ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପ୍ରତିବର୍ଷ ଭାରତରେ ସାପ କାମୁଡ଼ାରେ ସର୍ବାଧିକ ଲୋକଙ୍କର ପ୍ରାଣହାନୀ ହେଉଛି ।
ସାପକୁ ଦେଖିଲେ ଲୋକଙ୍କୁ ଭୟ ଲାଗେ । ଲୋକ ସାପ ଦେଖିବା ମାତ୍ରେ ତାକୁ ମାରିବାକୁ ପ୍ରୟାସ କରନ୍ତି ଓ ଅନେକ ସ୍ଥାନ ସାପକୁ ମରିବାକୁ ପଡ଼େ । କିନ୍ତୁ ଯେଉଁଠାରେ ଶୁଭେନ୍ଦୁ ମଲ୍ଲିକ ରହିଛନ୍ତି, ସେଠାରେ ସାପମାନଙ୍କୁ ମରଣ ଦଶା ଭୋଗିବାକୁ ପଡ଼େ ନାହିଁ । କୌଣସି ସ୍ଥାନରେ ସାପ ବାହାରିଛି ବୋଲି ତାଙ୍କ ପାଖରେ ଖବର ପହଂଚିଲେ ସେ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ପହଂଚି ଯାଆନ୍ତି । ୩୯ ବର୍ଷ ବୟସର ଶୁଭେନ୍ଦୁ ଦୀର୍ଘ ୧୫ ବର୍ଷ ହେଲା ଏହି କାମ କରୁଛନ୍ତି । ସାପ ଧରାଳି ଭାବେ ଓଡ଼ିଶାରେ ତାଙ୍କର ବେଶ ସୁନାମ ରହିଛି । ଏବେ ସୁଦ୍ଧା ସେ ୧୫ ହଜାରରୁ ଅଧିକ ସାପ ଧରି ସାରିଲେଣି । ସେ ସାପମାନଙ୍କୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଦିଅନ୍ତି । ଲାଇକୋଡନ୍ ଓଡ଼ିଶି ନାମକ ବିରଳ ସାପ ଉଦ୍ଧାର କରିବାର ରେକର୍ଡ ତାଙ୍କ ନାମରେ ରହିଛି ।
ସାପଙ୍କୁ ଉଦ୍ଧାର କରିବା ତାଙ୍କର ଏକ ସଉକ । ସାପ ଧରିବା ଏତେ ସହଜ କାମ ନୁହେଁ । ଏଥିପାଇଁ ତାଙ୍କୁ ଅନେକ ଥର ମୃତ୍ୟୁ ସହ ଲଢ଼େଇ କରିବାକୁ ପଡ଼ିଛି । କିନ୍ତୁ ସବୁ ବାଧା ସତ୍ୱେ ସେ ନିଜର ସଉକକୁ ଛାଡ଼ିପାରି ନାହାନ୍ତି । ତାଙ୍କୁ ୧୧ ଥର ସାପ କାମୁଡ଼ାର ଶିକାର ହେବାକୁ ପଡ଼ିଛି । କିନ୍ତୁ ସୌଭାଗ୍ୟ ବଶତଃ ପ୍ରତି ଥର ସେ ଉଦ୍ଧାର ପାଇ ଯାଇଛନ୍ତି ।
୧୯୭୫ ମସିହା ଜାନୁଆରିରେ ଶୁଭେନ୍ଦୁ ଭୁବନେଶ୍ୱରର ପୁରୁଣା ଭୁବନେଶ୍ୱରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜକୁ ସାପ ସଂରକ୍ଷଣକାରୀ ଭାବେ ଉପସ୍ଥାପନା କରନ୍ତି । ବିଶ୍ୱର ସବୁଠୁ ବିଷଧର ସାପକୁ ଧରିବାକୁ ସେ କେବେ କୁଣ୍ଠା ପ୍ରକାଶ କରି ନାହାନ୍ତି କିମ୍ବା ଭୟ ମଧ୍ୟ କରିନାହାନ୍ତି । ସେ କେବଳ ନିଜର କାମ କରିଚାଲିଛନ୍ତି ।
ଶୁଭେନ୍ଦୁ କହନ୍ତି,
ମୁଁ ପିଲା ଦିନରୁ ସାପମାନଙ୍କୁ ଭଲ ପାଏ । କିନ୍ତୁ କେବେ ଭାବି ନ ଥିଲି ବଡ଼ ହେଲେ ସାପମାନଙ୍କୁ ଉଦ୍ଧାର କରିବା କାମ କରିବି । ୨୦୦୨ରେ ମୁଁ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ସମୟର କଥା । ସେତେବେଳେ ମାଉସି ମା' ଛକଠାରେ ଏକ ବିଷଧର ସାପ ଉଦ୍ଧାର କରିବା ବେଳେ ତାହା ମୋତେ କାମୁଡ଼ି ଦେଇଥିଲା । ମୁଁ ୬ ମାସ ହସ୍ପିଟାଲ୍ ରେ ପଡ଼ି ରହିଲି । ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇପାରିଲିନି । ଏହା ପରେ କିନ୍ତୁ ମୋ ପରିବାର ସଦସ୍ୟମାନେ ମୋ ସାପ ଧରା କାମକୁ ଅଧିକ ସମର୍ଥନ କଲେ । ସେମାନଙ୍କ ସମର୍ଥନ ଯୋଗୁଁ ମୁଁ ଏହି କାମ ଜାରି ରଖିଲି ।
ଶୁଭେନ୍ଦୁ ଓୟୁଏଟିରୁ ଏମ୍ଏସ୍ସି ଡିଗ୍ରି ହାସଲ କରିଛନ୍ତି ।
୨୦୦୬ରେ ପୋଖରିପୁଟ ଅଂଚଳରେ ଏକ ଗୋଖର ସାପ ଓ ବିଲୁଆ ୪୫ ଫୁଟ କୁଅରେ ପଡ଼ି ଯାଇଥିଲେ । ଦମକଳ ବାହିନୀ ସେଠାରେ ପହଂଚିଥିଲେ ମଧ୍ୟ ଉଦ୍ଧାର କରିବାକୁ ଦ୍ଵିଧା ପ୍ରକାଶ କରିଥିଲେ । ମୁଁ ଦଉଡ଼ି ସହାୟତାରେ କୁଅ ଭିତରୁ ଉଭୟ ଜୀବକୁ ଉଦ୍ଧାର କରିଥିଲି ବୋଲି ଶୁଭେନ୍ଦୁ କହିଛନ୍ତି ।
ଶୁଭେନ୍ଦୁ ସହରାଂଚଳରେ ସାପମାନଙ୍କୁ ଧରି ସେମାନଙ୍କୁ ଜଙ୍ଗଲରେ ଛାଡ଼ୁଛନ୍ତି । ସାପ ପ୍ରତି ଲୋକମାନଙ୍କ ମନରେ ରହିଥିବ ଭୟକୁ ସେ ଦୂର କରୁଛନ୍ତି। ଏ ନେଇ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି । ସାପମାନଙ୍କୁ ଉଦ୍ଧାର କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ ସେ ଆରମ୍ଭ କରିଛନ୍ତି ନିଜସ୍ୱ ସଂସ୍ଥା ସ୍ନେକ୍ ହେଲ୍ପ ଲାଇନ୍ । ଏବେ ଏହି ସଂସ୍ଥା ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ସାରା ରାଜ୍ୟରେ କାର୍ଯ୍ୟ କରୁଛି ।
