ଫୋର୍ଡ କମ୍ପାନୀ କିପରି ତାହାର ହଜାର ହଜାର କର୍ମଚାରୀଙ୍କୁ ଉଦ୍ଭାବକରେ ପରିଣତ କଲା

ଫୋର୍ଡ କମ୍ପାନୀ କିପରି ତାହାର ହଜାର ହଜାର କର୍ମଚାରୀଙ୍କୁ ଉଦ୍ଭାବକରେ ପରିଣତ କଲା

Thursday December 22, 2016,

3 min Read

ଅଟୋମୋବାଇଲ ଶିଳ୍ପରେ ଚଳମାନ 'ଆସେମ୍ବ୍ଲି ଲାଇନ'ର ପ୍ରବର୍ତ୍ତନର ଶ୍ରେୟ ହେନରୀ ଫୋର୍ଡଙ୍କୁ ଦିଆଯାଇଥାଏ, ଯାହା ସେ ହିଁ ଉଦ୍ଭାବନ କରିଥିଲେ। କିନ୍ତୁ ତାଙ୍କର କମ୍ପାନୀ ଆହୁରି ଉଦ୍ଭାବନ ପାଇଁ ମନ ବଳାଇଥିଲା। କିଛି ବର୍ଷ ପୂର୍ବେ ଅନ୍ୟ ମୁଖ୍ୟ ଗାଡ଼ି ନିର୍ମାତାମାନେ ଆମେରିକା ପେଟେଣ୍ଟ ଏବଂ ଟ୍ରେଡ଼ମାର୍କ ଅଫିସରୁ ପ୍ରତି ବର୍ଷ ଫୋର୍ଡ ପାଉଥିବା ପେଟେଣ୍ଟର ପ୍ରାୟ ଦୁଇଗୁଣ ପେଟେଣ୍ଟ ହାସଲ କରିଚାଲିଥିଲେ। କମ୍ପାନୀର ଉଦ୍ଭାବନ ସଂସ୍କୃତିକୁ ତ୍ୱରାନ୍ୱିତ କରିବା ଲାଗି କମ୍ପାନୀ ନୂତନ ଆର୍ଥିକ ପ୍ରୋତ୍ସାହନ ଯୋଜନା ଆରମ୍ଭ କଲା ଏବଂ ଏହି ଉଦ୍ୟମ ଫଳବତୀ ହେଲା। ଏଜେନ୍ସି ସୂତ୍ର ଅନୁସାରେ ଏ ବର୍ଷ ଫୋର୍ଡ ଅନ୍ୟ ସମସ୍ତ ଗାଡ଼ି ନିର୍ମାତାଙ୍କ ଠାରୁ ଅଧିକ 'ୟୁଟିଲିଟି ପେଟେଣ୍ଟ' ପାଇବାକୁ ଯାଉଛି। ଏ ମଧ୍ୟରେ ଅଛି ସ୍ଵୟଂଚାଳିତ ମୋଟର ଗାଡ଼ିର ମାର୍ଗସହାୟକ ଉଡନ୍ତା ଡ୍ରୋନ,ଗୋଟିଏ ଫିଲଟର ଯାହା ଶୀତତାପ ନିୟନ୍ତ୍ରକରୁ ନିର୍ଗତ ଘନୀଭୂତ ଜଳରୁ ପାନୀୟ ଜଳ ପ୍ରସ୍ତୁତ କରିପାରିବ,ତଥା କାର ଭିତରକୁ ଆପେ ଲୋଡ ହୋଇପାରୁଥିବା ଇଲେକ୍ଟ୍ରିକ ହୁଇଲଚେୟାର। ସର୍ବମୋଟରେ ଫୋର୍ଡ ସପକ୍ଷରେ ୧୪୭୮ଟି 'ୟୁଟିଲିଟି ପେଟେଣ୍ଟ' ଜାନୁୟାରୀ ପହିଲାରୁ ଅନୁମୋଦିତ ହୋଇଛି ଯାହାକି ଏହାକୁ ଦୁଇ ବର୍ଷ ପୂର୍ବରୁ ମିଳିଥିବା ପେଟେଣ୍ଟର ଦୁଇଗୁଣ।

image


"ଏକ ଉଦ୍ଭାବନଶୀଳ ସଂସ୍କୃତି ହିଁ ଦୀର୍ଘମିଆଦୀ ଲାଭ ପ୍ରଦାନ କରିବାକୁ ସକ୍ଷମ ହୋଇଥାଏ, ଏବଂ ଗୋଟିଏ କମ୍ପାନୀ ଯଦି ଏହି ସଂସ୍କୃତିକୁ ପ୍ରୋତ୍ସାହନ ଦେଇପାରେ ,ତାହାହେଲେ ବଜାରର ସ୍ଥିତିକୁ ଉଚିତ ଭାବେ ସାମନା କରିପାରିଥାଏ" କହନ୍ତି ବରିଷ୍ଠ ମୋଟରଗାଡି ବିଶେଷଜ୍ଞ ଷ୍ଟିଫାନୀ ବ୍ରିନଲେ "ଠିକ ଏଇଥି ପାଇଁ ଫୋର୍ଡ ନୂତନ ଉଦ୍ଭାବନକୁ ଗୁରୁତ୍ଵ ଦେଇଥାଏ।"

ଫୋର୍ଡ ଗ୍ଲୋବାଲ ଟେକ୍ନୋଲଜି ର ମୁଖ୍ୟ ନିର୍ବାହୀ କାର୍ଯ୍ୟକର୍ତ୍ତା ବିଲ କଫଲିନ ଯେ କି କମ୍ପାନୀର ବୌଦ୍ଧିକ ସମ୍ପତ୍ତିର ତତ୍ତ୍ଵାବଧାନ କରନ୍ତି ନିକଟରେ ୱାସିଂଟନ ପୋଷ୍ଟ ସହିତ ଏକ ସାକ୍ଷାତକାରରେ କମ୍ପାନୀ ବିଗତ ବର୍ଷମାନଙ୍କରେ କରିଥିବା ସାଂସ୍କୃତିକ ପରିବର୍ତ୍ତନ ସବୁ ଉଲ୍ଲେଖ କରିଛନ୍ତି।

image


ଅଧିକ କର୍ମଚାରୀଙ୍କୁ ଉଦ୍ଭାବକରେ ପରିଣତ କର

ସାଧାରଣତଃ ନୂତନ ଉଦ୍ଭାବନଗୁଡ଼ିକ କମ୍ପାନୀର ଗବେଷଣା ଓ ଉନ୍ନୟନ ବିଭାଗ ସୌଜନ୍ୟରୁ ଆସିଥାଏ କିନ୍ତୁ ଫୋର୍ଡ କମ୍ପାନୀର ଦର୍ଶନ ଅନୁସାରେ ଉତ୍ତମ ଆଇଡିଆ କମ୍ପାନୀର ଯେ କୌଣସି କୋଣରୁ ଆସିପାରେ ଏବଂ ସେହି ଅନୁସାରେ ଏହା କର୍ମଚାରୀମାନଙ୍କୁ ଆଗେଇ ଆସିବା ପାଇଁ ପ୍ରୋତ୍ସାହନ ଦେଇ ଆସିଛି। ଯାହାର ଫଳସ୍ଵରୂପ ଏଇ ବର୍ଷ ୫୫୦୦ ରୁ ବେଶୀ ଫୋର୍ଡ କର୍ମଚାରୀ ଏ ପର୍ଯ୍ୟନ୍ତ ସେମାନଙ୍କର ଆଇଡିଆ ପ୍ରଦାନ କରିସାରିଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୨୨୦୦ ପ୍ରଥମବାର ଉଦ୍ଭାବକ ଏହାଛଡା ୪୦୦୦ରୁ ବେଶୀ ପ୍ରଥମବାର ଉଦ୍ଭାବକ ଜାନୁୟାରୀ ୨୦୧୫ ପରଠାରୁ ସେମାନଙ୍କର ଆଇଡିଆ ଦେଇ ସାରିଛନ୍ତି।

"ଆମର ଲକ୍ଷ୍ୟ ନଥିଲା କେବଳ ଉଦ୍ଭାବନଗୁଡ଼ିକର ପରିମାଣ ବୃଦ୍ଧି, ଆମେ ଫୋର୍ଡ ଉଦ୍ଭାବକମାନଙ୍କ ସଂଖ୍ୟା ବୃଦ୍ଧି ହେଉ ବୋଲି ଲକ୍ଷ୍ୟ ରଖିଥିଲୁ" କଫଲିନ କହିଲେ। "ଥରେ ତମେ ଜଣେ ଉଦ୍ଭାବକପରି ଚିନ୍ତା କରିବା ଆରମ୍ଭ କଲେ ତାକୁ ଆଉ ରୋକିପାରିବନି। ସମସ୍ୟା ସୁଯୋଗରେ ପରିଣତ ହୋଇଥାଏ ଏବଂ ତମ ମନରେ ଏକ କଉତୁକିଆ ଖେଳ ଆରମ୍ଭ ହୁଏ, ତମେ କିପରି ଏହାର ସମାଧାନ ଏକ ନୂଆ ଆଉ ଅଲଗା ଢଙ୍ଗରେ କରିବ।ଥରେ ଜଣେ ପ୍ରକୃତ ଉଦ୍ଭାବକ ହୋଇ ଗଲେ ସେ ବାରମ୍ବାର ଉଦ୍ଭାବନ ହିଁ କରିଚାଲିବ"।

କର୍ମଚାରୀଙ୍କୁ ଉଦ୍ଭାବନ କରିବା ପାଇଁ ପ୍ରୋତ୍ସାହନ ଦିଅ

ଆଗ୍ରହୀ ସୃଜନାତ୍ମକ କର୍ମଚାରୀଙ୍କୁ TechShop ରେ ତିନିମାସିଆ ସଭ୍ୟପଦ ଦିଆଯାଇଥାଏ ଯେଉଁଠାରେ ସେମାନେ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ସେମାନଙ୍କର ଆଇଡିଆକୁ ସ୍ଥୂଳରୂପ ଦେବାରେ ସକ୍ଷମ ହୋଇଥାନ୍ତି।

