ଅନ୍ଧାରୀ ମୁଲକର ମୁକ୍ତିଦାତା : ରେଡ୍ ଲାଇଟ୍ ଅଂଚଳରୁ ଝିଅଙ୍କୁ ମୁକୁଳାଉଥିବା ଜଣେ ସଂଗ୍ରାମୀଙ୍କ କଥା

ଅନ୍ଧାରୀ ମୁଲକର ମୁକ୍ତିଦାତା : ରେଡ୍ ଲାଇଟ୍ ଅଂଚଳରୁ ଝିଅଙ୍କୁ ମୁକୁଳାଉଥିବା ଜଣେ ସଂଗ୍ରାମୀଙ୍କ କଥା

Wednesday December 23, 2015,

5 min Read

ସୁପ୍ରିମ କୋର୍ଟ ଓ ହାଇକୋର୍ଟରେ ୧୧ଟି ଜନସ୍ୱାର୍ଥ ମାମଲା ଦାୟର...

ମାନବ ଚାଲାଣ ସମ୍ପର୍କିତ ଦେଢ ହଜାର କେସ୍‌ ଲଢୁଛନ୍ତି....

କୋର୍ଟରେ ୫୦୦ ଦଲାଲ୍‌ଙ୍କ ବେଲ୍‌ ରୋକିଛନ୍ତି.....

ଯେତିକି ଦ୍ରୁତ ଗତିରେ ସଭ୍ୟତା ଓ ସଂସ୍କୃତିର ବିକାଶ ହେଉଛି, ସେହି ଗତିରେ କିଛି ଭୁଲ୍ କାମ ବି ସମାଜ ପାଇଁ କଳଙ୍କ ହୋଇ ଛିଡାହୋଇଛି। ଯେମିତି ଦେହ ବେପାର ଓ ଏଥିପାଇଁ ଶିଶୁ ଓ କିଶୋରୀମାନଙ୍କୁ ଚାଲାଣ। ଏହି ଘୃଣ୍ୟ କାମକୁ ମୂଳୋତ୍ପାଟନ କରିବା ପାଇଁ ଦେଶରେ ଅନେକ ସଂଗଠନ କାମ କରୁଛନ୍ତି। ସେହିପରି ବାରଣାସୀରେ ଏହି କ୍ଷେତ୍ରରେ ସଫଳତାର ସହ କାମ କରୁଛନ୍ତି ଅଜିତ୍ ସିଂହ। ସ୍ୱେଚ୍ଛାସେବୀ ସଂଗଠନ ‘ଗୁଡିୟା’ ଜରିଆରେ ଅଭିନବ ଢଙ୍ଗରେ କାମ କରୁଛନ୍ତି ଏହି ସାମାଜିକ କର୍ମୀ ଜଣକ । ଆଜି ତାଙ୍କରି ଉଦ୍ୟମ ଯୋଗୁଁ ହିଁ ଦେହ ବେପାର ଭଳି ଘୃଣ୍ୟ ଓ ବେଆଇନ ଧନ୍ଦାରୁ ନାବାଳିକାମାନେ ବଂଚି ଯାଇଛନ୍ତି । ଦେହ ବେପାର ବିରୋଧରେ ସ୍ୱର ଉଠାଉଥିବାରୁ ତାଙ୍କୁ ବହୁତ ଥର ଆକ୍ରମଣ ହୋଇଛି। କିନ୍ତୁ ସେ ସାହସ ହାରି ନାହାନ୍ତି । ମାନବ ଚାଲାଣ ସମ୍ପର୍କୀତ ପ୍ରାୟ ଦେଢ ହଜାର କେସ୍ ସେ ନିଜେ ଲଢୁଛନ୍ତି।

image


ରେଡ୍ ଲାଇଟ୍ ଅଂଚଳରେ ଦେହ ବେପାର କାମ ରୋକିବା ଲାଗି ସେ ସେଠାକାର ବେଆଇନ ଜାଗାଗୁଡିକୁ ପୁଲିସ୍ ଲଗାଇ ଜବତ କରିଛନ୍ତି। ପୁଣି ଦେହ ଦଲାଲ୍ ମାନଙ୍କର ଜାମିନ୍‌ ମଧ୍ୟ କରାଇଦେଉନାହାନ୍ତି । ପୂର୍ବ ଉତ୍ତର ପ୍ରଦେଶର ୧୨ ଜିଲ୍ଲାରେ ଅଜିତ୍‌ ତାଙ୍କ ସଂଗଠନ ଜରିଆରେ କାମ କରୁଛନ୍ତି । ଅଜିତ୍‌ କୁହନ୍ତି, ଦେହ ବେପାରରୁ ମହିଳାମାନଙ୍କୁ ମୁକ୍ତ କରାଇବା ବିଷୟରେ ନା ସେ କୌଣସି ଟ୍ରେନିଂ ନେଇଛନ୍ତି କିମ୍ବା କେଉଁଠି ପଢିଛନ୍ତି । ଥରେ କେବଳ ସାହସ ବାନ୍ଧି ସେ ବାରଣାସୀର ରେଡ୍‌ ଲାଇଟ୍ ଅଂଚଳରେ ପହଁଚିଯାଇଥିଲେ । ‘ୟୋର୍ ଷ୍ଟୋରୀ’କୁ ସେ କୁହନ୍ତି :

“ଜୀବନରେ ମୁଁ ଏମିତି ଯାଗା ପ୍ରଥମେ ଦେଖିଲି ଯେଉଁଠି ଖୋଲାଖୋଲି ଲୋକଙ୍କୁ ନିଲାମ କରାଯାଉଥିଲା | ଆଉ ଏହା କରୁଥିବା ଦଲାଲ୍‌ ମାନଙ୍କୁ କେହି ରୋକିବାକୁ ବି ନଥିଲେ”
image


ଏହା ପରେ ଅଜିତ୍ ସେଠାକୁ ସବୁଦିନ ଗଲେ ଓ ଏକ ଗଛ ତଳେ ସେଠାକାର ଛୋଟ ଛୋଟ ପିଲାଙ୍କୁ ଏକାଠି କରି ଦୈନିକ ଦୁଇ ଘଣ୍ଟା ପଢାଇଲେ । କିନ୍ତୁ ଏହା ସେଠାକାର କିଛି ଅସାମାଜିକ ଲୋକଙ୍କୁ ହଜମ ହେଲା ନାହିଁ । ସେ ବିଭିନ୍ନ ଉପାୟରେ ଅଜିତ୍ ଙ୍କୁ ହଇରାଣ କରିବାକୁ ଲାଗିଲେ । କିନ୍ତୁ ପଛକୁ ହଟିନଥିଲେ ଅଜିତ୍‌ ଓ ସେ ପିଲାଙ୍କୁ ପଢାଇବା ଜାରି ରଖିଥିଲେ । ଏମିତି ସେ ରେଡ୍ ଲାଇଟ୍ ଇଲାକାରେ ପିଲାମାନଙ୍କୁ ୫/୭ ବର୍ଷ ପଢାଇଛନ୍ତି । କିନ୍ତୁ ସେ ଅନୁଭବ କଲେ ଯେ ଯେଉଁ ପିଲାମାନେ ପାଠ ପଢୁଛନ୍ତି, ପରେ ସେମାନେ ରେଡ୍‌ ଲାଇଟ୍‌ ପରିବେଶରେ ହିଁ ଧନ୍ଦି ହେଉଛନ୍ତି । ତେଣୁ କେବଳ ପାଠ ପଢାଇଲେ ପରିବର୍ତ୍ତନ ଆସିବ ନାହିଁ । ସେ ନିଷ୍ପତ୍ତି ନେଲେ ରେଡ୍‌ ଲାଇଟ୍ ଅଂଚଳରେ ଥିବା ଦଲାଲ୍‌, ମାଲିକ ଓ ଦେହ ବେପାରରେ ଲିପ୍ତ ମହିଳାଙ୍କ ସହ ସିଧା ଲଢେଇ କରିବାକୁ ପଡିବ । ଏଥିପାଇଁ ସେ ଆଇନର ଆଶ୍ରୟ ନେଲେ । ଏହି କାମରେ ଯେଉଁଠି ପୁଲିସ୍‌ ନିଷ୍କ୍ରୀୟ ପ୍ରଦର୍ଶନ କଲା, ସେମାନଙ୍କୁ ମଧ୍ୟ ସକ୍ରିୟ କରାଇଲେ । ରେଡ୍‌ ଲାଇଟ୍ ଅଂଚଳକୁ ଆସୁଥିବା ନୂଆ ଝିଅମାନଙ୍କୁ ବଂଚାଇବା ପାଇଁ ଅଜିତ୍ ବନାରସ ହିନ୍ଦୁ ୟୁନିଭରସିଟି ଓ ଅନ୍ୟ କଲେଜ ଛାତ୍ରଛାତ୍ରୀମାନଙ୍କ ସହାୟତା ନେଲେ । ୨୦୦୫ରେ ସେ ଏହିମାନଙ୍କ ସହାୟତାରେ ନେପାଳ ଓ ପଶ୍ଚିମବଙ୍ଗରୁ ଯାଇଥିବା ଏପରି ୫୦ ବାଳିକାଙ୍କୁ ଏହି ଦେହ ଧନ୍ଦାର ଫାସରେ ପଡିବା ଆଗରୁ ମୁକୁଳାଇଛନ୍ତି । ଏପରି ମହିଳାଙ୍କ ଉପରେ ମଧ୍ୟ ନଜର ରଖିବା ଆରମ୍ଭ କଲେ ଯେଉଁମାନେ ନିଜ ଇଛାରେ କିମ୍ବା କେଉଁ ଚାପରେ ନିଜ ଝିଅକୁ ଏ ଧନ୍ଦାରେ ଲଗାଉଥିଲେ ।