ସାପ ପ୍ରତି ଶୁଭେନ୍ଦୁଙ୍କ ରହିଥିବା ଦୁର୍ବଳତା ବିଷୟରେ ତାଙ୍କ ସାଙ୍ଗ ସାଥୀମାନେ ଅନେକ କଥା କହନ୍ତି । ତାଙ୍କ ସାଙ୍ଗ ଭବାନୀ ପ୍ରସାଦ ଦାସ କହିଛନ୍ତି ଯେ,
ଶୁଭେନ୍ଦୁ ସାପମାନଙ୍କ ପାଇଁ ପାଗଳ । ଥରେ ସନ୍ଧ୍ୟା ବେଳେ ସାପ ଧରୁଥିବା ବେଳେ ସାପଟି ତାକୁ କାମୁଡ଼ି ଦେଇଥିଲା । ସେ ହସ୍ପିଟାଲ୍ ରେ ପହଂଚି ଚିକିତ୍ସା କରାଇବା ବଦଳରେ ଡାକ୍ତରଙ୍କ ସହ କିଭଳି ସାପ ଧରୁଥିଲେ ସେ ବିଷୟରେ ଗପିବାରେ ଲାଗିଲେ । ଚିକିତ୍ସା ବିଳମ୍ବ ହେବା ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତି କରିବାକୁ ପଡ଼ିଥିଲା । ତାଙ୍କ ଶରୀର ସାରା ବିଷ ଚରି ଯାଇଥିଲା । ବହୁ କଷ୍ଟରେ ତାଙ୍କ ଜୀବନ ରକ୍ଷା କରାଯାଇଥିଲା । ସେଦିନ ସେ ଆମ ଆଗରେ ପ୍ରତିଜ୍ଞା କଲେ ଯେ ଆଗକୁ ଆଉ ସେମିତି କାମ କରିବେନି । କିନ୍ତୁ ପରଦିନ ମୁଁ ଯାଇ ଦେଖିଲା ବେଳକୁ ଶୁଭେନ୍ଦୁ ଲିଙ୍ଗରାଜ ମନ୍ଦିରରେ ଏକା ସାପ ଧରିବାକୁ ପ୍ରୟାସ କରୁଥିଲେ ।
ଶୁଭେନ୍ଦୁ ଏବେ ସାପ କାମୁଡ଼ାକୁ ନେଇ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି । ବିଭିନ୍ନ ସଂସ୍ଥା ଭ୍ରମଣ କରି ସେଠାରେ ବକ୍ତବ୍ୟ ପ୍ରଦାନ କରୁଛନ୍ତି । ତାଙ୍କର ଏହି ସାହସିକ କାମ ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିସାରିଛି ।
ସାପ ଉଦ୍ଧାର କରିବାକୁ ଚାହୁଁଥିଲେ ଲୋକମାନେ ୯୩୩୭୨ ୯୫୧୪୨କୁ କଲ୍ କରି ସ୍ନେକ୍ ହେଲ୍ପଲାଇନ ର ସହାୟତା ନେଇପାରିବେ । ସ୍ନେକ୍ ହେଲ୍ପ ଲାଇନ୍ ସୁବିଧା ଏହି ସବୁ ସ୍ଥାନରେ ମିଳୁଛି ।
-ଭୁବନେଶ୍ୱର
-କଟକ
-ପୁରୀ
-ବ୍ରହ୍ମପୁର
-ବାଲେଶ୍ୱର
-କାକଟପୁର
-କାମାକ୍ଷାନଗର
-ରମ୍ଭା
-ଆସ୍କା
-ଖଲ୍ଲିକୋଟ
-ଛତ୍ରପୁର
-ଅନୁଗୁଳ
-କପିଳାସ
-ଢ଼େଙ୍କାନାଳ
-ସମ୍ବଲପୁର
-ବରଗଡ଼
-ମାଲକାନଗିରି
-ଆଠଗଡ଼
-ବାଙ୍କି
-ଖୋର୍ଧା
-ଶାଖିଗୋପାଳ
-ଜଗତସିଂହପୁର
-ଯାଜପୁର
-ଜୟପୁର
ୱେବସାଇଟ - http://www.snakehelpline.com/