ନାଟ୍ୟ ଚେତନା : ନାଟକ ଆଣିବ ପରିବର୍ତ୍ତନ

ନାଟ୍ୟ ଚେତନା : ନାଟକ ଆଣିବ ପରିବର୍ତ୍ତନ

Wednesday November 04, 2015,

3 min Read

ସେଦିନ ସନ୍ଧ୍ୟା ବେଳର କ୍ଳାସ ସରିବା ବେଳକୁ, ଯେତେବେଳେ ଆମେ ସବୁ ନିଜ ନିଜ ପସନ୍ଦର ବରା ଦୋକାନ ଓ ଚା' ଖଟି ଆଡକୁ ମୁହାଁଇବାକୁ ପ୍ରସ୍ତୁତ ହେଉଥିଲୁ, ସେତେବେଳେ ସାର ଜଣେଇଲେ କେହି କୁଆଡେ ଯିବେ ନାହିଁ। ଆଜି ଆମ କ୍ୟାମ୍ପସକୁ ଷ୍ଟ୍ରୀଟ ପ୍ଲେ ବା ନୁକ୍କଡ ନାଟକ ଦେଖାଇବାକୁ ଆସୁଛନ୍ତି ନାଟ୍ୟ ଚେତନାର ଗ୍ରୁପ। ଆମେ କୁନ୍ଥୁ କୁନ୍ଥୁ ହେଇ ରହିଲୁ। ଦୁଇଟା ଖଣ୍ଡେ ଗାଡିରେ ଆସି ପହଞ୍ଚିଲେ ସେମାନେ। ସେମାନେ ପ୍ରସ୍ତୁତ ହେବା ଆରମ୍ଭ କଲେ। ଆମେ ଦେଖୁଥାଉ – ଗୁଡାଏ ପ୍ଲାଷ୍ଟିକ ବୋତଲ, ଥାଳି ଏମିତି ସବୁ ଆବୁରୁ ଜାବୁରୁ ଜିନିଷ ଏକାଠି କରି ସେମାନେ ରଖୁଥାନ୍ତି। ସେ ଯାହା ହେଉ ନାଟକ ଆରମ୍ଭ ହେଲା। ନାଟକର ନାମ ‘ଜଙ୍ଗଲ ଯନ୍ତା’।

କିଛି ମିନିଟ ଭିତରେ ଆମେ ସବୁ ଯେମିତି ଟାଣି ହେଇଗଲୁ ସେ ନାଟକ ଭିତରେ। ରୁମ ଟାଙ୍କୁରି ଉଠୁଥାଏ। ସେଇ ଯେଉଁ ଆବୁରୁ ଜାବୁରୁ ସରଞ୍ଜାମ ସେମାନେ ଜମେଇ ରଖିଥିଲେ ସେଗୁଡିକ ସାଉଣ୍ଡ ଏଫେକ୍ଟ ପାଇଁ ବ୍ୟବହାର କରୁଥାନ୍ତି। ମାଇକ ନାହିଁ, ନା ଅଛି ଲାଇଟ। କେବଳ ମାତ୍ର ନିଜର ଦମଦାର ସ୍ଵର, ପ୍ଲାଷ୍ଟିକ ବୋତଲ, ଥାଳି ଇତ୍ୟାଦି ବ୍ୟବହାର କରି ସେମାନେ ଯେଉଁ ଭଳି ଭାବେ ପରିବେଶରେ ଜାଦୁ ଭରିଦେଲେ ତାହା କୌଣସି ଚମତ୍କାରରୁ କମ ନୁହେଁ। ଏ ହେଲା ମଣିଷ ଭିତରର କଳା ଓ ଆତ୍ମାର ଚମତ୍କାର। ନାଟକ ସାରିବା ବେଳେ ଆମେ ସଭିଏଁ ବିଷୟବସ୍ତୁ ଉପରେ ଗଭୀର ଭାବେ ଚିନ୍ତା କରୁଥାଉ। ଏଇ ଥିଲା ମୋର ସ୍ମୃତିରୁ କିଛି। ଏବେ ସେ ସ୍ମୃତି ଯେ ତିଆରି କରିଥିଲେ ତାଙ୍କ ବିଷୟରେ ସମ୍ୟକ।

