‘ମୁଁ ତୁମକୁ ଭଲପାଏ’ ବୋଲି କହିବାକୁ ଆମେ କୁଣ୍ଠିତ କାହିଁକି

‘ମୁଁ ତୁମକୁ ଭଲପାଏ’ ବୋଲି କହିବାକୁ ଆମେ କୁଣ୍ଠିତ କାହିଁକି

Tuesday February 16, 2016,

4 min Read

ଅନ୍ୟ କୋଉଥିରେ ନହେଲେ ନାହିଁ, ଏଇଥିରେ ଆମେ ଦେଶବାସୀ ଭାରି ପାରିବାର । ଯଦି ଗୋଟେ ପ୍ରତିଯୋଗିତା ହୁଅନ୍ତା ଆମେ ସ୍ଵର୍ଣ, ରୌପ୍ୟ ଓ କାଂସ୍ୟ ପଦକ ସବୁ ଜିତିଯିବା । ଆମେ ଯେତେବେଳେ କାହାର କାମ ପସନ୍ଦ କରୁ ସେତେବେଳେ ପ୍ରଶଂସା କରିବାରେ ଆମେ କେଡେ଼ କୃପଣ, ମୁଁ ସେଇ କଥା କହୁଛି । ଯଦି ଆପଣଙ୍କର ମୋ କଥାରେ ଭରସା ପାଉନି, ତେବେ ଏ ବାବଦରେ ଭାବନ୍ତୁ ଆଉ ନିଜକୁ ପ୍ରଶ୍ନ କରନ୍ତୁ: କେବେ ଆପଣ ଶେଷ ଥର କାହାକୁ ପ୍ରଶଂସା କରିଥିଲେ ବା ବିଧିବଦ୍ଧ ମନ୍ତବ୍ୟ ରଖିଥିଲେ।

ଆମ ଚାରିପାଖର ପୃଥିବୀରେ, ଷ୍ଟାର୍ଟ ଅପ୍ ପରିଧି ମଧ୍ୟରେ ଓ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତାର ଆଢ଼ୁଆଳରେ ପ୍ରଶଂସା ହଜି ଯାଉଥିବା ଭଳି ଜଣାପଡ଼ୁଛି । ବିଶେଷ କରି ଯେତେବେଳେ ଆମ ଷ୍ଟାର୍ଟ ଅପ୍ କଥା ଆସେ, ଆମେ ସବୁ କରିତକର୍ମା ସମାଲୋଚକ ପାଲଟିଯାଉ ।

ଏଇ ଧାରା ମୁଁ ବର୍ଷବର୍ଷ ଧରି ଦେଖି ଆସୁଛି ଏବଂ ସବୁ ବେଳେ ମୁଁ ଉତ୍ତର ଖୋଜେ - ଆମେ ଏମିତି କାହିଁକି? ଏଇ ଗତକାଲିର କଥା, ମୁଁ ଗୋଟେ ନୂଆ କମ୍ପାନିର କିଛି ଉଜ୍ଜ୍ୱଳ ଯୁବ କର୍ମଚାରୀଙ୍କ ଗହଣରେ ଥିଲି ଏବଂ ସେମାନଙ୍କୁ ମୁଁ ପ୍ରଶ୍ନକଲି: ଆଛା ତମ ଭିତରେ ଅନ୍ୟମାନଙ୍କ ପାଖରେ ତମେ କେବେ କିଛି ଅସାଧାରଣ କଥା ପାଇଛ କି ଓ ତା ପରେ ଆଉ ଆଗେଇ ଯାଇ ତାଙ୍କୁ ପ୍ରଶଂସା କରିଛ କି? ଏଇ ଧରନ୍ତୁ ୧୦ ଜଣ ସହକର୍ମୀଙ୍କ ପାଖରେ ପହଞ୍ଚିବେ ଆଉ ସେମାନଙ୍କୁ ଭଲ କଥା କିଛି କହିବେ? ଆଶ୍ଚର୍ଯ୍ୟ, ଚକିତ: ସେମାନେ ଏମିତି କେବେ ବି କରିନାହାନ୍ତି । ପ୍ରକୃତରେ ମୁଁ ଏଥିପାଇଁ ଆମର ବାପାମା’ଙ୍କୁ ଦୋଷ ଦେବି । ହଁ ନିଶ୍ଚୟ ଦେବି । (ମୋ କାହାଣୀଟି ମୁଁ ଆପଣଙ୍କ କହି ସାରିବା ପରେ ଆପଣ ମୋ ସହ ତର୍କ କରିପାରନ୍ତି ।) ଅବଶ୍ୟ ଏମିତି ଦୋଷ ଦେଇଦେବାଟା ସହଜ କଥା ।

image


ଆମ ବାପାମା’ ଗୋଟେ ଅଜବ ପ୍ରକାରର ପ୍ରଶଂସା ଆଉ ପ୍ରେମ କରିବା ଆମକୁ ଶିଖେଇଛନ୍ତି । ମୋ କାହାଣୀ ଯଦି ଆପଣଙ୍କ ସହ ମେଳ ଖାଉଥାଏ, ତେବେ ଜଣେଇବେ । ମୋର ମନେପଡ଼ୁଛି ସ୍କୁଲରେ ମୁଁ ଭାଷଣ ଓ ତର୍କରେ ବେଶ୍ ଭଲ କରୁଥିଲି । ଯେବେ ବି ମୁଁ ଘରକୁ ପୁରସ୍କାର ଆଣି ଫେରେ ମୋ ମା’ ହସିଦିଏ, ମୁଁ ତା’ର ଖୁସିକୁ ଅନୁଭବ କରିପାରେ ଓ ସେ ଯେ ମୋ ଲାଗି ଗର୍ବିତ ତାହା ମଧ୍ୟ ଜାଣେ । କିନ୍ତୁ ସିଏ କହେ, “ଏଇଟା ଭଲ ହେଲା । କିନ୍ତୁ ସେ ଅମୁକ ମାଉସୀଙ୍କ ଝିଅକୁ ଦେଖ, ତା ଚମକ୍ରାର ଭାଷଣ ଯୋଗୁଁ ସେ ବିବିସିର ଗୋଟେ ପ୍ରକଳ୍ପ ପାଇଲାଣି । ତୁ ଭଲ କରିଛୁ । କିନ୍ତୁ ତୋତେ ବହୁତ ଆଗକୁ ଅତିକ୍ରମ କରିବାର ଅଛି ।” ମୋର ସେତେବେଳେ କାନ୍ଦିବାକୁ ଇଛାହୁଏ, କିନ୍ତୁ ମୁଁ ମୋ ମା’ଙ୍କୁ ଏତେ ସମ୍ମାନ କରୁଥିଲି ଯେ ତାହା କରିପାରେନି ।

ମୋ ମା’ ସବୁବେଳେ ବ୍ୟସ୍ତହୁଏ, କାଳେ ଏଇ ସବୁ ଛୋଟ ପୁରସ୍କାରକୁ ମୁଁ ମୁଣ୍ଡେଇ ଧରିବି - ଏମିତି ହେବା ସେ ଚାହୁଁନଥିଲା । ମୁଁ ସବୁବେଳେ ଅନୁରୋଧ କରି ଆସୁଥିଲି, ମୋର ଏଇ ସବୁ ଛୋଟ ସଫଳତାକୁ ସେମାନେ ପାଳନ କରନ୍ତୁ: ହୁଏତ ସେମାନେ ମୋତେ ଗୋଟେ ଛୋଟ ଉପହାର ଦିଅନ୍ତୁ ଅଥବା ଗୋଟେ ଆଇସକ୍ରିମ କିମ୍ବା ସେଇ ଦିନକ ପାଇଁ ମୋତେ ପଢ଼ିବାକୁ ବାଧ୍ୟ ନକରନ୍ତୁ । ଯାହା ବି ହେଲେ, ସେଦିନର ବିଜେତା ମୁଁ ନା । କିନ୍ତୁ ମୋ ସ୍କୁଲ ଦିନସବୁ ଏମିତି ହିଁ କଟଗଲା ।

ମୋର ମନେଅଛି, ମୁଁ ଯେତେବେଳେ CNBCରୁ ନିଯୁକ୍ତି ପ୍ରସ୍ତାବ ପାଇଲି ମା’କୁ ଫୋନ କରିଥିଲି । ପୁଣି ସେ ପୂର୍ବଭଳି ଖୁବ ଖୁସିହେଲା ସତ କିନ୍ତୁ ଫୋନ୍ ରଖୁରଖୁ କହିଲା, “ସେ ଅମୁକ ଭାଇକୁ ଦେଖ । ସେ ଆମେରିକା ଯାଇଛି ଆଉ ପ୍ରତି ମାସରେ ବାପାମା’ଙ୍କ ପାଖକୁ ୧୦୦୦ ଡଲାର ପଠାଉଛି ।”

କ’ଣ କରିବା, ମୋ ମା’ ଏଇ କିଛି ପ୍ରସଙ୍ଗରେ ଆଦୌ ବଦଳିନି । ଏବଂ ଆଜି ବି ଆମମାନଙ୍କ କ୍ଷେତ୍ରରେ ବି ପ୍ରାୟ ଏଇଭଳି ଘଟୁଛି । ଆମେ ପ୍ରଶଂସା ଦେବାରେ ବା ନେବାରେ କୁଣ୍ଠା କରୁ ।

ପ୍ରଶଂସା ସହ ଆମର ସମ୍ପର୍କ ବେଶ୍ ଅସହଜ, ଏଣୁ ଏହାକୁ ଏଡ଼ାଇଗଲେ ଯାଏ, ଦୂରେଇ ଦେଲେ ଯାଏ ।

ପ୍ରକୃତ କଥା ହେଲା, ଆମେ ପ୍ରଶଂସା କରୁନା କାରଣ ଆମେ ଚାହୁଁନା ଆମକୁ କେହି ବୁଦ୍ଦୁ, ପ୍ରଚାରଧର୍ମୀ ବା ତେଲିଆ ପ୍ରଜାତିର ବୋଲି ଭାବୁ । ଏପରିକି ଗବେଷଣା କହେ, ଆମ ମଣିଷମାନଙ୍କର ଅନ୍ୟମାନଙ୍କ ପ୍ରତି ଭିନ୍ନ ଧାରଣା ଥାଏ ଆମେ ସମାଲୋଚନା କରିବା ଆଉ ବିରୋଧରେ କହିବାକୁ ଭଲପାଉ । ଯିଏ ବିରୋଧରେ କହିଲା ଆମେ ତାକୁ ଜ୍ଞାନୀ, ଅଧିକ ଦକ୍ଷ ଓ ଭଲ କଥା କହୁଥିବା ଲୋକଙ୍କ ଠାରୁ ଅଧିକ ଜାଣିଥିବା ଲୋକ ବୋଲି ଭାବୁ । ତେଣୁ ଆପଣ ଯେତେ ଅଧିକ ସମାଲୋଚନା କରିବେ, ଅନ୍ୟର ଗୋଡ଼ ଟାଣିବେ, ସେତେ ଅଧିକା ବୁଦ୍ଧିମାନ ବୋଲି ଗଣାହେବେ ।