image


ଅଜିତ୍ ପୁଣି ବେଶ୍ୟାଳୟ ଚଲାଉଥିବା ମାଲିକ ଓ ଦଲାଲ୍ ଙ୍କ ବିରୋଧରେ କୋର୍ଟରେ ମାମଲା କଲେ । ଫଳରେ ବାରଣାସୀର ବହୁ ବେଶ୍ୟାଳୟକୁ ପୁଲିସ୍ ସିଜ୍ କଲା । ସେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଙ୍କ ଲଢେଇକୁ ନେଇ ଯାଇଛନ୍ତି । ସେଠାରେ ତାଙ୍କର ବିଜୟ ହୋଇଛି । ଏଭଳି କାମ କରାଉଥିବା ଦଲାଲ୍‌ ମାନଙ୍କୁ ବେଲ୍ ଦିଆଯିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୦୦ ଦେହ ଦଲାଲ୍‌ ଙ୍କ ଜାମିନି(ବେଲ୍)କୁ ଖାରିଜ କରିସାରିଲେଣି । ଏହା ବ୍ୟତୀତ ସାକ୍ଷୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ସେ ବିଶେଷ ଧ୍ୟାନ ଦେଇଛନ୍ତି, ଯାହା ଫଳରେ ବାଳିକାମାନେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ନିର୍ଭୟ ଭାବେ ସ୍ୱର ଉଠାଇ ପାରିବେ । ସେ ୧୦୮ଟି ସ୍ଥାନରେ ଏମିତି ଝିଅମାନଙ୍କୁ ଲୁଚାଇଛନ୍ତି, ଯେଉଁମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସାକ୍ଷୀ ଥିଲେ ଓ ସେମାନଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ଥିଲା । ଏହି ଝିଅମାନଙ୍କ ସାକ୍ଷୀ ଯୋଗୁଁ ଅନେକ ଦେହ ଦଲାଲ୍‌ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

ଅଜିତ୍ କହନ୍ତି, “ଆମେ ରାସ୍ତା ଖୋଜୁଥିଲୁ ଏମିତି ଝିଅମାନଙ୍କୁ ବଂଚାଇବା ଲାଗି । ଏଥିପାଇଁ ଅପେକ୍ଷା କରିବାକୁ ଆମ ପାଖରେ ସମୟ ନଥିଲା । ଏଥିପାଇଁ ଆମେ ଅବୈଧ ଭାବେ ଚାଲୁଥିବା ବେଶ୍ୟାଳୟକୁ ସିଲ୍ କରିବା ସହ ଅଭିଯୁକ୍ତମାନଙ୍କର ବେଲ୍ ରୋକିବାକୁ ମଧ୍ୟ ଚେଷ୍ଟା କରିଥିଲୁ । ତା ସହିତ ସାକ୍ଷୀମାନଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ଉଦ୍ୟମ ହେଲା ।”

ମାନବ ଚାଲାଣ ଓ ଦେହ ବେପାର ବିରୋଧରେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଅଜିତ ୧୧ଟି ଜନ ସ୍ୱାର୍ଥ ମାମଲା (ପିଆଇଏଲ୍)କରିଛନ୍ତି ।

ନିଜେ କରିଥିବା ଏକ ପିଆଇଏଲ୍ ଜରିଆରେ ସେ କୋର୍ଟକୁ ଜଣାଇଛନ୍ତି ଯେ ସରକାରୀ ହିସାବକୁ ଛାଡି ୧୨ ଲକ୍ଷ ନାବାଳିକା ବିଭିନ୍ନ ରେଡ୍ ଲାଇଟ୍ ଅଂଚଳରେ ବନ୍ଦୀ ଜୀବନ କଟାଉଛନ୍ତି । ବିଭିନ୍ନ କୋର୍ଟରେ ଏ ସମ୍ପର୍କରେ ଦେଢ ହଜାର କେସ୍ କରିଛନ୍ତି ଅଜିତ୍ । ୧୯୯୩ରେ ସେ ନିଜ ସଂସ୍ଥା ‘ଗୁଡିଆ’ପ୍ରତିଷ୍ଠା କରିଥିଲେ । କିନ୍ତୁ ତା ପୂର୍ବରୁ ସେ ଏହି କାମ ହିଁ କରୁଥିଲେ । ଏଥିପାଇଁ ତାଙ୍କୁ କିଛି ଫେଲୋସିପ୍ ମଧ୍ୟ ମିଳିଥିଲା । ତାଙ୍କ କାମ ବିଷୟରେ ଜାଣିବା ପାଇଁ ଆମେରିକା ସଂସଦର କିଛି ସଦସ୍ୟ ବନାରସରେ ଥିବା କିଛି ରେଡ୍ ଲାଇଟ୍ ଅଂଚଳ ମଧ୍ୟ ବୁଲି ଦେଖିଛନ୍ତି । ସେମାନଙ୍କୁ ସେ ବୁଝାଇଥିଲେ କିପରି ଏହି ଅଂଚଳରୁ ସେ ଝିଅମାନଙ୍କୁ ଦେହ ବେପାରରୁ ମୁକୁଳାଇଥିଲେ । ଏବେ କୌଣସି ନୂଆ ଝିଅ ଏହି ଧନ୍ଦାକୁ ଯାଉନାହାନ୍ତି। ଯେଉଁମାନେ ଆଗରୁ ଅଛନ୍ତି, ସେମାନଙ୍କୁ କିଭଳି ଏଥିରୁ ବାହାର କରିବା, ସେ ନେଇ ଏବେ ସେ ପ୍ରୟାସ କରୁଛନ୍ତି।

image


ବର୍ତ୍ତମାନ ‘ଗୁଡିୟା’ ମାଧ୍ୟମରେ ଏହି ଅଂଚଳରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲିବା ସହ ଧନ୍ଦାମୂଳକ ଟ୍ରେନିଂ ମଧ୍ୟ ଦିଆଯାଉଛି । ଏଥିରେ କମ୍ପ୍ୟୁଟର କୋର୍ସ, ଫେସନ ଡିଆଇନିଂ, ବ୍ୟୁଟିସିଆନ୍ କୋର୍ସ ଶିକ୍ଷା ଦିଆଯାଉଛି । କିଛି ପିଲା ନର୍ସିଂ କୋର୍ସ ମଧ୍ୟ କରୁଛନ୍ତି । ଏସବୁ କାମ ପୂରା ମାଗଣାରେ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି । ପିଲାମାନଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇବା ଠାରୁ ଆରମ୍ଭ କରି ସେମାନଙ୍କର ସବୁ ଖର୍ଚ୍ଚ ‘ଗୁଡିୟା’ ସଂସ୍ଥା ହିଁ ବହନ କରେ ।

ଏମାନେ ଏ ପର୍ଯ୍ୟନ୍ତ ଦୁଇ ହଜାର ପିଲାଙ୍କୁ ଶିକ୍ଷାଦାନ ଦେଇସାରିଲେଣି । ସେମାନେ ଖୁସୀ ଜୀବନ ବିତାଉଛନ୍ତି । ଅନେକ ପିଲା ନିଜେ ନିଜର ସଂସ୍ଥା ବା ଦୋକାନ ଖୋଲିଛନ୍ତି ତ ଆଉ କେହି ଟ୍ରେନିଂ ନେବା ପରେ ଅନ୍ୟ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଅଜିତ୍ ଙ୍କ ଉଦ୍ୟମ ଫଳରେ ଦେଢ ହଜାରରୁ ଅଧିକ ଝିଅ ବେଶ୍ୟାବୃତ୍ତିରୁ ମୁକୁଳିଛନ୍ତି । ସଂଗଠିତ ଭାବେ ହେଉଥିବା ଏହି ଅପରାଧ ବିରୋଧରେ ନିରନ୍ତର ସଂଗ୍ରାମ ଜାରି ରଖିଥିବାରୁ ସେ ଅନେକ ଲୋକଙ୍କର ଶତ୍ରୁ ପାଲଟିଯାଇଛନ୍ତି ଓ ତାଙ୍କ ଉପରେ ଅନେକ ଥର ଆକ୍ରମଣ କରାଯାଇଛି | ତଥାପି ଏ ସବୁକୁ ଖାତିର ନକରି ଝିଅ ମାନଙ୍କୁ ଅନ୍ଧାରୀ ଦୁନିଆରୁ ମୁକ୍ତି ଦେଉଛନ୍ତି ଓ ଅପରାଧୀମାନଙ୍କୁ କୋର୍ଟ ଜରିଆରେ ଦଣ୍ଡ ଦେବା ପର୍ଯ୍ୟନ୍ତ କାମ ଜାରି ରଖିଛନ୍ତି।

ୱେବସାଇଟ - www.guriafreedomnow.com