image


ନାଟ୍ୟ ଚେତନାର ମୂଳ ଲକ୍ଷ୍ୟ ହେଲା ନାଟକ ମାଧ୍ୟମରେ ଚେତନା ଆଣିବା। ଯେପରିକି ଦର୍ଶକ କେବଳ ମାତ୍ର ନାଟକଟି ଉପଭୋଗ ନକରି ବିଷୟବସ୍ତୁ ଉପରେ ଭାବିବାକୁ ବାଧ୍ୟ ହେଉ। ନାଟକ ମନୋରଞ୍ଜନ ଠାରୁ ଊର୍ଦ୍ଧ୍ଵକୁ ଯାଇ ଦର୍ଶକଙ୍କ ମନ ମନ୍ଥନ କରୁ, ଚେତନା ଆଣୁ।

ଓଡିଶାରେ ଥିଏଟର ବୋଲି କହିଲେ ଏଥିରେ ରୁଚି ରଖୁଥିବା ଲୋକଙ୍କ ମନରେ ନାଟ୍ୟ ଚେତନା ବ୍ୟତୀତ ଦ୍ଵିତୀୟ ନାମ ଆସିବାଟା କଷ୍ଟକର। ବିନା ଦ୍ଵନ୍ଦରେ ନାଟ୍ୟ ଚେତନା ଓଡିଶାର ମାତ୍ର ଏକ ଥିଏଟର ସଂସ୍ଥା ଯାହାକି ପୁରା ବିଶ୍ଵରେ ଖ୍ୟାତି ଲାଭ କରିପାରିଛି। ନାଟ୍ୟ ଚେତନା ଓ ସୁବୋଧ ଦାସ ପରସ୍ପର ଦ୍ଵାରା ପରିଚିତ। ସୁବୋଧ ସ୍ୱଳ୍ପପରିଚିତ ଓଡିଆ ଥିଏଟର ପାଇଁ ଅନେକ ଖ୍ୟାତି ଆଣିଛନ୍ତି। ସମ୍ମାନଜନକ ଜାତୀୟ ଡ୍ରାମା ସ୍କୁଲ, ସଙ୍ଗୀତ ନାଟକ ଅକାଦମୀ, ଦିଲ୍ଲୀ ଓ କୋଲକାତାର ପ୍ରସିଦ୍ଧ ନନ୍ଦିକର ଜାତୀୟ ନାଟକ ମହୋତ୍ସବରେ ସେ ଆମନ୍ତ୍ରିତ ହେଇଥିଲେ। ଓଡିଶା ସହ ଜଡିତ ନାଟକ କ୍ଷେତ୍ରରୁ ସେ ଏକ ମାତ୍ର ବ୍ୟକ୍ତିତ୍ଵ ଯିଏ ବିଶ୍ଵର ସମସ୍ତ ମହାଦେଶ ଟୂର କରିସାରିଛନ୍ତି।

ନାଟ୍ୟ ଚେତନା ସହ ନାଟ୍ୟଗ୍ରାମ ଓଡିଶା ଭଳି ଏକ ନିଆରା ପରିକଳ୍ପନାକୁ ସୁବୋଧ ବାସ୍ତବତାରେ ପରିଣତ କରିଛନ୍ତି। ଭୁବନେଶ୍ଵର ଠାରୁ କିଛି ଦୂରରେ ଖୋର୍ଦ୍ଧାର ଶିଆଳିଆ ଗ୍ରାମ ନିକଟରେ ଥିବା ତାଙ୍କର ଏଇ ନାଟ୍ୟଗ୍ରାମ କ୍ୟାମ୍ପସ ସଦାବେଳେ କିଛି ନା କିଛି ଟ୍ରେନିଂ, ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥାଏ।