ଗୋଟେ କଥା ଲକ୍ଷ୍ୟ କରନ୍ତୁ: ଆମ ଷ୍ଟାର୍ଟ ଅପ୍ ପରିଧିରେ ଯିଏ ଗାଳି କଲା, ଅନ୍ୟ ବିରୋଧରେ କହିଲା, କୌଣସି ଲୋକ ବା କମ୍ପାନିର ଗୋଡ଼ ଟାଣିଲା ସେ ରାତାରାତି ପ୍ରସିଦ୍ଧି ପାଇଯିବ । ଆଉ ଆମେ ମାନେ ବି ସେଇ କଥା ଅଧିକରୁ ଅଧିକ ଶୁଣିବାକୁ ଲାଳବୁହାଉଥିବା ।

ସକାରାତ୍ମକ ହେବାଟା ଗୋଟେ ବିରକ୍ତିକର କଥା । ସକାରାତ୍ମକ ହେବା ଅର୍ଥ ଆପଣ ମାନ୍ଦା । ସକାରାତ୍ମକ ଚିଜଟି ଘନିଷ୍ଟ ନୁହେଁ, ଆପଣ ଟିକିଏ ଅବସର ପାଇଲେ ଖଟିରେ ସକାରାତ୍ମକ ହେବାକୁ ଆଦୌ ଭଲ ପାଆନ୍ତିନି । ଆଉ ଏହା ବି ସତ୍ୟ, ସକାରାତ୍ମକ ପ୍ରଶଂସା, କେବେ ଶିରୋନାମ ହେବନାହିଁ । ମୁଁ ବିଶ୍ୱାସ କରେ ସକାରାତ୍ମକତା ଓ ପ୍ରଶଂସା ସବୁବେଳେ ବିଜୟୀ ହୁଏ । ମୁଁ ଯେଉଁମାନଙ୍କୁ ପ୍ରଶଂସା କରେ ସେମାନେ ଅତ୍ୟନ୍ତ ସକାରାତ୍ମକ ବ୍ୟକ୍ତି ଓ କେବେ ବି ବିନା ପ୍ରଶଂସାରେ ରହି ପାରନ୍ତିନି । ପ୍ରତିଟି ନୂଆ ସକାଳ ଆମକୁ ଜୀବନର ପ୍ରଶଂସା କରିବାକୁ ଗୋଟେ ସୁଯୋଗ ଦିଏ । ଆସନ୍ତୁ ପ୍ରଶଂସା କରିବା, ଆସନ୍ତୁ ଭଲପାଇବା ଏବଂ ଅନ୍ୟମାନେ କିଏ କ’ଣ କହିଲେ ସେଥିକୁ ତିଳେ ହେଁ ଧ୍ୟାନ ଦେବାନି ।

ଯଦି ଆପଣ କାହାକୁ ବା କୌଣସି କାମକୁ ଭଲ ପାଉଛନ୍ତି, ତେବେ ସେ ଭଲପାଇବା ପ୍ରଦର୍ଶନ କରନ୍ତୁ । ଆପଣଙ୍କ ଜ୍ଞାତସାରରେ, ଏହା ହିଁ ହେବ ଅନ୍ୟମାନଙ୍କ ପାଇଁ ଆପଣ କରିଥିବା ସବୁଠୁ ବଡ଼ କାମ ।

ଆମେ ଯେଉଁମାନେ ଭାଲେଣ୍ଟାଇନ ଡେ’ ପାଳନ କରୁଛେ ଆଉ ଏଇ କୋଳାହଳରେ ସାମିଲ ହୋଇଛେ, ଆସନ୍ତୁ

ପ୍ରେମ ପାଇଁ, ପ୍ରଶଂସା ଆଉ ପ୍ରୋତ୍ସାହନ ବାକ୍ୟ ପାଇଁ ଶପଥ କରିବା ଏବଂ ଆମର ଷ୍ଟାର୍ଟ ଅପ୍ ଯାତ୍ରକାୁ ଏକ ପ୍ରେମିଳ ଅନୁଭବରେ ପରିଣତ କରିବା ।

ମୂଳ ଲେଖା - ଶ୍ରଦ୍ଧା ଶର୍ମା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା