ଭାରତ ମହାସାଗରରେ ଭାସୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି ଏଇ ବ୍ରାଣ୍ଡେଡ ଜୋତା

ଭାରତ ମହାସାଗରରେ ଭାସୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି ଏଇ ବ୍ରାଣ୍ଡେଡ ଜୋତା

Wednesday November 23, 2016,

2 min Read

ଲୋକପ୍ରିୟ ଜୋତା କମ୍ପାନୀ Adidas ତାଙ୍କ ଉତ୍ପାଦ ତାଲିକାରେ ଏକ ଅଭିନବ ଜୋତା ଯୋଡ଼ିଛନ୍ତି। ଆପଣ ଭାବୁଥିବେ ଜୋତା ତ ଜୋତା ସେ ପୁଣି ଅଭିନବ କି ନିଆରା ଗୋଟେ କଣ। ଏହି ଜୋତାଟି ନିଆରା ଏଥିପାଇଁ ଯେ ଇଏ ତିଆରି ହେଇଛି ଭାରତ ମହାସାଗରରୁ ସଂଗ୍ରହ କରାଯାଇଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ। Adidas କିଛିଦିନ ପୂର୍ବେ Parley for the Oceans ନାମକ ଏକ ନିଉୟର୍କ ସ୍ଥିତ ଅଣଲାଭକାରୀ ସଂସ୍ଥା ସହ ହାତ ମିଳେଇଥିଲା। ଏହି ସଂସ୍ଥାଟି ମହାସାଗର ମାନଙ୍କରେ କ୍ରମବର୍ଦ୍ଧିଷ୍ଣୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ କିପରି ସୃଜନଶୀଳତାର ତୁଳୀ ସାହାଯ୍ୟରେ ରୋକାଯାଇ ପାରିବ ସେ ଦିଗରେ କାମ କରେ। ଏହି ମେଣ୍ଟ ପରେ ହିଁ Adidas ଏପରି ଏକ ଅଭିନବ ଜୋତା ଲଞ୍ଚ କରିଛି।

Image : <a href=

Image :

Adidasa12bc34de56fgmedium"/>

ଏହି ଜୋତାର ନାମ ରଖାଯାଇଛି ‘UltraBOOST Uncaged Parley’। ଏପରି ଏକ ପ୍ରକାରର ଜୋତା ପ୍ରଥମ ଥର ପାଇଁ ତିଆରି ହେଇଛି। ବର୍ତ୍ତମାନ Adidas ଏହି ବ୍ରାଣ୍ଡର ୭,୦୦୦ ହଳ ଜୋତା ଲଞ୍ଚ କରିଛି ଯାହାର ମୂଲ୍ୟ ହଳକୁ ୨୨୦ ଆମେରିକୀୟ ଡଲାର ଧାର୍ଯ୍ୟ କରାଯାଇଛି। Adidas ୨୦୧୭ରେ ଏପରି ୧୦ ଲକ୍ଷ ଜୋତା ତିଆରି କରିବାର ଲକ୍ଷ୍ୟ ରଖିଛି ଯାହାକି ୧୧ ମିଲିୟନ ପ୍ଲାଷ୍ଟିକ ବୋତଲକୁ ରିସାଇକଲ କରିବାରେ ସାହାଯ୍ୟ କରିବ (Global Citizenର ଏକ ରିପୋର୍ଟ ଅନୁସାରେ)।

ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁଗୁଡ଼ିକୁ ବିପନ୍ନ ମାଳଦ୍ଵୀପର ପ୍ରାୟ ୧୧୯୨ଟି ପ୍ରବାଳ ଦ୍ଵୀପପୁଞ୍ଜକୁ ଘେରିରହିଥିବା ଭାରତ ମହାସାଗରରୁ ସଂଗ୍ରହ କରାଯାଇଛି। The Vergeର ଏକ ରିପୋର୍ଟ ଅନୁସାରେ ଏହି ଜୋତାର ୯୫% ଉପର ଆସ୍ତରଣଟି ଏହି ପ୍ଲାଷ୍ଟିକରୁ ତିଆରି ହେଇଛି ଏବଂ ବାକି ୫% ପଲିଷ୍ଟରରୁ ତିଆରି। ହୀଲ, ଲାଇନିଙ୍ଗ ଓ ଲେସ ଗୁଡ଼ିକ ମଧ୍ୟ ରିସାଇକଲ ହେଇଥିବା ବର୍ଜ୍ୟବସ୍ତୁରୁ ତିଆରି କରାଯାଇଛି। ଏପରି ଗୋଟିଏ ଜୋତା ପ୍ରସ୍ତୁତି ପାଇଁ ପ୍ରାୟ ୧୧ଟି ପ୍ଲାଷ୍ଟିକ ବୋତଲ ଆବଶ୍ୟକ ହେଇଥାଏ।

ରିପୋର୍ଟ ଅନୁସାରେ ବିଶ୍ଵରେ ପ୍ରତିବର୍ଷ ପାଖାପାଖି ୫୦୦ ବିଲିୟନ ଓ ଏକ ଟ୍ରିଲିୟନ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ହୋଇ ଫୋପଡ଼ା ହେଇଥାଏ। ଏହି ବର୍ଜ୍ୟବସ୍ତୁର ଏକ ବିଶାଳ ଭାଗକୁ ସମୁଦ୍ର ଗର୍ଭରେ ଫିଙ୍ଗାଯାଇଥାଏ। ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ତିମିମାଛ ସୀଲ ଓ କଇଁଛ ମାନେ ଏହି ପ୍ଲାଷ୍ଟିକକୁ ଖାଇ ଅଥବା ଏଥିରେ ଛନ୍ଦି ହେଇଯାଇ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ର ସଫା କରିବାର ଅନେକ ଅଭିଯାନ ଯଦିଓ ଆରମ୍ଭ ହେଇଛି କିନ୍ତୁ ଏଥିରୁ ୧୦୦ ମିଲିୟନ ଟନ ପ୍ଲାଷ୍ଟିକ ମହାସାଗର ମାନଙ୍କ ମଧ୍ୟରେ ପ୍ରବେଶ କରିସାରିଛି। ଏହା ସହ ସମୁଦ୍ର ଗର୍ଭରେ ଛଡ଼ାଯାଉଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ପ୍ରତି ତିନିବର୍ଷରେ ପ୍ରାୟ ଦୁଇଗୁଣା ହେଇଚାଲିଛି।

Adidas ଏପରି ଏକ ଅଭିନବ ଉତ୍ପାଦ ଜରିଆରେ ବିଶ୍ଵସ୍ତରରେ ବିଭିନ୍ନ ସମାଜକୁ ସଂଗଠିତ କରିବାରେ ସାହାଯ୍ୟ କରିଛି। ଆମ ପୃଥିବୀକୁ ଧ୍ଵଂସ କରିବାରେ ଲାଗିଥିବା ଏପରି କିଛି ସମସ୍ଯା ଯାହାକି ଆଗକୁ ଯାଇ ଭୟାବହ ରୂପ ନେବ, ତା’ ବିରୁଦ୍ଧରେ ଲଢିବା ପାଇଁ ଏହି ସମାଜ ଗୁଡ଼ିକୁ ସଂଗଠିତ କରିବାରେ ସହାୟକ ହେଇଛି Adidas। ଆଶା କରୁଛୁ ବର୍ଜ୍ୟବସ୍ତୁରୁ ତିଆରି ଏପରି ଅନେକ ଉତ୍ପାଦ ବଜାରକୁ ଆସୁ ଏବଂ ଲୋକଙ୍କୁ ଏହି ସମସ୍ଯା ବିଷୟରେ ଅବଗତ କରାଇବା ସହ ସଚେତନ ମଧ୍ୟ କରାଉ।