image


ନାଟ୍ୟଗ୍ରାମରେ ଏକ ଲୋକ ସଙ୍ଗୀତ ବାଦ୍ୟଯନ୍ତ୍ରର ସଂଗ୍ରହାଳୟ ମଧ୍ୟ ଅଛି ଯେଉଁଠାରେ ୩୦ରୁ ଅଧିକ ବାଦ୍ୟଯନ୍ତ୍ର ଅଛି । ଏହି ବାଦ୍ୟଯନ୍ତ୍ର ଗୁଡିକ ବିଭିନ୍ନ ଥିଏଟର ସମ୍ପର୍କୀୟ ଗବେଷଣା ସମୟରେ ସଂଗ୍ରହ କରାଯାଇଛି।

“ଆମେ ଜୀବନ ଜୀଇଁବାର ଉତ୍ତମ ଧାରା ଦେଖାଇବା ସହ ଭବିଷ୍ୟତ ପିଢୀ ପାଇଁ ଏକ ଚଲାପଥ ଛାଡିଯିବାକୁ ଚାହୁଁ” – ଏଇ ଦର୍ଶନରେ ଚାଲି ଆସିଛି ନାଟ୍ୟ ଚେତନା। ତାଙ୍କର ମିଶନ – ଥିଏଟର ଓ କଳାତ୍ମକ ଦକ୍ଷତା ଜରିଆରେ ଆମର ସମୃଦ୍ଧ ସଂସ୍କୃତିକ ଐତିହକୁ ପୁଣି ଆଉ ଠାରେ ଖୋଜି ପାଇବା ଓ ଥିଏଟର ଜରିଆରେ ବିଭିନ୍ନ ସାମାଜିକ ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରାଇବା।

“ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ଥିଏଟରରେ ଥିବା ଅସୀମ ଶକ୍ତିକୁ ମୁ ସେତେବେଳେ ହୃଦୟଙ୍ଗମ କରିପାରିଥିଲି ଯେତେବେଳେ ମୁଁ ଛାତ୍ର ସମୟରେ ଏକ NSS କ୍ୟାମ୍ପରେ ଯୋଗ ଦେଇଥାଏ। କ୍ୟାମ୍ପଟି ଭୁବନେଶ୍ଵର ଠାରୁ କିଛି ଦୂରରେ ଥିବା ଏକ ବସ୍ତି ଅଞ୍ଚଳରେ ହେଉଥାଏ। ସେତେବେଳେ ମୁ କଲେଜର ଡ୍ରାମା ବିଭାଗର ଏକ ଛାତ୍ର। ବିନା ଷ୍ଟେଜ, ବିନା କୌଣସି ସରଞ୍ଜାମରେ ଆମେ ସେଠିକାର ବସ୍ତି ବାସିନ୍ଦାଙ୍କ ପାଇଁ ଏକ ନାଟକ କଲୁ। ସହରର ତଥାକଥିତ ବିକାଶ ପାଇଁ ଦରିଦ୍ର ବସ୍ତି ଲୋକଙ୍କୁ ବିସ୍ଥାପିତ କରାଯିବା ଉପରେ ଆଧାରିତ ଥିଲା ନାଟକଟି। ନାଟକ ଶେଷରେ ତା’ ଯୋଗୁଁ ସେଠିକାର ବସ୍ତିରେ ବସବାସ କରୁଥିବା ଲୋକେ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ସେମାନେ ଏକାଠି ହେଇ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେଲେ,” ମାନେ ପକାନ୍ତି ସୁବୋଧ।

image


ଏହା ଥିଲା ଆରମ୍ଭ ମାତ୍ର। ସୁବୋଧ ୬୦ରୁ ବେଶୀ ନାଟକ ଲେଖିସାରିଛନ୍ତି। ତାଙ୍କର ସରଳ କିନ୍ତୁ ଏକ ଦୃଢ ସ୍ଵର ଥିବା ନାଟକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଦର୍ଶକ ମାନଙ୍କଠାରୁ ଖୁବ ସକାରାତ୍ମକ ପ୍ରତିକ୍ରିୟା ଲାଭ କରିଛି।