ଦୁଃଖୀ ଚାଷୀଙ୍କୁ ଆତ୍ମହତ୍ୟା କରିବାରୁ ଅଟକାଉଛନ୍ତି ବିନାୟକ

ଦୁଃଖୀ ଚାଷୀଙ୍କୁ ଆତ୍ମହତ୍ୟା କରିବାରୁ ଅଟକାଉଛନ୍ତି ବିନାୟକ

Friday July 29, 2016,

3 min Read

ଭାରତରେ ପାଣିପାଗର କୌଣସି ଠିକ ଠିକଣା ନାହିଁ । ତେଣୁ ଚାଷ ଉପରେ ନିର୍ଭରଶୀଳ ଲୋକମାନେ ସବୁ ବେଳେ ଚିନ୍ତାରେ ରହିଥାନ୍ତି । ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ହାନି ହୋଇଥାଏ । ବ୍ୟାଙ୍କ କିମ୍ବା ସାହୁକାରଠାରୁ ଋଣ ନେଇଥିବା ଚାଷୀ ତାହାକୁ ପରିଶୋଧ କରି ନ ପାରି ଶେଷରେ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛି ନେଉଥିବା ଘଟଣା ନୂଆ ନୁହେଁ । ତେବେ ଉଜୁଡ଼ା କ୍ଷେତକୁ ଦେଖି ଦୁଃଖରେ ଭାଂଗି ପଡ଼ିଥିବା ଚାଷୀଙ୍କ ପାଇଁ ଦେବଦୂତ ଭାବେ କାମ କରୁଛନ୍ତି ବିନାୟକ । 

image


ତାଙ୍କ ନାମ ବିନାୟକ ହେଗାଣା । ବୟସ ୨୦ ବର୍ଷ । ପିଲାଟି ଦିନରୁ ଚାଷବାସ ପ୍ରତି ତାଙ୍କର ଆଗ୍ରହ ରହିଛି । ତାଙ୍କୁ ଯେତେବେଳେ ୨ ବର୍ଷ ବୟସ ହୋଇଥିଲା ସେ ଗୋଟିଏ କ୍ଷେତରେ ଜଳସେଚନ ଭଳି ଅବିଶ୍ୱାସନୀୟ କାର୍ଯ୍ୟ କରିଥିଲେ । ସେତେବେଳେ ତାଙ୍କ ଦେହ ଭୀଷଣ ଖରାପ ହୋଇଯାଇଥିଲା । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ବେଳେ ଖରା ଦିନରେ ଯେଉଁ ଛୁଟି ହୁଏ ସେହି ସମୟରେ ସେ ଫୁଲ ମାଳ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଛୁଟି ଶେଷ ହେବା ପରେ ସେ ଜମିରେ ଚାଷ କାର୍ଯ୍ୟ କରିଥିଲେ । ବିନାୟକ କୌଣସି ବଡ଼ ଜମିଦାର ପରିବାରର ପିଲା ନୁହନ୍ତି । ତାଙ୍କ ବାପାଙ୍କର ମାତ୍ର ୧.୫ ଏକର ଜମି ରହିଛି । ତଥାପି ସେ ଚାଷ ପ୍ରତି ପିଲାଦିନରୁ ଆଗ୍ରହୀ ଥିଲେ । ବିନାୟକଙ୍କ ବିଷୟରେ ଏଠାରେ ଏତେ କଥା ଲେଖିବାର କାରଣ ହେଉଛି ସେ ଏବେ ଯେଉଁ କାମ କରୁଛନ୍ତି ତାହାର ପ୍ରାକ୍ ସୂଚନା ପ୍ରଦାନ କରିବା ।

image


ବିନାୟକ ଏବେ ମହାରାଷ୍ଟ୍ରର ମରୁଡ଼ିଗ୍ରସ୍ତ ଅଂଚଳରେ କାମ କରୁଛନ୍ତି । ଉଜୁଡ଼ି ଯାଇଥିବା ଫସଲକୁ ଦେଖି ହତାଶ ହୋଇ ପଡ଼ିଥିବା ଚାଷୀମାନଙ୍କୁ ଭେଟୁଛନ୍ତି । ସେମାନଙ୍କୁ ଆତ୍ମହତ୍ୟା ନ କରିବାକୁ କହୁଛନ୍ତି । ଜୀବନ ଅମୂଲ୍ୟ । ତାହାକୁ କୌଣସି ପରିସ୍ଥିତିରେ ନ ହାରିବାକୁ ବୁଝାଉଛନ୍ତି । ବିନାୟକ ଜାଣିଥିଲେ ଯେ ସେ ଏକା ଏତେ ବଡ଼ କାମ କରିପାରିବେ ନାହିଁ । ସମସ୍ତଙ୍କ ପାଖରେ ସହଜରେ ପହଂଚି ପାରିବେ ନାହିଁ । ତେଣୁ ସେ ୩୦୦୦ ଲୋକଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ଜରିଆରେ ସେ ଦୁଃଖୀ ଚାଷୀଙ୍କ ପାଖରେ ପହଂଚୁଛନ୍ତି ।

ବିନାୟକ କହିଛନ୍ତି ଯେ, ଯେପରି ଦୁର୍ଘଟଣାରେ ପୀଡ଼ିତ ଲୋକ ପାଇଁ ପ୍ରାଥମିକ ଚିକିତ୍ସା ଜରୁରୀ । ସେହିଭଳି କରଜରେ ବୁଡ଼ି ରହିଥିବା ଚାଷୀଙ୍କ ପାଇଁ ମଧ୍ୟ ପ୍ରେମ ଓ ଆତ୍ମିୟତା ଦରକାର । ଚାଷୀ ଜୀବନରେ ଏଭଳି ଏକ ସମୟ ଆସେ ଯେତେବେଳେ ପରିବାର ଲୋକ ମଧ୍ୟ ତାହାର ଦୁଃଖ ବୁଝି ପାରନ୍ତି ନାହିଁ । ସେମାନେ ବି ଭାବନ୍ତି ଯେ ଚାଷୀ ଟି କିଛି କରୁନାହିଁ । ଖାଲି ହାତ ଉପରେ ହାତ ରଖି ବସି ରହିଛି । କିନ୍ତୁ ବାସ୍ତବ ଜୀବନ ତାହା ହୋଇ ନ ଥାଏ । ଚାଷୀଟି ଅନେକ ମାନସିକ ଚିନ୍ତା ଦେଇ ଗତି କରୁଥାଏ ।

ବିନାୟକ ନିଜର ଜଣେ ସାଙ୍ଗଙ୍କ କଥା କହନ୍ତି । ତାଙ୍କ ବାପା ଏବେ ଆତ୍ମହତ୍ୟା କରି ଆରପାରିକୁ ଚାଲି ଯାଇ ସାରନ୍ତେଣି । ଶେଷ ମୁହୂର୍ତ୍ତରେ ସେ ବିଷୟରେ ପରିବାର ଲୋକ ଜାଣିପାରିଥିଲେ । ତାଙ୍କୁ ଆତ୍ମହତ୍ୟାରୁ ଅଟକାଇଥିଲେ । ତେଣୁ ଏବେ ସେ ବଂଚି ରହିଛନ୍ତି ।

ବିନାୟକ ନିଜ ସାଙ୍ଗମାନଙ୍କ ସହ ଦୁଃଖୀ ଚାଷୀମାନଙ୍କୁ ଭେଟି ତୁମେ ଆମର ବାପା ମା ଭଳି କୁହନ୍ତି । ଦୟାକରି ଆତ୍ମହତ୍ୟା କରନ୍ତୁ ନାହିଁ ବୋଲି ବୁଝାନ୍ତି । ମିଳିମିଶି ଆମେ କିଛି ବାଟ ବାହାର କରିବା ବୋଲି ନିର୍ଭର ପ୍ରତିଶ୍ରୁତି ଦିଅନ୍ତି ।

ବିଏସ୍ସି (ଏଗ୍ରିକଲଚର୍)ର ଶେଷ ବର୍ଷର ଛାତ୍ର ବିନାୟକ ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ଅଂଚଳ ବିଦର୍ଭ, ମରାଠାୱାଡା, ୱାର୍ଧା ଆଦି ଜିଲ୍ଲା ଗସ୍ତ କରି ସେଠାରେ ଚାଷୀମାନଙ୍କ ଚାଲିଚଳଣିକୁ ଅତି ନିକଟରୁ ଦେଖିଛନ୍ତି । ଚାଷୀମାନଙ୍କୁ ସହାୟତା କରିବାର ପରିକଳ୍ପନା ଦୁଇ ବର୍ଷ ତଳେ ତାଙ୍କ ମୁଣ୍ଡକୁ ଜୁଟିଥିଲା । ସେ ଏହା ଉପରେ ସେହିଦିନରୁ କାମ ଆରମ୍ଭ କରିଦେଇଥିଲେ । ସେ ଏବେ www.shivarsansad.com ନାମକ ୱେବସାଇଟ୍ ଚଲାଉଛନ୍ତି । ସେହି ୱେବସାଇଟ୍ ଜରିଆରେ ଟିମ୍ ସଦସ୍ୟ ସଂଗ୍ରହ କରୁଛନ୍ତି । ନିଜ କାମ ଆଗକୁ ବଢାଇବା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି । ତାଙ୍କ ଟିମ୍ ରେ ଏବେ ୫୦% ଯୁବତୀ ରହିଛନ୍ତି । ନିଜ ଟିମ୍ ସଦସ୍ୟଙ୍କ ଜରିଆରେ ସେ ଚାଷୀ ପରିବାରର କାଉନ୍ସେଲିଂ କରୁଛନ୍ତି । ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ସେ ପ୍ରୟାସ କରୁଛନ୍ତି ।

ବିନାୟକଙ୍କ ସହ କାମ କରୁଥିବା ୧୯ ବର୍ଷୀୟା ପ୍ରିୟା କହିଛନ୍ତି ଯେ ସେ ବାବା ଆମତେଙ୍କ ଦ୍ୱାରା ଅନୁପ୍ରାଣିତ । ସମାଜ ପାଇଁ କିିଛି କରିବାକୁ ଚାହାନ୍ତି। ତାଙ୍କୁ ଘରେ ବହୁତ ଜିଦଖୋର ବୋଲି କହନ୍ତି । ଯାହା ଚାହିଁବ ତାହା କରିବ, ତେଣିକି ଆଗକୁ ଯାହା ହେଉଛି ହେଉ । ଏହି ଗୁଣ ଯୋଗୁଁ ସେ ଚାଷୀମାନଙ୍କ ପାଇଁ କିଛି କରିବାକୁ ନିଷ୍ପତି ନେଇଥିଲେ । ଆଜି ବିନାୟକଙ୍କ ସହ ମିଶି ସେହି କାମ କରୁଛନ୍ତି ।

ଶିବାଜୀ ୟୁନିଭର୍ସିଟିର କମ୍ପୁ୍ୟଟର ସାଇନ୍ସ ପ୍ରଫେସର କବୀର ଖରାଡେଙ୍କର ବିନାୟକଙ୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ ବିନାୟକଙ୍କ ପାଇଁ ୱେବସାଇଟ୍ ଡିଜାଇନ୍ କରିଛନ୍ତି ।