ଓଡ଼ିଆ ପାଇପ୍ ମିସ୍ତ୍ରୀଙ୍କ ଝିଅ ପାଇଲେ ଜାପାନ ଛାତ୍ର ବୃତି, ଜାପାନରେ ୨ ବର୍ଷ ପଢ଼ିବେ

ଓଡ଼ିଆ ପାଇପ୍ ମିସ୍ତ୍ରୀଙ୍କ ଝିଅ ପାଇଲେ ଜାପାନ ଛାତ୍ର ବୃତି, ଜାପାନରେ ୨ ବର୍ଷ ପଢ଼ିବେ

Thursday April 07, 2016,

2 min Read

ଜ୍ଞାନର କୌଣସି ସୀମା ସରହଦ ନାହିଁ । ଏହା ପ୍ରମାଣ କରି ଦେଖାଇଛନ୍ତି ଜଣେ ଓଡ଼ିଆ ଝିଅ । ତାଙ୍କ ନାମ ହେଉଛି ଅନୀତା ବେହେରା । ଏକ ଗରିବ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଭବିଷ୍ୟତ ସେଭଳି କିଛି ଉଜ୍ୱଳ ନଥିଲା ପରିବାର ପାଇଁ । ସେ ପୁଣି ଗରିବ ଘରେ ଝିଅ ହୋଇ ଜନ୍ମ ହୋଇଥିଲେ । ତେଣୁ ତାଙ୍କର ଭବିଷ୍ୟତ କଣ ହେବାର ଥିଲା ତାହା ସହଜରେ ଅନୁମାନ କରାଯାଇପାରେ । କିନ୍ତୁ ଭଗବାନଙ୍କ ଖେଳ ଥିଲା ଅଲଗା ପ୍ରକାରର । ପାଇପ୍ ମିସ୍ତ୍ରୀର ଝିଅ ଭାବେ ଜନ୍ମ ହୋଇଥିବା ଅନୀତା ବାପା ରାଜ୍ୟ ବାହାରେ କାମ ଖୋଜିବା ପାଇଁ ଚାଲି ଆସିବାରୁ ତାଙ୍କ ସହ ଚାଲି ଆସିଥିଲେ । ସହରରେ ରହିବା ଯୋଗୁଁ ସେ ଭଲ ସ୍କୁଲ୍ ରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ । ତାଙ୍କୁ ଭଗବାନ ଜ୍ଞାନ ଆକାରରେ ସବୁଠୁ ବଡ଼ ସମ୍ପତ୍ତି ପ୍ରଦାନ କରିଥିଲେ । ସେହି ଜ୍ଞାନ ବଳରେ ସେ ଆଜି ବିଶ୍ୱରେ ଲୋକପ୍ରିୟ ହୋଇପଡ଼ିଛନ୍ତି । ତାଙ୍କ ପାଇଁ ଓଡ଼ିଶା ଗର୍ବିତ ମନେ କରୁଛି । ଜାପାନ ଭାଷାରେ ତାଙ୍କର ଦକ୍ଷତାକୁ ସମ୍ମାନ ଜଣାଇ ଜାପାନ ସରକାର ଅନୀତାଙ୍କୁ ଦୁଇ ବର୍ଷ ନିଜ ଆଡୁ ଖର୍ଚ୍ଚ କରି ଜାପାନରେ ପାଠ ପଢ଼ାଇବାକୁ ନିମନ୍ତ୍ରଣ କରିଛନ୍ତି ।

ଦଶମ ଶ୍ରେଣୀ ଛାତ୍ରୀ ଓଡ଼ିଆ ଝିଅ ଅନିତା ବେହେରା ଜାପାନ ସରକାରଙ୍କ ଦୁଇ ବର୍ଷିଆ ଛାତ୍ର ବୃତିି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଚ୍ଚଶିକ୍ଷା ଗ୍ରହଣ ନିମନ୍ତେ ସେ ଜାପାନ ଯାଉଥିବା ଜଣାପଡ଼ିଛି ।

image


କେନ୍ଦ୍ରାପଡ଼ା ଜିଲ୍ଲା ଡେରା ବ୍ଲକ ଅନ୍ତର୍ଗତ ନିରାକାର ବେହେରାଙ୍କ ବଡ଼ ଝିଅ ଅନିତା । ନିରାକାର ୨୦୦୧ରେ ସପରିବାର ଗ୍ରେଟର ନୋଏଡା ଆସି ପାଇପ ମିସ୍ତ୍ରୀ କାମ କରୁଥିଲେ । ଅନିତା କାସନାର ସାବିତ୍ରୀ ବାଇ ଫୁଲେ ବାଳିକା ଇଂଟର କଲେଜରେ ଦଶମମ ଶ୍ରେଣୀରେ ପଢ଼ୁଥିଲେ । ସେ ଚଳିତ ବର୍ଷ ୧୦ମ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ଉଚ୍ଚଶିକ୍ଷା ନିମନ୍ତେ ଜାପାନ ସରକାରଙ୍କ ଦ୍ୱାରା ପରିଚାଳିତ ଓଆଇଏଏସ୍ସିଏ ସଂସ୍ଥା ପକ୍ଷରୁ ବିଶ୍ୱବ୍ୟାପୀ ପରୀକ୍ଷା କରାଯାଇଥିଲା । ଭାରତରୁ ୪ ଜଣ ଏହି ବୃତି ପାଇବାକୁ ଥିବାବେଳେ ୧ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଲିଖିତ ଓ ମୌଖିକ ପରୀକ୍ଷାରେ କୃତିତ୍ୱ ହାସଲ କରି ବାଜି ମାରି ନେଇଥିଲେ ଅନିତା । ମୌଖିକ ପରୀକ୍ଷାରେ ଜାପାନୀ ଭାଷାରେ ତାଙ୍କର ଉତ୍ତର ପ୍ରଦାନ ପରୀକ୍ଷକମାନଙ୍କୁ ଚକିତ କରିଥିଲା । ତାଙ୍କ ଶିକ୍ଷାର ସମସ୍ତ ବ୍ୟୟ ଜାପାନ ସରକାର ବହନ କରିବେ ।

ଅନିତାଙ୍କ ଏହି କୃତିତ୍ୱରେ ସେ ପଢ଼ୁଥିବା କଲେଜରେ ଖୁସିର ମାହୋଲ ଖେଳିଯାଇଛି । ଏହା ଅନ୍ୟ ଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଅଧ୍ୟକ୍ଷା ରିମା ଦେ । ଅନିତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ନିଷ୍ଠା ଥିଲେ ଦାରିଦ୍ର୍ୟ ପ୍ରତିବନ୍ଧକ ହୋଇନଥାଏ । ଘରର ଆର୍ଥିକ ଅବସ୍ଥା ଏତେ ଖରାପ ଯେ ବିଦ୍ୟୁତ ଦେୟ ଦେବାକୁ ବହୁ ସମୟରେ ତାଙ୍କ ବାପା ସମର୍ଥ ହେଉନଥିବାରୁ ସେ ମହମବତିରେ ପାଠ ପଢ଼ୁଥିଲେ । ଏନଡ଼ିଏରେ ପଢ଼ିବାକୁ ତାଙ୍କର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି ।