ବେଙ୍ଗାଲୁରୁ ରୁ ଚେନ୍ନାଇ ମାତ୍ର ୩୦ ମିନିଟରେ !! ଏଲୋନ ମସ୍କଙ୍କର Hyperloop ଶୀଘ୍ର ଆମ ଦେଶକୁ ଆସୁଛି

0

ବୈଷୟିକ ଦୁନିଆ ଓ ବ୍ୟବସାୟର କ୍ଷେତ୍ରରେ ଏଲୋନ ମସ୍କଙ୍କୁ କୌଣସି ଉପକ୍ରମଣିକାର ଆବଶ୍ୟକତା ନାହିଁ। SpaceX, PayPal, Tesla Motors ଓ ଅନ୍ଯାନ୍ଯ ଅଗ୍ରଣୀ କମ୍ପାନୀର ପ୍ରତିଷ୍ଠାତା ଓ ଚେୟାରମ୍ଯାନ ଅତୀତରେ ନିଜର ସବୁଠାରୁ ଚମତ୍କାରୀ କମ୍ପାନୀ Hyperloop One ଆରମ୍ଭ କରିଥିଲେ। ଏହି ଓପନ ସୋର୍ସ ପ୍ରୋଜେକ୍ଟ ଖୁବଶୀଘ୍ର ଭାରତରେ ପ୍ରବେଶ କରିବାକୁ ଯାଉଛି। Hyperloop କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟକୁ ଏହି ବିଷୟରେ ପ୍ରସ୍ତାବ ଦେଇସାରିଛି।

Source: The Next Web
Source: The Next Web

Hyperloop ଯୋଗେ ଲୋକେ ବିଶେଷ ଭାବେ ଡିଜାଇନ ହେଇଥିବା ଟ୍ରାଭେଲ ପଡ୍ ଦ୍ଵାରା ଯାତ୍ରା କରିପାରିବେ। ଏହି ପଡ୍ ଗୁଡ଼ିକ କଂକ୍ରିଟ ପିଲାର ଉପରେ ନିର୍ମିତ ସୁଡଙ୍ଗ ମଧ୍ୟ ଦେଇ ଯିବ ଏବଂ ଏହାର ଘଣ୍ଟା ପ୍ରତି ବେଗ ହେବ ୧୨୦୦ କିଲୋମିଟର। ଏହି ସୁଡଙ୍ଗ ମଧ୍ୟରେ ଥିବା ଭ୍ୟାକୁମ ଏହାର ଗତିକୁ ଆହୁରି ଅଧିକ ଦ୍ରୁତ କରିଥାଏ। ଟିଉବ ଗୁଡ଼ିକରେ ସୋଲାର ପ୍ୟାନେଲ ଓ ପବନଚକି ଥାଏ ଯାହା ଯୋଗୁଁ ଏହାର ପରିଚାଳନା ଖର୍ଚ୍ଚ ଅନେକ ମାତ୍ରାରେ ବଞ୍ଚିଥାଏ।

ବର୍ତ୍ତମାନ Hyperloopର ପ୍ରସ୍ତାବରେ ଚେନ୍ନାଇ ଓ ବେଙ୍ଗାଲୁରୁ, ଚେନ୍ନାଇ ଓ ମୁମ୍ବାଇ, ବେଙ୍ଗାଲୁରୁ ଓ ତ୍ରିଭେନ୍ଦ୍ରମ ଓ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଏହି ଟ୍ରାଭେଲ ଆରମ୍ଭ କରିବାର ପରିକଳ୍ପନା ଅଛି। Hyperloop ଏ ସମ୍ବନ୍ଧରେ ଏକ ଟୁଇଟ ମଧ୍ୟ କରିଥିଲା।

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ଏକ ରେଳ ଲାଇନ ଦୁବାଇ ରୁ ଅବୁଧାବି ମଧ୍ୟରେ ମଧ୍ୟ ଚାଲିବ। ଏହା ଯୋଗୁଁ ଯେଉଁଠି ଦୁବାଇ ଠାରୁ ଅବୁଧାବୀ ଯିବାକୁ ୯୦ ମିନିଟ ସମୟ ଲାଗେ ତାହା ହେଇଯିବ ମାତ୍ର ୧୨ ମିନିଟ। କିନ୍ତୁ ଭାରତୀୟ ଇଞ୍ଜିନିୟର ମାନେ ଏଇ ପ୍ରସ୍ତାବ ନେଇ ଏତେ ଖୁସି ନାହାନ୍ତି। ଭାରତୀୟ ରେଳର ଜଣେ ବରୀଷ୍ଠ ଅଧିକାରୀ India Timesକୁ କହିଛନ୍ତି,

ଦ୍ରୁତଗାମୀ ଯାତାୟାତ ଯଦିଓ ଭଲ କିନ୍ତୁ ଏପ୍ରକାରର ପ୍ରୋଜେକ୍ଟ ଆରମ୍ଭ ହେଇ କାମ କରିବାକୁ ଆମ ଦେଶରେ ପ୍ରାୟ ଏକ ଦଶନ୍ଧି ଲାଗିଯାଇପାରେ। ଏହାର ନାନା କାରଣ ରହିଛି। ସରକାରୀ ଅନୁମୋଦନ ପାଇବା ପାଇଁ ଲାଗୁଥିବା ଲମ୍ବା ସମୟ ତା’ ମଧ୍ୟରେ ଅନ୍ୟତମ। ଟିକେଟର ଦାମ ଧାର୍ଯ୍ୟ କରିବା ବହୁତ କଷ୍ଟକର ହେବ କାରଣ ସରକାର ଟିକେଟ ଦାମ କମ ରଖିବାକୁ ଚାହାଁନ୍ତି। କିନ୍ତୁ ବର୍ତ୍ତମାନ ନିର୍ମାଣ ଖର୍ଚ୍ଚ୍କୁ ଆଖିରେ ରଖିଲେ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଟିକେଟର ଦାମ ୬୦୦୦ ଟଙ୍କା ହେବା କଥା। କିନ୍ତୁ ଯେଉଁ ମୂହୁର୍ତ୍ତରେ ଏପରି ଦାମ ଆଗରେ ରଖାଯିବ, ସରକାର ଏପରି ପ୍ରୋଜେକ୍ଟରୁ ତାଙ୍କର ଆଗ୍ରହ ହରାଇବସିବେ।

ବେଙ୍ଗାଲୁରୁ ଠାରୁ ଚେନ୍ନାଇକୁ ବିମାନ ଟିକେଟ ପ୍ରାୟତଃ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ଅଛି। କିନ୍ତୁ Hyperloopର ଟିକେଟ ପ୍ରାୟ ୬୦୦୦ ଟଙ୍କା ରହିବ। ଯଦିଓ ସମସ୍ତ ଖର୍ଚ୍ଚକୁ ଦେଖି ଏହି ମୂଲ୍ୟ ନିରୂପଣ ସଠିକ କିନ୍ତୁ ସରକାର ତାକୁ କମାଇବାକୁ ଚାହିଁବେ। ଅତୀତରେ କେରଳ ଠାରେ ହେବାକୁ ଥିବା ଏକ ଦ୍ରୁତଗାମୀ ଟ୍ରେନ ଲାଇନ ନିର୍ମାଣ ସମୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେଇଥିଲା।

ଯଦିଓ ଏପରି ପ୍ରୋଜେକ୍ଟ ଖୁବ ଆକର୍ଷଣୀୟ ନଜର ଆସୁଛି କିନ୍ତୁ ଏଠାରେ ଗୋଟିଏ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତାହା ହେଲା ଆବୁଧାବିରେ ପ୍ରଚୁର ଟାଙ୍ଗରା ଓ ଖାଲି ଜମି ରହିଛି, ଯେତେବେଳେ କି ଭାରତରେ ଏହି ପ୍ରୋଜେକ୍ଟ ପାଇଁ ବିପୁଳ ପରିମାଣରେ ଜମି ଦରକାର ହେବ। ଏପରି ଏକ ପ୍ରୋଜେକ୍ଟ ପ୍ରସ୍ତାବ ସ୍ତରରୁ ବାସ୍ତବ ହେବା ପାଇଁ ପାଞ୍ଚ ବର୍ଷରୁ ଢେର ଅଧିକ ସମୟ ଏବଂ ପ୍ରଚୁର ଅର୍ଥ ଆବଶ୍ୟକ ହେବ। ଯଦିଓ ଆଧୁନିକ ଭାରତର ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ Hyperloop ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ସାଧାରଣ ଜନତାର ହାତ ପାହାନ୍ତାରେ ଏପରି କିଛି ଉପଲବ୍ଧ ହେବା ପ୍ରାୟ ଅସମ୍ଭବ ଭଳି ମନେ ହେଉଛି।