ କହିଛନ୍ତି, ଏହି ୱାକର ଖୁବ ଶୀଘ୍ର ବଜାରକୁ ଆସିବ ଓ ପ୍ରାୟ ଅଢେଇ ହଜାର ଟଙ୍କାରେ ଏହା ବିକ୍ରି କରାଯିବ |

image


ଏହି ୱାକର ତିଆରି କରିବାରେ ଆଲୁମିନିୟମ୍ ବ୍ୟବହାର ହୋଇଛି | କାରଣ ଏହା ୱାକରକୁ ହାଲକା କରିବା ସହ ଆରାମଦାୟକ କରିଥାଏ | ଏହା ଜରିଆରେ ବ୍ୟକ୍ତିଟିଏ ବାମ ଡାହାଣ ଯେ କୌଣସି ଦିଗରେ ଯିବା ଆସିବା କରିପାରିବ | ଏହା ଦ୍ୱାରା ସହଜରେ ପାହାଚରେ ବି ଚଢିହେବ ଏବଂ ଓହ୍ଲାଇହେବ | ଯାହା ବଜାରରେ ମିଳୁଥିବା ୱାକରରେ ହୁଏ ନାହିଁ | ଶାଳିନୀଙ୍କ ଏହି ଉଦ୍ଭା ବନ ପାଇଁ ତାଙ୍କୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା ଓ ସମ୍ମାନ ମିଳିଛି | ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କଲାମ ତାଙ୍କୁ ସମ୍ମାନିତ କରିଥିଲେ | ଏହି ବର୍ଷ ତାଙ୍କୁ ଷ୍ଟୁଡେଣ୍ଟ କାଉନସିଲ୍ ଆୱାର୍ଡ ମିଳିସାରିଛି | ଦକ୍ଷିଣ କୋରିଆର ଏକ ସଂଗଠନ ତାଙ୍କର ଏହି କାମ ଯୋଗୁଁ ଶାଳିନୀଙ୍କୁ ବିଜିନେସ୍ ମଡେଲ୍ ଆୱାର୍ଡ ପ୍ରଦାନ କରିଛି | ଏବେ ଶାଳିନୀଙ୍କ ପ୍ରୟାସ ହେଉଛି ଏହି ୱାକର କିଭଳି ଏହାକୁ ଦରକାର କରୁଥିବା ଲୋକଙ୍କ ପାଖରେ ପହଁଚିବ ଓ ସେମାନେ ଅଳ୍ପ କଷ୍ଟରେ ଏହା ସାହାଯ୍ୟରେ ଚଲାବୁଲା କରିପାରିବେ |

image


ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