"ଗୋଟିଏ ସମସ୍ୟାର ଉତ୍ତମ କାର୍ଯ୍ୟକ୍ଷମ ସମାଧାନ ବାହାରି ପାରିଲେ ମ୍ୟାନେଜମେଣ୍ଟ ତାକୁ ନାଁ ବୋଲି କହିପାରି ନଥାଏ" ସେ ଆହୁରି କହନ୍ତି।"ଅବଶ୍ୟ ଅର୍ଥ ମଧ୍ୟ କର୍ମଚାରୀ- ଉଦ୍ଭାବକ ପାଇଁ ଏକ ପ୍ରୋତ୍ସାହନ ଭାବେ କାମ କରିଥାଏ। ଗୋଟିଏ ପ୍ରକ୍ରିୟାର ପ୍ରତିଟି ସୋପାନରେ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ଦିଆଯାଇଥାଏ। ଏହା ବ୍ୟତୀତ ସେମାନେ ଉଦ୍ଭାବନ କରିଥିବା ପେଟେଣ୍ଟର ଲାଭାଂଶ ମଧ୍ୟ ପାଇଥାନ୍ତି" ସେ କହନ୍ତି। .

କର୍ମଚାରୀମାନଙ୍କୁ କିଛି ଉଦ୍ଭାବନ କରିବା ପାଇଁ ଚ୍ୟାଲେଞ୍ଜ କର

ଗତ ତିନି ବର୍ଷ ଧରି ଫୋର୍ଡ କମ୍ପାନୀ କର୍ମଚାରୀମାନଙ୍କୁ ନୂତନ ପ୍ରଡ଼କ୍ଟ ବା ଉପସ୍ଥିତ ପ୍ରଡ଼କ୍ଟର ପରିବର୍ତ୍ତନ ସକାଶେ ଆଇଡିଆ ଉପସ୍ଥାପନ କରିବା ପାଇଁ ଆହ୍ଵାନ କରିଆସୁଛି। ଏକ ଚୟନ ପ୍ରକ୍ରିୟାରେ ଯୋଗ୍ୟ ପ୍ରାର୍ଥୀମାନେ ଶେଷରେ ସେମାନଙ୍କର ବିଜିନେସ ମଡେଲ ପ୍ରସ୍ତୁତ କରିଥାନ୍ତି। କଫଲିନ କହନ୍ତି ଯେ ଏହି ଚ୍ୟାଲେଞ୍ଜ ପ୍ରକ୍ରିୟା ସମାପ୍ତ ହେଲାପରେ ବିଜେତାମାନଙ୍କୁ କେବଳ ଯେ ଏକ ସାର୍ଟିଫିକେଟ ବା ପୁରସ୍କାର ଦିଆଯାଇଥାଏ ତା ନୁହେଁ ସେମାନଙ୍କୁ ଆହୁରି ଗବେଷଣା ଚାଲୁ ରଖିବା ପାଇଁ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଏ।

ଏକ ଦୃଢ ଆଭ୍ୟନ୍ତରୀଣ ସମୀକ୍ଷା ପ୍ରକ୍ରିୟା ଆପଣାଅ

ଫୋର୍ଡ କମ୍ପାନୀ ସୂତ୍ରରୁ ପ୍ରକାଶ ଯେ କର୍ମଚାରୀମାନେ କେବଳ ଏ ବର୍ଷ ପେଟେଣ୍ଟ ସକାଶେ ୮୦୦୦ରୁ ବେଶୀ ଆଇଡିଆ ଦାଖଲ କରିଛନ୍ତି ଯାହାର ଉପଯୁକ୍ତ ଗୁଣାତ୍ମକ ମାନ ଯାଞ୍ଚ କରିବା ଏକ ବଡ କାମ। ଫୋର୍ଡ ଆହୁରି ଅଧିକ ଉଦ୍ଭାବନ ପାଇଁ ଉତ୍ସାହିତ କରୁଥିବାରୁ ଏହି ପ୍ରକ୍ରିୟାର ପରିସର ଆହୁରି ବୃଦ୍ଧି ପାଇଛି ବୋଲି କଫଲିନ କହନ୍ତି। ଏହି ଆଇଡିଆ ଗୁଡ଼ିକୁ ଇଞ୍ଜିନିୟର ମାନଙ୍କର ଏକ ପ୍ୟାନେଲ ପରଖି ଦେଖନ୍ତି କେଉଁଗୁଡ଼ିକ ପେଟେଣ୍ଟ କରିବା ଯୋଗ୍ୟ ଏବଂ ବ୍ୟବସାୟିକ ଦୃଷ୍ଟିରୁ ଅନୁକୂଳ। ତାପରେ କମ୍ପାନୀ ତାହାର ନିଜ ଓକିଲ ମାନଙ୍କ ପରାମର୍ଶ ନେଇ ବାହାର ଏକ ଫାର୍ମକୁ ପେଟେଣ୍ଟ ଫାଇଲ କରିବା ଦାୟିତ୍ଵ ଦେଇଥାନ୍ତି।